ମାଟିର ଡାକ

 

 

 

 

 

 

 

 

 

 

 

ମାଟିର ଡାକ

ଶ୍ରୀ ମନୋରଞ୍ଜନ ସାମଲ

 

ଉପହାର

 

ଜୀବନରେ ଯାହାଙ୍କୁ ମୋର କିଛି

ଅଦେୟ ନାହିଁ, ତାଙ୍କରି ହାତରେ

“ମାଟିର ଡାକ” କୁ

ଟେକି ଦେଲି ।

 

ମନୋରଞ୍ଜନ

Image

 

ପଦେ କଥା

 

୧୯୬୨ ମସିହା ଅକ୍ଟୋବର ମାସ–ଶାନ୍ତି-ପ୍ରିୟ ଭାରତ ଜନତା ଉପରେ ବର୍ବରୋଚିତ ଆକ୍ରମଣ କଲା । ପରଶ୍ରୀକାତର ଚୀନ୍–ଆମ ସୀମାନ୍ତରେ ବାଜି ଉଠିଲା ରଣ ଦୁନ୍ଦୁଭି–ଭାରତର ଆବାଳ ବୃଦ୍ଧ ବନିତା ଜାଗି ଉଠିଲେ ମାତୃଭୂମିର ସମ୍ମାନ ରକ୍ଷା କରିବାକୁ–କଥାରେ କହନ୍ତି, “ମଇଁଷି ଶିଙ୍ଗ ଫଟା–ଯୁଝିଲା ବେଳକୁ ଗୋଟା”–ସେଇଟା ଦେଖା ଦେଲା ଭାରତୀୟ ଜୀବନରେ–ଆମ୍ଭମାନଙ୍କ ମଧ୍ୟରେ ବିଭିନ୍ନ ମତବାଦ, ଶତ୍ରୁତା ଥାଇପାରେ–କିନ୍ତୁ ଦେଶ ମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବାକୁ ସମସ୍ତେ ହେଲେ ଏକ–ଗୋଟିଏ ମାଆର ପୁଅ–ସମସ୍ତଙ୍କ ମୁହଁରେ ଶୁଣାଗଲା “ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ”–ତାର ସମ୍ମାନ ରକ୍ଷା କରିବାକୁ ହେବ ।

 

ଆମ ଦେଶର ଜବାନ ଆଗେଇ ଚାଲିଲେ ସୀମାନ୍ତକୁ–ମାଆ ତା’ର ପୁଅ ମୁଣ୍ଡରେ ବିଜୟ ଟିକା ପିନ୍ଧାଇ ପଠାଇଦେଲା ଶତ୍ରୁର ଗୁଳି ମୁହଁକୁ–ଯୁବତୀ ନାରୀ ସାଞ୍ଜୁ ପିନ୍ଧାଇ ପଠାଇଲା ତା’ର ସ୍ୱାମୀକୁ ଘୃଣ୍ୟ ଶତ୍ରୁର ଗର୍ବ ଭାଙ୍ଗିବାକୁ–ଆମର ଜବାନ ମାଡ଼ି ଚାଲିଲେ ଆଗକୁ, ଆଉ ଆଗକୁ–

 

କିନ୍ତୁ ଏଣେ ପୁରପଲ୍ଲୀରେ ଦେଖା ଦେଲା କ’ଣ ? ଆମର କୃଷକ ହଳ ଲଙ୍ଗଳ ଧରି ଖେତ ଆଡ଼କୁ ଚାଲିଲେ–ମାଟି ସାଙ୍ଗରେ ମାଟି ହୋଇ, ମୁଣ୍ଡ ଝାଳ ତୁଣ୍ଡରେ ମାରି ସେମାନେ ଶସ୍ୟଶ୍ୟାମଳା କଲେ ଧରଣୀ ମାଆକୁ–ଉତ୍ପାଦନ କଲେ ପ୍ରଚୁର ଖାଦ୍ୟ–ଏ ସବୁ ଦେଖି ବିଶ୍ୱାସଘାତକ ଶତ୍ରୁର ହୃତ୍‍କମ୍ପ ଜାତ ହେଲା–ଆକ୍ରମଣକାରୀ ଫେରିଗଲା ତା’ର ଦେଶକୁ–ଇତିହାସରେ ରହିଗଲା କଳଙ୍କ–

 

ଏହି ଉପନ୍ୟାସ ଖଣ୍ଡିକ ହେଉଛି ସେହି ସମୟର ଲେଖା–ଦେଶର ବିପଦ ସମୟରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଛି । ବିଶେଷତଃ ଗାଁ ଗଣ୍ଡାର ଲୋକମାନେ କିପରି ନିଜର କର୍ତ୍ତବ୍ୟ କରିବେ, ସେଇ ବିଷୟରେ କେଇପଦ କୁହାଯାଇଛି–ଲେଖାଟି ସେ ଦିଗରେ କେତେଦୂର କୃତକାର୍ଯ୍ୟ ହୋଇଛି, ତାହା ପାଠକମାନେ ହିଁ ବିଚାର କରିବେ ।

 

ଲେଖାଟିର ଆତ୍ମପ୍ରକାଶରେ ଅନେକ ଡେରି ହୋଇଗଲାଣି–ପ୍ରକାଶକ ବନ୍ଧୁ–ଶ୍ରୀ ରାଧାଶ୍ୟାମ ମହାନ୍ତି ଅନେକ ଘାତ ପ୍ରତିଘାତ ଦେଇ ଗତିକରି ମଧ୍ୟ ବହିଟିକୁ ଛପାଇ ସାଧାରଣଙ୍କ ଦୃଷ୍ଟିକୁ ଆଣିବାରେ ଖୁବ୍ ପ୍ରେରଣା ଦେଇଛନ୍ତି–ସେଥିପାଇଁ ତାଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଉଛି–

 

ହଦଗଡ଼

। ଇତି ।

ତା ୧୪ । ୧୦ । ୬୬

ଲେଖକ

Image

 

ପାଟପୁର । ଓଡ଼ିଶା ଭିତରେ ଗୋଟିଏ ଛୋଟ ଗାଁ । ଦେବୀ ନଈ ବଙ୍କେଇ ବଙ୍କେଇ ବହିଯାଇଛି ଗାଁର ଦକ୍ଷିଣ ପଟରେ । ନଈର କୋପଦୃଷ୍ଟି ପାଟପୁର ଉପରେ ଅନେକ ଦିନ ଆଗରୁ ପଡ଼ିଥିଲା । ତା’ର କୂଳ ଖାଇବା ଦେଖି ଗ୍ରାମବାସୀମାନେ ଘର ଭାଙ୍ଗି ଅନ୍ୟସ୍ଥାନକୁ ଯିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ତା’ ହେଲା ନାହିଁ । ବୁଢ଼ାମାନେ କହନ୍ତି, ଗ୍ରାମଦେବତୀଙ୍କର ଶୁଭ ଦୃଷ୍ଟି ପଡ଼ିଲା । ଦେବୀ ନଈର ବିଷଦନ୍ତକୁ ସେ ଭାଙ୍ଗିଦେଲେ । ନଈ ଗାଁର କିଛି କ୍ଷତି ନ କରି ଦୂରକୁ ଘୁଞ୍ଚିଗଲା । ପାଟପୁରର ଦକ୍ଷିଣ କଡ଼ରେ ଥିବା ଉଚ୍ଚା ଦାଢ଼ିଆ କୂଳ ଆଜିପର୍ଯ୍ୟନ୍ତ ଗର୍ବ ମୁଣ୍ଡ ଟେକି ରହିଛି । ନୀରବରେ ଜଣାଉଛି, ନଈ ସହିତ ସେ ଖୁବ୍ ବୀରତ୍ଵର ସହିତ ଲଢ଼ିଥିଲା । ଦେବୀ ନଈ କିନ୍ତୁ ଦୁଃଖରେ କାନ୍ଦି କାନ୍ଦି ଫୁଲିଗଲା । ତା’ର ପେଟ ଓସାରିଆ ହୋଇଗଲା ଓ ପାଟପୁର ପାଖରେ ତା’ର ଗଭୀରତା କମିଗଲା । ଗାଁ ପାଖରୁ ନଈପଠା ବଢ଼ିଗଲା । ତା’ ଉପରେ ଖରି ଓ କାଇଁଚ ବଣ ହୋଇଗଲା । ଆଜିକାଲି ଅବଶ୍ୟ ସେ ବଣ ନାହିଁ । ବର୍ଷସାରା ପନିପରିବା ସେ ନଈପଠାରୁ ପାଟପୁର ଲୋକମାନେ ଅମଳ କରୁଛନ୍ତି ।

 

ଗାଁର ପୂର୍ବ ମୁଣ୍ଡରେ ଝଙ୍କାଳିଆ ବରଗଛଟା ଅନେକ ଦିନରୁ ଅଛି । ଗଛଟା ଡାଳପତ୍ର କେତେଆଡ଼କୁ ମେଲେଇ ଦେଇଛି । ବର୍ଷକୁ ବର୍ଷ ବର ଓହଳ ସଂଖ୍ୟା ବଢ଼ିବାରେ ଲାଗିଛି । ବରଗଛର ଗଣ୍ଡିଟା ଦେଖିଲେ ଜଣାଯାଏ ଯେପରି ପାଟପୁରର ଜନ୍ମ ସେ ଦେଖିଛି । କୌଣସି ବିପଦ ଆପଦ ପଡ଼ିଲେ, ପାଟପୁରର ସବୁ ଲୋକ ତା’ ତଳେ ନିରାପଦରେ ରହିପାରିବେ । ଖରା କି ବର୍ଷା କିଛି କାଟିବ ନାହିଁ ।

 

ଗାଁର ସମସ୍ତ ସାଧାରଣ କାର୍ଯ୍ୟ ସେ ଗଛମୂଳେ ହୋଇଥାଏ । ପୂଜା ପର୍ବ, ସଭା ସମିତି ଏବଂ କୁସ୍ତି କସରତ୍ ସବୁ ସେଇଠି ହୁଏ, କିନ୍ତୁ ଖେଳ ଆଡ୍ଡ଼ା ସେଠି ବେଶୀ ହୁଏ । ପ୍ରାୟ ଦୋଳପୂର୍ଣ୍ଣିମାଠାରୁ ଖେଳ ଆରମ୍ଭ ହୁଏ ଏବଂ ଶେଷ ହୁଏ ରଜସଂକ୍ରାନ୍ତି ବେଳକୁ । ସବୁବେଳେ ପିଲାଙ୍କ ଗହଳି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ତତଃ ଦଶ ତିରିଶ ଜଣ ପିଲା ଗଛମୂଳେ ଜମା ହୋଇଥିବେ । ସେମାନଙ୍କ ମଧ୍ୟରୁ କେତେକ ଖେଳାଳି ଓ ଆଉ କେତେକ ଦେଖଣାହାରି । ବାଗୁଡ଼ି, ବୋହୂଚୋରି ଏମିତି କେତେ ରକମ ଖେଳ ହୁଏ । ତା’ ସାଙ୍ଗକୁ ବୁଢ଼ାମାନଙ୍କର ତାସ ଓ ପଶାପାଲି-। ବୁଢ଼ାମାନେ ଲମ୍ବେଇ ଲମ୍ବେଇ ଡାକ ଦିଅନ୍ତି, ହେଇ ପୁଅବାର ତେର୍‍ର.... । ଗୋରୁଜଗା ପିଲା ଗୋରୁମାନଙ୍କୁ ଗଛତଳେ ଗୋଠ କରି ରଖେ । ଖରାବେଳଟା ତା’ର ସେଇଠି କଟେ । ଗଛଡ଼ାଳ ଉପରେ ବସି ବଂଶୀରେ ସେ ମନଫୁଲାଣିଆ ସ୍ୱର ତୋଳେ ।

 

ପ୍ରତିବର୍ଷ ରଜସଂକ୍ରାନ୍ତି ଦିନଠାରୁ ଗଛମୂଳରେ ଅଷ୍ଟପ୍ରହରୀ ଆରମ୍ଭ ହୁଏ । ଗଛପାଖରେ ଗୋଟିଏ ଚାଳଘର ତିଆରି ହୋଇଛି, ସେଠି ସବୁଦିନେ କୀର୍ତ୍ତନ ହୁଏ । ଗାଁରେ ହଇଜା ଲାଗିଲେ, କୀର୍ତ୍ତନ ଦଳର ଗୁରୁତ୍ଵ ବହୁତ ବଢ଼ିଯାଏ । ରାତି ରାତି ଧରି କୀର୍ତ୍ତନ ହୁଏ । ଶେଷକୁ ଗାଁ ମୁଣ୍ଡରେ ପଣା ଦେଇ ହଇଜା “ମା”ଙ୍କୁ ଲୋକମାନେ ଗାଁରୁ ବିଦାୟ କରି ଦିଅନ୍ତି । କିନ୍ତୁ ଗାଁର ଭଲମନ୍ଦ ପାଇଁ ଗ୍ରାମଦେବତୀ ନଜର ଦେଇଥାନ୍ତି ବୋଲି କାଳିସୀ କୁହେ ।

 

ପାଟପୁରର ପଶ୍ଚିମ ମୁଣ୍ଡରେ ଠାକୁରାଣୀଘର । ପ୍ରତିବର୍ଷ ଦୋଳଯାତ୍ରା ପୂର୍ବରୁ ସେ ଘର ଛପର ହୁଏ । ଘର ଚାରିପଟରେ ବାଡ଼ାବନ୍ଦି ହୋଇଛି । ବିବାହ ବ୍ରତ ବେଳକୁ ବେଢ଼ା ଭିତରେ ଖୁବ୍ ଲୋକ ଗହଳି ହୁଏ । ପୂଜାରୀ ଘର ଠାକୁରାଣୀଙ୍କ ଘରକୁ ଲାଗି ରହିଛି । ସେ କ’ଣ କରେ ତା’ର ଖବର କେହି ରଖନ୍ତି ନାହିଁ । ଗାଁରେ ରୋଗ ବ୍ୟାପିଲେ, ଲୋକମାନେ ଠାକୁରାଣୀଙ୍କ ପୂଜାର ବ୍ୟବସ୍ଥା କରନ୍ତି । ସେତେବେଳେ ଠାକୁରାଣୀ ଆଲୁଅ ନେଇ ପାଟପୁର ଚାରିପଟରେ ବୁଲିବାର କେତେଜଣ ଦେଖନ୍ତି ବୋଲି କହନ୍ତି । ଗାଁରେ କୌଣସି ଅନ୍ୟାୟ ହେଲେ, ଜଣେ ଦୁଇଜଣ ଲୋକଙ୍କୁ ଠାକୁରାଣୀ କହି ମଧ୍ୟ ଦିଅନ୍ତି । ତା’ପରେ ଠାକୁରାଣୀଙ୍କ ସେବା ପୂଜା କରି ପ୍ରସାଦ ଲଗାଉ ଲଗାଉ ପୂଜାରୀକୁ ସମୟ ଅଣ୍ଟେ ନାହିଁ ।

 

ପାଟପୁର ଲମ୍ବିଯାଇଛି ପଶ୍ଚିମରୁ ପୂର୍ବକୁ–ଦୋସାଲିଆ ମୌଜା–ଗାଁ ଦାଣ୍ଡଟି ବେଶୀ ଚଉଡ଼ା ନୁହେଁ । ଛୋଟ, ଛୋଟ, ଚାଳଘରଗୁଡ଼ିକ ପାଖକୁ ପାଖ ଲାଗି ତିଆରି ହୋଇଛି । ଅଧିକାଂଶ ଲୋକଙ୍କର ଘରକୁ ଲାଗି ଗୁହାଳ । ଗୋରୁସବୁ ଦାଣ୍ଡରେ ବନ୍ଧାହୁଅନ୍ତି । ଦାଣ୍ଡ କେବେ କାଦୁଅ ହୁଏ ନାହିଁ । ଏମିତିକି ଆଷାଢ଼ ଓ ଶ୍ରାବଣ ମାସ ଝଡ଼ରେ ଗୋଡ଼ ଝାଡ଼ି ଚାଲିଯାଇ ହୁଏ । ବାଲିମାଟି, ତେଣୁ ପାଣି ଟୋପେ ହେଲେ ଦାଣ୍ଡରେ ଜମେ ନାହିଁ ।

 

ଗାଁ ମୁଖିଆ ସୁବୁଦ୍ଧିଙ୍କ ଘର ଅନ୍ୟମାନଙ୍କ ଘରଠାରୁ ବାରି ହୋଇପଡ଼େ । ମୋଟା ଖୁଣ୍ଟ ଆଉ ଚଉଡ଼ା ପିଣ୍ଡା ଥିବା ଘର ହେଉଛି ତାଙ୍କର । ଘର ଆଗରେ ଚଉରା । ତା’ ପାଖକୁ ଲାଗି ରହିଛି ଗୋଟିଏ ଚଉତରା । ଗାଁ କଳି ନିଷ୍ପତ୍ତି ହୁଏ ସେଇଠି ।

 

ସୁବୁଦ୍ଧିଙ୍କ ଘର ଆଗରେ ରହନ୍ତି ମାଟିବଂଶ ଅବଧାନ । ସେଇ ଘରେ ସେ ଚାଟଶାଳୀ କରନ୍ତି । ଅବଧାନ ପାଟପୁରରେ ରହି ଆସି ବୁଢ଼ା ହେଲେଣି । ସେ ଯେତେବେଳେ ପାଟପୁରକୁ ଆସିଥିଲେ, ତାଙ୍କୁ ହୋଇଥିଲା ସତର ବରଷ । ତାଙ୍କୁ ବର୍ତ୍ତମାନ ଷାଠିଏ ଟପିଲାଣି । ମୁଣ୍ଡବାଳର ରଙ୍ଗ ବଦଳି ଗଲାଣି । ଦାନ୍ତ ସବୁ ଗୋଟି ଗୋଟି ହୋଇ ଖସିଲାଣି । ଗଜା ଭେଣ୍ଡିଆରୁ ଆସି ବୁଢ଼ା ହେଲେ । ସେ କିନ୍ତୁ ପାଟପୁରର ମାଟି କାମୁଡ଼ି ରହିଛନ୍ତି । ପ୍ରଥମେ ଆସି ଯାହାଙ୍କୁ ସେ ଖଡ଼ି ଧରାଇଥିଲେ, ଆଜି ସେମାନଙ୍କ ପୁଅ ନାତିଙ୍କୁ ପଢ଼ାଉଛନ୍ତି । ଗାଁ ଲୋକମାନେ ଅବଧାନଙ୍କୁ ଧରିନେଇଛନ୍ତି ତାଙ୍କ ଗାଁର ଜଣେ ଲୋକ ବୋଲି ।

 

ଅବଧାନେ ରହିବାର ଦଶବର୍ଷ ପରେ ଖୁବ୍ ଜୋର ଜୁଲମ କରିଥିଲେ–ଗୋଟିଏ ନୂଆ ଚାଟଶାଳି ଘର ତିଆରି କରିବାକୁ । ଗାଁ ଲୋକମାନେ ରାଜି ହେଲେ, କିନ୍ତୁ ଖୁବ୍ ଗୋଟାଏ ତର୍କ, ବିତର୍କ ହୋଇଥିଲା । ଦଳେ କହିଲେ, ବରଗଛ ମୂଳରେ ଚାଟଶାଳି ଘର ହେବ, ଆଉ ଦଳେ କହିଲେ ଗାଁ ମଝିରେ ହେବ । ସୁବୁଦ୍ଧି ସମାଧାନ କଲେ । ତାଙ୍କରି ଘର ଆଗରେ ଚାଟଶାଳି ହେଲା-। ତା’ ପରଠାରୁ ଚାଟଶାଳି ବିଷୟରେ ଆଉ କେବେ କିଛି କଥା ଉଠି ନାହିଁ ।

 

ପିଲାମାନେ ଚାଟଶାଳିରେ ପ୍ରଥମେ ପଣିକିଆ ପଢ଼ିସାରି ଭାଗବତ ପଢ଼ନ୍ତି । ତା’ ସାଙ୍ଗେ ସାଙ୍ଗେ କେତେକ ସାଧାରଣ ହିସାବପତ୍ର ଅବଧାନେ ଶିଖାଇ ଦିଅନ୍ତି । ସେଇଠୁ ପାଠ ଶେଷ । ଗାଁ ଛାଡ଼ି କେହି କେବେ ପାଠ ପଢ଼ିବାକୁ ଅନ୍ୟ ସ୍ଥାନକୁ ଯାଇନାହିଁ ।

 

ଚାଟଶାଳିରୁ, କାହାର କେବେ ପାଠ ଶେଷ ହେବ, ଅବଧାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଯଦି କେଉଁ ପିଲାର ବାପ ମା’ ଭଲକରି ଅବଧାନଙ୍କୁ ଖାଇବା ପିଇବାକୁ ଦିଅନ୍ତି କିମ୍ଵା କୌଣସି ପିଲା ଭଲ ରୋଷେଇ କରିପାରେ, ତେବେ ଚାଟଶାଳିରେ ତାକୁ ବେଶୀ ଦିନ ରହିବାକୁ ପଡ଼େ । କିନ୍ତୁ ସେଥିପାଇଁ କୌଣସି ଅଭିଭାବକ କେବେ ଅଭିଯୋଗ କରିନାହାନ୍ତି । ବରଂ ସେମାନେ ଖୁସି ହୁଅନ୍ତି । କାରଣ ଅବଧାନ ଖୁସି ଅଛନ୍ତି; ତେଣୁ ତାଙ୍କ ପୁଅ ଭଲ ପିଲା ।

 

ଅବଧାନଙ୍କ କାର୍ଯ୍ୟକାଳ ଭିତରେ ସେ ଥରେ ମାତ୍ର ନିରୁପାୟ ହୋଇଥିଲେ । ଯେତେବେଳେ ଗୌରହରି ପାଠ ପଢ଼ା ବନ୍ଦ କରିଥିଲା ସେ କିଛି କହିପାରିଲେ ନାହିଁ । ସେ ଭଲ ପଢ଼ୁଥିଲା, ଆଉ ପଣିକିଆ ମୋଟେ ଅଧେ ଶିଖିଥିଲା । କିନ୍ତୁ ତା’ ବାପା ହରି ବେହେରା ତାକୁ ଚାଟଶାଳିକୁ ଆସିବା ବନ୍ଦ କରିଦେଲେ । ଅବଶ୍ୟ ହରି ବେହେରା ବାଧ୍ୟରେ ପୁଅ ପୋଥିରେ ଡୋର ବାନ୍ଧିଥିଲେ । ଅବଧାନେ ବି ସେଥିରେ ରାଜି ନ ହୋଇ ଚାରା ନ ଥିଲା ।

 

ହରି ବେହେରା–ତାଙ୍କ ବାପ ଅଜା ସାତ ପୁରୁଷ ଅମଳରୁ ପାଟପୁର ଗାଁରେ ଘର କରି ରହିଛନ୍ତି । ଠାକୁରାଣୀଙ୍କ ବେଢ଼ାଠାରୁ ଅଳ୍ପଦୂରରେ ତାଙ୍କ ଘର । ହରି ବେହେରା କହନ୍ତି, ତାଙ୍କ ପୂର୍ବପୁରୁଷମାନେ ପ୍ରଥମେ ପାଟପୁରକୁ ଆସିଥିଲେ ଏବଂ ଘର ପାଖରେ ଠାକୁରାଣୀଙ୍କୁ ପ୍ରତିଷ୍ଠା କରିଥିଲେ । ଗୋଟିଏ ଘରରୁ ଆସି କେତେ ଘର ହେଲାଣି । ଗୋଟିଏ ଗଛର ମଞ୍ଜି । ବଂଶ ବଢ଼ିଯାଇଛି । ପୁନେଇଁ ଅମାବାସ୍ୟା ଦିନ ସେ ସବୁ ପୂର୍ବପୁରୁଷ ମନେପଡ଼ନ୍ତି । କାଉଁରିଆ ଡାଙ୍ଗରେ ଆଲୁଅ ଦେଖାଇ ପିତୃପିତାମହମାନଙ୍କୁ ଗଙ୍ଗାଠାରୁ ଗୟା ପର୍ଯ୍ୟନ୍ତ ସମସ୍ତେ ବୁଲାଇ ଆଣନ୍ତି । ସେଇମାନେ ହେଉଛନ୍ତି ବଂଶ ଗର୍ବ । ଯେତେବେଳେ ଯାହା ଦରକାର ହେବ, ପ୍ରଥମେ ସେହି ପୂର୍ବପୁରୁଷଙ୍କ ଇତିହାସ ଖୋଲାଯିବ । ବଂଶରେ କିଏ ଚୋର ଥିଲେ କିମ୍ବା ସାଧୁ ଥିଲେ, ଏହିପରି ଅନେକ କଥା । ହରି ବେହେରାଙ୍କର ବଂଶରେ କିଛି କାଳିମା ନାହିଁ । ତେଣୁ ସେ ବଂଶ ମର୍ଯ୍ୟାଦା ବିଷୟରେ ଅନ୍ୟକୁ ପାଞ୍ଚପଦ କହିପାରନ୍ତି । ତାଙ୍କ ପୂର୍ବପୁରୁଷଙ୍କ ବିଷୟରେ ପଦେ ଖରାପ କଥା କହିବାକୁ କାହାର ଜିଭ ଲେଉଟେ ନାହିଁ ।

 

ହରି ବେହେରା ପିଲାଦିନେ ଶୁଣିଥିଲେ, ତାଙ୍କ ଅଜା ଖୁବ୍ ଜଣେ ବଡ଼ ଜମିଦାର ଥିଲେ । ତାଙ୍କ ନାଁ ଶୁଣିଲେ, ଗର୍ଭିଣୀ ଗାଈ ବି ବାଟ ଛାଡ଼ି ଦେଉଥିଲା । କିନ୍ତୁ ତାଙ୍କର ଗୋଟାଏ ଦୋଷ ଥିଲା-। ସେ ଆୟକୁ ନ ଦେଖି ବ୍ୟୟ କରୁଥିଲେ । ମ୍ୟାନେଜର ଟଙ୍କା କରଜ ଆଣି ଯୋଗାଉଥିଲେ, ଖର୍ଚ୍ଚ ହେଉଥିଲା । ଜମିଦାରଙ୍କର ଟଙ୍କାକୁ ଆଦୌ ଖାତିର ନ ଥିଲା ।

 

ଜମିଦାରଙ୍କୁ ସେତେବେଳେ ଚାଳିଶ ବର୍ଷ । ସେ ଆରପୁରରୁ ଡକରା ପାଇଲେ । ଗୋଟାଏ ମାତ୍ର ଦିନ ସେ ଜରରେ ପଡ଼ିଲେ । ବଇଦମାନେ ଆସି କେତେ ରକମ ଔଷଧ ଦେଲେ । କିଛି ଫଳ ହେଲା ନାହିଁ । ସେ ସବୁଦିନ ପାଇଁ ଆଖି ବୁଜିଲେ । ସବୁ ପ୍ରଜା ଧନ୍ୟ ଧନ୍ୟ କହିଲେ । ସାଧୁପୁରୁଷ ଥିଲେ ସେ । ନର୍କ ଦଶା ଭୋଗିଲେ ନାହିଁ । ଅମର ପୁରକୁ ଚାଲିଗଲେ ।

 

ଜମିଦାରଙ୍କ ଶୁଦ୍ଧିପରେ ଜମିଦାରୀ ନିଲାମ ହୋଇଗଲା । ଘର ବାଡ଼ି ବି କିଛି ରହିଲା ନାହିଁ । ହରି ବେହେରାଙ୍କ ବାପା ଓ ତାଙ୍କର ଦୁଇଭାଇ ଖୁବ୍ ପିଲା ଥିଲେ । ନିଃସହାୟ ହୋଇଗଲେ-। କିନ୍ତୁ ଆଈବୁଢ଼ୀ ମ୍ୟାନେଜରକୁ ଟଙ୍କା ଦେଇ କିଛି ଜମି ନିଲାମ ଧରି ନେଇଥିଲେ । ସେଇ ଯାହା କିଛି ପୂର୍ବପୁରୁଷଙ୍କ ସମ୍ପତ୍ତି ଥିଲା । ଆଜି ଆସି କିତା କିତା ହୋଇଗଲାଣି ।

 

ସମସ୍ତଙ୍କର ଧାରଣା, ହରି ବେହେରାଙ୍କ ଆଈ ପାଖରେ ବହୁତ କିଛି ପଇସା ଥିଲା, ସେଇ ବିଶ୍ୱାସ ଯୋଗୁ ହରି ବେହେରାଙ୍କ ବାପ, ଦାଦାମାନେ ଜମିଦାରଙ୍କ ପିଲା ବୋଲି ପରିଚୟ ଦେଇ କିଛିଦିନ ଚଳିଗଲେ । କିନ୍ତୁ ଫମ୍ପାରେ ବା କେତେଦିନ ଚଳିବେ ? ଅବସ୍ଥା ଦିନକୁ ଦିନ ଖରାପ ହୋଇଗଲା । ମଧୁ ବେହେରା, ହରି ବେହେରାଙ୍କ ବାପା । ତାଙ୍କୁ କୋଡ଼ିଏ ବର୍ଷ ହେଲାବେଳକୁ ଜମିଦାରଙ୍କ ସ୍ତ୍ରୀ ପିଲାମାନଙ୍କୁ ଦୁଃଖ ଦରିଆରେ ଭସାଇ ଦେଇ ସବୁଦିନ ପାଇଁ ଆଖି ଆଗରୁ ଉଭାଇଗଲେ ।

 

ମଧୁ ବେହେରା ଅଣ୍ଟା ଭିଡ଼ିଲେ । ସେ ବ୍ୟବସାୟ ଆରମ୍ଭ କଲେ । ମୂଳଧନ ନ ଥିଲା । ମଲ୍ଲୀପୁର ହାଟ ନିକଟରେ । ସପ୍ତାହରେ ଦୁଇ ଦିନ ହାଟ ପାଳି । ମହାଜନ ପାଖରେ ଟଙ୍କା ଆଣି ସେଇଦିନ ଚାଉଳ କିଣି ବିକିଲେ ମଧୁ ବେହେରା । ସେଇ ଲାଭରେ ଗୁଜୁରାଣ ମେଣ୍ଟିଲା । “ବାଣିଜ୍ୟେ ବସତେଃ ଲକ୍ଷ୍ମୀ” । ମଧୁ ବେହେରାଙ୍କ ଭାଗ୍ୟ ବଦଳିଲା । ତାଙ୍କ ପାଖରେ ଦୁଇ ପଇସା ହେଲା । ପାଞ୍ଚ ଜଣରେ ଜଣେ ବୋଲି ସେ ଗଣାହେଲେ । ମଧୁ ବେହେରାଙ୍କ ଚାରିପୁଅ । ହରି ବେହେରା ବଡ଼ । ଉତ୍ତରାଧିକାରୀ ସୂତ୍ରେ ସେମାନେ ମଧୁ ବେହେରାଙ୍କ ସମ୍ପତ୍ତି ପାଇଲେ । ପୂର୍ବ ଗୌରବ ଅବଶ୍ୟ ଫେରି ଆସିଲା ନାହିଁ । କିନ୍ତୁ ବେହେରାଙ୍କ ଘର ସେ ଅଞ୍ଚଳରେ ବେଶ୍ ଜଣାଶୁଣା ହୋଇଗଲା ।

 

ମଧୁ ବେହେରା ବଡ଼ପୁଅର ବାହାଘର ଖୁବ୍ ଜାକଜମକରେ କରାଇଥିଲେ । ଜମିଦାର ଘର ପରି କାମ ହୋଇଥିଲା । “ଚାଟ ଘର ପିଲା ଚାଟ । ” ଆଖ ପାଖ ଦଶଖଣ୍ଡ ମୌଜାର ଲୋକମାନେ ଆସିଥିଲେ । ଖିଆପିଆ ଧୁମ୍‍ ରେ ରାତି ପାହାନ୍ତି ପହର ହୋଇଯାଇଥିଲା । ଚାନ୍ଦିଆ ଜାଳି ବରବେଶ ହୋଇ ହରି ବେହେରା ମାଛ ଗାଁ ରାଉତ ଘରକୁ ଯାଇଥିଲେ । ସାଙ୍ଗରେ ଗୋଟିପିଲା ମଧ୍ୟ ଯାଇଥିଲେ । ଏପରି ବରଯାତ୍ରୀ ଦେଖି ମାଛଗାଁ ଲୋକମାନେ ତାଟକା ହୋଇଯାଇଥିଲେ । ବରଯାତ୍ରୀଙ୍କ ସମ୍ମାନ ରକ୍ଷା ପାଇଁ ରାଉତ ବୁଢ଼ା ଗୋଟିଏ ମାଣିଆବନ୍ଦ ଯୋଡ଼ ଦେଇଥିଲେ । ସେ କଥା ଆଜିକାଲି ଲୋକମାନେ ନଜିରି ଦିଅନ୍ତି ।

 

ତା’ପରେ ହରି ବେହେରାଙ୍କ ଅନ୍ୟ ଭାଇମାନେ ଉପଯୁକ୍ତ ଘରେ ବିବାହ କରିଥିଲେ ।

 

ସବୁଭାଇ ମିଶି ଗୋଟିଏ ମନ ଓ ପ୍ରାଣ ଦେଇ କାମରେ ଲାଗିଲେ । ପଇସା କମେଇବା, ନାଁ କରିବା ଏଇ ହେଲା ଉଦ୍ଦେଶ୍ୟ । ଚାଷ ହେଲା, ବ୍ୟବସାୟ ବି ହେଲା, ପଇସା ଯେତେବେଳେ ଆସେ, ଅମାପ ଆସେ । ଗଲାବେଳେ ବି ସେମିତି ଚାଲିଯାଏ । ହରି ବେହେରାଙ୍କ ସମ୍ପତ୍ତି ଦେଖି ସମସ୍ତେ ଭାବିଲେ, ପୁଣି ସେମାନଙ୍କର ସୁଖର ଦିନ ଫେରି ଆସିଲା ।

 

ବିଧିର ବିଧାନ ବଡ଼ ବିଚିତ୍ର । ପାଟପୁରରେ ନିଆଁ ଲାଗିଲା । ଗାଁ’ଟା ସାରା ପୋଡ଼ି ପାଉଁଶ ହୋଇଗଲା । ବେହେରାଙ୍କର ନଗଦ ଟଙ୍କା ସବୁ ନିଆଁ ମୁହଁରେ ଗଲା ।

 

ବେହେରା ପୁଣି ଘର କଲେ । କିନ୍ତୁ ପଇସାର ଆଣ୍ଟ ଭାଙ୍ଗିଗଲା । ସେତେବେଳକୁ ହରି ବେହେରାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇ ସାରିଲେଣି । ସାନ ଭାଇମାନଙ୍କର ବି ପିଲା ହେଲେ । ଅଭାବ ବେଳ, ତେଣୁ ଅତି ଛୋଟ ଛୋଟ କଥାରୁ କଳିର ସୂତ୍ରପାତ ହେଲା । କାହାର ପୁଅ ପାଇଁ ଖଣ୍ଡେ ନୂଆ ପ୍ୟାଣ୍ଟ ଆସିଲେ, ଅନ୍ୟର ମନରେ ଦୁଃଖ । କୌଣସି ପିଲା ଯଦି ଆଗେ ଖାଇଦେଲା, ସେଥିପାଇଁ ଝଗଡ଼ା ହେଲା । ସ୍ତ୍ରୀମାନେ ସ୍ୱାମୀଙ୍କ ପାଖରେ ଗୁହାରି ଆରମ୍ଭ କଲେ । କାନକୁହା କଥା ଅନ୍ୟଥା ହେବାର ନୁହେଁ । ସ୍ତ୍ରୀମାନେ କୁମନ୍ତ୍ରଣା ଦେବାରେ ବେଶ ଧୂରନ୍ଧର । ସବୁ ଭାଇମାନଙ୍କୁ ଅଲଗା ଅଲଗା କରିବାକୁ ବେଶୀ ଦିନ ଲାଗିଲା ନାହିଁ । ଗୋଟିଏ ଭାତ ହାଣ୍ଡି ଚାରି ହାଣ୍ଡିରେ ଭାଗ ଭାଗ ହୋଇଗଲା । ଯେ ଯାହାର ରାସ୍ତା ଧରିଲେ । ଜମିବାଡ଼ିଠାରୁ ଆରମ୍ଭ କରି ଘରର କଳାକନା ପର୍ଯ୍ୟନ୍ତ ସବୁ ଭାଗ ଭାଗ ହୋଇଗଲା । ବିଡ଼ାଏ ବାଡ଼ି ଖଣ୍ଡ ଖଣ୍ଡ ହୋଇଗଲା । ବଳ କମିଗଲା । ବେହେରାଙ୍କ ଘର ସାଧାରଣ ଘର ସାଙ୍ଗରେ ସମାନ ହୋଇଗଲା ।

 

ଗୌରହରି, ହରି ବେହେରାଙ୍କ ପୁଅ । ସେ ପଛେ ଜନ୍ମ । ତା’ ପୂର୍ବରୁ ସଂସାରକୁ ଆସିଥିଲା ଝିଅ ଫୁଲ । ଗୌରହରି ପରଠାରୁ ଗଉରୀ କୋଳକୁ ଆଉ କେହି ଆସି ନାହାନ୍ତି । ଗଉରୀ ପୁଅକୁ ଅତି ଭଲପାଏ । କିନ୍ତୁ ହରି ବେହେରା ଝିଅକୁ ଗଣ୍ଠିଧନ କରିଥାନ୍ତି । କୁହନ୍ତି, ଝିଅ ଆଗ ଜନ୍ମ । ସେ ଲକ୍ଷ୍ମୀ, ଧନ ବଢ଼ିବ । ହାଟ ବଜାରକୁ ଗଲେ, ମୁହାଁଟା ହେଉ କିମ୍ବା ମିଠେଇଟା ହେଉ, ଆଗେ ଆଣି ଦିଅନ୍ତି ଫୁଲକୁ ।

 

ହରି ବେହେରା ଏକୁଟିଆ କାମ କରି ଚାଲିଲେ । ବ୍ୟବସାୟ ଓ ଚାଷ ସବୁ ଚାଲିଲା । ଅଭାବ ରହିଲାନି । ଗଉରୀ ଘର ଚଳାଇବାରେ ଧୁରନ୍ଧର । ଅଭାବ ଅସୁବିଧାକୁ ଚଳାଇନିଏ । ବେହେରାଙ୍କୁ ସେ ସବୁ କିଛି ଜଣାଯାଏ ନାହିଁ ।

 

ପିଲାଦିନରୁ ଫୁଲ ଉପରେ ଗଉରୀର ନଜର । ଆଠ ବରଷ ହେଲା ଦିନରୁ ଫୁଲକୁ ସେ ଘରକରଣା ବୁଦ୍ଧି ଶିଖାଇବା ଆରମ୍ଭ କରି ଦେଇଛି । ଫୁଲ ବୋଉକୁ ଖୁବ୍ ଡରେ । କିଛି ଖରାପ ହେଲେ ବୋଉ ରାଗିବ । ସେଥିପାଇଁ ଫୁଲ ଖୁବ୍ ସାବଧାନ । କିନ୍ତୁ ତା’ର ଗୋଟାଏ ଦୋଷ ପିଲାଦିନର ରହିଲା । ଟିକିଏ କିଛି ଖରାପ ହେଲେ ସେ ରୁଷେ, ଖାଏ ନାହିଁ । ଗୁମାନ କରି ଶୋଇ ରହେ । ସେ ଜାଣେ ବାପା ଆସିଲେ ଖାଇବାକୁ ଡାକିବେ । ବୋଉ ତା’ଉପରେ ଚିଡ଼ିଲେ ବାପାଙ୍କଠାରୁ ଗାଳି ଖାଏ । ଗଉରୀ ବିରକ୍ତ ହୁଏ । ସ୍ଵାମୀଙ୍କୁ କଡ଼ା କଥା କୁହେ । ଝିଅ ମୁହଁକୁ ବଢ଼ାଇ ଦେଉଛନ୍ତି ବୋଲି ଦୋଷ ଦିଏ । ହରି ବେହେରା ହସି ଦିଅନ୍ତି । କୁହନ୍ତି ଝିଅର କାନ୍ଦ ସେ ଦେଖିପାରିବେ ନାହିଁ ।

 

ଗୌରହରି ଆଉ ଫୁଲ । ତଳ ଉପର ଭାଇ ଭଉଣୀ । ସବୁବେଳେ ମାଡ଼ଗୋଳ । ସାଙ୍ଗ ହୋଇ ଖାଇବେ, ଖେଳିବେ । କିନ୍ତୁ ପର ମୁହୂର୍ତ୍ତରେ ଝଗଡ଼ା । କିନ୍ତୁ ସେ ଶତ୍ରୁତା ବେଶୀ ବେଳ ରହେ ନାହିଁ । ଗଉରୀ ଦୁଇ ଜଣଙ୍କୁ ତାଗିଦ୍ କରେ ।

 

ଗୌରହରି ଚାଟଶାଳିକୁ ଯାଏ । ବ୍ରହ୍ମା, ବିଷ୍ଣୁ, ମହେଶ ପାଖରୁ ପାଠ ଆରମ୍ଭ । ତା’ ବାପା ସେଇ ଚାଟଶାଳିରେ ପଢ଼ିଥିଲେ । ସେ ପଢ଼ିବ ସେଇଠି । ଅବଧାନଙ୍କ ଉପରେ ଗ୍ରାମବାସୀଙ୍କର ଅଗାଧ ବିଶ୍ୱାସ । ତାଙ୍କ ଛାଟ ଯା ଦେହରେ ନ ବାଜିଛି ସେ ଭଲ ମଣିଷ ହୋଇପାରିବ ନାହିଁ । ସେଇଥିଯୋଗୁ ଚାଟଶାଳିରେ ପିଲା ସଂଖ୍ୟା କେବେ କମେ ନାହିଁ ।

 

ଅବଧାନଙ୍କର ବେହେରାଙ୍କ ଘର ସାଙ୍ଗରେ ସମ୍ପର୍କ ଟିକିଏ ଭଲ । କାରଣ ହେଉଛି, ଗଉରୀ ଅବଧାନଙ୍କ ତତ୍ତ୍ଵ ଭଲ ଭାବରେ ନିଏ । ଘରେ କିଛି ଭଲ ଜିନିଷ ହେଲେ, ଗଉରୀ ଚାଟଶାଳିକୁ ପଠାଇଦିଏ । ତା’ପରେ ପୁନେଇଁ ପର୍ବ ହେଲେ ବେହେରାଙ୍କ ଘରୁ ଡାକରା ଆସେ । ଗଉରୀ ଅବଧାନଙ୍କ ମନ ଜାଣି ରୋଷାଇ କରିଥାଏ । ତେଣୁ ଅବଧାନେ ଖୁବ୍ ଖୁସି ଥାନ୍ତି । ବେଳ ପାଇଲେ, ଭଲମନ୍ଦ କଥାବାର୍ତ୍ତା କରନ୍ତି । ଗୌରହରିର ପାଠପଢ଼ା ପାଇଁ ସେ ଖୁବ୍ ଯତ୍ନ ନିଅନ୍ତି ।

 

ଗଉରୀର ସମସ୍ତଙ୍କ ସାଙ୍ଗରେ ଭଲ । ମା, ମାଉସୀ କହି ପରକୁ ଆପଣାର କରିଥାଏ । ବୁଢ଼ୀମାନେ ତା’ର ପ୍ରଶଂସା କରନ୍ତି । କିନ୍ତୁ ସମବୟସୀମାନେ ତାକୁ ସମାଲୋଚନା କରନ୍ତି । ସେମାନେ ମତ ଦିଅନ୍ତି, ଗଉରୀ କୃପଣ । ବେଶୀ ଖର୍ଚ୍ଚ କରେ ନାହିଁ । ପଇସା ସଞ୍ଚୟ କରୁଛି । ଖଣ୍ଟ ଖାଇବେ । ଗଉରୀ ହସେ କିଛି ଛଳ କରେ ନାହିଁ । ହସି ହସି ଉତ୍ତର ଦିଏ, ଖାଇବାକୁ ତ ଅଣ୍ଟୁନାହିଁ-। ପଇସା ସେ କେମିତି ସଞ୍ଚିବ ? କେହି ତା’ କଥାକୁ ବିଶ୍ୱାସ କରନ୍ତି ନାହିଁ ।

 

ହରି ବେହେରା ନିଜ କାମରେ ବ୍ୟସ୍ତ । ସେ ଅନ୍ୟ କଥାରେ ମୁଣ୍ଡ ପୂରାନ୍ତି ନାହିଁ । ପରର ଭଲମନ୍ଦ ଚର୍ଚ୍ଚା କରନ୍ତି ନାହିଁ । କିନ୍ତୁ ଗାଁ ଭାଇଙ୍କ କଥାରୁ କେବେ ବାହାର ହୁଅନ୍ତି ନାହିଁ । ଗାଁରେ ଚାନ୍ଦା ଭେଦା ହେଲେ, ଦେଇ ଦିଅନ୍ତି । ସମୟ ମିଳିଲେ, କେବେ କେମିତି ଭାଗବତ ଘରକୁ ଯାଆନ୍ତି । ଧର୍ମ କଥା ଦୁଇପଦ ଶୁଣନ୍ତି । ଘରକୁ ଆସି ନିଜ କାମରେ ପୁଣି ମନ ଦିଅନ୍ତି । ସେ ଭଲ ତ, ଦୁନିଆ ଭଲ । କାହା ସାଙ୍ଗରେ ହରି ବେହେରା କଳି ଝଗଡ଼ା କରିବାର କେହି ଦେଖିନାହିଁ ।

 

ସୁବୁଦ୍ଧିଙ୍କ ଚଉତରା ଉପରେ ବସି କାନକୁହା ଲୋକମାନେ କଥାବାର୍ତ୍ତା କରନ୍ତି, ହରି ବେହେରା ଭଲରେ ଚଳୁଛି । କାହା ପାଖରେ ବସୁନାହିଁ କିମ୍ଵା ପଚାରୁ ନାହିଁ । ଲୋକ ପାଖରେ ଧନ ହୋଇଗଲେ ଏମିତି ଅନ୍ୟକୁ ଖାତିରି କରନ୍ତି ନାହିଁ । ସୁବୁଦ୍ଧି ଶୁଣନ୍ତି ଆଉ ଉପଦେଶ ଛଳରେ କହନ୍ତି, ତା’ର ଦରକାର ପଡ଼ୁନାହିଁ ବୋଲି ଆସୁନାହିଁ । ପରକଥା ପକାଇ ଲାଭ କ’ଣ ? ଅନ୍ୟମାନେ ଚୁପ୍ ରହନ୍ତି ।

 

ଘରେ କାମ ନ ଥିଲେ, ହରି ବେହେରା କେବେ କେମିତି ସୁବୁଦ୍ଧିଙ୍କ ପାଖକୁ ଆସନ୍ତି । ସୁବୁଦ୍ଧି ପାନ ଖଣ୍ଡେ ବେହେରାଙ୍କ ହାତକୁ ବଢ଼ାଇ ଦେଇ ଗପ ପେଡ଼ି ମେଲି ଦେଇ ବସନ୍ତି । କେତେଆଡ଼ୁ କେତେ କଥା ପଡ଼େ । କୌଣସି ଗଣ୍ଡଗୋଳ ନିଷ୍ପତ୍ତି ହେଲେ ପଞ୍ଚାୟତ ବସେ । ବେହେରାଙ୍କୁ ସେଥିପାଇଁ ଡକରା ଆସେ । ହରି ବେହେରା ବେଶୀ କଥାବାର୍ତ୍ତା କରନ୍ତି ନାହିଁ । ପଦେ କଥାରେ ଠିକ୍ ନିଷ୍ପତ୍ତି ଦେଇ ଦିଅନ୍ତି । ସେଥିପାଇଁ ସେ ଜଣାଶୁଣା । ମାସରେ ଥରେ ଦୁଇଥର କଳି ଭାଙ୍ଗିବାକୁ ହରି ବେହେରା ପାଖଆଖ ଗାଁକୁ ଯାଇଥାନ୍ତି ।

 

ସେଦିନ ପୁନି ଦାଣ୍ଡରେ ଡାକି ଡାକି ଚାଲିଛି । ଆମ୍ବୁଲ ନେବ ଆମ୍ବୁଲ–କଞ୍ଚା ଲଙ୍କା ମରିଚ, ପିଆଜ.....ଗଉରୀ ଦୁଆର ମୁହଁରେ ଠିଆ ହୋଇ ଡାକ ଦେଲା । ଆଲୋ ପୁନି, ଶୁଣ । ଗଉରୀ ପାଟି ଶୁଣି ପୁନି ବେହେରା ଘର ପିଣ୍ଡା ଉପରକୁ ଉଠି ଛାଏଁ ଛାଏଁ କୈଫିୟତ ଦେବା ଆରମ୍ଭ କରିଦେଲା । କହିଲା ମାଉସୀ ! ମୁଁ ପନ୍ଦର ଦିନ ହେଲା ଇଆଡ଼େ ଆସି ପାରି ନ ଥିଲି । ମୋ ଦେହ ଟିକିଏ ଖରାପ ଥିଲା । ତା’ ଛଡ଼ା ମୁଁ ସାନ୍ତରାପୁରରେ ପାଞ୍ଚ ଛ’ ଦିନ ରହିଗଲି । ସେଠି ମୋ ମାଉସୀ ଘର । ଆଜି ଫେରି ତ ଗାଁ ଉପରକୁ ଆସିଲି ।

 

ଗଉରୀ କହିଲା, ହଁ, ମୁଁ ତ ତୋତେ ଖୋଜି ଖୋଜି ଥକିଲିଣି । ଗୋଟାଏ କଥା ତୋତେ କହିବି କହିବି ବୋଲି ଅନେକ ଦିନରୁ ଭାବିଲିଣି । କିନ୍ତୁ ଯେତେ ଦେଖିଲେ, ସେ ନିଆଁଲଗା ମନରୁ ସବୁ ପାସୋରି ଯାଉଛି । ଆଜି ଫୁଲ ବାପାଙ୍କୁ ସେ କଥା କହୁଥିଲି । ତୁ ବି ଯୋଗକୁ ମିଳିଗଲୁ । ଘର ଭିତରକୁ ଆ, କହିବି ।

 

ପୁନି ଘର ଭିତରେ ଯାଇ ବସିଲା । ଗଉରୀ କହିଲା, ପୁନି ଲୋ ! ଫୁଲକୁ ତ ଆସି ଚଉଦବର୍ଷ ହେଲା । ତା’ ଲାଗି ମୋତେ ଆଜିକାଲି ଭଲ ନିଦ ହେଉନାହିଁ । ଆଉ କେଇଟା ଦିନ କୁଆଡ଼େ ଚାଲିଯିବ । ଏଇଦିନୁ ତା’ ପାଇଁ ବରଘର ଖୋଜିବା ଦରକାର । ଝିଅ ବୋଝ ଗଲେ ମଣିଷ ଶାନ୍ତିରେ ନିଶ୍ୱାସ ମାରିବ । ତା’ ବାପାକୁ କେତେଥର କହିଲିଣି । କ’ଣ ସେ ବୁଝୁଛନ୍ତି ଯେ ମୋତେ କିଛି କହୁନାହାନ୍ତି । ତୁ ତ ଏତେ ଗାଁ ବୁଲୁଛୁ । ତୁ ଟିକେ ଏଥିପାଇଁ ଆଖି ପକା ।

 

ପୁନି କହିଲା, ହଁଲୋ ମାଉସୀ । ଝିଅ ଘିଅ । ବେଶୀଦିନ ଘରେ ରଖିବା ଠିକ୍ ନୁହେଁ । ଆଗରୁ ବ୍ୟବସ୍ଥା କରିବା ଦରକାର । ହଉ, ମୋ ମନେ ରହିଲା । ଫୁଲଲାଖି ବର ଜୁଟିଲେ, ମୁଁ ତମକୁ କହିବି । ତା’ପରେ ପୁଣି ପସରା ମୁଣ୍ଡାଇ ଗାଁ ଦାଣ୍ଡରେ ଡାକି ଡାକି ଚାଲିଗଲା ।

 

ଏଇ ପୁନି । ବୟସ ତାକୁ ଚାଳିଶ ଟପିଲାଣି । ମୋଟିହୋଇ ବାଙ୍ଗର ମାଇପିଟିଏ । ଚାଲିଲେ ଗୁଣ୍ଠୁଣୀ ହାତୀପରି ଚାଲେ । ବିଧବା ହେଲାଣି କୋଡ଼ିଏ ବର୍ଷ ହେଲା । ବେପାର କରି ଚଳୁଛି । ପରିବା, ଖଟା, ଜିରା, ଲଙ୍କା ଇତ୍ୟାଦି ସେ ବିକେ । ଆଉ ଯେ ଯାହା ବରାଦ କରେ, ତା’ ମଧ୍ୟ କିଣିଆଣି ଯୋଗାଇଦିଏ ।

 

ଭଜନା, ପୁନିର ସ୍ୱାମୀ । କାଳିଆ ହୋଇ ପାଞ୍ଚହାତର ମର୍ଦ୍ଦ । ଦୁଇଟି ଲୋକର କାମ କରୁଥିଲା । ଭଲ କାମ କରେ । ତାକୁ ମଜୁରିରେ ନେବାକୁ ଲୋକମାନେ ସବୁବେଳେ ହାଜର । ମୂଲିଆ ଲୋକ । ତଥାପି ତା’ର ଅଭାବ ନ ଥାଏ । ସବୁଲୋକ ତା’ ଉପରେ ଖୁସି । ଗାଁରେ କିଛି ଗୋଟାଏ କାମ ପଡ଼ିଲେ, ଭଜନା ସବୁଥିରେ ଆଗୁଆ । ଦିନ ନାହିଁ, ରାତି ନାହିଁ, ଭଜନା ଖଟୁଥାଏ । ବିବାହ ବ୍ରତରେ ଭଜନା କାମ ନକଲେ, କୌଣସି କାମ ପୂରଣ ହୁଏ ନାହିଁ ।

 

ବୈଶାଖ ମାସ । ଟାଆଁସିଆ ଖରା ହୁଏ । କୂଅ ପୋଖରୀ ଶୁଖିଯାଏ । ପାଣିର ଅଭାବ ହୁଏ । ସେଇ ସମୟରେ ବର୍ଷକର ସବୁ ଅଳିଆ କାମ କରିବାକୁ ପଡ଼େ । ଘର ଛପର ହେବ, ବାଡ଼ ବନ୍ଦି ହେବ, ଆଉ ଜଙ୍ଗଲରୁ କାଠ ଆସିବ । ଜାଳେଣୀ କାଠ ନ ରଖିଲେ, ବର୍ଷାଦିନକୁ ହଇରାଣ ।

 

ପାଟପୁରର ଦଳେ ଲୋକ ଜଙ୍ଗଲକୁ ବାହାରିଲେ । ଭଜନା କି ତିଆରି ହେଲା ଯିବା ପାଇଁ । ଭଜନା ଜଙ୍ଗଲକୁ ଗଲେ, ଆଉ କାହାକୁ କାଠ କାଟିବାକୁ ପଡ଼େ ନାହିଁ । ଯେତେ କଣ୍ଟା ଝଟା ପଡ଼ିଲେ ମଧ୍ୟ, ସେ କାଠ କାଟି ଜମା କରିଦେବ । ସେଥିପାଇଁ ସମସ୍ତେ ତାକୁ ସାଙ୍ଗରେ ନେବାକୁ ଡାକନ୍ତି ।

 

ଚାଉଳ ଡାଲି ଧରି ଭଜନା ଡଙ୍ଗାରେ ବସିଲା । ସୁଅ ତଳେ ଡଙ୍ଗାକୁ ସେମାନେ ବାହି ନେଲେ ଜଙ୍ଗଲକୁ । ଭଜନା କାଠ କଟାରେ ଲାଗିଗଲା । ତା’ର ଖାଇବା ପିଇବାରେ ଠିକ୍ ରହିଲା ନାହିଁ । ଭଲ ପାଣି ପିଇବାକୁ ମିଳିଲା ନାହିଁ । ଏଣେ ଭଜନା ବେଶୀ କାମ କଲା । ତାକୁ ହଇଜା ଧରିଲା । ସାଙ୍ଗ ଲୋକମାନେ ଡରିଗଲେ । ଭଜନାକୁ ଡଙ୍ଗାରେ ଧରି ସେମାନେ ଫେରି ଆସିଲେ । କିନ୍ତୁ ସେ ବେଶୀ ସମୟ ବଞ୍ଚି ପାରିଲା ନାହିଁ । ଘରେ ପହଞ୍ଚିବ । ଆଗରୁ ସେ ଆଖି ବୁଜିଲା । ଗାଁକୁ ଖବର ଆସିଲା, ଭଜନାକୁ ଠାକୁରାଣୀ ନେଲେ ।

 

ପୁନି ଖବର ଶୁଣି ଚେତା ହରାଇଲେ । ସବୁଆଡ଼ ତାକୁ ଅନ୍ଧାର ଦିଶିଲା । ସେ କ’ଣ କରିବ କିଛି ଠିକ୍ କରିପାରିଲା ନାହିଁ । କେଉଁ କୁଳରେ ତାର କେହି ସାହା ଭରସା ନ ଥିଲେ । ସେତେବେଳେ ତାକୁ କୋଡ଼ିଏ ବରଷ । ତା’ କୋଳରେ ଛ’ ମାସର ପୁଅ ଆଉ ତିନିବର୍ଷର ଝିଅଟିଏ-

 

ପୁନି ଦେଖିଲା ବାପ ଘର ଅବସ୍ଥା ଦି’ଗଣ୍ଡା ଦି’କଡ଼ା । ଶଶୁରଘରେ ତ ଆଉ କେହି ନାହାଁନ୍ତି । ସେ ଭାବିଲା ଆଉ ତା’ ପୋଡ଼ା ପ୍ରାଣକୁ ରଖି ଦହଗଞ୍ଜ ହେବ ନାହିଁ । ନଈକୁ ଡେଇଁ ପଡ଼ିବ । କିନ୍ତୁ ଛୋଟ ଛୁଆ ଦୁଇଟିଙ୍କୁ ଯେତେବେଳେ ଦେଖିଲା, ତା’ ମନ ପଛେଇ ଗଲା । ଭଜନା ତ ଗଲା । ସେ ଯଦି ଯାଏ ପିଲା ଦୁଇଟି ବି ମରିଯିବେ । ମନକୁ ବୁଝାଇଲା । ଭଜନା ତାକୁ ପୁଅ ଝିଅ ଦେଇ ଯାଇଛି । ସେ ଜୀବନ ସାଙ୍ଗରେ ଲଢେ଼ଇ କରିବ । ପିଲା ଦୁଇଟିଙ୍କୁ ବଞ୍ଚାଇ ମଣିଷ କରିବ । ପୁନି ଅଣ୍ଟା ଭିଡ଼ିଲା ।

 

ପ୍ରଥମେ ପ୍ରଥମେ ପୁନି ବେଶୀ ପଦାକୁ ଯାଏ ନା । କାହା ଘରେ ଦୁଇକାମ କରି ଚଳିବା ପାଇଁ କିଛି ରୋଜଗାର କରିନିଏ । କେହି କେମିତି ସହାନୁଭୂତି ଦେଖାଇ କିଛି ସାହାଯ୍ୟ ବି କରନ୍ତି । ସେଇଥିରେ ସେ ଚଳିଯାଉଥିଲା ।

 

ପୁନିର ବୟସ ବଢ଼ିଲା । ଦେହର ରଙ୍ଗ କମି କମି ଆସିଲା । ପୁନି ବାହାରକୁ ଯିବାକୁ ଆଉ ଡରିଲାନି । ତା’ ବାହାହେବା ଦିନରୁ ପେଟରା ଭିତରେ ଦଶଟଙ୍କା ସଞ୍ଚିକରି ରଖିଥିଲା । ସେଇ ଟଙ୍କାକୁ ବାହାର କରି ବ୍ୟବସାୟରେ ଲଗାଇଲା । ଝିଅକୁ ସେତେବେଳକୁ ଦଶବରଷ ହେଇଯାଇଥିଲା । ସେ ଘରକାମ ଚଳାଇଦେଲା । ପୁନି ହାଟ ବଜାରକୁ ଗଲା । ଗାଁକୁ ଗାଁ ବୁଲି ସେଇଦିନୁ ବ୍ୟବସାୟ କରି ଆସୁଛି ।

 

ପୁନିର ସବୁ ସ୍ତ୍ରୀଲୋକଙ୍କ ସାଙ୍ଗରେ ଭଲ । ଖାଲି ପାଟପୁର କଥା ନୁହେଁ, ଆଖପାଖର ସବୁ ଗାଁର ଘରେ ଘରେ ସେ ପରିଚିତ । ଅନେକ ଲୋକ ଅଛନ୍ତି, ଯେଉଁମାନେ ପୁନି ବ୍ୟତୀତ ଅନ୍ୟ କାହାଠାରୁ ସଉଦା ରଖନ୍ତି ନାହିଁ । ସେମାନେ ପୁନିକୁ ଖୁବ୍ ବିଶ୍ୱାସ କରନ୍ତି । କୌଣସି ଦୁଇ ପଇସା ଜିନିଷକୁ ଦି’ଅଣା ନେଲେ, ଦେବାକୁ କେହି କୁଣ୍ଠାବୋଧ କରନ୍ତିନି । ସେଇଟା ଅବଶ୍ୟ ସମସ୍ତଙ୍କ ଜାଣତରେ ହୁଏ ନାହିଁ । ଅନ୍ୟମାନଙ୍କର ଧାରଣା, ପୁନି ସତକୁହେ । ସେ କେବେ ଠକି ନିଏ ନାହିଁ । ଏହାର କାରଣ ହେଉଛି ଯେତେବେଳେ ବଜାର ଦର ବେଶୀ ହୋଇଯାଏ, ପୁନି ପଇସାଏ, ଦୁଇ ପଇସା କମାଇ ଦେଇ ଜିନିଷ ବିକେ । ତେଣୁ ସେ ସମସ୍ତଙ୍କ ମନ କିଣି ନେଇଛି । ଶସ୍ତା ସମୟରେ ଦୁଇ ପଇସା ବେଶୀ ନେଲେ କେହି ସେ କଥା ଧରନ୍ତି ନାହିଁ ।

 

ପୁନି ସେ ଅଞ୍ଚଳର ଗୋଟାଏ ଖବର ମୁଣି କହିଲେ ଚଳେ । ପାଞ୍ଚଖଣ୍ଡ ମୌଜାର ସମସ୍ତଙ୍କ ଘର କଥା ତାକୁ ଜଣା । କିଛି ଗୋଟାଏ ଘଟିଲେ, ସେ ଖବରଟା ପୁନିଦ୍ୱାରା ବ୍ୟାପେ । ଅନେକ ସମୟରେ ପୁନି ଖରାପ ସମ୍ବାଦକୁ ଲୁଚାଇ କରି କୁହେ । ପ୍ରତ୍ୟେକଙ୍କୁ ଗୁପ୍ତରେ କଥାଟା କୁହେ, ଆଉ ତାଗିଦ୍ କରେ କାହାକୁ ନ କହିବାକୁ । ଏମିତି କରୁ କରୁ ସମସ୍ତେ ପ୍ରାୟ ଘଟଣାଟା ଜାଣିଯାଆନ୍ତି ।

 

ପୁନି ଗଉରୀକୁ ତା’ ମନକଥା କୁହେ । ଗଉରୀ ଘରପିଣ୍ଡା ତ ଦୁଃଖୀରଙ୍କିଙ୍କ ପାଇଁ । ଧନ ସିନା କମିଯାଇଛି, କିନ୍ତୁ ମନ ତ କମି ଯାଇନାହିଁ । ଗାଁକୁ କୌଣସି ଅତିଥି ଅଭ୍ୟାଗତ ଆସିଲେ, ଲୋକମାନେ ତାଙ୍କୁ ବେହେରାଙ୍କ ପିଣ୍ଡା ଦେଖାଇ ଦିଅନ୍ତି । ଗଉରୀ ପାଖରେ ଯାହା ଥାଏ, ସେମାନଙ୍କୁ ଖାଇବାକୁ ଦେଇ ସନ୍ତୁଷ୍ଟ କରେ । ତା’ପରେ ନିଅଣ୍ଟିଆ ଲୋକମାନେ ଗଉରୀ ପାଖକୁ ଆସନ୍ତି । ଚାଉଳ ସେରେ କିମ୍ବା ପଇସା ଦି’ଅଣା ଧାର ନିଅନ୍ତି । ଏହି ସୂତ୍ରରେ ଗଉରୀ ସାଙ୍ଗରେ ପୁନିର ଚିହ୍ନା ପରିଚୟ । ଗଉରୀ ପୁନି ଦୁଃଖରେ ଦୁଃଖୀ ହୁଏ । ମଣିଷର ପ୍ରକୃତି, ସେ ଯେଉଁଠି ସହାନୁଭୂତି ପାଏ, ତା’ର ମନ ସେଇଠି ବାନ୍ଧି ହୋଇଯାଏ । ଯେତେ କାମ ଥିଲେ ବି ପୁନି ପ୍ରତିଦିନ ଥରେ ହେଲେ ଗଉରୀ ପାଖରେ ମୁହଁମାରି ଯାଏ । ସେଦିନ ଯେତେବେଳେ ଗଉରୀ ଫୁଲର ବାହାଘର କଥା ଉଠାଇଲା, ପୁନି କଥାଟାର ଗୁରୁତ୍ଵ ଖୁବ୍ ଅନୁଭବ କଲା । ସେ ଏଣିକି ତା’ ଚେଷ୍ଟାରେ ଲାଗି ପଡ଼ିଲା ।

 

ସେଦିନ ସୁବୁଦ୍ଧିଙ୍କ ଦାଣ୍ଡରେ ଗୋଟାଏ ସଭା ହେଲା । ଗାଁର ଭଲ ମନ୍ଦ ନେଇ କେତେ କଥା ପଡ଼ିଲା । ସୁବୁଦ୍ଧି କହିଲେ, ପାଟପୁରରେ କିଛି ଧର୍ମ କାର୍ଯ୍ୟ ହେଉନାହିଁ । ଏଇ ବର୍ଷଠାରୁ ଅଷ୍ଟପ୍ରହରୀ ଓ ହରିହାଟ ହେବ । ସେଥିପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗ ଲୋଡ଼ା । ଗାଁ ଲୋକମାନେ ସେଥିରେ ରାଜି ହୋଇଗଲେ । ଠିକ୍ ହେଲା ରଜ ସଂକ୍ରାନ୍ତିଠାରୁ କୀର୍ତ୍ତନ ଆରମ୍ଭ ହେବ ।

 

ରଜ ସଂକ୍ରାନ୍ତି ଆଉ ମାସ ଗୋଟାଏ ଅଛି । ଚାଷ କାମ ନାହିଁ । ଯୁବକ ଦଳ କାମରେ ଲାଗି ପଡ଼ିଲେ । ବରଗଛ ମୂଳେ ଗୋଟିଏ ନୂଆ ଘର ହେବ । ସେଠି କୀର୍ତ୍ତନ ଦଳ ରହିବେ । ଜଙ୍ଗଲରୁ କାଠ ଆଣି ଦିନ କେଇଟାରେ ଗାଁ ଲୋକମାନେ ଘର ଠିଆ କରିଦେଲେ । ଦଳେ ଲୋକ ସନ୍ଧ୍ୟାବେଳେ ସେ ଘରେ କୀର୍ତ୍ତନ ଆରମ୍ଭ କଲେ । କୀର୍ତ୍ତନ ଦଳର ଦଳପତି ହେଲେ ଚିନ୍ତେଇ ସ୍ଵାଇଁ-

 

ଯୁବକ ଦଳ ଚାନ୍ଦା ସଂଗ୍ରହ କଲେ । ପ୍ରଥମେ ସୁବୁଦ୍ଧିଙ୍କ ଘରୁ ଆରମ୍ଭ ହେଲା । ସୁବୁଦ୍ଧି କଥାଦେଲେ, ଯାହା ଅଭାବ ପଡ଼ିବ ସେ ଦେବେ । ଗାଁର ପ୍ରତ୍ୟେକ ଲୋକ ନିଜ ଶକ୍ତି ଅନୁସାରେ, ଚାନ୍ଦା ଦେଲେ । ଗୋଟାଏ ଦିନରେ ସବୁ ଆଦାୟ ହୋଇଗଲା । ଧର୍ମକାର୍ଯ୍ୟ କରିବାକୁ ସମସ୍ତଙ୍କର ଆଗ୍ରହ । କାହାକୁ ସେଥିପାଇଁ କେହି ବାଧ୍ୟ କରିବାକୁ ନାହିଁ ।

 

ରଜ ସଂକ୍ରାନ୍ତି ଆଉ ଆଠଦିନ ରହିଲା । କାମ ଖୁବ୍ ଜୋରରେ ଲାଗିଲା । ବରଗଛ ମୂଳରେ ଗୋଟାଏ ମଣ୍ଡପ ତିଆରି ହେଲା । ସୁବୁଦ୍ଧି ନିଜେ ସେ କାମ ଟିକିନିଖି ଦେଖି କରାଉଛନ୍ତି । ଲୋକମାନେ ଦଳ ଦଳ ହୋଇ ନିଜ ନିଜ କାମରେ ଲାଗିଛନ୍ତି । କେହି ଛାମୁଡ଼ିଆ ବାନ୍ଧୁଛନ୍ତି ତ କେତେକ ହଣ୍ଡା, କଡ଼େଇ ସଂଗ୍ରହ କରୁଛନ୍ତି । ଏହି ଅଷ୍ଟପ୍ରହରୀ ଯୋଗୁ ଗାଁ ଦାଣ୍ଡ, ଘରଦ୍ଵାର ସବୁ ଲୋକମାନେ ପରିଷ୍କାର କଲେଣି । କେତେ ଆଡ଼ୁ କେତେ ଲୋକ ଆସିବେ । ସେମାନଙ୍କ ଆଗରେ ନିଜର ମାନ ସମ୍ମାନ ବଜାୟ ରଖିବାକୁ ପାଟପୁର ଗାଁ ଲୋକମାନଙ୍କର ଅକ୍ଳାନ୍ତ ଚେଷ୍ଟା ।

 

ବିଭିନ୍ନ କୀର୍ତ୍ତନ ଦଳକୁ ନିମନ୍ତ୍ରଣ ପତ୍ର ପଠାଗଲାଣି । ସେ ଯେମିତି ଗୋଟାଏ ପ୍ରତିଯୋଗୀତାର କ୍ଷେତ୍ର । କେଉଁ ଦଳ ଭଲ କୀର୍ତ୍ତନ କରୁଛି, ସେ କଥା ଜଣାପଡ଼ିବ, ସେଇ ଗାଁର ସମ୍ମାନ ବଢ଼ିବ । ସେଥିପାଇଁ ଅନ୍ୟମାନେ ପ୍ରସ୍ତୁତ ହେଲେଣି । ଖୋଳ କରତାଳ ସବୁ ସଜଡ଼ା ଆରମ୍ଭ ହୋଇଯାଇଛି । ସେ ଖବର ସବୁ ପାଟପୁରରେ ପହଞ୍ଚୁଛି ।

 

ପୁନି ମୁଣ୍ଡରେ ଚିନ୍ତା ପଶିଛି, ସେ ଫୁଲ ପାଇଁ ବରଘର ଖୋଜୁଛି । କେତେ ଘର କଥା ତ ସେ ଜାଣିଛି । କେତେ ପ୍ରସ୍ତାବ ତା’ ମନକୁ ଆସୁଛି । କାହାର ଘର ନାହିଁ, କିମ୍ଵା କେଉଁଠି ଶାଶୁ ଶଶୁର ଭଲ ଲୋକ ନୁହଁନ୍ତି, ଏମିତିକା ଦୋଷ ଆସୁଛି । କିନ୍ତୁ ଗୋଟାଏ ଘର ବିଷୟରେ ସେ କିଛି ଖରାପ ଦେଖି ପାରିଲାନି । ସେ ହେଉଛି ସାଆନ୍ତରାପୁର ବିଶ୍ଵାଳ ଘର–ଥିଲାବାଲା ଘର । ବିଶ୍ଵାଳବୁଢ଼ାର ଗୋଟିଏ ପୁଅ ବଂଶୀଧର । ପିଲାଟି ଦେଖିବାକୁ ରଜାପୁଅ ପରି । ଗାଁ ଚାଟଶାଳିରୁ ପାଠ ଶେଷ କରିଛି । ବାହାଘର ହେଲେ, ଫୁଲ ଓ ବଂଶୀଧର ଗୋଟିଏ ମା’ର ପିଲା ଭଳି ଦେଖାଯିବେ । ଆଉ ଶାଶୁ ଶଶୁର ଖରାପ ଲୋକ ନୁହଁନ୍ତି । ସେମାନେ ତ ଆସି ବୁଢ଼ାବୁଢ଼ୀ ହେଲେଣି । ତେଣୁ ସେମାନଙ୍କ ଭଲ ମନ୍ଦ କଥାରେ ବେଶୀ ମୁଣ୍ଡ ଖେଳେଇବା ଦରକାର ନାହିଁ ।

 

ପୁନି ଖବର ଦେଲା ଗଉରୀକୁ । ବିଶ୍ଵାଳ ଘର ବିଷୟରେ ଯେତେ ଯାହା ଜାଣିଥିଲା ସବୁ କହିଲା । ବଂଶୀଧର ଆଡ଼କୁ କାହିଁଙ୍କି ଗଉରୀର ମନ ଟାଣି ହୋଇଗଲା । ସେ କହିଲା’, “ଠାକୁରାଣୀଙ୍କର ବରାଦ ଥିଲେ, ସେ ବିଶ୍ଵାଳଘରେ ଝିଅ ବାହାଘର କରିବ ।” ପୁନିକୁ ସେ କହିଲା, ବଂଶୀଧରକୁ ଥରେ କେମିତି ଦେଖିବ । ପୁରୁଷମାନେ ତ ବିଶ୍ଵାଳ ଘରକୁ ଯାଇ ସବୁ ଦେଖି ଆସିବେ-। କିନ୍ତୁ ସେ ତ ଯାଇ ପାରିବନି । ଯାହା ଦେଖା ହେବ ଏଇ ପାଟପୁର ଗାଁରେ ହେବ । ସେଥିପାଇଁ ପୁନି ଚାହିଁଲେ ତା’ର ବ୍ୟବସ୍ଥା କରିପାରିବ । ପୁନିକୁ ଗୋଟାଏ ବାଟ ଦେଖାଗଲା । ସାଆନ୍ତରାପୁର କୀର୍ତ୍ତନଦଳ ଆସିବେ । ବଂଶୀଧର ସେଇ ଦଳ ସାଙ୍ଗରେ ନିଶ୍ଚୟ ଆସିବ-। ସେତେବେଳକୁ ଯୋଗାଡ଼ କଲେ, ଗଉରୀ ବଂଶୀଧରକୁ ଦେଖିପାରିବ ।

 

ରଜ ସଂକ୍ରାନ୍ତି, ପାଟପୁରରେ ଆନନ୍ଦର ଢେଉ । ତା’ ପୂର୍ବଦିନ ରାତିରୁ କୀର୍ତ୍ତନ ଆରମ୍ଭ ହୋଇଛି । ଦଳ ଦଳ ହୋଇ କୀର୍ତ୍ତନଦଳ ଆସିଲେଣି । ସମସ୍ତେ ସେଇ ବରଗଛ ମୂଳରେ ରହୁଛନ୍ତି-। ରୋଷାଇ ହୋଇ ସେଇଠି ଖିଆ ପିଆ ହେଉଛି । ସ୍ତ୍ରୀ ଲୋକମାନେ ଶୀଘ୍ର ଶୀଘ୍ର କାମ ଶେଷ କରି କୀର୍ତ୍ତନ ପାଖକୁ ଯିବାପାଇଁ ସଜ ହେଲେଣି, ଠାକୁରଙ୍କ ପାଖରେ ମୁଣ୍ଡିଆ ମାରି ଆସିବେ-

 

ସାଆନ୍ତରାପୁର କୀର୍ତ୍ତନଦଳ ଏଇକ୍ଷଣି ନାମ ଧରିଛନ୍ତି । ପୁନି ଆସି ଗଉରୀକୁ ଡାକି ନେଲା । ଫୁଲ ବି ସାଙ୍ଗରେ ଗଲା । ସେ ପୁନି ଆଉ ଗଉରୀ କଥା ଆଗରୁ ଶୁଣିଛି । କିନ୍ତୁ ନ ଜାଣିଲା ପରି ଥାଏ ।

 

ମଣ୍ଡପ ଉପରେ ପ୍ରଣାମ କରି ତିନିଜଣ ବାହାରି ଆସିଲେ । ପୁନି ଦେଖାଇ ଦେଲା, ବଂଶୀଧର ମଣ୍ଡପ ପାଖରେ ବସିଛି । ଗଉରୀ ଦେଖିଲା, ପୁନି କଥା ସତ । କାର୍ତ୍ତିକ ପରି ରୂପ । ବାରିବାକୁ କିଛି ନାହିଁ । ପୁଣି ଠାକୁରଙ୍କୁ ଓଳିଗି ହୋଇ ତା’ ମନକଥା ଜଣାଇଲା । ବଂଶୀଧର ସାଙ୍ଗରେ ଫୁଲର ବାହାଘର ହେଲେ, ସେ ଆସନ୍ତା ବର୍ଷକୁ ଠାକୁରଙ୍କ ପାଇଁ ଚାନ୍ଦୁଆ ତିଆରି କରିଦେବ ବୋଲି ମନାସିଲା ।

 

ଫୁଲ ବଂଶୀଧରକୁ ଦେଖିଲା ମନରେ ତା’ର ଗୋଟାଏ ନୂଆ ଶିହରଣ ସୃଷ୍ଟି ହେଲା । ତା’ର ଗୋଟାଏ କେମିତି ଧାରଣା ହେଲା, ବଂଶୀଧରର ସେ ଜୀବନସାଥୀ ହେବ । ମନ ଭିତରେ କେତେ ଭାବନା ଉଙ୍କି ମାରିଲା ପୁଣି ଚାଲିଗଲା, ପୋଖରୀର ଛୋଟ ଛୋଟ ଲହରୀଗୁଡ଼ିକ ପରି, ଅଷ୍ଟପ୍ରହରୀ ପାଖରୁ ସେମାନେ ଫେରିଆସିଲେ ।

 

ପାଟପୁର ଗ୍ରାମବାସୀଙ୍କ ମଧରେ ଗୋଟାଏ ଏକତା ଚାଲିଆସିଛି । ନିକଟରେ କାନ୍ଧକୁ କାନ୍ଧ ମିଳାଇ ଅଷ୍ଟପ୍ରହରୀ କାମ ସେମାନେ କରି ନେଇଛନ୍ତି । ତା’ପରେ ସୁବୁଦ୍ଧିଙ୍କର ସବୁବେଳେ ନଜର–ଗ୍ରାମରେ କିପରି ଏକତା ରହୁ । ତାଙ୍କର ପ୍ରକୃତି, ସେ ପାଞ୍ଚଲୋକଙ୍କୁ ସାଙ୍ଗରେ ନେଇ କିଛି କାମ କରିବାକୁ ସେ ଇଚ୍ଛା କରନ୍ତି । ପାଟପୁରର ଲୋକମାନେ ତାଙ୍କ କଥାକୁ ଚାହିଁ ବସିଛନ୍ତି । ସେ ଯାହା କହୁଛନ୍ତି, ଲୋକମାନେ ଆଗଭର ହୋଇ ତାହା କରି ଦେଉଛନ୍ତି ।

 

ସେଦିନ ଗୋଟାଏ କ’ଣ ପର୍ବ ଦିନ ଥିଲା । ସୁବୁଦ୍ଧି ତାଙ୍କ ଚଉତରା ଉପରେ ବସିଥିଲେ-। ଗାଁରୁ ବି ଆଉ କେତେକେ ବସିଥିଲେ । ଅବଧାନେ ପୁରୀରୁ ଫେରିଲେ । ବୁଢ଼ା ହେଲେଣି-। ହାତଗୋଡ଼ ଚଳୁଥିବା ଭିତରେ ଯାହା କିଛି କରିହେବ । ତା’ ନ ହେଲେ ସେ ଏଇକ୍ଷଣି ତ ଗଛର ଶୁଖିଲା ପତ୍ର ପରି ହେଲେଣି । କେତେବେଳେ ଝଡ଼ି ପଡ଼ିବେ, କେହି କହିପାରିବେ ନାହିଁ-। ତେଣୁ ସେ କାର୍ତ୍ତିକ ମାସରେ ଧର୍ମ କମେଇବା ପାଇଁ ପୁରୀ ଭୁବନେଶ୍ଵର ଯାଇଥିଲେ ।

 

ଅବଧାନଙ୍କୁ ଲୋକମାନେ ଆସି ଘେରିଗଲେ । ଯେତେ ଦେଖିଲେ ବି ଲୋକମାନେ ଗୋଟାଏ କଥାକୁ ବାରମ୍ବାର ପଚାରନ୍ତି । ପୁରୀରେ କ’ଣ ଦେଖିଲେ, କେଉଁଠି ରହିଲେ, ଏମିତିକା ଅନେକ ପ୍ରଶ୍ନ ତାଙ୍କୁ ପଚରା ହେଲା । ସେ ମହାପ୍ରସାଦ, ନଡ଼ିଆ ଓ ମାଳି ଆଣିଥିଲେ । ଗୋଟାଏ ପିଲାକୁ ଦେଲେ ତାହା ସମସ୍ତଙ୍କ ଘରେ ବାଣ୍ଟିବାକୁ । ତା’ପରେ ସେ ସୁବୁଦ୍ଧିଙ୍କ ପାଖରେ ବସି ପୁରୀ, ଭୁବନେଶ୍ଵର କଥା କହି ବସିଲେ ।

 

କଥା ପ୍ରସଙ୍ଗରେ ଅବଧାନେ କହିଲେ ଯେ, ଇନ୍ଦ୍ରଦୁମ୍ନ ପୁଷ୍କରିଣୀରେ ଯେଉଁ କଇଁଛ ସବୁ ଥିଲେ, ସେ ସବୁ ଆଉ ନାହାନ୍ତି । ଲୋକମାନେ କହୁଛନ୍ତି ଯେ ସେମାନେ ମରିଗଲେଣି । ସୁବୁଦ୍ଧିଙ୍କ ତୁଣ୍ଡରୁ ଆହା ଶବ୍ଦ ବାହାରି ଆସିଲା । ସେ ବସିଥିବା ଲୋକଙ୍କୁ କହିଲେ–ସେ କଇଁଛ ସବୁ ହେଉଛନ୍ତି, ସେ ସମୟର ଲୋକ ସବୁ । ମାଟି ଖୋଳି ଖୋଳି କର୍ମ ହୋଇ ସେଇ ପୋଖରୀରେ ରହୁଛନ୍ତି । କଳିର ଭାରା ଏଣିକି ବଢ଼ିବାକୁ ଲାଗିଲାଣି । ତେଣୁ ସେମାନେ ଏ ପୃଥିବୀକୁ ଛାଡ଼ିଯିବାକୁ ବସିଲେଣି ।

 

ପୋଖରୀ କଥା ପଡ଼ୁ ପଡ଼ୁ ସୁବୁଦ୍ଧି କହିଲେ, ପାଟପୁରରେ ସେମିତି ଗୋଟାଏ ବଡ଼ ପୋଖରୀ ଖୋଳାଇଲେ ଭଲ ହୁଅନ୍ତା । ଖରାଦିନେ ପାଣି ପାଇଁ ଯେଉଁ କଷ୍ଟ ପଡ଼ୁଛି, ମଣିଷ ସେଥିରୁ ରକ୍ଷା ପାଇ ଯାଆନ୍ତା । ପାଟପୁରରେ ପାଣି ଅଭାବ ପଡ଼ିବାର କାରଣ ହେଉଛି, ନଈ ପାଣି ଲୁଣି ହୋଇଯାଏ ଖରାଦିନେ । ପାଣି ଟୋପାକ ପାଇଁ ଚାଲି ଚାଲି ଲୋକଙ୍କ ଗୋଡ଼ରେ ଚାନ୍ଦି ଫୁଟିଯାଏ । କଥାଟା ସମସ୍ତଙ୍କ ମନକୁ ପାଇଲା । ସେଇଦିନ ହିଁ ଠିକ୍ ହେଲା ପୋଖରୀ ଖୋଳା ହେବ ବୋଲି ।

 

ପୋଖରୀ ପାଇଁ ସ୍ଥାନ ଠିକ୍ କରିବାକୁ ଟିକିଏ ଟଣାଓଟରା ଲାଗିଗଲା । ଯେଉଁମାନଙ୍କ ଘର ପୂର୍ବ ପାଖରେ, ସେମାନେ କହିଲେ ଗାଁର ପୂର୍ବ ପାଖରେ ପୋଖରୀ ଖୋଳା ହେବ । ଅନ୍ୟମାନେ ସେମାନଙ୍କ ସୁବିଧାକୁ ଦେଖିଲେ । ପଶ୍ଚିମ ପଟ ଲୋକଙ୍କ ଯୁକ୍ତି ହେଲା, ଅଷ୍ଟପ୍ରହରୀ ବରଗଛ ମୂଳେ ହେଉଛି । ତେଣୁ ପୋଖରୀ ସେଇଠି ହେଲେ, ଉତ୍ସବ ବେଳକୁ ପାଣିର ଅସୁବିଧା କିଛି ରହିବ ନାହିଁ । ସୁବୁଦ୍ଧିଙ୍କ ଘର ଗାଁ ମଝିରେ । ଯେଉଁ ଦିଗରେ ପୋଖରୀ ହେଲେ ତାଙ୍କ ପାଇଁ ସବୁ ସମାନ ।

 

କଳିର ସୂତ୍ରପାତ ହେଲା । ଦୁଇଦଳ କେହି କାହାର ଦାବି ଛାଡ଼ିବାକୁ ନାରାଜ । ସୁବୁଦ୍ଧି ମତ ଦେଲେ ସ୍ଥାନ ନିରୂପଣ ଗୁଳା (Lottery) ଉପରେ ଛାଡ଼ି ଦିଆଯିବ । ଗୁଳାରେ ଯେଉଁଠି ଉଠିବ ପୋଖରୀ ସେଇଠି ହେବ । ଦୁଇପକ୍ଷ ସେଥିରେ ରାଜିହେଲେ । ଈଶ୍ଵରଙ୍କ ଉପରେ ନିର୍ଭର କରି କେହି ଅସନ୍ତୁଷ୍ଟ ହେଲେ ନାହିଁ । ଦୁଇ ଦଳଙ୍କର ଆଶା, ତାଙ୍କ କଥା ରହିପାରେ ।

 

ଗୁଳା ଉଠିଲା, ପୂର୍ବ ପଟ ବରଗଛ ପାଖରେ ପୋଖରୀ ଖୋଳା ହେବ । ସେଠି ବି ଯଥେଷ୍ଟ ଖାଲି ସ୍ଥାନ ପଡ଼ି ରହିଛି । ଏଥିରେ ଅବଶ୍ୟ ପୂର୍ବ ପଟର ଲୋକମାନେ ଖୁସି ହେଲେ । କିନ୍ତୁ ପଶ୍ଚିମ ପଟର ଲୋକମାନେ କିଛି ପ୍ରତିବାଦ କରିବାକୁ ରାସ୍ତା ପାଇଲେ ନାହିଁ । ପେଟ ଭିତରେ ଶତ୍ରୁତା ରହିଲା । ମୁହଁରେ କିଛି କହିପାରିଲେ ନାହିଁ ।

 

ନୀଳମଣି ପଶ୍ଚିମ ପଟ ଦଳର ଲୋକଙ୍କ ଦଳପତି, ଟୋକା ଲୋକ, ବୟସ ତିରିଶି ଭିତରେ । ବଡ଼ କୁଟିଳ ପ୍ରକୃତିର ଲୋକ । ତାଙ୍କ ପେଟ କଥା ଜାଣିବା ବଡ଼ କଷ୍ଟ । ନୀଳମଣିଙ୍କ କଥା ଅନୁସାରେ ପଶ୍ଚିମ ପଟର ଲୋକମାନେ ଜିଦ୍ ଧରିଥିଲେ, ତାଙ୍କ ପାଖରେ ପୋଖରୀ ହେଉ, ଗୁଳା ଉଠିବା ପରେ ନୀଳମଣି ନୀରବ ରହିଲେ ।

 

ଚାଷକାମ ଶେଷ ହୋଇ ଆସିଲା । ତା’ପରେ ପୋଖରୀ ଖୋଳା ଆରମ୍ଭ, ଗାଁର ସବୁଲୋକ ମାଟି ଖୋଳିବେ । ନିଜ ନିଜ ଭାଗ ଅନୁସାରେ ମାଟି ଖୋଳିଲେ ସେମାନଙ୍କ କାମ ଶେଷ । ତା’ପରେ ମାଟି ହିସାବ ସୁବୁଦ୍ଧିଙ୍କ ପାଖରେ ଜଣ ଜଣ କରି ଦେବେ । ଯାହା ଘରେ ଯେତେ ଲୋକ ବେଶୀ, ସେ ସେତେ ଶୀଘ୍ର କାମ ଶେଷ କଲା ।

 

ମିଛୁ ମହାନ୍ତି ଓ ଦାମ ସାଉର ଖାତିଆ ଦୁଇଟି ପାଖ ପାଖ ହୋଇ ରହିଛି । ମିଛୁ ମହାନ୍ତି ନୀଳମଣିଙ୍କ ଦଳର ଲୋକ । ମାଟି ମାପ ନେଇ ମିଛୁ ମହାନ୍ତି ଓ ଦାମ ସାଉଙ୍କ ଭିତରେ ଝଗଡ଼ା ଆରମ୍ଭ ହେଲା । ପାଟିତୁଣ୍ଡରୁ କଥାଟା ହାତାହାତି ପର୍ଯ୍ୟନ୍ତ ଚାଲିଗଲା । ପଶ୍ଚିମ ପଟର ଲୋକମାନେ ମିଛୁ ମହାନ୍ତି ସପକ୍ଷ ନେଲେ । ପୂର୍ବ ପଟର ଲୋକମାନେ ଦାସ ସାଉ ପକ୍ଷରେ ରହିଲେ । ଉତ୍ତ୍ୟକ୍ତ ଲୋକମାନଙ୍କୁ ଆଉ କେହି ଅକ୍ତିଆରରେ ରଖିପାରିଲେ ନାହିଁ । ବିନା କାରଣରେ ଲୋକମାନେ ମୁଣ୍ଡ ଗରମ କରି । ପିଟା ପିଟି ଆରମ୍ଭ କରିଦେଲେ । ଯାହାର ଯେତେ ବଳ ପାଇଲା, ସେ ଅନ୍ୟକୁ ପିଟିଲା ।

 

ପାଟପୁରର ଅନେକ ଲୋକ ଖଣ୍ଡିଆଖାବରା ହେଲେ । କାହାର ହାତ ଭାଙ୍ଗିଲା ତ ଅନ୍ୟ କାହାର ମୁଣ୍ଡ ଫାଟିଗଲା । ଦୁଇ ଦଳଙ୍କର କ୍ଷତି ହେଲା । ବଳ କମିଗଲା ପରେ ଲୋକମାନେ ଛାଏଁ ଛାଏଁ ଥଣ୍ଡା ପଡ଼ିଲେ । ଏଣିକି ଲୋକମାନେ ଡାକ୍ତରଖାନାକୁ ବୁହା ହେଲେ ।

 

ଗାଁଟା ଦୁଇ ଫାଙ୍କ ହୋଇଯିବା କଥା ପରିଷ୍କାର ଭାବରେ ଜଣାପଡ଼ିଲା । ପଶ୍ଚିମ ପଟର ଲୋକମାନେ ପୁରୁଣା ରାଗ ସୁଝାଇବା ପାଇଁ ବହୁତ ମାଡ଼ପିଟ୍ କରିଥିଲେ । ନୀଳମଣି ସେମାନଙ୍କ ଦାୟିତ୍ଵ ନେଇ ସବୁ ଖବର ବୁଝିଲେ ।

 

ପୂର୍ବ ପଟର ଲୋକଙ୍କ ଭିତରେ ସେମିତି କେହି ଦଳପତି ନ ଥିଲେ । ଗଣ୍ଡଗୋଳ ପରେ ଘନଶ୍ୟାମ ଡାକ୍ତରଖାନାରେ ଲୋକଙ୍କ ଖବର ବୁଝାସୁଝା କଲେ । ଘନଶ୍ୟାମଙ୍କ ବୟସ ତିରିଶ ଟପିଲାଣି । ସେ ସାଧା ସିଧା ଲୋକ । ପରର ଅମଙ୍ଗଳ କରିବାକୁ କେବେ ମନ ବଳାନ୍ତି ନାହିଁ । ନିଜ କାମରେ ସେ ବ୍ୟସ୍ତ ଥାନ୍ତି । ଅନ୍ୟର ବିପଦ ଆପଦବେଳେ ନିଜ ମନକୁ ସାହାଯ୍ୟ କରନ୍ତି । ସେ ଏ ଗଣ୍ଡଗୋଳରେ ନ ଥିଲେ । ପୂର୍ବ ପଟର ଲୋକମାନଙ୍କ ଖବର ବୁଝିବାକୁ କେହି ନ ଥିଲେ । ଡାକ୍ତରଖାନାକୁ ଯିବା ଆସିବା କରି କରି ଘନଶ୍ୟାମଙ୍କ ସବୁ ସମୟ ଚାଲିଗଲା । ଘର କାମ କରିବାକୁ ତାଙ୍କୁ ଆଉ ବେଳ ମିଳିଳା ନାହିଁ ।

 

ଗୋଳମାଳ ଖବରଟା ଥାନାରେ ପହଞ୍ଚିବାରୁ ଚୌକିଦାର ପୋଲିସ ଲୋକଙ୍କୁ ଧରି ସାଙ୍ଗେ ସାଙ୍ଗେ ପାଟପୁରରେ ହାଜର । ଗାଁରେ ଚହଳ ପଡ଼ିଗଲା, ନାଲି ପଗଡ଼ିବାଲା ଆସିଛନ୍ତି । ସ୍ତ୍ରୀ ଲୋକ ଓ ପିଲାମାନେ ଘରେ ଲୁଚିଲେ । ଅଧିକାଂଶ ପୁରୁଷ ଲୋକ ତ ଡାକ୍ତରଖାନାରେ ଥିଲେ-। ଯେତେକ ବା ଥିଲେ, ସେମାନେ ମଧ୍ୟ ଦାଣ୍ଡକୁ ବାହାରିଲେ ନାହିଁ । ଘର, ଦାଣ୍ଡ କବାଟ ସବୁ ବନ୍ଦ-। କନେଷ୍ଟବଳ ଗାଁ ଦାଣ୍ଡରେ ବୁଲି ଦେଖି ଆସିଲା, ସତେ ଯେମିତି ଗାଁରେ କେହି ନାହାନ୍ତି-। ନୀଳମଣି ଅବଶ୍ୟ ସାହସ କରି ପୋଲିସବାଲାଙ୍କ ପାଖକୁ ଆସିଲେ । ଦାରୋଗାବାବୁ ତାଙ୍କଠାରୁ ଘଟଣାଟା କୌଣସି ରକମ ବୁଝିଲେ । ତା’ପରେ ଦୁଇ ଦଳରୁ କେତେଜଣଙ୍କୁ ଖୋଜି ବାହାର କରି ଥାନାକୁ ଚାଲିଲେ । ଡାକ୍ତରଖାନାରେ ଲୋକମାନଙ୍କଠାରୁ ଜମାନବନ୍ଦି ବି ନେଲେ । ଗାଁ ଭିତରେ ମକଦ୍ଦମା ଲାଗିଗଲା ।

 

ପୁନି ଫୁଲର ବିଭାଘର ପ୍ରସ୍ତାବ ଆଣିବା ପରେ ହରି ବେହେରାଙ୍କର କାମ ଲାଗିଲା । ସେ ମଧ୍ୟସ୍ଥି ପଠାଇ ପ୍ରସ୍ତାବ ଆଗେଇ ନେଲେ । ବିଶ୍ଵାଳ ବୁଢ଼ା ଆସି ବୋହୂ ଦେଖି ଖୁସି ହୋଇଯାଇଛନ୍ତି । କେବଳ କଥା ରହିଛି ଯାନିଯଉତୁକ ଉପରେ । ବିଶ୍ଵାଳ ବୁଢ଼ାଙ୍କର ଦାବି ନଗଦ ପାଞ୍ଚଶ ଟଙ୍କା । ତା’ପରେ ଅନ୍ୟାନ୍ୟ ଜିନିଷ କଥା ତ ଅଛି । କିନ୍ତୁ ଏତକ ନଗଦ ଟଙ୍କା ନ ମିଳିଲେ ବାହାଘର ହୋଇପାରିବ ନାହିଁ । ବେହେରାଙ୍କ ପାଖରେ ଟଙ୍କା ନାହିଁ । ତେଣୁ ସବୁବେଳେ ତାଙ୍କର ଚିନ୍ତା କ’ଣ କରିବେ ।

 

ଗଉରୀ ତା’ କାମରେ ଲାଗିଛି । ସୁନ୍ଦର ଫରୁଆଠାରୁ ଆରମ୍ଭ କରି ଝିଅର ଅଳଙ୍କାର ପର୍ଯ୍ୟନ୍ତ ସବୁ ସଜାଡ଼ିବାକୁ ତାକୁ ପଡ଼ୁଛି । ସେ ବିଷୟରେ ମୁଣ୍ଡ ଖେଳାଇବାକୁ ହରି ବେହେରାଙ୍କୁ ବି ସମୟ ନାହିଁ । ଗଉରୀ ଯେ ଖାଲି ଘରକାମରେ ଲାଗିଛି, ତା’ ନୁହେଁ । ସେ ବି ଭାବୁଛି ଟଙ୍କା କେଉଁଠୁ ଆସିବ । ଝିଅ ବାହାଘର ପାଇଁ କେତେଦିନରୁ ସେ କିଛି କିଛି ସଂଗ୍ରହ କରି ରଖିଥିଲା । ପୁରୁଣା ସିନ୍ଦୁକର ଗୋଟାଏ କଣକୁ ସେ ବାକ୍‍ସଟି ଥାଏ ଅଣି, ଦୋଅଣି କରି କେତେ ତା’ ଭିତରେ ଅଛି, ଗଉରୀ ଗଣି ନ ଥିଲା । ବାହାଘର ବେଳକୁ ସେ ବାକ୍‍ସ ଖୋଲିଲା । ସବୁ ମିଶି ହେଲା ଶହେ ଆଠଟଙ୍କା । ବେହେରାଙ୍କୁ ସେ ଟଙ୍କା ସବୁ ଗଉରୀ ଦେଇଦେଲା ।

 

ହରି ବେହେରା ଟଙ୍କା ସଂଗ୍ରହର କୌଣସି ଉପାୟ ପାଇଲେ ନାହିଁ । ସେ ସୁବୁଦ୍ଧିଙ୍କୁ ନିଜର ଦୁଃଖ ଜଣାଇଲେ । ସୁବୁଦ୍ଧି ସହାନୁଭୂତି ଦେଖାଇଲେ । ଯେତେଟା ହୋଇପାରିବ, ସେ ସାହାଯ୍ୟ ଦେବେ ବୋଲି କଥା ଦେଲେ ।

 

ହରି ବେହେରା ସୁବୁଦ୍ଧିଙ୍କଠାରୁ ହଜାରେ ଟଙ୍କା କରଜ ଆଣିଲେ । ଦଶମାଣ ଜମି ସୁବୁଦ୍ଧିଙ୍କ ପାଖରେ ବନ୍ଧକ ରହିଲା । ଟଙ୍କା ଦେଇ ସାରି ସେ ଜମି ମୁକୁଳାଇବେ ।

 

ସୁବୁଦ୍ଧିଙ୍କ ପୁଅ ଚନ୍ଦ୍ରଶେଖର ସେତିକିରେ ଛାଡ଼ିଲେ ନାହିଁ । ଟୋକା ଲୋକ ହେଲେ ବି ବହୁତ ଆଗକୁ କଥାଟା ସେ ବିଚାର କରିପାରନ୍ତି । ତା’ପରେ ହରି ବେହେରାଙ୍କ ପ୍ରତି ତାଙ୍କର ଧାରଣାଟା କାହିଁକି ଭଲ ନୁହେଁ । ସୁବୁଦ୍ଧି ସିନା କାନକୁହା ଲୋକଙ୍କର କୁପରାମର୍ଶ ଶୁଣନ୍ତି ନାହିଁ ? ତା’ ବୋଲି ତ ଚେନ୍ଦ୍ରଶେଖର ସେଇକଥା କରିବେ ନାହିଁ । ତାଙ୍କୁ ଗୋଟାଏ ସୁବିଧା ଜୁଟିଲା । ସେ ଖାଲି ସାଧାକାଗଜରେ ହରିବେହେରାଙ୍କ ଟିପଚିହ୍ନ କରାଇନେଲେ ବେହେରାଙ୍କର ଟଙ୍କା ଦରକାର । ତାଙ୍କୁ ଯାହା କହିଲେ ବି ସେ କରିବାକୁ ପ୍ରସ୍ତୁତ । ଭଗବାନ ତ ପୁଣି ଦରକାର ଯୋଗୁ ଗଧପାଦ ଧରିଥିଲେ । ଆଉ ହରି ବେହେରାଙ୍କ କଥା କହିବା କ’ଣ ? କିନ୍ତୁ ବେହେରାଙ୍କର ପୂରା ବିଶ୍ୱାସ, ଥରେ ଜମିରେ ଭଲ ଫସଲ ହେଲେ ସେ ସବୁ କରଜ ଟଙ୍କା ଶୁଝି ଦେବେ । ଟଙ୍କା ପାଇବା ପରେ ବିଶ୍ଵାଳ ବୁଢ଼ାଙ୍କ ସାଙ୍ଗରେ ଜବାବ ଛିଣ୍ଡିଲା ।

 

ପାଟପୁର ଗାଁରେ ଗୋଟାଏ କୋକୁଆଭୟ ଲାଗିଛି । ନାଲି ପଗଡ଼ିବାଲା ସବୁଦିନେ ଗାଁକୁ ଯିବା ଆସିବା କରୁଛନ୍ତି । ଦୁଇଜଣ କନେଷ୍ଟବଳ ଗାଁରେ ଅଛନ୍ତି । ସ୍ତ୍ରୀଲୋକମାନଙ୍କର କାରବାର ସବୁ ବାଡ଼ିପଟରେ । ଛୋଟପିଲାସବୁ ଚାଟଶାଳିକୁ ଯିବା ବନ୍ଦ କରି ଦେଇଛନ୍ତି । ସମସ୍ତଙ୍କର ଧାରଣା ପୁଲିସ ଲୋକ ଯାହାକୁ ଦେଖିବେ ବାନ୍ଧିନେବେ କିମ୍ବା ବାଡ଼େଇବେ । ଗାଁରେ କେତେ ଉଡ଼ା ଖବର ଆସି ପହଞ୍ଚେ । ହେଇ ପୁଲିସ ଲୋକ ଆସୁଛନ୍ତି, ସମସ୍ତଙ୍କୁ ବାନ୍ଧିନେବେ । ତେଣୁ ଲୋକମାନେ ଚାଷବାସ କଥା ଭୁଲିଯାଇ କେବଳ ମକଦ୍ଦମା କଥା ଭାବୁଛନ୍ତି ।

 

ନୀଳମଣି ତାଙ୍କ ପକ୍ଷ ମକଦ୍ଦମାରେ ଜିତିବାର ବାଟ କରିନେଲେ । ଟଙ୍କା କେଇଟା ପୋଲିସବାଲାଙ୍କ ପକେଟରେ ଦେଇଦେଲେ । ତାଙ୍କ ସପକ୍ଷରେ ରିପୋର୍ଟ ଦିଆଗଲା । ବିଚାର ଉପରେ କଥାଟା ରହିଲା । ତେଣୁ ଦୁଇଦଳ ଲୋକମାନେ କୋର୍ଟ କଚେରୀକୁ କେବଳ ଦଉଡ଼ିଲେ ।

 

ଘନଶ୍ୟାମଙ୍କୁ ଏ ସବୁ କିଛି ଭଲ ଲାଗୁ ନ ଥାଏ । ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଛି । ସାମାନ୍ୟ ମାଟି ମାପରୁ ଆଜି ଶହ ଶହ ଟଙ୍କା ପାଣିଭଳି ଗାଁରୁ ବୋହିଯାଉଛି । ଗରିବ ଲୋକମାନେ ଚାନ୍ଦା ଦେଇ ଦେଇ ବି ବ୍ୟସ୍ତ ହୋଇ ପଡ଼ିଲେଣି । ଚାଷ କାମ ବନ୍ଦହୋଇ ଗଲାଣି । ଲୋକମାନେ କିପରି ଚଳିବେ, ସେ ଗୋଟାଏ ଚିନ୍ତାର ବିଷୟ । ଈଶ୍ଵରଙ୍କ ଉପରେ ଭରସା ରଖି ସେ କର୍ତ୍ତବ୍ୟରେ ଲାଗିଛନ୍ତି ।

 

ସୁବୁଦ୍ଧିଙ୍କ ମନରେ ସରସତା ନାହିଁ । ଯେଉଁଠି ବସୁଛନ୍ତି ଗୁମ୍‍ ମାରି ବସୁଛନ୍ତି । ଗାଁରେ ତ ଆନନ୍ଦ କୋଳାହଳ ନାହିଁ । ଆଉ ତାଙ୍କ ମନ ଖୁସି ରହିବ କୁଆଡ଼ୁ ? ତା’ପରେ ସେ ନିଜକୁ ବଡ଼ ଦୋଷୀ ବୋଲି ମନେ କରୁଛନ୍ତି । ପୋଖରୀ ଖୋଳାଇବା କଥା ନ ଉଠାଇଥିଲେ, ଏତେ କାଣ୍ଡ ଘଟି ନ ଥାନ୍ତା । ସେ ଭଲ ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଭେଲ ହେଲା । ଏଇ ପାଟପୁର ଗାଁକୁ କେତେ ପୁରୁଷ ହେଲା ନାଲି ପଗଡ଼ିବାଲା ଆସି ନ ଥିଲେ । କିନ୍ତୁ ଆଜି ଏମିତି ହୋଇଛି ଯେ ନାଲି ପଗଡ଼ିବାଲାଙ୍କ ଭୟରେ ସ୍ତ୍ରୀ ପିଲାମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି । କେମିତି ଏହାର ସମାଧାନ ହେବ, ସେ ଉପାୟ ଖୋଜିବାରେ ଲାଗିଛନ୍ତି ।

 

ସନ୍ଧ୍ୟା ବେଳ । ସୁବୁଦ୍ଧି ପିଣ୍ଡା ଉପରେ ବସି ଭାଗବତ ପଦ ଗୁଣୁ ଗୁଣୁ ହୋଇ ବୋଲୁଛନ୍ତି-। ଦେଖିଲେ ନୀଳମଣି ଗାଁ ଦାଣ୍ଡରେ ଚାଲିଛନ୍ତି । ତାଙ୍କ ପଛରେ ତାଙ୍କ ଦଳର ଦୁଇ ଚାରିଜଣ ବି ଅଛନ୍ତି । ସବୁବେଳେ ଖାଲି ଫୁସୁ ଫୁସୁ କଥାବାର୍ତ୍ତା । ପରକୁ ଖାଲରେ ପକାଇବାର ମନ୍ତ୍ରଣା-। ମକଦ୍ଦମା ଲାଗିଲା ଦିନୁ ନୀଳମଣି ସବୁବେଳେ ସହରରେ । ତେଣୁ ସୁବୁଦ୍ଧି ତାଙ୍କୁ କେବେ ଭେଟୁ ନ ଥାନ୍ତି । ଆଜି ସହରରୁ ଆସିଛନ୍ତି, ଓକିଲ ଫିସ୍ ବାକି ରହିଲାଣି ଟଙ୍କା ନେଇ ଯିବେ ।

 

ସୁବୁଦ୍ଧି ନୀଳମଣିଙ୍କୁ ଡାକିଲେ । ସୁବୁଦ୍ଧିଙ୍କୁ ନମସ୍କାର କରି ନୀଳମଣି ପିଣ୍ଡା ଉପରକୁ ଉଠି ଆସିଲେ । ସୁବୁଦ୍ଧି ସହରର ହାଲଚାଲ କଥା ପଚାରି ବୁଝିଲେ । ତା’ପରେ ସେ କଥାଟାକୁ ଆରମ୍ଭ କରି ପଚାରିଲେ ନୀଳମଣି ! ନିଜ ନିଜ ଭିତରେ ଏ ଶତ୍ରୁତା କାହିଁକି ଲାଗିଛି ? ଭାଇ ଭାଇ ବେକରେ ଛୁରୀ ଦେଉଛି, ଏଇଟା କ’ଣ ସଂସାରକୁ ଭଲ ଦେଖାଯାଉଛି ? ଗୋଟିଏ ଗାଁର ଲୋକମାନେ ଗୋଟିଏ ପରିବାର ଭଳି କାମ କରି ଚାଲିଥିଲେ ଏଇକ୍ଷଣି ଏ ଗାଳି ମକଦ୍ଦମା ଲଗାଇ କି ଲାଭ ହେଉଛି ?

 

ନୀଳମଣି କିଛି ଉତ୍ତର ଦେଇପାରିଲେ ନାହିଁ । ତା’ପରେ ଦବି ଦବି କହିଲେ, ଏ ସବୁ ପାଇଁ ତାଙ୍କର କିଛି ଦୋଷ ନାହିଁ । ଗାଁ ଲୋକମାନେ ମାଡ଼ଗୋଳ କଲେ । ସେ ବରଂ ଏଥିପାଇଁ ଭାରି କ୍ଷତି ସହୁଛନ୍ତି । ଘରଦ୍ୱାର ଛାଡ଼ି ବଜାରରେ ହୋଟେଲରେ ରହୁଛନ୍ତି । ବେଶୀ ଖର୍ଚ୍ଚାନ୍ତ ସେ ହେଉଛନ୍ତି । ମକଦ୍ଦମା ଚଳାଇବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ ।

 

ସୁବୁଦ୍ଧି କହିଲେ, ହଉ ଯାହା ତ ହେବାର ହେଲାଣି । ଏଣିକି ଏ ମକଦ୍ଦମାକୁ ଭାଙ୍ଗିଦିଅ । ଗାଁ ପଇସା ଆଉ ପରକୁ ଦିଅ ନାହିଁ ।

 

ନୀଳମଣି କହିଲେ, ମକଦ୍ଦମାକୁ ତୁଟାଇ ଦେବାପାଇଁ ତାଙ୍କର କିଛି ଆପତ୍ତି ନାହିଁ । କିନ୍ତୁ ଅନ୍ୟ ପକ୍ଷ ରାଜି ହେଲେ ତ ହେବ ? ସୁବୁଦ୍ଧି କହିଲେ ଅନ୍ୟ ପକ୍ଷ ପାଇଁ ସେ କଥା ଦେଉଛନ୍ତି । ସେମାନେ କଳି ତୁଟାଇ ଦେବାକୁ ରାଜି ଅଛନ୍ତି । ନୀଳମଣି କହିଲେ, ଭାବିଚିନ୍ତି ଉତ୍ତର ଦେବେ । ସୁବୁଦ୍ଧି କଥାଟାକୁ ଆଉ ବେଶୀ ଆଗେଇଲେ ନାହିଁ । ନୀଳମଣି ନଈ ଆଡ଼କୁ ଗଲେ । ଅନ୍ଧାର ଘନେଇ ଆସିଥିଲା ।

 

ସେଇ ରାତିରେ ସୁବୁଦ୍ଧି ଘନଶ୍ୟାମଙ୍କୁ ଡକାଇଲେ । ମକଦ୍ଦମା ଭାଙ୍ଗିବାପାଇଁ ତାଙ୍କ ମତାମତ ପଚାରିଲେ । ଘନଶ୍ୟାମ କହିଲେ, ସୁବୁଦ୍ଧିଙ୍କ କଥାରୁ ତାଙ୍କ ଦଳ ଲୋକମାନେ ବାହାରି ଯିବେ ନାହିଁ । ସେ ଯାହା କହିବେ ସେଇୟା ହେବ । ଟଙ୍କା ଦେଇ ଦେଇ ସମସ୍ତଙ୍କ ହାତ ଖାଲି ହେଇଗଲାଣି । ଶୀଘ୍ର ଏ କଳି ତୁଟିଲେ, ଲୋକମାନେ ଟିକିଏ ଶାନ୍ତିରେ ନିଶ୍ୱାସ ମାରିବେ ।

 

ଏ କେତେଦିନ ହେଲା ପୁନି ରହୁଛି ହରି ବେହେରାଙ୍କ ଘରେ । ସେ ହୋଇଛି ଗଉରୀର ହାତ ବାରିସୀ । ସବୁ କାମରେ ସାହାଯ୍ୟ କରୁଛି । ପୁନିର କାମ ଦେଖି ଗାଁ ମାଇପେ କହୁଛନ୍ତି, ଏ ଯେମିତି ପୁନି ଝିଅର ବାହାଘର । ଘର ମଣିଷ ପରି ସେ କାମ କରି ଚାଲିଛି । ତା’ପରେ ତା’ ବ୍ୟବସାୟ କଥା ବି ସେ ଭୁଲି ଯାଇନାହିଁ । ଟିକିଏ ସମୟ ମିଳିଲେ ଗାଁରେ ସଉଦା ନେଇ ବୁଲିଆସେ ।

 

ପୁନି ଫୁଲ ପାଖରେ ଅନେକ ସମୟରେ ବସେ । ତା’ ହାତ ଗୋଡ଼କୁ ଟିକିଏ ଆଉଁଷି ଦେଇ କହେ, ଝିଅ ଲୋ ! ବାପଘର ଛାଡ଼ି ଯାଉଛୁ ବୋଲି ଦୁଃଖ କରିବୁ ନାହିଁ । ଝିଅ ଜନମ ତ ପରଘରକୁ । ବାପଘରେ ଯେତେ ସୁଖ କଲେ, ସେ ସୁଖରେ ଗଣାଯାଏ ନାହିଁ । ଶାଶୁ ଘରକୁ ଗଲେ, କେତେ ସୁଖ ଦୁଃଖ ଆସିବ । ସେ ସବୁ ଢେଉକୁ ସମ୍ଭାଳି ଘର କରିବାକୁ ହେବ । ସଂସାର କ’ଣ ସେତେବେଳେ ଯାଇ ବୁଝିହେବ ।

 

ଫୁଲ ପୁନି କଥା ସବୁ ବୁଝିପାରେ ନାହିଁ । ତାକୁ ଖାଲି ଅଡ଼ୁଆ ଅଡ଼ୁଆ ଲାଗୁଛି । ଜଣେ ଅଜଣା ଅଚିହ୍ନା ମଣିଷକୁ ନେଇ ତାକୁ ଘର କରିବାକୁ ହେବ । କେତେ ପର ମଣିଷକୁ ଆପଣା କରିବ ସେ । ତା’ କଅଁଳ ମନରେ ସନ୍ଦେହ ଆସୁଛି । ଏ ସବୁ କାମକୁ ସେ ପାରିବ ତ ? କିନ୍ତୁ ମନଖୋଲି କାହାକୁ କିଛି କହି ପାରୁନାହିଁ ।

 

ଫୁଲ ସାଙ୍ଗରେ ତା’ର ସାଙ୍ଗ ଝିଅ ଆଉ ପଡ଼ିଶାଘର ଭାଉଜବୋହୂ କେତେ ଥଟ୍ଟା ତାମସା କରୁଛନ୍ତି । ଦେଖେଇ ଦେଖେଇ ଚଉଠିରାତି କଥା ମଧ୍ୟ କହୁଛନ୍ତି । ଗାଧୋଇ ଗଲାବେଳେ, ନଈରେ ବସି ଘଣ୍ଟା ଘଣ୍ଟା ଧରି ଏଇ କଥାବାର୍ତ୍ତା ସେମାନେ ହେଉଛନ୍ତି । ସେଦିନ ସେ ଭାଉଜବୋହୂ କହିଲେ, ଫୁଲ ଲୋ ! ବଂଶୀଧରକୁ ପାଇ ତୁମେ ତ ରାଧିକା ସାଜିବ । କିନ୍ତୁ ତୁମେ କେଳି କଲାବେଳେ ଆମ କଥା ସବୁ ଯେମିତି ଭୁଲି ନ ଯାଅ । ତା’ ସାଙ୍ଗେ ସାଙ୍ଗେ କେତେ ଘରକରଣା କଥା ମଧ୍ୟ ଶିଖାନ୍ତି । ଫୁଲ ସେ ସବୁ ଖାଲି ଶୁଣିଯାଏ । କିନ୍ତୁ କିଛି ଉତ୍ତର ଦିଏ ନାହିଁ ।

 

ଫୁଲ ଖାଲି ସବୁବେଳେ ଭାବୁଛି । କେତେ ରକମ ନୂଆ ଭାବନା ତା’ ମନକୁ ଆସୁଛି । ବେଳେ ବେଳେ ସାଙ୍ଗସାଥିଙ୍କ ଥଟ୍ଟା କଥା ମନେପଡ଼ିଲେ, ଗୋଟାଏ ନୂତନ ଶିହରଣ ସେ ଅନୁଭବ କରୁଛି । ଏଇ କଥା ଭାବୁ ଭାବୁ ତାକୁ ନିଦ ଆସିଯାଏ । ଆଉ ସେ ସ୍ଵପ୍ନ ଦେଖେ । ଅଜଣା ରାଇଜର ଜଣେ ଯୁବକ ଆସି ତା’ ହାତ ଧରି ନେଇଯାଉଛି । ସେ ଦୁଇଜଣ ଅଗନାଅଗନି ବନସ୍ତ ଭିତରେ ପଶି ଯାଇଛନ୍ତି । ସେଠି କୁଆ କୋଇଲିର ରାବ ନାହିଁ । କିନ୍ତୁ ଜଙ୍ଗଲ ଭିତରେ ସେ ଯୁବକଟି କେଉଁଆଡ଼େ ଚାଲିଯାଇଛି । ଫୁଲ ଏକୁଟିଆ ଠିଆ ହୋଇଛି । ତା’ ନିଦ ଚାଉଁ କରି ଭାଙ୍ଗିଯାଏ । ମନଟା କାହିଁକି ଖରାପ ହୋଇଯାଏ । ଭାବେ ସେ ଯୁବକ ଫେରିବା ପର୍ଯ୍ୟନ୍ତ ସ୍ଵପ୍ନ ଦେଖୁଥାନ୍ତା କି !

 

ନୀଳମଣି ସୁବୁଦ୍ଧିଙ୍କ ସହିତ କଥାବାର୍ତ୍ତା ହେବାର ଦୁଇଦିନ ହୋଇଗଲାଣି । ଏପର୍ଯ୍ୟନ୍ତ କିଛି ସଠିକ ଉତ୍ତର ଦେଇ ନାହାନ୍ତି । ସମସ୍ତେ ଛକା ଛକି ହୋଇ ଚାଲିଛନ୍ତି । ଗୋଟାଏ ଦଳ ଅନ୍ୟ ଦଳକୁ ଅପେକ୍ଷା କରୁଛି । କେହି କାହା ଗୁମର ପଦାରେ ପକାଉନାହାନ୍ତି ।

 

ସୁବୁଦ୍ଧି ଅବଧାନକୁ ନୀଳମଣି ପାଖକୁ ପଠାଇଲେ । ସେ ତ ତାଙ୍କର ଛାତ୍ର । କଥା ମାନିବ । ଗୋଟାଏ କିଛି ଜବାବ ଆଣିବାକୁ ହେବ । ଅବଧାନଙ୍କର ବିଶ୍ୱାସ ଯେ ସେ ଗାଁଟାକୁ ମିଳାଇ ଦେବେ । ତାଙ୍କ କଥାରୁ କେହି ବାହାରି ଯିବେ ନାହିଁ ।

 

ଅବଧାନେ ନୀଳମଣିଙ୍କ ଘରେ ପହଞ୍ଚିଲେ । ସେଠି ଦଳେ ଲୋକଙ୍କର ମନ୍ତ୍ରଣା ଚାଲିଛି । ସୁବୁଦ୍ଧିଙ୍କ କଥା ଅନୁସାରେ ମିଳାମିଶା କରିବେ କି ମକଦ୍ଦମା ଚାଲିବ, ସେଇ କଥା ହିଁ ପଡ଼ିଛି । କେତେକ କହୁଛନ୍ତି ମକଦ୍ଦମା ଚାଲୁ, ଆଉ କେତେକ କହୁଛନ୍ତି ସମସ୍ତେ ମିଶିଯିବାକୁ । କିଛି ଠିକ୍ ହୋଇ ପାରୁନାହିଁ ।

 

ନୀଳମଣି ଅବଧାନଙ୍କ ପରାମର୍ଶ ମାଗିଲେ । ମଳୁ ଖୋଜୁଥିଲା ଯାହା, ବଇଦ ବତେଇଲା ସେଇୟା । ଅବଧାନ ତାଙ୍କ ଦଳର ହୋଇ ଉପଦେଶ ଦେଲେ, ଆଉ ବେଶୀ ପଇସା ଖର୍ଚ୍ଚ କରିବା ଠିକ୍ ନୁହେଁ । ଗାଁ ଭିତରେ ସବୁ ମିଳାମିଶା କରିଦେବା ଉଚିତ ସମସ୍ତେ ରାଜି ହୋଇଗଲେ । ନୀଳମଣିଙ୍କୁ ଧରି ଅବଧାନେ ସୁବୁଦ୍ଧିଙ୍କ ପାଖକୁ ଆସିଲେ ।

 

ଦୁଇଦଳ ଲୋକ ଚଉତରା ପାଖରେ ଆସି ଏକାଠି ହେଲେ । ଅନେକ କଥା ପଡ଼ିଲା । ପ୍ରତ୍ୟେକ ଦଳ ଅନ୍ୟକୁ ଦୋଷ ଦେବାରେ ଲାଗିଲେ । ଖାଲି ପାଟିତୁଣ୍ଡ ହେଲା । ସୁବୁଦ୍ଧି କହିଲେ, ଆଉ ମଇଳା ଖେଳାଇବା ଦରକାର ନାହିଁ । ଗଲା କଥା ଗଲାଣି ! ଦୋଷ ଦିଆ ଦେଇ ହେଲେ କଳି ତୁଟିବନି । ପଛକଥା ସବୁ ମାଟିରେ ପୋତି ପକାଇ ମିଶିଯିବା ଦରକାର । ଘନଶ୍ୟାମ ଓ ନୀଳମଣିଙ୍କୁ ସେମାନଙ୍କର ମତାମତ ବିଷୟରେ ପଚରାଗଲା । ଉଭୟ ସୁବୁଦ୍ଧିଙ୍କ ଉପରେ ଦାୟିତ୍ଵ ଦେଇଦେଲେ । ତାଙ୍କ କଥା ଅନୁସାରେ ସବୁ ହେବ । ଠିକ୍ ହୋଇଗଲା, ଓକିଲ ପରାମର୍ଶ କରି ମକଦ୍ଦମାକୁ ଉଠାଇ ଅଣାଯିବ । ଯାହାର ଯାହା ପଇସା ଖର୍ଚ୍ଚ ହୋଇଛି, ସେ କଥା କେହି ଆଉ ମୁହଁରେ ଧରିବେନି । ସମସ୍ତେ ହରିବୋଲ ଦେଇ ଉଠିଗଲେ ।

 

ଏହା ମଧ୍ୟରେ ପୋଲିସ ଲୋକ ଆସି ଦୁଇଥର ଗାଁ ରୁ ବୁଲି ଗଲେଣି । ମକଦ୍ଦମା ସମାଧାନ ହେବା କଥା ସେମାନେ ଶୁଣିଲେଣି । ଘନଶ୍ୟାମ ଓ ନୀଳମଣିଙ୍କୁ ଅଲଗା ଅଲଗା ଡକାଇ ପରାମର୍ଶ ଦେଉଛନ୍ତି । ମକଦ୍ଦମା କିପରି ନଭାଙ୍ଗୁ, ସେଥିପାଇଁ ସେମାନେ ଖୁବ୍ ଚେଷ୍ଟା କରୁଛନ୍ତି । ଭୟଭୀତ ବି କରାଉଛନ୍ତି । ନୀଳମଣି ଓ ଘନଶ୍ୟାମ ଉଭୟ ବୁଝୁଛନ୍ତି, ଏ ସବୁ ପୋଲିସ ଲୋକଙ୍କର ଆୟ କରିବାର ଫିକର । ତାଙ୍କ ଉପାୟରେ ସେମାନେ ଲାଗିଛନ୍ତି । ନିଜ ନିଜ ଭିତରେ ମନ ମିଳିଗଲେ ତୃତୀୟ ପକ୍ଷ ବା କରିବ କ’ଣ ? ପୋଲିସବାଲାଙ୍କ ଚେଷ୍ଟା ସଫଳ ହୋଇପାରିଲା ନାହିଁ-

 

ମକଦ୍ଦମା ମୀମାଂସା ହେବାର ସବୁ ବ୍ୟବସ୍ଥା ହୋଇଗଲାଣି । ଦୁଇ ପକ୍ଷ ଲୋକ ମିଳିଗଲେ । ଓକିଲମାନେ ପଇସା ପାଇବାର ଆଶା ଆଉ ରଖି ନାହାନ୍ତି । କାହାକୁ ଜୟଯୁକ୍ତ କରାଇବାର ଆଶା ଦେଇ ମକଦ୍ଦମା ବଢ଼ାଇବାକୁ ଆଉ କେହି ଚେଷ୍ଟା କରୁନାହାନ୍ତି । ବରଂ ଓଲଟା ପରାମର୍ଶ ଦେଉଛନ୍ତି , ଗାଁ ଲୋକ ସମସ୍ତେ ମିଳିମିଶି ଯିବା ଦରକାର ।

 

ଦୁଇ ପକ୍ଷର ଲୋକମାନେ ଡାକ୍ତରଖାନାରୁ ଆସିଲେଣି । ଘାଆ ପ୍ରାୟ ସମସ୍ତଙ୍କର ଶୁଖିଯାଇଛି । ଦୁଇଜଣଙ୍କର ହାତ ଭାଙ୍ଗି ଯାଇଥିଲା । ହାତକୁ ବେକରେ ସେମାନେ ଝୁଲାଇ ଚାଲିଥିଲେ । ପ୍ଲାଷ୍ଟରିଙ୍ଗ ଖୋଲାହେଲା ହାଡ଼କୁ ହାଡ଼ ଲାଗିଯାଇଛି । ସମସ୍ତେ ବର୍ତ୍ତମାନ ଖୁସି, ଗାଁ ଲୋକ ସମସ୍ତେ ମିଶିଗଲେ । ସୁବୁଦ୍ଧିଙ୍କ ଆନନ୍ଦର ସୀମା ନାହିଁ । ତାଙ୍କ କଥା ମାନି ଲୋକମାନେ ମିଳିଗଲେ , ତାଙ୍କ ପକ୍ଷେ ସେ ଗୋଟିଏ ଗୌରବର କଥା । ପୁଣି ଅଧା ଖୋଳା ହୋଇଥିବା ପୋଖରୀ କାମ ଚାଲିବ କି ନାହିଁ, ସେଥିପାଇଁ ବ୍ୟବସ୍ଥା ହେବ ।

 

ସାଆନ୍ତରାପୁର ବିଶ୍ୱାଳଘର ଆଜିକାଲି ଖୁବ୍ ସରଗରମ ହୋଇ ଉଠିଛି । ଗୋଟିଏ ବୋଲି ପୁଅ ବଂଶୀଧରର ବାହାଘର, ସବୁ ବନ୍ଧୁବାନ୍ଧବ ଖୋଜା ଲୋଡ଼ା ହୋଇ ଆସିଛନ୍ତି । ଘରେ ସବୁବେଳେ ଲୋକଭିଡ଼ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକମାନେ ଯା’ ଆସ କରୁଛନ୍ତି, ରୋଷାଇ ହେଉଛି, ଆଉ ଖିଆପିଆ ମଧ୍ୟ ଚାଲିଛି । ବଂଶୀଧରର ସାଙ୍ଗମାନେ ଖୁବ୍ ସହଯୋଗ କରୁଛନ୍ତି । ସବାରି ଗୋପାଳ, ବାଜାବାଲାକୁ ଆଗତୁରା ବହିନା ଦିଆଯାଇଛି । ଆଠଦିନ ହେବ ଦୁଇଜଣ ଲୋକ ବଜାରକୁ ଯାଇଛନ୍ତି । ବାଣ ନିଶାଣ ଆଣିବେ । ଗଛବାଣ, ଚନ୍ଦ୍ରଉଦିଆ, କୁମ୍ଭୀରିଆବାଣ, ଗଡ଼ମା ଆଉ ଫୁଲଝରି ଏମିତି କେତେ କ’ଣ ବାଣ ପାଇଁ ବରାଦ ଦିଆଯାଇଛି । ବିଶ୍ଵାଳ ବୁଢ଼ା ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି । ଗାଁ ଲୋକଙ୍କର ଇଚ୍ଛା ଗୋଟାଏ ବିରାଟ ଧରଣର ବରଯାତ୍ରା କରିବାକୁ । ସେଥିପାଇଁ ପାଖଆଖ ଦଶଖଣ୍ଡ ଗାଁରୁ ଲାଇଟ୍‍ ସବୁ ସଂଗ୍ରହ ହୋଇ ଆସିଲାଣି । ବାହାଘର ଭୋଜି ପାଇଁ ବି ବ୍ୟବସ୍ଥା ଖୁବ୍ ଜୋରରେ ଚାଲିଛି ।

 

ବଂଶୀଧର ଏ ସବୁ କାମରେ ଆଦୌ ମୁଣ୍ଡ ପୂରାଉ ନାହିଁ । ବିଭାଘର ପ୍ରସ୍ତାବ ଆସିଲା ଦିନରୁ ତା’ ମନ ଖୁବ୍ ଚଞ୍ଚଳ ହୋଇ ଉଠିଛି । ସେ ଝିଅ ବିଷୟରେ କେତେ ନୂଆ ନୂଆ କଳ୍ପନା ଆସୁଛି । ଫୁଲର ରୂପଗୁଣ ବିଷୟରେ ସବୁ ଶୁଣି ସାରିଲାଣି । ତଥାପି ତାକୁ ଥରେ ଦେଖିବାକୁ ତା’ର ଇଚ୍ଛା । ବାପା ତ ବୋହୂ ଦେଖି ବିଭାଘର ପାଇଁ ଜବାବ୍ ଦେଇଛନ୍ତି । ତା’ ମତାମତ ଏଥିପାଇଁ ପଚାରି ନ ଥିଲେ କିମ୍ବା ସେ କଥା ବି ସେ ଚାହୁଁନ ଥିଲା କିନ୍ତୁ ଝିଅକୁ ନ ଦେଖିବା ପର୍ଯ୍ୟନ୍ତ ମନରେ ଏଣେ ଶାନ୍ତି ଆସୁନାହିଁ ।

 

କାହାକୁ ନ କହି ବଂଶୀଧର ଦିନେ ପାଟପୁରକୁ ଗଲା । ସେତେବେଳକୁ ସୂର୍ଯ୍ୟ ବୁଡ଼ି ଆସୁଥିଲେ । ନାଲ ଖରା ପୃଥିବୀ ଉପରେ ବିଞ୍ଚିହୋଇ ପଡ଼ିଥିଲା । ଗାଈଆଳ ପିଲା ଗୋରୁ ଅଡ଼େଇ ଅଡ଼େଇ ଚାଲିଛି ସେ ଗାଁ ଆଡ଼କୁ । ବଂଶୀଧର ତାକୁ ଡାକି ତା’ ହାତରେ ଗୋଟାଏ ଟଙ୍କା ଦେଇ ଦେଲା । ଗାଈଆଳ ପିଲାଟି କିଛି ବୁଝିପାରିଲା ନାହିଁ । ବଂଶୀଧର ତାକୁ ଥିରି ଥିରି କରି କହିଲା, ସେ ଫୁଲକୁ ଦେଖିବ । ତାକୁ କେବଳ ଚିହ୍ନାଇ ଦେବା ପାଇଁ ସେ ଟଙ୍କାଟା ତାକୁ ଇନାମ୍ ମିଳିଲା । କିନ୍ତୁ ତା’ ଝିଅ ଦେଖା କଥାଟା ସେ ଯେପରି ଗୁପ୍ତ ରଖେ, ସେଥିପାଇଁ ସେ ତାଗିଦ୍ ମଧ୍ୟ କରିଥିଲା ।

 

ଗାଈଆଳ ପିଲାଟି ବଂଶୀଧରକୁ କହିଲା, ତୁମେ ଯାଇ ନଈକୂଳେ ବସ, ସେ ଘରେ ଗୋରୁ ଛାଡ଼ି ଆସିବ । ଫୁଲ ଯେତେବେଳେ ପାଣି ନେବାକୁ ଆସିବ, ସେ ତାକୁ ଚିହ୍ନାଇ ଦେବ ।

 

ସନ୍ଧ୍ୟା ହୋଇ ଯାଇଥିଲା । ଫୁଲ ପାଦ ଗଣି ଗଣି ଆସିଲା ପାଣି ନେବା ପାଇଁ । ତା’ ସାଙ୍ଗରେ ତା’ର ସାଥୀ ଝିଅ ସବୁ । ଫୁଲ ବଡ଼ ଗମ୍ଭୀର ହୋଇ ଚାଲିଥାଏ । ଅନ୍ୟମାନେ କଥା ନହସରେ ହସି ହସି ଚାଲିଥାନ୍ତି । ସେଇ ନଈକୂଳେ ବଂଶୀଧର ପ୍ରଥମ ଥର ପାଇଁ ଦେଖିଥିଲା ଫୁଲକୁ । ଚୁମ୍ବକ ଲୁହାକୁ ଟାଣିଲା ପରି ତା’ ମନଟା ଫୁଲଆଡ଼କୁ ଟାଣି ହୋଇ ଯାଇଥିଲା । ତା’ପରେ ତା’ ମନରେ ଆସିଥିଲା ଉତ୍କଣ୍ଠା । ସେ ହେଉଛି ଫୁଲକୁ ନିଜର କରିବାର ଆଶା; ସୁନ୍ଦର ଜିନିଷ ପ୍ରତି ସମସ୍ତଙ୍କର ଲୋଭ । ବଂଶୀଧର ସେଥିରୁ ବାଦ୍ ଯାଇନି । ବିଭାଘର ପର୍ଯ୍ୟନ୍ତ କେତେ ଆଶା ଓ ନିରାଶା ଭିତର ଦେଇ ବଂଶୀଧର ମନ ଗତି କରୁଛି । ଅନେକ ସମୟରେ ତା’ର ଭୟ ହୁଏ, କାଳେ ବିଭାଘର ପ୍ରସ୍ତାବ ଭାଙ୍ଗିଯିବ ।

 

ବିଭାଘର ଦିନ ବର ଖୁବ୍ ଜାକଜକମରେ ଆସିଲା । ଗାଁ ମୁଣ୍ଡରେ ପହଞ୍ଚିଲା ବେଳକୁ ପାହାନ୍ତିଆ ତରା ବୁଡ଼ିଯାଇଥିଲା । ରୋଷଣୀ ଆରମ୍ଭ ହେଲା । କେଳା କେଳୁଣୀ ନାଚ, ଷଣ୍ଢ ଲଢ଼େଇ, ବାଳିକା ନାଚ ସବୁ ଚାଲିଥାଏ । ତା’ ସାଙ୍ଗକୁ ବିଭିନ୍ନ ରକମ ବାଜା । ଗାଁଟା ଯେମିତି ଉଠ ପଡ଼ ହେଲା । ବର ହରି ବେହେରାଙ୍କ ଘର ପାଖରେ ପହଞ୍ଚିଲା ବେଳକୁ ଦିନ ଦିପହର । କଣ ଭୁଆସୁଣୀମାନେ ଝରକା ଖୋଲି କୌଣସି ରକମ ବଂଶୀଧରକୁ ଦେଖିନେଲେ । ବୁଢ଼ୀମାନେ ଦାଣ୍ଡରେ ଥାଇ ବର ଉପରେ ମନ୍ତବ୍ୟ ପ୍ରକାଶ କଲେ । ଝିଅ ଲାଖି ଜୋଇଁ । ଠିକ୍ ଭାଇ ଭଉଣୀ ପରି ଦେଖାଯିବେ । ସମସ୍ତଙ୍କ ମୁହଁରେ ପ୍ରଶଂସା ।

 

ସେଦିନ ପାଟପୁର ଖୁବ୍ କର୍ମମୁଖର ହୋଇ ଉଠିଛି । ହରି ବେହେରା ଗାଁର ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ । ସୁବୁଦ୍ଧି ଆସି ବେହେରାଙ୍କ ପିଣ୍ଡାରେ ବସି ସବୁ ବରାଦ କରୁଛନ୍ତି । ସମସ୍ତେ କାମରେ ଲାଗିଛନ୍ତି । ତା’ର କାରଣ ହେଉଛି, ଗାଁ ମିଳିଯିବା ପରେ ଏଇଟା ହେଉଛି ପ୍ରଥମ ଘଟଣା-। ସବୁ ଗାଁର ଲୋକମାନେ ଏକାଠି ହେଉଛନ୍ତି । ସମସ୍ତେ ଗୋଟାଏ ପଙ୍ଗତରେ ବସି ଖାଇବେ-। ପୁଣି ଭାଇ ଭାଇ ଡାକି ହୋଇ ମିଶିଯିବେ ।

 

ବିଭାଘର ସରିଗଲା । ବରଯାତ୍ରୀମାନେ ଖାଇ ଚାଲିଗଲେ । ତା’ପରେ ପାଟପୁରର ଲୋକମାନେ ଖାଇବାକୁ ବସିଲେ । ଘନଶ୍ୟାମ ଓ ନୀଳମଣି ଗୋଟାଏ ପତରରେ ବସି ଖାଇଲେ । ବିବାଦ କଥା ସବୁ ଲୋକମାନେ ମନରୁ ପୋଛି ପକାଇଲେ । ପୁଣି ପାଟପୁରରେ ଏକତା ଚାଲି ଆସିଲା ।

 

ଆଜିକାଲି ସୁବୁଦ୍ଧି ଗାଁ ଗଣ୍ଡା ମାମଲତରେ ବେଶୀ ଭାଗ ନେଇ ପାରୁନାହାନ୍ତି । ବୟସ ବଢ଼ିଗଲାଣି । କେବଳ ଧର୍ମ ଚର୍ଚ୍ଚାରେ ମନ । ସକାଳୁ ସଞ୍ଜଯାଏ ଚଉତରା ଉପରେ ବସି ମାଳୀ ଗଡ଼ାଉଛନ୍ତି । ପାଖକୁ କେହି ଆସିଲେ, ଭଲମନ୍ଦ ଦୁଇପଦ ପଚାରନ୍ତି । ତା’ପରେ ଧର୍ମ ଉପରେ ଆଲୋଚନା ହୁଏ । ରାମାୟଣ, ମହାଭାରତ, ଓ ଭାଗବତର ନୀତି କଥା ସବୁ ପଡ଼େ । ଭକ୍ତିରେ ସମସ୍ତଙ୍କ ମୁଣ୍ଡ ତାଙ୍କ ପାଖରେ ନଇଁ ଆସେ ।

 

ସେ ବର୍ଷ ଖୁବ୍ ଶୀତ ପଡ଼ିଲା । ବୁଢ଼ାବୁଢ଼ୀମାନେ କହନ୍ତି ଯେ ଏଭଳି ଶୀତ ତାଙ୍କ ଜୀବନରେ କେବେ ଭୋଗି ନ ଥିଲେ । ସୁବୁଦ୍ଧି ସେଇ ଶୀତରେ ସକାଳୁ ଗାଧୋଇ ଫୁଲ ତୋଳି ଆଣନ୍ତି । କାଉ କା କା କଲାବେଳକୁ ସୁବୁଦ୍ଧିଙ୍କ ଦାଣ୍ଡ ଘରୁ ଭାଗବତ ଉଚ୍ଚାରଣ ହେବାର ଶୁଣାଯାଏ-

 

ହଠାତ୍ ଦିନେ କ’ଣ ହେଲା, ସୁବୁଦ୍ଧି ଘରର ସମସ୍ତଙ୍କୁ ଡକାଇ କହିଲେ, ସେ ଯିବେ । ରଥ ତାଙ୍କ ପାଇଁ ଆସି ଗଲାଣି । ଦୁନିଆରୁ ତାଙ୍କ କାମ ସରିଗଲା । ଏଣିକି ତାଙ୍କ ଦାୟିତ୍ୱ ସେମାନେ ଚଳାଇବେ । ଚନ୍ଦ୍ରଶେଖରଙ୍କୁ କେଇପଦ ଉପଦେଶ ଦେଇ କହିଲେ କାହାରି କ୍ଷତି କରିବାକୁ କେବେ ଚେଷ୍ଟା କରିବୁ ନାହିଁ । ତା’ହେଲେ ଇଶ୍ଵର ଅସନ୍ତୁଷ୍ଟ ହେବେ । ଅବଧାନେ ଆସି ପାଖରେ ବସିଲେ । ସୁବୁଦ୍ଧି କହିଲେ, ତାଙ୍କ ଲୀଳା ସରିଗଲା, ସେ ଯାଉଛନ୍ତି, ମଣିଷ ତ ଜନ୍ମ ହେଲାବେଳେ ମରଣକୁ ଡାକି ଆଣିଥାଏ । ଏଇ ମାଟି ଉପରେ ଅଢ଼େଇଦିନ ପାଇଁ ନାଚିକୁଦି ପୁଣି ଚାଲିଯାଏ ତା’ ସ୍ଥାନକୁ । ଗାଁ ଲୋକମାନେ ସମସ୍ତେ ସୁବୁଦ୍ଧିଙ୍କ କଥା ଶୁଣୁଥାନ୍ତି । କାହାରି ପାଟିରୁ କିଛି କଥା ବାହାରୁ ନ ଥାଏ । ସମସ୍ତଙ୍କଠାରୁ ଏଇଭଳି ବିଦାୟ ନେଇ ସୁବୁଦ୍ଧି ଶୋଇଲେ ।

 

ସକାଳ ହେଲା । ଦାଣ୍ଡଘରୁ ସୁବୁଦ୍ଧିଙ୍କ ପାଟି ଶୁଭିଲା ନାହିଁ । ଘର ଲୋକଙ୍କ ମନକୁ ପାପ ଛୁଇଁଲା । କ’ଣ କିଛି ଅଘଟଣ ଘଟିଲା କି ? ଘର ଲୋକଙ୍କଠାରୁ ଆରମ୍ଭ କରି ସାଇ ପଡ଼ିଶାଏ ଆସି ଦେଖିଲେ, ସୁବୁଦ୍ଧି ଆଉ ଇହଧାମରେ ନାହାନ୍ତି । ଏ ସଂସାରରୁ ସେ ସବୁ ମାୟା ମମତା ଛାଡ଼ି ଅପର ପାରିକୁ ଚାଲିଗଲେଣି ।

 

କି ଦେବତୁଲ୍ୟ ମୃତ୍ୟୁ । ଗାଧୋଇ ସାରି ଠାକୁରଙ୍କ ପାଇଁ ଫୁଲ ତୋଳି ଆଣିଛନ୍ତି । ଭାଗବତ ଖୋଲା ହୋଇ ପଡ଼ିଛି । ସୁବୁଦ୍ଧି ଚେକାମାରି ବସି ଆଖି ବୁଜିଛନ୍ତି । ପ୍ରାଣପକ୍ଷୀ ଉଡ଼ିଯାଇଛି । ଏଇ ତ ସ୍ୱର୍ଗବାସ । ଏଇ ଦୁନିଆ ଉପରେ ମଣିଷ ସ୍ୱର୍ଗ ଆଉ ନର୍କ ଦଶା ଭୋଗ କରିଯାଏ । ଯିଏ ଯେପରି କର୍ମ କରେ, ତା’ର ଫଳ ଏଇଠି ଭୋଗ କରିଯାଏ । ସୁବୁଦ୍ଧି ହରିନାମ ଜପୁ ଜପୁ ତାଙ୍କ ପ୍ରାଣ ଗଲା । ସେଇ ହେଲା ତାଙ୍କର ମୁକ୍ତି ।

 

ପାଟପୁର ଗାଁର ସମସ୍ତଙ୍କ ଆଖିରେ ଲୁହ । ଗାଁ ଦାଣ୍ଡରେ ଶୁଭିଲା, ରାମ ନାମ ସତ୍ୟ ଅଟେ...ରାମ ନାମ ସତ୍ୟ... । ସୁବୁଦ୍ଧିଙ୍କ ମାଟିର ଶରୀର ମାଟିରେ ମିଶିଗଲା । ବୁଢ଼ାମାନେ କହିଲେ ଗାଁର “ଶ୍ରୀ” ଚାଲିଗଲା । ଶୁଦ୍ଧିକ୍ରିୟା ଶେଷ ହେଲା । ସମସ୍ତଙ୍କ ମୁହଁରେ ଖାଲି ସୁବୁଦ୍ଧିଙ୍କ ଗୁଣର ପ୍ରଶଂସା । ଏଇଠି ତ ମଣିଷ ଜନ୍ମର ସାର୍ଥକତା । ମୃତ୍ୟୁ ପରେ ଅନ୍ୟମାନେ ଜଣଙ୍କ କଥା ଭାବିଲେ, ସେ ଲୋକର ଜୀବନ ସାର୍ଥକ ହୋଇଛି ବୋଲି ବୁଝିବାକୁ ହେବ ।

 

୧୯୪୭ ମସିହା ଅଗଷ୍ଟ ମାସ । ଘନଶ୍ୟାମ ସହରରୁ ଆସି ଖବର ଦେଲା, ଆମ ଦେଶ ସ୍ଵାଧୀନ ହେଲା । ଗାନ୍ଧିଜୀ ଜିତିଗଲେ । ଗୋରା ସାହେବ ଆମ ଦେଶ ଛାଡ଼ି ଚାଲିଗଲେ । ଏଣିକି ଆମ ଭାଇ ଆମକୁ ଶାସନ କରିବେ ।

 

ଗାଁ ଲୋକମାନେ ଘନଶ୍ୟାମଙ୍କ ପାଖରେ ରୁଣ୍ଡ ହୋଇଗଲେ । ଦେଶ ସ୍ଵାଧୀନ କ’ଣ ହେଲା, ବୁଝି ପାରୁ ନଥାନ୍ତି । ସମସ୍ତେ ଆଁ କରି ଘନଶ୍ୟାମଙ୍କ ମୁହଁକୁ ଅନାଇଥାନ୍ତି । ଶେଷକୁ ସମସ୍ତେ ବୁଝିଲେ, ଗୋରାଲୋକ ଆମ ଭାରତରୁ ଚାଲିଗଲେ । ସବୁଆଡ଼େ ଗୋଟାଏ ଖୁସିର ସୁଅ ଛୁଟିଗଲା ।

 

ଅବଧାନେ ଖବରଟା ଶୁଣି ତାଙ୍କ ମତ ଦେଲେ, ମାଳିକା କଥା କ’ଣ ମିଛ ହେବ ? ସେ ମହାପୁରୁଷ ଯାହା ଲେଖି ଦେଇ ଯାଇଛନ୍ତି, ସବୁ ଗୋଟି ଗୋଟି ହୋଇ ଘଟିଲାଣି । ସେଥିରେ ଲେଖାଥିଲା, ଇଂରେଜମାନେ ଯିବେ । ହେଇ ସେମାନେ ଗଲେ । ତା’ ପରକୁ ପର କ’ଣ ହେଉଛି ଦେଖ । ଆମର ତ ବୟସ ଗଲା । ଆଉ ଦିନ କେଇଟାରେ ମାଟିରେ ମିଶିବୁ । ପରୀକ୍ଷା କରି ଦେଖିବ, ମାଳିକା କଥା ସବୁ ନିଶ୍ଚୟ ସତ ହେବ ।

 

ହରି ବେହେରା କହିଲେ, ମାଳିକା କଥା ଛାଡ଼ । ସେ ସତ ହେଉ କି ମିଛ ହେଉ, ଆମର ଯାଏ ଆସେ କ’ଣ । ଯାହା ହେବାର କଥା ହେବ । ରାମାୟଣରେ ପରା ଲେଖା ଅଛି, ରାବଣ ତା’ ଘରେ ଲେଖିଥିଲାସୀତା ହରଣ, ରାବଣ ମରଣ । ଏ କଥା ଜାଣିଶୁଣି ସେ ତ ପୁଣି ସେଇୟା କଲା; ଆଉ ସୁନାର ଲଙ୍କା ଧ୍ୱଂସ ହେଲା । ତେଣୁ କ’ଣ ହେବ, ସେ କଥା ନ ଭାବି, ଯାହା ହେଉଛି ସେ କଥା ଦେଖିବା । କାହିଁକି ନା ଯାହା ହେବାର ଥିବ, ନିଶ୍ଚୟ ଘଟିବ ।

 

ହରି ବେହେରା କଥାଟାକୁ ଟିକିଏ ଜୋର କରି କହିଲେ ଦେଖନି, ଗାନ୍ଧିଜୀଙ୍କ କରାମତି-। ଶହ ଶହ ବର୍ଷ ହେଲା ଏଇ ଗୋରାମାନେ ଚେର ମୂଳ ମାଡ଼ ଆମ ଦେଶରେ ରହିଥିଲେ-। କି ଅହିଂସା ମନ୍ତ୍ର ସେ ପଢ଼ିଲେ ଯେ ସେମାନେ ଆମ ଦେଶ ଛାଡ଼ି ଦେଲେ । ନା ଗୋଳା ନା ବାରୁଦ, କିଛି ଦରକାର ହେଲାନାହିଁ । ବିନା ରକ୍ତରେ ଦେଶ ସ୍ଵାଧୀନ ହେଲା । ସେ ହେଉଛନ୍ତି, କଳିଯୁଗର ଦେବତା । ତାଙ୍କୁ ପୂଜା କରିବା ଦରକାର । ଏଣିକି ସେଇ ଆମକୁ ଚଳାଇବେ ।

 

ପାଟପୁର ଗାଁରେ ଗୋଟାଏ ଉତ୍ସବ ଲାଗିଲା । ସମସ୍ତଙ୍କ ଘର ଆଗରେ କଦଳୀ ଗଛ ପୋତା ହୋଇ ତ୍ରିରଙ୍ଗା ପତାକା ଉଡ଼ିଲା । କୀର୍ତ୍ତନ ଦଳ କୀର୍ତ୍ତନ କରିବାରେ ଲାଗିଲେ । ଚାଟଶାଳି ପିଲାମାନେ “ରଘୁପତି ରାଘବ” ଭଜନ ବୋଲି ଏ ଗାଁରୁ ସେ ଗାଁକୁ ଚାଲିଲେ । ସବୁ ଗାଁରେ ପ୍ରାୟ ଭୋଜିଭାତ ହେଲା । ଭାରତର ଗାଁ, ଗଣ୍ଡା, ସହର, ବଜାରରେ ଗୋଟାଏ ନୂଆ ଜୀବନ ସଞ୍ଚାର ହେଲା ପରି ଜଣାପଡ଼ିଲା ।

 

ଫୁଲର ବାହାଘର ହେବାର ଦଶବର୍ଷ ବିତିଗଲାଣି । ପରିବର୍ତ୍ତନଶୀଳ ଦୁନିଆ । ପ୍ରତିଦିନ କେତେ କେତେ ନୂଆ ଘଟଣା ଘଟୁଛି, ଆଉ କେତେ ଘଟଣା ଏମିତି ପୁରୁଣା ହୋଇଯାଉଛି । ଫୁଲର ବାହାଘର ବେଳକୁ ହରି ବେହେରା ସୁବୁଦ୍ଧିଙ୍କଠାରୁ ଯେଉଁ ଟଙ୍କା ନେଇଥିଲେ, ତାକୁ ପରିଶୋଧ କରିପାରିଲେ ନାହିଁ । ଲାଗି କେତେବର୍ଷ ଧରି ଭଲ ଭଲ ଫସଲ ହେଲା ନାହିଁ । ତା’ପରେ ସୁବୁଦ୍ଧି ବି ଇହଧାମ ଛାଡ଼ିଲେ । ଚନ୍ଦ୍ରଶେଖର ସୁବୁଦ୍ଧିଙ୍କର ସବୁ ସମ୍ପତ୍ତିର ମାଲିକ ହେଲେ-

 

ଚନ୍ଦ୍ରଶେଖର ହରି ବେହେରାଙ୍କୁ ବାରମ୍ବାର ଟଙ୍କା ମାଗିଲେ । ନଛୋଡ଼ ବନ୍ଧା । ମୁହଁମତ୍ ରଖିବା ଲୋକ ସେ ନୁହନ୍ତି । ପଇସାଏ ଦେଲେ, ଦଶ ପଇସା କରି ଆଦାୟ କରିବା ଲୋକ ସେ । ହରି ବେହେରା ଟଙ୍କା ଦେଇ ନ ପାରିବାରୁ ଚନ୍ଦ୍ରଶେଖର ମକଦ୍ଦମା କଲେ । ବେହେରା କଚେରୀରେ ସ୍ଵୀକାର କଲେ, ସେ ଟଙ୍କା କରଜ ନେଇଛନ୍ତି । କିନ୍ତୁ ଅଭାବ ହେତୁ ଦେଇ ପାରୁ ନାହାନ୍ତି । ଆଇନ କାନୁନ୍ ଆଗରେ ଦୟା ମାୟାର ସ୍ଥାନ ନାହିଁ । ହରି ବେହେରାଙ୍କର ଅଧେ ସମ୍ପତ୍ତି ନିଲାମ ହୋଇଗଲା । ଚନ୍ଦ୍ରଶେଖର ତାଙ୍କର ପାଉଣା ପାଇଲେ । ମନେ ମନେ ତାଙ୍କର ଗୋଟାଏ ଭାରି ଗର୍ବ ହେଲା ଯେ, ହରି ବେହେରାଙ୍କୁ ସେ ହଇରାଣ କରିପାରିଲେ । ତା’ ପରଠାରୁ ବେହେରାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଅଭାବ ଅସୁବିଧା ଦେଇ ଗତି କରୁଛନ୍ତି । ତେଣୁ ସେ ତାଙ୍କ ପୁଅ ଗୌରହରିର ପାଠପଢ଼ା ବନ୍ଦ କରାଇଲେ । ଯେତିକି ଜମି ଅଛି, ସେଥିରେ ଭଲ ଭାବରେ ଫସଲ କରିବା ପାଇଁ ପୁଅର ସାହାଯ୍ୟ ଦରକାର ହେଲା । ହରି ବେହେରାଙ୍କର ଏପରି ଅବସ୍ଥା ପାଇଁ ଅନ୍ୟମାନେ ସହାନୁଭୂତି ଦେଖାଇଥିଲେ । କିନ୍ତୁ ସେ ସବୁ ଖାଲି କଥାରେ । କେହି ତ ଧନ ଦେବେ ନାହିଁ । ବରଂ ସୁବିଧା ପାଇଲେ, ନେବାକୁ କେହି ପଛାଇବେ ନାହିଁ । ପର ଧନ ପ୍ରତି ସବୁବେଳେ ଅନ୍ୟର ଲୋଭ ।

 

ଦୁଃଖ ଯେବେ ଆସେ, ଗୋଟିକ ପରେ ଗୋଟିଏ ଆସେ । ହରି ବେହେରାଙ୍କର ଜୀବନରେ ତା’ ଘଟିଲା । ଯେଉଁ ଝିଅ ପାଇଁ ସେ ଜମିବାଡ଼ି ଦେଲେ, ତା’ର ବି କପାଳ ଫାଟିଲା । ଫୁଲ ବେଶୀଦିନ ସ୍ୱାମୀ ସୁହାଗ ପାଇ ପାରିଲା ନାହିଁ । ସେତେବେଳେ ଫୁଲ କୋଳରେ ୮ ବର୍ଷର ପୁଅ ଅରୁଣ । ଠିକ୍ ବାପ ପରି ରୂପ । ଅରୁଣ ପରେ ଫୁଲ କୋଳକୁ ଆଉ କେହି ଉଜ୍ଜ୍ୱଳ କରି ନ ଥିଲେ ।

 

ସେଦିନ ବଂଶୀଧର କ’ଣ ଗୋଟାଏ ଗାଁ କାମରେ ବାହାରକୁ ଯାଇଥିଲା । ଫେରୁ ଫେରୁ ରାତି ଅଧ । ଘରେ ପହଞ୍ଚିଲା ବେଳକୁ ତା’ ଦେହରେ ତାତି ଭର୍ତ୍ତି । ପାଞ୍ଚଦିନ ଜର ଭୋଗଛି । ତା’ପରେ ସବୁ ଶେଷ । ଫୁଲକୁ ଦୁଃଖ ଦରିଆରେ ଭସାଇ ଦେଇ ବଂଶୀଧର ଆଖି ଆଗରୁ ସବୁଦିନ ପାଇଁ ଛପିଗଲା । କୌଣସି ଦେବତା ଫୁଲର ଡାକ ଶୁଣିଲେ ନାହିଁ କିମ୍ବା ବଂଶୀଧର ଫେରିଲା ନାହିଁ-। ରୁକୁଣା ରଥ ଅଣଲେଉଟା । ଫୁଲ ହାତରୁ ସେ ବୁଢ଼ୀ ମାଇପିଟା କାଚ ପିଟିଦେଇ ତା’ ମୁଣ୍ଡରୁ ସିନ୍ଦୁର ଟୋପା ପୋଛି ପକାଇଲା । ଏଣିକି ଶୁଭ କାମରେ ତା’ ମୁହଁ ଆଉ କେହି ଚାହିଁବେନି-। ଫୁଲ ହେଲା ବିଧବା ।

 

ବିଶ୍ଵାଳ ଘରେ ଫୁଲକୁ ଆଉ କେହି ସହି ପାରିଲେ ନାହିଁ । ତା’ ଛାଇ ପଡ଼ିଲେ, ଅନ୍ୟମାନଙ୍କ ନାହି ଡେଇଁଲା । ବିଶ୍ଵାଳ ବୁଢ଼ାବୁଢ଼ୀଙ୍କର ଧାରଣା ହୋଇଛି ଯେ ବଂଶୀଧରର ମୃତ୍ୟୁ ପାଇଁ ଫୁଲ ହିଁ ଦାୟୀ । ସେ ଅଲକ୍ଷଣୀ । ତାରି ଯୋଗୁଁ ତାଙ୍କ କୁଳ ବୁଡ଼ିଗଲା । ତାକୁ ସେ କୌଣସିମତେ ସହିପାରିବେ କି ? ଯେଉଁ ଶାଶୁ ଶଶୁର ଫୁଲକୁ ଘଡ଼ିଏ ନ ଦେଖିଲେ, ପାଗଳ ପରି ହେଉଥିଲେ, ସେମାନେ ଆଜି ଫୁଲ ମୁହଁ ଦେଖିବାକୁ ନାରାଜ । ସାଇ ପଡ଼ିଶାର ଲୋକମାନେ ଫୁଲକୁ ଦେଖାଇ ଶିଖାଇ ବି ଅନେକ କଥା କହିଲେ । ମୋଟ ଉପରେ ବିଶ୍ଵାଳ ଘରେ ରହିବା ଫୁଲ ପକ୍ଷେ ଅତି ଅସମ୍ଭବ ହୋଇପଡ଼ିଲା ।

 

ଫୁଲ ଫେରିଆସିଲା ପୁଣି ପାଟପୁର ଗାଁକୁ । ତା’ ବାପ ମାଙ୍କ ସାଥିରେ ସେ ସବୁ ସୁଖ ଦୁଃଖର ଭାଗୀ ହେଲା । ଫୁଲ ଭୁଲିଗଲା ତା’ର ଅତୀତକୁ । ସେ ବଞ୍ଚି ରହିଲା କେବଳ ତା’ର ପୁଅ ଅରୁଣ ପାଇଁ । ବିଶ୍ଵାଳ ଘର ବଂଶୀଧରକୁ ସେ କରିବ ମଣିଷ । ଅନେକ ସମୟରେ ତା’ର ବଂଶୀଧର କଥା ମନେପଡ଼େ । ସମସ୍ତଙ୍କ ଅଜଣାରେ ସେ ପୋଛିଦିଏ ତା’ର ଦୁଇଧାର ଲୁହକୁ । ବିଶ୍ଵାଳ ଘର କଥା ସେ ଭୁଲରେ କେବେ ମୁହଁରେ ଧରେ ନାହିଁ ।

 

ପୁନି ପତରପୁର ଗାଁକୁ ଯାଇଥିଲା ପରିବା ବିକି । ତା’ ପରଦିନ ପୋଖରୀ ତୁଠରେ ଆସି ସେ ଗୋଟାଏ ଖବର ଦେଲା । ଏ ବର୍ଷ ଭୋଟ ହେବ । ସବୁ ମାଇପେ ଗୋଡ଼ଘଷା ଛାଡ଼ି ତାକୁ ଅନାଇଁଲେ । ସମସ୍ତେ ପଚାରି ବସିଲେ, ଏ ନୂଆ କଥାଟା କ’ଣ ? ପୁନି କହିଲା, ତାକୁ କିଛି ଜଣା ନାହିଁ । ପତରପୁର ମାଇପେ ଏଇ କଥାବାର୍ତ୍ତା ହେଉଛନ୍ତି–ତାଙ୍କ ଗାଁ ପଙ୍କଜ ମହାନ୍ତି ଭୋଟରେ ଠିଆ ହେଉଛନ୍ତି । ଇଂରେଜୀ ରାଜା ଗଲେ, ତାଙ୍କ ବଦଳରେ ଆମ ଦେଶର ପୁଅ ସେଇ ଗାଦିରେ ବସିବେ । ସେଇଥିପାଇଁ କ’ଣ ଭୋଟ୍ ହେବ ?

 

ନୀଳମଣିଙ୍କ ମା’ ଦାନ୍ତଘଷା ବନ୍ଦ କରି କହିଲା, ହଁ, ଆମ ନୀଳୁ ତ କ’ଣ ସେମିତି ଭୋଟ୍ ଫେଟ୍ କଥା କହୁଥିଲା । ସେ ପଙ୍କଜା ଦୁଇ ତିନି ଥର ଆମ ଘରକୁ ଆସିଲାଣି । ଆମ ନୀଳୁ ଆଉ ସୁବୁଦ୍ଧିଙ୍କ ପୁଅ ସବୁବେଳେ ଦାଣ୍ଡଘରେ ବସି ସେଇ କଥାବାର୍ତ୍ତା କ’ଣ ହେଉଛନ୍ତି ।

 

ଗାଁ ମାଇପଙ୍କ ଭିତରେ ଆଲୋଚନା ଆରମ୍ଭ ହୋଇଗଲା । କିଏ କେତେ ରକମ ମତ ଦେଲେ । ପୁନି ଖଙ୍କାର ମେଞ୍ଚାଏ ପାଣି ଭିତରକୁ ପକାଇ ଦେଇ କହିଲା, ହଁ ଲୋ ! ଆମେ ଭଲ ଆମ ଗାଁ ଭଲ ତ ସବୁ ଭଲ । କ’ଣ ସେ ଭୋଟ୍ ଫୋଟ୍‍ରୁ ଆମକୁ ମିଳିବ । କଥାଟା ସେଇଠୁ ବନ୍ଦ ରହିଲା ।

 

ତା’ପରଠୁଁ ପାଟପୁରରେ ଭୋଟ ପ୍ରଚାର ଚାଲିଲା । ଚନ୍ଦ୍ରଶେଖର ଓ ନୀଳମଣି ଗାଁ ଲୋକଙ୍କୁ ଡକାଇ ଭୋଟ୍‍ କଥା କହିଲେ । ପଙ୍କଜ ମହାନ୍ତିଙ୍କ ପକ୍ଷରେ ବହୁତ ପ୍ରଚାର ହେଲା । ଭାଗବତ ଘରେ ଦୁଇ ତିନିଥର ସଭା ହେଲା । ନୀଳମଣି ଲୋକଙ୍କୁ ବୁଝାଇଲେ, ପଙ୍କଜ ମହାନ୍ତି ହେଉଛନ୍ତି ଆମ ଅଞ୍ଚଳର ଲୋକ । ଆମ ଭାଇ ଆମକୁ ଶାସନ କରିବେ, ଆମ ଦୁଃଖ ବୁଝିବେ । ଆମ ସରକାରଙ୍କୁ ଆମେ ନିର୍ବାଚନ କରିବା ।

 

ପାଟପୁର ଲୋକମାନେ ଶୁଣନ୍ତି । କାହିଁକି ନା ନୀଳମଣି କହୁଛନ୍ତି, ତାଙ୍କ ଗାଁ ପୁଅ ସେ । ତେଣୁ ବୁଝିଲା ପରି ମୁଣ୍ଡ ଟୁଙ୍ଗାରନ୍ତି । କିନ୍ତୁ ଏ ଭୋଟ କାହିଁକି ହେଉଛି ? ଆଉ ପଙ୍କଜ ମହାନ୍ତି କ’ଣ କରିବେ, ସେମାନେ କିଛି ବୁଝନ୍ତି ନାହିଁ । ଅବଧାନେ ବୁଝାଇ ଦିଅନ୍ତି, ଭାଇ ଯୁଗ ବଦଳିଲା । ସର୍ବେ ହୋଇବେ ଏକାକାର । ସମସ୍ତଙ୍କୁ ସମାନ ଅଧିକାର ମିଳିବ । ଜାତି ଅଜାତି କିଛି ରହିବ ନାହିଁ-। ଛୋଟ ବଡ଼ କେହି ରହିବେ ନାହିଁ । ସମସ୍ତଙ୍କୁ ଠିକ୍ ଭାବରେ ଦାନା କନା ମିଳିବ । ଏ ସବୁ କାମ ଯେ କରିବ, ତା’ ନାଁ ହେବ ଜାତୀୟ ସରକାର । ଗାନ୍ଧିଜୀ କହିଛନ୍ତି ରାମ ରାଜ୍ୟ ହେବ । ଗାନ୍ଧିଜୀ ଆମ ଦେଶକୁ ଚଳାଇବେ । ଗାନ୍ଧିଜୀଙ୍କ ନାଁ ଶୁଣି ଲୋକମାନେ ସାଙ୍ଗେ ସାଙ୍ଗେ ପାଟି କରି ଉଠନ୍ତି ହଁ ହଁ, ଆମେ ସେଇ ଗାନ୍ଧିଜୀଙ୍କୁ ଭୋଟ ଦେବୁ । ତା’ ନ ହେଲେ, ସେ ଯାହାକୁ କହିବେ, ଆମେ ସେଇୟାଙ୍କୁ ଭୋଟ୍ ଦେବୁ । ସେ ଇଂରେଜ ସରକାରଙ୍କୁ ତଡ଼ିଛନ୍ତି, ଏଣିକି ଆମକୁ ଚଳାନ୍ତୁ ।

 

ଭୋଟ୍ ବେଳକୁ କେତେ ରକମ ଛାପା କାଗଜ ଆସି ଗାଁରେ ମରାହେଲା, କାନ୍ଥ ବାଡ଼ ଆଉ ଗଛ ସବୁରେ କେତେ ରକମ ଚିତ୍ର ବିଚିତ୍ର କାଗଜ ଝୁଲିଲା । ଯଥା ଯୋଡ଼ି ବଳଦ, ଚାଳଘର, ମାଠିଆ କିମ୍ବା ଦାଆଟାଏ, ଆଉ ଗହମ ପେଣ୍ଡାର ଚିତ୍ର ଇତ୍ୟାଦି ଥାଏ । ଲୋକମାନେ ଗାଧୋଇ ଗଲାବେଳେ କିମ୍ବା କାମକୁ ଗଲାବେଳେ ସେମାନଙ୍କ ଆଖି ସେଇ ଚିତ୍ର ଉପରେ ପଡ଼େ । ବଳଦ ଚିତ୍ରକୁ ଦେଖି ସେମାନଙ୍କର ଲୋଭ ହୁଏ । ସମସ୍ତଙ୍କର ଇଚ୍ଛା ହୁଏ ସେଇ ଚିତ୍ରରେ ଥିବା ଭଳି ବଳଦ ହଳେ ଲେଖାଁଏ କରିବାକୁ । ନିଜ ନିଜ ଭିତରେ କଥାବାର୍ତ୍ତା କରନ୍ତି, ସେଇ ବଳଦ ଛାପା ଯେଉଁ ବାକ୍‍ସ ଉପରେ ଥିବ, ସେ ବାକ୍‍ସରେ ସେମାନେ ଭୋଟ୍ ଦେବେ ।

 

ଭୋଟ୍‍ ବେଳ ନିକଟ ହୋଇ ଆସିଲା । ପଙ୍କଜ ମହାନ୍ତି ପାଟପୁରକୁ ଆସିଲେ । ଭାଗବତ ଟୁଙ୍ଗୀରେ ପୁଣି ସଭା ହେଲା । ପଙ୍କଜ ମହାନ୍ତି କହିଲେ, ସେ ଗାନ୍ଧୀବୁଢ଼ାଙ୍କ ଦଳର ଲୋକ-। ଯୋଡ଼ି ବଳଦ ହେଉଛି ତାଙ୍କର ବାକ୍‍ସର ଚିହ୍ନ । ଭୋଟ୍ ପାଇଗଲେ ସେ ଗାଁର ଅନେକ ରକମ ଉନ୍ନତି କରିବେ ବୋଲି କଥା ଦେଲେ । ତା’ର ପ୍ରମାଣସ୍ୱରୂପ ସ୍କୁଲ ଘର ପାଇଁ ନଗଦ ପଚାଶ ଟଙ୍କା ନୀଳମଣି ଓ ଚନ୍ଦ୍ରଶେଖରଙ୍କ ମାର୍ଫତରେ ଦେଲେ । ଗାଁ ଲୋକଙ୍କର ବିଶ୍ୱାସ ହେଲା, ପଙ୍କଜ ମହାନ୍ତି ଖୁବ୍ ଭଲ ଲୋକ । ସମସ୍ତଙ୍କ ମତ ନିଆହୋଇ ଠିକ୍ ହେଲା, ପାଟପୁରରୁ କେବଳ ପଙ୍କଜ ମହାନ୍ତି ଭୋଟ୍‍ ପାଇବେ । ଅନ୍ୟ ଦଳର ଲୋକମାନେ ଆସିଲେ । ପାଟପୁର ଗାଁ ଲୋକମାନେ ଆଉ କାହାରି କଥା ଶୁଣିଲେ ନାହିଁ । ଭଦ୍ରଲୋକଙ୍କୁ କଥା ଦେଇ ସାରିଲେଣି ମରଦକା ବାତ୍, ହାତୀକା ଦାନ୍ତ–ସେଥିରୁ ଟଳିବାର ନାହିଁ ।

 

ଭୋଟ୍ ହେଲା । ଘରର କ’ଣ ଭୂଆସୁଣୀଠାରୁ ଆରମ୍ଭ କରି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ଯାଇ ଭୋଟ୍‍ ଦେଲେ । ପାଟପୁରରୁ ଯୋଡ଼ି ବଳଦ ଥିବା ବାକ୍‍ସ ଭୋଟ୍ କାଗଜରେ ଭର୍ତ୍ତି ହୋଇଗଲା । ଅନ୍ୟ ଗାଁରୁ ପଙ୍କଜ ମହାନ୍ତି ବି ସେମିତି ଭୋଟ୍ ପାଇଲେ । ଭୋଟ୍ ଗଣାହେଲା । ପଙ୍କଜ ମହାନ୍ତି ଅନ୍ୟମାନଙ୍କଠାରୁ ଯଥେଷ୍ଟ ଅଧିକ ଭୋଟ୍ ପାଇ ଜିତିଗଲେ । ସେଇ ହେଲେ ଲୋକପ୍ରତିନିଧି, ଜାତିର କର୍ଣ୍ଣଧାର । ତାଙ୍କର କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟବୋଧ ଶକ୍ତି ଉପରେ ଦେଶର ଓ ଜାତିର ଉନ୍ନତି ନିର୍ଭର କରୁଛି ।

 

ହରି ବେହେରା ଓ ଗଉରୀ ଫୁଲକୁ ଦେଖି କାନ୍ଦି ପକାନ୍ତି । ସବୁ ବାପ ମାଙ୍କ ମନ ଏମିତି-। ତାଙ୍କ ପିଲାଙ୍କର ଦୁଃଖ ଆଦୌ ସେମାନେ ସହିପାରନ୍ତି ନାହିଁ । ହରି ବେହେରା ଫୁଲର ବିଭାଘର ଯୋଗୁ ଗରିବ ହୋଇଗଲେ, ଏଥିପାଇଁ କେବେହେଲେ ଦୁଃଖ କରି ନାହାନ୍ତି । ସେ କହନ୍ତି, ଏଟା ତାଙ୍କର ଭାଗ୍ୟ ଦୋଷ । ପେଟ ପୋଷିବା ପାଇଁ ସବୁଦିନେ ତାଙ୍କୁ ହାଡ଼ଭାଙ୍ଗି ପରିଶ୍ରମ କରିବାକୁ ହେବ । କିନ୍ତୁ ସେ ଯେତେବେଳେ ଫୁଲର ସନ୍ୟାସିନୀ ବେଶକୁ ଦେଖନ୍ତି, ତାଙ୍କର ସବୁ ଧୈର୍ଯ୍ୟ କୁଆଡ଼େ ଚାଲିଯାଏ । ସେ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ପକାନ୍ତି ।

 

ଗଉରୀ ଘର କାମରେ ଲାଗିଥାଏ । କିନ୍ତୁ ସବୁବେଳେ ତା’ ଆଖିରେ ଦୁଇଧାର ଲୁହ । ଗୋଟିଏ ବୋଲି ଝିଅ । ତାର ବୈଧବ୍ୟ ଗଉରୀ ଜୀବନରେ ଆଣିଲା ପରିବର୍ତ୍ତନ । ଠାକୁରଙ୍କ ପ୍ରତି ଗୋଟାଏ ଅବିଶ୍ୱାସ ଭାବ ଆସିଲା ସେ ତା’ର ଜୀବନର ସୁଖ କଥା ସବୁ ଭୁଲିଗଲା । ମଣିଷ ଜନ୍ମ ପାଇଛି, ସେଥିପାଇଁ କେବଳ ଯାହା ବଞ୍ଚିରହିବା କଥା । ବଂଶୀଧରର ମୃତ୍ୟୁପରେ ଗଉରୀକୁ ହସିବାର କେହି କେବେ ଦେଖିନାହିଁ । ଗାଁ ମାଇପେ ଗଉରୀର ଅବସ୍ଥା ଦେଖି କହନ୍ତି, ସୁଧାର ଗାଈର ବାଛୁରୀ ମରେ । ଈଶ୍ୱରଙ୍କର ଏ ହେଉଛି ଗୋଟାଏ ପରୀକ୍ଷା । ଯୁଗେ ଯୁଗେ ସେ ତାଙ୍କର ଭକ୍ତକୁ ଦୁଃଖ ଦେଇ ଆସନ୍ତି ।

 

ଫୁଲ ବାପ ମା’ଙ୍କ ଦୁଃଖ ଦେଖି ନିଜର ଦୁଃଖ କଥା ଭୁଲିଯାଏ । ସେ ସବୁବେଳେ ଚେଷ୍ଟା କରେ ବାପ ମା ଜାଣନ୍ତୁ ଯେ ସେ ଖୁବ୍ ଖୁସିରେ ଅଛି । ଅରୁଣକୁ ଦେଖାଇ କୁହେ, ସେଇ ତା’ର ସବୁ । ତା’ ମୁଣ୍ଡକୁ ହାତ ପାଇଗଲେ ସବୁ ଦୁଃଖ ଭୁଲିଯିବ । ଫୁଲ ହରି ବେହେରା ଓ ଗଉରୀକୁ ବୁଝାଏ । ଯେ ମରିଗଲା, ତା’ ପାଇଁ ଦୁଃଖ କରିବାର କିଛି ନାହିଁ । ମଣିଷ ଜନ୍ମ ହେଲେ ତ ମରିବ । କିଏ ଏବେ ଚଞ୍ଚଳ ମରିଯାଉଛି, ଆଉ କେହି ଅବା ଡେରିରେ ମରୁଛି । ଅମର ତ କେହି ରହୁନାହିଁ । ଯେଉଁ କଥାଟା ମଣିଷର କର୍ତ୍ତବ୍ୟ ବାହାରେ, ସେଥିପାଇଁ ଅଯଥା ଭାବିବା ଉଚିତ ନୁହେଁ-। କିନ୍ତୁ ମଣିଷ ମନ ତ । ହରି ବେହେରା ଓ ଗଉରୀ ଫୁଲ କଥାରୁ କେତେ ସାନ୍ତ୍ୱନା ପାଆନ୍ତି, ତା’ କେବେ କହି ନାହାନ୍ତି । କିନ୍ତୁ ସେମାନଙ୍କର ମନରେ କିଛି ପରିବର୍ତ୍ତନ ଆସିଲା ପରି ଜଣାଯାଏ ନାହିଁ-

 

ଅରୁଣକୁ ଦେଖିଲେ, ଲୋକମାନେ ବଂଶୀଧର କଥା ମନେ ପକାନ୍ତି । ଠିକ୍ ବାପ ପରି ସେ । ଚେକା ମୁହଁ ଆଉ ଲମ୍ବା ନାକ । ଗୋରା ତକ୍ ତକ୍ ଦେହ । ପିଲାଦିନେ ବଡ଼ ଅଲିଅଳରେ ବଢ଼ି ଆସିଥିଲା । ବିଶ୍ଵାଳ ବୁଢ଼ା ଓ ବୁଢ଼ୀ ନାତିକୁ କେବେ ତଳେ ପକାଇ ଦେଇ ନ ଥିଲେ । ପାଟପୁରକୁ ଆସିଲା ପରେ ଅରୁଣ ବିଶ୍ଵାଳ କଥା ଭୁଲିଯାଇଛି । ହରି ବେହେରାଙ୍କୁ ବାପା ବୋଲି ଡାକେ । ତା’ପରେ ସେ ତ ବୋଉ ପାଖରେ ଅଛି । ତେଣୁ ସେ ଅନ୍ୟ କାହାର ଅଭାବ ଅନୁଭବ କରିନାହିଁ । ପାଟପୁରକୁ ଅରୁଣ ନିଜ ଗାଁ ବୋଲି ଧରି ନେଇଛି । ପାଟପୁରର ପିଲାମାନେ ସବୁ ତା’ର ସାଥୀ । ବାପ ଛେଉଣ୍ଡ ବୋଲି ତାକୁ ସମସ୍ତେ ସହାନୁଭୂତି ମିଶା ସ୍ନେହ କରନ୍ତି ।

 

ଅରୁଣ ପାଠ ପଢ଼ିଲା ଚାଟଶାଳିରେ । ପିଲାଦିନରୁ ପାଠପଢ଼ାରେ ତା’ର ଖୁବ୍ ମନ । ବୁଢ଼ା ଅବଧାନେ ବି ତା’ ପ୍ରତି ଟିକେ ଭଲ ନଜର ଦେଇଥାନ୍ତି ।

 

ଅଳ୍ପଦିନ ପରେ ଚାଟଶାଳି ଭାଙ୍ଗିଗଲା । ପାଟପୁରରେ ଖୋଲିଲା ଗୋଟିଏ ନି:ପ୍ରା: ସ୍କୁଲ-। ଅବଧାନେ ତାଙ୍କ ଘରକୁ ଚାଲିଗଲେ । ନୂଆ ମାଷ୍ଟ୍ରେ ଟ୍ରେନିଂ ପାଇ ଆସିଥାନ୍ତି । ନୂଆ ସ୍କୁଲରେ ଭଲ ନା କରିବାକୁ ସେ ଖୁବ୍ ଚେଷ୍ଟାରେ ଥାଆନ୍ତି । ଅରୁଣ ଭଲ ପଢ଼ୁଥିଲା, ତେଣୁ ସେ ଆରମ୍ଭରୁ ତାକୁ ବୃତ୍ତି ପରୀକ୍ଷାକୁ ପଠାଇବାପାଇଁ ଲାଗିଲେ ।

 

ଅରୁଣ ସବୁବେଳେ ପାଠପଢ଼ାରେ ଲାଗିଥାଏ । ମାଷ୍ଟ୍ରଙ୍କର କଡ଼ା ତାଗିଦ୍ । ଖେଳାବୁଲା କରି ସମୟ ନଷ୍ଟ କରିବାକୁ ସେ ଆଦୌ ଛାଡ଼ି ଦିଅନ୍ତି ନାହିଁ । ଅରୁଣକୁ କେବେ ଟିକିଏ ସମୟ ମିଳିଲେ, ସେ ଯାଏ ଘନଶ୍ୟାମଙ୍କ ଘରକୁ । ଘନଶ୍ୟାମଙ୍କ ସ୍ତ୍ରୀ ସୁଷମା ତାକୁ ଖୁବ୍ ଭଲ ପାଆନ୍ତି । ସୁଷମାକୁ ଅରୁଣ ମାଉସୀ ବୋଲି ଡାକେ । ଘରେ କୌଣସି ଗୋଟାଏ କିଛି ଭଲ ଜିନିଷ ଥିଲେ, ଅରୁଣର ସେଥିରେ ଭାଗ ଥାଏ । ସେଥିପାଇଁ ଘନଶ୍ୟାମଙ୍କ ଝିଅ ନୀଳିମା ଅନେକ ସମୟରେ ଅରୁଣ ସହିତ ଝଗଡ଼ା ଲଗାଏ । ସତେ ଯେମିତି ସେ ଦୁଇ ଜଣ ତଳ ଉପର ଭାଇ ଭଉଣୀ । ସୁଷମା ମଧ୍ୟସ୍ଥି ହୋଇ କଳି ତୁଟାଇ ଦିଅନ୍ତି ଦୁଇ ଜଣଙ୍କର ।

 

ନୀଳିମା ଗାଁ ସ୍କୁଲରେ ପଢ଼େ । ଅରୁଣର ସ୍କୁଲରୁ ପାଠ ଶେଷ ହୋଇ ଆସିଲା ବେଳକୁ ନିଳିମାର ପଢ଼ା ଆରମ୍ଭ । ଅରୁଣ ନୀଳିମାକୁ ଅ, ଆ ଶିଖାଇ ଦିଏ । ପାଠ ନ ଆସିଲେ ତା’ କାନ ମୋଡ଼ି ଶାସନ କରେ । ଦୁହେଁଯାକ ସାଙ୍ଗ ହୋଇ ଖେଳନ୍ତି । କିନ୍ତୁ ବେଶୀ ସମୟ ନୁହେଁ । ଅରୁଣ ଆଖିରେ ସବୁବେଳେ ଖାଲି ପାଠ ଆଉ ପାଠ । ସେ ପଢ଼ିବ ଆଉ ଅନ୍ୟକୁ ଶିକ୍ଷା ଦେବ ପଢ଼ିବା ପାଇଁ । କୌଣସି ସାଙ୍ଗ ପିଲା ଦୁଷ୍ଟାମି କଲେ, ସେ ସେମାନଙ୍କ ପାଖକୁ ଯାଏ ନାହିଁ ।

 

ଅରୁଣର ଗାଁ ସ୍କୁଲରୁ ପାଠ ସରିଗଲା । ସେ ସରକାରଙ୍କଠାରୁ ବୃତ୍ତି ପାଇଲା । ତୁଳସୀ ଦୁଇ ପତ୍ରରୁ ବାସେ । ଭଲ ପିଲା ବୋଲି ଅରୁଣର ନାଁ ହୋଇଗଲା । ଆଉ ମଧ୍ୟ ସେ ଯେଉଁ ସ୍କୁଲକୁ ଗଲା, ସବୁବେଳେ ଶ୍ରେଣୀରେ ପ୍ରଥମ ହେଲା । ଅରୁଣ ସ୍କୁଲର ଖେଳ କସରତରେ ଭାଗ ବି ନିଏ । ଅତି ଭଲ ନ ଖେଳିଲେ ମଧ୍ୟ ସେ ଖରାପ ଖେଳେ ନାହିଁ । ପ୍ରତିବର୍ଷ ସ୍କୁଲର ଶ୍ରେଣୀରେ ପ୍ରଥମ ହେଉଥିବାରୁ ସେ ଅନେକ ବହି ପୁରସ୍କାର ପାଏ । ଛୁଟିରେ ଘରକୁ ଆସିଲେ, ନୀଳିମାକୁ ଗପ ବହି ସବୁ ଦେଇଯାଏ । ଛୁଟି ସମୟତକ ଦୁଇଜଣ ଖେଳି ବୁଲି ମଜାରେ କାଟନ୍ତି । ଛୁଟି ସରିଲେ ଅରୁଣ ଫେରିଯାଏ ତା’ ସ୍କୁଲକୁ; ନୀଳିମା ତା’ ପାଠରେ ମନ ଦିଏ ।

 

ଅରୁଣକୁ ଯେଉଁ ଶିକ୍ଷକ ପଢ଼ାଉଥିଲେ, ଏହା ମଧ୍ୟରେ ତାଙ୍କର ବଦଳି ହୋଇଗଲା । ପାଟପୁରକୁ ଆସିଲେ ନୂଆ ଶିକ୍ଷକ ବେଣୁଧର । ବୟସ ପଚିଶ ଭିତରେ । ଭଲ ଶିକ୍ଷକ ବୋଲି ସେ ଏତେ ଅଳ୍ପ ବୟସରୁ ନାଁ କମେଇଲେଣି । ଯେଉଁ ଗାଁକୁ ଯାଆନ୍ତି, ନିଜ ଗାଁ ବୋଲି ବୁଝି କାମ କରନ୍ତି-। ସବୁ କାମକୁ ନିଜ କାମ ପରି କରନ୍ତି । କୌଣସି ଜଣେ ଅଚିହ୍ନା ଲୋକକୁ ଘଡ଼ିକେ ଅତି ଆପଣାର କରି ନିଅନ୍ତି ।

 

ବେଣୁବାବୁ ମାସକ ଭିତରେ ପାଟପୁରର ସମସ୍ତଙ୍କ ଘରେ ପରିଚିତ ହୋଇଗଲେ । ସମସ୍ତଙ୍କ ସାଙ୍ଗରେ ସେ ସାଙ୍ଗ ।

 

ବୁଢ଼ାଲୋକମାନେ ସ୍କୁଲକୁ ଆସିଲେ, ବେଣୁବାବୁ ବିଡ଼ିଟା କିମ୍ବା ପାନଖଣ୍ଡେ ଦେଇ କଥା ଜମାଇ ଦିଅନ୍ତି । ଗାଁର କେତେ ଭଲମନ୍ଦ କଥା ପଡ଼େ ! ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ କଥା ଯାଏ । ଟୋକାଙ୍କ ସାଙ୍ଗରେ ବେଣୁବାବୁ ବି ଟୋକାଳିଆ କଥାବାର୍ତ୍ତା କରନ୍ତି । ସମସ୍ତେ ଖୁସି, ତେଣୁ ସମସ୍ତଙ୍କ ମୁହଁରେ ବେଣୁବାବୁଙ୍କର ପ୍ରଶଂସା ।

 

ସେଦିନ କୁମାର ପୂର୍ଣ୍ଣିମା । କଇଁଫୁଲିଆ ସଫା ଜହ୍ନ ପଡ଼ିଛି । ବର୍ଷା କେତେଦିନରୁ ଛାଡ଼ିଯାଇଛି । ଗାଁ ଲୋକମାନେ କହନ୍ତି କୁମାର ପୂର୍ଣ୍ଣମୀ ଦିନ ଘରକୁ ଖଇ ତାଟରେ ଶୀତ ପଶି ଆସେ । ଝିଅମାନଙ୍କର ଉତ୍ସବର ଦିନ । ପାଟପୁରରେ ଗୋଟାଏ ଆନନ୍ଦର ଢେଉ ଖେଳୁଛି । ସ୍କୁଲ ପାଖ ପଡ଼ିଆରେ ଟୋକାମାନେ ଜମା ହୋଇ ମନଫୁଲାଣିଆ ବେସୁରା ଗୀତ ଗାଇ ଗାଇ ଚାଲିଛନ୍ତି, କେତେକ କୁଆଁର ପୁନେଇ ଉଖୁଡ଼ା ଖାଇବାପାଇଁ ବ୍ୟବସ୍ଥା ବି କରୁଥାନ୍ତି ।

 

ବେଣୁଧର କଥା ପ୍ରସଙ୍ଗରେ କହିଲେ “ଗାଁରେ ଗୋଟାଏ ଲାଇବ୍ରେରୀ ଖୋଲିଲେ ଭଲ ହେବ । ସରକାର ଆଜିକାଲି ଲାଇବ୍ରେରୀ ପାଇଁ ଅନେକ ରକମ ସାହାଯ୍ୟ ଦେଉଛନ୍ତି । ଖାଲି ଟିକିଏ ଚେଷ୍ଟା କଲେ ବହି ଆଉ ଟଙ୍କା ପ୍ରତିବର୍ଷ ସରକାରଙ୍କଠାରୁ ଆଣିହେବ । କିନ୍ତୁ ଆମ ଗାଁ ତରଫରୁ ଲାଇବ୍ରେରୀଟି ଆରମ୍ଭ ହେବା ଦରକାର । ”

 

ସରକାରଙ୍କଠାରୁ ଟଙ୍କା ମିଳିବା ଶୁଣି ଟୋକାମାନେ ଆଗ୍ରହୀ ହୋଇ ଉଠିଲେ । ସାଙ୍ଗେ ସାଙ୍ଗେ ସମସ୍ତେ ରାଜି ହୋଇଗଲେ ଲାଇବ୍ରେରୀ ଖୋଲିବା ପାଇଁ । କିନ୍ତୁ ଘର କାହିଁ ? ପ୍ରଥମେ ପ୍ରଥମେ ଅବଶ୍ୟ ସ୍କୁଲରେ ଲାଇବ୍ରେରୀ ରହିଲେ କିଛି ଅସୁବିଧା ହେବ ନାହିଁ । କିନ୍ତୁ ସଭ୍ୟ ସଂଖ୍ୟା ବଢ଼ିଗଲେ ଆଉ ଲାଇବ୍ରେରୀର କାମ ରୀତିମତ ଚାଲିଲେ, ସ୍କୁଲ କାମରେ ବାଧା ଆସିବ । ତେଣୁ ବେଣୁବାବୁ ଲାଇବ୍ରେରୀ ପାଇଁ ଗୋଟିଏ ଘର ଆରମ୍ଭ କରିବାକୁ ପ୍ରସ୍ତାବ ଦେଲେ ।

 

ବର୍ତ୍ତମାନ ଚାଷ ସମୟ । ତେଣୁ ଯୁବକମାନେ ସାଙ୍ଗେ ସାଙ୍ଗେ ଘର କରିପାରିବେ ନାହିଁ ବୋଲି କହିଲେ । ଯେତେବଳେ କଥାଟା ଆରମ୍ଭ ହୋଇଗଲାଣି, ଲାଇବ୍ରେରୀ କେଉଁଠି ଆରମ୍ଭ କରିବାକୁ ହେବ; ସମସ୍ତଙ୍କ ଆଖି ପଡ଼ିଲା ଭାଗବତ ଟୁଙ୍ଗୀ ଉପରେ । ଚାଷବାସ ଯୋଗୁ ଲୋକମାନେ କେବଳ ରାତିରେ ସେ ଘରେ ବସୁଛନ୍ତି । ତେଣୁ ଅସ୍ଥାୟୀ ଭାବରେ ସେଠି ଲାଇବ୍ରେରୀ ଖୋଲିଲେ କିଛି ଅସୁବିଧା ହେବନାହିଁ । ବେଣୁବାବୁ କହିଲେ, “ଆମେ ତ ଖାଲି କହିଦେଲେ ହେବନି, ଏଥିପାଇଁ ମୁରବିମାନଙ୍କ ମତାମତ ନେବା ଦରକାର । ସେମାନେ ଏଥିପାଇଁ ରାଜି ନ ହେଲେ ବୁଢ଼ା ଆଉ ଟୋକାଙ୍କ ଭିତରେ କଳି ଲାଗିବ । ” ବେଣୁବାବୁ ସମସ୍ତଙ୍କୁ ସଙ୍ଗରେ ଧରି ଗାଁ ଦାଣ୍ଡକୁ ଚାଲିଲେ ।

 

ପ୍ରଥମେ ନୀଳମଣି ଓ ଚନ୍ଦ୍ରଶେଖରଙ୍କ ସାଙ୍ଗରେ ଦେଖା ହେଲା । ସେମାନେ ରାଜି ହୋଇଗଲେ । ତା’ପରେ ଯୁବକମାନେ ଘନଶ୍ୟାମଙ୍କ ପାଖକୁ ଗଲେ । ଘନଶ୍ୟାମଙ୍କ ମନକୁ କଥାଟା ପାଇଲା ନାହିଁ । ସେ ମୁରବିପଣିଆ ଦେଖାଇ କହିଲେ, କିହୋ, ଆଜିକାଲି କ’ଣ ଯୁବକ ଶବ୍ଦରୁ ‘ଯୁ’ ଅକ୍ଷରଟା କଟିଗଲା କି ? ତୁମେମାନେ କ’ଣ ବକ ପାଲଟି ଗଲଣି କି ? ଯୁବକମାନେ ଚାହିଁଲେ ଘଡ଼ିକେ ପାହାଡ଼ ତାଡ଼ି ପକାଇବେ । ଆଉ ଏଇ ସାମାନ୍ୟ ଘର ଖଣ୍ଡେ କରିବାକୁ ଏତେ ଆଗପଛ ବିଚାର ହେଉଛି । ତା’ପରେ ଭାଗବତ ଘରଟା ଅଛି, ସେଠି ପାଞ୍ଚକଥା ପଡ଼ୁଛି । ବୁଢ଼ାମାନେ ବସି ଧର୍ମକଥା ଦି ପଦ ଶୁଣୁଛନ୍ତି । ଲାଇବ୍ରେରୀଟା କରିଦେଲେ କାମ ତ ସରିଲା । ଟୋକାମାନଙ୍କ ହେଁ ହେଁ ଫେଁ ଫେଁ ଶୁଣି ସେଠିକି ବୁଢ଼ାମାନେ ଆଉ ଯିବେ ଯେ, ଭାଗବତ ପଢ଼ା ହେବ ।

 

ବେଣୁବାବୁ କହିଲେ, ଫାଲଗୁନ ମାସ ବେଳକୁ ଲାଇବ୍ରେରୀ ଘର ନିଶ୍ଚୟ ହେବ । ସେଥିପାଇଁ ଡରିବାର କୌଣସି କାରଣ ନାହିଁ । ତା’ପରେ ଘନଶ୍ୟାମ ଦେଖିଲେ, ତାଙ୍କ ବ୍ୟତୀତ ଅନ୍ୟମାନେ ରାଜିହୋଇ ଯାଇଛନ୍ତି । ତେଣୁ ସେ କହିଲେ, ହଉ ତୁମମାନଙ୍କ ଇଚ୍ଛା ଯା ହେଉଛି । କର ।

 

ଭାଗବତ ଟୁଙ୍ଗୀରେ ଲାଇବ୍ରେରୀ ଖୋଲିଲା । ମେମ୍ବରମାନେ ଚାନ୍ଦା ଦେଇ ଆଲମିରା ଓ ବହି ସବୁ କିଣି ଆଣିଲେ । ଗୋଟିଏ ଦୈନିକ ଖବର କାଗଜ ଆଉ କେତେଖଣ୍ଡ ପତ୍ର ପତ୍ରିକା ଆସିଲା । ଲାଇବ୍ରେରୀର ନାଁ ହେଲା “ପଲ୍ଲୀ ମଙ୍ଗଳ ପାଠାଗାର” । ଖଣ୍ଡେ ପଟାରେ ନାଁ ଲେଖା ହୋଇ ଭାଗବତ ଟୁଙ୍ଗୀ ଆଗରେ ଝୁଲା ହେଲା । ବୁଢ଼ାମାନେ ସେ ଘରକୁ ଯିବା ଛାଏଁ ଛାଏଁ ବନ୍ଦ କରିଦେଲେ ।

 

ଅରୁଣ ପ୍ରତିବର୍ଷ ବୃତ୍ତିପାଇ ଉପରକୁ ପଢ଼ି ପଢ଼ି ଚାଲିଛି । ତା’ର ପାଠପଢ଼ା ଦେଖି ହରି ବେହେରା ଖୁବ୍ ଉତ୍ସାହୀ ହୋଇ ଉଠିଛନ୍ତି । ଯେତେ ଟଙ୍କା ଦରକାର ହେଉଛି, ଅନ୍ୟ କୌଣସି ଖର୍ଚ୍ଚ କମାଇଦେଇ ସେ ଅରୁଣକୁ ଯୋଗାଇ ଦେଉଛନ୍ତି । ଅରୁଣ ଅବଶ୍ୟ କିଛି ବଦ୍‍ ଖର୍ଚ୍ଚ କରେ ନାହିଁ । ତା’ର ଯେତିକି ଟଙ୍କା ନିତାନ୍ତ ଦରକାର, ସେ ହରି ବେହେରାଙ୍କଠାରୁ ସେତିକି ନିଏ ।

 

ଅରୁଣ ବର୍ତ୍ତମାନ ହାଇସ୍କୁଲରେ ପଢ଼ୁଛି । ଛୁଟିରେ ଗାଁକୁ ଆସିଲେ, ବିଭିନ୍ନ ଉନ୍ନତିମୂଳକ କାମରେ ତା’ର ସମୟ ଚାଲିଯାଏ । ଲାଇବ୍ରେରୀ ପାଇଁ ପ୍ରତିବର୍ଷ ଅନେକ ନୂଆ ନୂଆ ବହି ସେ ସଂଗ୍ରହ କରି ଆଣି ଦେଉଛି । ଏଣିକି ପ୍ରତିବର୍ଷ ସେ ଯେତେ ବହି ପୁରସ୍କାର ପାଉଛି, ସବୁ ଗାଁ ଲାଇବ୍ରେରୀକୁ ଦେଇ ଦେଉଛି ।

 

ବେଣୁବାବୁ ସ୍କୁଲର ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟରେ ଅରୁଣର ପରାମର୍ଶ ନେଉଛନ୍ତି । ସେ ଦୁହିଁଙ୍କ ଚେଷ୍ଟାରେ ନି: ପ୍ରା: ସ୍କୁଲଟି ଉ: ପ୍ରା: ସ୍କୁଲରେ ପରିଣତ ହୋଇଛି । ସ୍କୁଲକୁ ଲାଗି ଛାତ୍ରାବାସ ତିଆରି ହୋଇଛି । ପାଟପୁର ସ୍କୁଲରେ ଭଲ ପାଠପଢ଼ା ହେଉଛି ବୋଲି ପାଖ ଆଖ ଗାଁର ଲୋକମାନେ ଜାଣିଲେଣି । ତେଣୁ ବିଭିନ୍ନ ଗ୍ରାମରୁ ପିଲାମାନେ ଆସି ହଷ୍ଟେଲରେ ରହି ପଢ଼ୁଛନ୍ତି । ଗ୍ରାମବାସୀମାନେ ସ୍କୁଲ ପାଇଁ ପାଞ୍ଚ ଏକର ଜମି ଦେଇଛନ୍ତି । ସ୍କୁଲର ପଛ ପଟକୁ ସେ ଜମି ଲାଗିରହିଛି । ସେଥିରୁ ଏକ ଏକର ଜମିରେ ବେଣୁବାବୁ ବଗିଚା କରାଇଛନ୍ତି । ସବୁ ଋତୁରେ ବିଭିନ୍ନ ରକମ ପନିପରିବା ବଗିଚାରେ ହେଉଛି । ତେଣୁ ହଷ୍ଟେଲ୍‍ ପିଲାଙ୍କୁ ହାଟ ବଜାରରୁ ବେଶୀ କିଛି କିଣିବାକୁ ପଡ଼ୁନାହିଁ । ମେସ୍‍ ପିଲାଙ୍କୁ ବହୁତ କମ୍‍ ପଡ଼ୁଛି । ଅନ୍ୟ ସବୁ ଜମିରେ ନଳିତା, ଧାନ, ବିରି, ମୁଗ ଇତ୍ୟାଦି ଚାଷ ହେଉଛି । ସେହି ଜମି ଆୟରୁ ସ୍କୁଲ୍‍ର ବିଭିନ୍ନ ରକମ ଖର୍ଚ୍ଚ ଚଳିଯାଉଛି । ଘରଛପର, ବାଡ଼ାବନ୍ଦି ଆଉ ନୂଆ ନୂଆ ଉପକରଣ କିଣିବା ପାଇଁ ଗ୍ରାମବାସୀମାନଙ୍କୁ କିଛି ଦେବାକୁ ପଡ଼ୁନାହିଁ । ବର୍ଷ ଶେଷରେ ଆୟବ୍ୟୟର ହିସାବ ଗ୍ରାମବାସୀଙ୍କୁ ବେଣୁବାବୁ ବୁଝାଇ ଦିଅନ୍ତି ।

 

ସ୍କୁଲ ଖୋଲିଲାବେଳେ ଚନ୍ଦ୍ରଶେଖର ସେକ୍ରେଟେରୀ ହୋଇଥିଲେ । ତାଙ୍କ ପାଖରେ ଧନ ଅଛି । ତା’ପରେ ସୁବୁଦ୍ଧିଙ୍କୁ ଲୋକମାନେ ମାନୁଥିଲେ । ସୁବୁଦ୍ଧିଙ୍କ ଅନ୍ତେ ଗାଁ ଲୋକମାନେ ଚନ୍ଦ୍ରଶେଖରଙ୍କୁ ମଧ୍ୟ ମାନିଲେ । କିନ୍ତୁ ତାଙ୍କର ପ୍ରକୃତି ଅଲଗା । ସବୁବେଳେ ନିଜ ଅଣ୍ଟି ପୂରିବା ପାଇଁ ତାଙ୍କର ଚେଷ୍ଟା । କାହାରି ଶିରୀ ତାଙ୍କ ଆଖିରେ ଯାଏ ନାହିଁ । ତେଣୁ ଗାଁ ଲୋକଙ୍କ ଭିତରେ କଳି ଲଗାଇ ନିଜ ଫାଇଦା ଉଠାଇବାକୁ ଲାଗିଲେ । କାହାକୁ କେବେ ଭଲ ରାସ୍ତାରେ ଯିବାପାଇଁ ପରାମର୍ଶ ଦେବେ ନାହିଁ । ଅବଶ୍ୟ ଉପରୁ ଦେଖିଲେ, ସେ ଅନ୍ୟର ଉପକାର ପାଇଁ କଥାଟା କହିଲା ପରି ଜଣାପଡ଼େ । କିନ୍ତୁ ତଳେଇ କରି ବିଚାର କଲେ ଜଣାପଡ଼େ ସେଥିରେ କେବଳ ଚନ୍ଦ୍ରଶେଖରଙ୍କର ଲାଭ ଅଛି । କିଛିଦିନ ଲୋକମାନେ ତାଙ୍କ କଥା ମାନି ଚଳିଲେ । କିନ୍ତୁ ସବୁ ଦିନ କ’ଣ ସମାନ ଯାଏ ? ଯେତେବେଳେ ଲୋକମାନେ ଚନ୍ଦ୍ରଶେଖରଙ୍କ ପ୍ରକୃତ ଗୁଣ କ’ଣ ବୁଝିପାରିଲେ, ତାଙ୍କ ପାଖ ଆଉ ମାଡ଼ିଲେ ନାହିଁ । ତାଙ୍କ ମୁରବିପଣିଆ ଆପେ ଆପେ କମିଗଲା ।

 

ଚନ୍ଦ୍ରଶେଖର କେବେ ସ୍କୁଲର ଭଲମନ୍ଦ ବିଷୟରେ ମୁଣ୍ଡ ଖେଳାନ୍ତି ନାହିଁ । କେବଳ ଜମିର ଫସଲ ଅମଳ ବେଳେ ସେ ଖୁବ୍ ତତ୍‍ପର ହୋଇ ଉଠନ୍ତି । ସେ ସେକ୍ରେଟେରୀ, ତାଙ୍କ ଇଚ୍ଛାଟା ସ୍କୁଲର ଫସଲ ତାଙ୍କ ଘରେ ରହିବ । ବେଣୁବାବୁ ସେଥିରେ ରାଜି ହୁଅନ୍ତି ନାହିଁ । ଗୋଟାଏ ବର୍ଷ ଫସଲ ଅମଳ ବେଳେ ବେଣୁବାବୁଙ୍କ ସହିତ ଚନ୍ଦ୍ରଶେଖଙ୍କର ଝଗଡ଼ା ହେଲା । ବେଣୁବାବୁଙ୍କ ନାମରେ ସେ ମିଥ୍ୟା ଅପବାଦ ଉଠାଇ କହିଲେ ଯେ ସେ ଟଙ୍କାଗୁଡ଼ାକ ଖାଇଗଲେ ?

 

ମାଟିର ଡାକ

ପାଟପୁର ସ୍କୁଲରେ ଗୋଟାଏ ସଭା ହେଲା । ଟଙ୍କା ପଇସାର ସବୁ ହିସାବ ପଡ଼ିଲା । ବେଣୁବାବୁ କଡ଼ା କ୍ରାନ୍ତି କରି ସମସ୍ତଙ୍କୁ ହିସାବ ବୁଝାଇଦେଲେ । ଲୋକମାନେ ଦେଖିଲେ, ଚନ୍ଦ୍ରଶେଖର ସେକ୍ରେଟେରୀ ରହିଲେ, ସବୁବେଳେ ଶିକ୍ଷକ ଆଉ ତାଙ୍କ ଭିତରେ ଝଗଡ଼ା ଲାଗିବ । ତେଣୁ ଅନ୍ୟ ଜଣେ କେହି ସେକ୍ରେଟେରୀ ହେବା ଦରକାର । ଚନ୍ଦ୍ରଶେଖରଙ୍କ ପରିବର୍ତ୍ତେ ନୀଳମଣି ନୂଆ ସେକ୍ରେଟେରୀ ହେଲେ । ଚନ୍ଦ୍ରଶେଖର ମୁହଁରେ କିଛି କହିଲେ ନାହିଁ, କିନ୍ତୁ ତାଙ୍କ ମନ ଭିତରେ ରାଗ ରହିଲା । ଗ୍ରାମବାସୀମାନେ ତାଙ୍କୁ ଆଉ ମାନୁନାହାନ୍ତି, ଏକଥା ସେ ବୁଝିପାରିଲେ ।

 

ନିଳୀମା ପଲ୍ଲିପୁର ମାଇନର ସ୍କୁଲରେ ପଢ଼ୁଛି । ସବୁଦିନେ ଘରୁ ଯିବା ଆସିବା କରିବାକୁ ପଡ଼ୁଛି । ନିଳୀମା ଜୀବନରେ କିଛି କିଛି ପରିବର୍ତ୍ତନ ବି ଆସିଲାଣି । ଦେହର ରଙ୍ଗ ତା’ର ଫିଟି ଫିଟି ଆସିଲାଣି । ହାତଗୋଡ଼ରେ ମାଂସ ଲାଗିବା ସଙ୍ଗେ ସଙ୍ଗେ ମନରେ ବି ଡେଣା ଲାଗିଲାଣି । ଫ୍ରକ୍ ପିନ୍ଧି ସ୍କୁଲକୁ ଯିବାକୁ ତାକୁ ଲାଜ ଲାଗିଲାଣି । ସୁଷମାଙ୍କୁ କେତେଥର କହିଲାଣି, ସେ ଏଣିକି ଶାଢ଼ି ପିନ୍ଧିବ ।

 

ନୀଳିମା ଅରୁଣର କଥା ଗୋପନରେ ବସି ଭାବିଲାଣି । ସେମାନଙ୍କର ପିଲାଦିନର ଖେଳ ଆଉ ଝଗଡ଼ା କଥା ମନେ ପକାଇ ବଡ଼ ଖୁସି ହୁଏ । ଆଜି ହୁଏତ ସେ ବିଶ୍ୱାସ କରେ ନା ଅରୁଣ ସାଙ୍ଗରେ କାହିଁକି ସେ କି ଛୋଟ ଛୋଟ କଥା ନେଇ କଳି କରୁଥିଲା । ଏଣିକି ଅରୁଣ ଆଗକୁ ଯିବାକୁ ତାକୁ ଅଡ଼ୁଆ ଅଡ଼ୁଆ ଲାଗୁଛି ।

 

ସୁଷମା କେତେଥର ଆକଟ କରି କହିଲାଣି, ନୀଳିମା ! ତୁ ଆଉ ପୁଅ ପିଲାଙ୍କ ସାଙ୍ଗରେ ବେଶୀ ମିଳାମିଶା କରିବୁନି । ବୟସ ବଢ଼ିଲା । ଏମିତି ଲୋକ ଅଛନ୍ତି, ସଜମାଛରେ ପୋକ ପକାଇ ଦେବେ । କେତେ ରକମ ଖରାପ କଥା କହିବେ । ଆଲୋ ସଖୀ, ଆପଣା ମହତ ଆପେ ରଖି । ତେଣୁ ଆମେ ସାବଧାନରେ ଚଳିଲେ, ଆମକୁ କହିବାକୁ କେହି ସାହସ କରିବେ ନାହିଁ ।

 

ନୀଳିମା ତା’ ବୋଉକୁ ଓଲଟି ପଚାରିଥିଲା, ତା’ହେଲେ ମୁଁ ଆଉ ଅରୁଣ ଭାଇ ସାଙ୍ଗରେ ବି ମିଶିବିନି ? ସୁଷମା କହିଲେ, କି ଓଲିଟାରେ ତୁ ! ଅରୁଣ କ’ଣ ଗାଁ’ର ପାଞ୍ଚଟା ଟୋକାଙ୍କ ସାଙ୍ଗରେ ସମାନ ? ସେ ତ ତୋ ନିଜ ଭାଇ ପରି । ତା’ ସାଙ୍ଗରେ ମିଶିବାକୁ ବାଧା କ’ଣ ? ତଥାପି ନୀଳିମା ଅରୁଣକୁ ଲାଜ କରେ, ଆଉ ଛପି ଛପି ଦେଖେ ।

 

ବଡ଼ଦିନ ଛୁଟି । ଅରୁଣ ଘରକୁ ଆସିଥିଲା । ସେ ଅନୁଭବ କଲାଣି ଯେ ନୀଳିମା ତାକୁ ଲୁଚୁଛି । କାରଣଟା କ’ଣ ସେ ବୁଝିପାରିଲାନି । ଅରୁଣ ମାଉସୀଙ୍କ ପାଖରେ ଅଭିଯୋଗ କଲା, ନୀଳିମା ତାକୁ ଆଉ ପଚାରୁ ନାହିଁ । ନୀଳିମା ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, ଏଇଟା ତାଙ୍କର ମନଗଢ଼ା କଥା । ସେ ତା’ ବୋଉକୁ କହିଲା, ଅରୁଣ ଭାଇ ବେଶୀ ପାଠ ପଢ଼ିଲେଣି । ତାଙ୍କ ଆଖି ବଡ଼ ହୋଇଗଲାଣି । ତେଣୁ ସେ ଆଉ ଏ ଗରିବ ଭଉଣୀକୁ ପଚାରୁ ନାହାନ୍ତି ।

 

ଅରୁଣ ଏମିତିକା ଅଭିଯୋଗ ଶୁଣି ଅବାକ୍ ହେଲା । ଦିନକୁ ଦିନ ନୀଳିମା ପ୍ରତି ତା’ର ସ୍ନେହ ବେଶୀ ବେଶୀ ହେଉଛି । ଆଗେ ଯାହା ନୀଳିମା କଥା ଭାବୁ ନ ଥିଲା, ଏଣିକି ଅନେକ ସମୟରେ ତା’ କଥା ଆପେ ଆପେ ତା’ ମନକୁ ଆସିଯାଉଛି । କୌଣସି ଚିହ୍ନା ଜଣା ଲୋକକୁ ଦେଖିଲେ ନୀଳିମା କଥା ସେ ପଚାରି ବସେ । କିନ୍ତୁ ନୀଳିମା ସେଥିରେ ସନ୍ତୁଷ୍ଟ ନୁହେଁ । ତେବେ ତା’ର କ’ଣ କିଛି ଦୋଷ ରହିଗଲା କି ?

 

ଅରୁଣ ମନରେ ଦୁଃଖ ହେଲା । ସେ ନୀଳିମାକୁ ଧରି ପଚାରିଲା, ନୀଳିମା ! ସତ କହ, ତୁ କେମିତି ଜାଣିଲୁ ଯେ ମୁଁ ତୋତେ ଆଉ ସ୍ନେହ କରୁନାହିଁ । ଅରୁଣର ଶୁଖିଲା ମୁହଁ ଦେଖି ନୀଳିମା କହିଲା, ସେ ସେମିତି ମିଛରେ କହିଦେଲା । କିନ୍ତୁ ଅରୁଣ ଜିଦ୍ କଲା, ନୀଳିମା ନ କହିଲେ ସେ ଛାଡ଼ିବ ନାହିଁ ।

ନୀଳିମା କହିଲା, ଆଚ୍ଛା ଅରୁଣ ଭାଇ ! ତୁମେ କହୁଛ ଯେ ମୋତେ ସ୍ନେହ କରୁଛ । କିନ୍ତୁ ତା’ର ତ ପ୍ରମାଣ କିଛି ନାହିଁ । ତା’ପରେ ତୁମେ କ’ଣ ଭାବୁଛ ଯେ ତୁମ ପ୍ରତି ଅନ୍ୟ କାହାର ସ୍ନେହ କି ଲୋଭ ନାହିଁ ? ଜଣେ ଜଣକୁ ଭଲ ପାଇଲେ, ତା’ର ପ୍ରତିଦାନ ବି ପାଏ । ଏଇଟା ଯେମିତି ସୁଷ୍ଟିର ଗୋଟାଏ ନିୟମ ଭଳି ତୁମକୁ ବି ସେମିତି ଆଉ କେହି ଭଲ ପାଇଛି । ତେଣୁ ଖାଲି କଥାରେ କହିଦେଲେ ତ ହେବ ନାହିଁ ଯେ ତୁମେ କାହାକୁ କେତେ ସ୍ନେହ କରୁଛ । କାମରେ ଦେଖାଇ ଦେବା ଦରକାର ।

ଅରୁଣ ନୀଳମାକୁ ପଚାରିଲା, ସେ କେମିତି କ’ଣ କାମରେ ଦେଖାଇବ, କିଛି ବୁଝିପାରୁ ନାହିଁ । ନୀଳିମା କହିଲା ତୁମେ ଏତେ ପାଠପଢ଼ି ଯଦି ଏଇ କଥାକୁ ବୁଝିପାରିଲ ନାହିଁ । ତେବେ ତୁମକୁ ଆଉ କିଛି କହିବା ନାହିଁ । ଆମ କଥା ଏତିକିରେ ଥାଉ ।

କିନ୍ତୁ ଅରୁଣ ସହଜରେ ଛାଡ଼ୁଛି କେଉଁଠି ? ନୀଳିମା ବି ଦେଖିଲା, ଅରୁଣକୁ ନ କହି ଖସି ହେବ ନାହିଁ । ସୁଷମା ସେତିକିବେଳେ ଡାକ ପକାଇଲେ, ଆରେ ନୀଳିମା, କ’ଣ ପୁଅଟାକୁ ଏତେ କହୁଛ ? କିଏ ତୋତେ ଖବର ଦେଲା ଯେ ସେ ତୋତେ ଆଉ ପଚାରୁ ନାହିଁ । ନୀଳିମା ବୋଉକୁ କୈଫିୟତ ଦେଇ କହିଲା, ଅରୁଣ ଭାଇ ମାସକୁ ଚାରିଥର ତାଙ୍କ ବୋଉ ଓ ଅଜାଙ୍କ ପାଖକୁ ଚିଠି ଦେଉଛନ୍ତି । ସେମାନେ ଘର ମଣିଷ ବୋଲି ଖାଲି ତାଙ୍କ କଥା ଜାଣିବେ, ଆଉ ଆମେ ଜାଣିଲେ କ’ଣ ଖରାପ ହେବ ? କାହିଁ କେବେ ତ ସେ ଆମ ପାଖକୁ ଦୁଇଧାଡ଼ି ଲେଖି ନାହାନ୍ତି । ଏଇଥିରୁ ସେ ଆମକୁ ମନେ ରଖିଛନ୍ତି ବୋଲି କେମିତି ଭାବିବା ?

ଅରୁଣ ସଫେଇ ଦେବାକୁ ଯାଇ କହିଲା, ମୁଁ ତ ଜଣେ, ତୁମେ ଆମ ଘରୁ ସବୁ ଖବର ପାଉଥିବ । ତେଣୁ ଗୋଟାଏ ଅଲଗା ଚିଠି ଲେଖିବା ଦରକାର ବୋଲି ଭାବେ ନାହିଁ । ହଉ ତୁ ଯଦି କହୁଛୁ, ଏଣିକି ମୁଁ ପ୍ରତି ସପ୍ତାହରେ ତୋ ପାଖକୁ ଖଣ୍ଡେ ଲେଖାଏଁ ଚିଠି ଲେଖିବି ।

ସୁଷମା ମଧ୍ୟସ୍ଥି ହୋଇ କଥାଟାର ସମାଧାନ କରିଦେଲେ । ସେ କହିଲେ, ନାଇଁରେ ଅରୁଣ ! ଏତେ ଚିଠି ଲେଖାରୁ କ’ଣ ମିଳିବ । ଆମେ ତ ସବୁ ତୋ ବୋଉଠାରୁ ଶୁଣୁଛୁ । ସେ ପାଗଳିଟା କଥାରୁ କ’ଣ ମିଳିବ । ଘର ଛାଡ଼ି ବିଦେଶରେ ରହିଛୁ । ପାଠ ପଢ଼ି ନାଁ କର । ଚିଠିଲେଖା ବେଳ କ’ଣ ପଳାଇ ଯାଉଛି ? ଚାକିରି ବାକିରି କରି ଦିନକୁ ଦଶଖଣ୍ଡ ଚିଠି ଲେଖେ । ତା’ ପାଇଁ କ’ଣ କେହି ମନା କରୁଛି ! ଯେତେବେଳେ ଯେଉଁ କଥା । ପାଠପଢ଼ା ବେଳେ ଏତେ ଚିଠି ଫିଠି ଲେଖିଲେ ଅଯଥାରେ ସମୟ ନଷ୍ଟ । ତୁ ଆମକୁ ମନେ ରଖିଥିଲେ, ସେହି ଯଥେଷ୍ଟ । ଆଉ ଡେଙ୍ଗୁରା ପିଟି ସେ କଥାଟା କହିଲେ ଲାଭ ବା କ’ଣ ? ଅରୁଣ କହିଲା, ନାହିଁ ମାଉସୀ । ମୁଁ ମୋର ଖେଳ ସମୟ କାଟି ଚିଠି ଲେଖିବି । କିନ୍ତୁ ଖାଲି ଚିଠି ଲେଖିଦେଲେ ତ ହେବନି, ଉତ୍ତର ପାଇବା ବି ଦରକାର । ନୀଳିମା କଥା ଦେଇଥିଲା ସେ ନିଶ୍ଚୟ ଉତ୍ତର ଲେଖିବ ।

ଓଡ଼ିଶାରେ ଗ୍ରାମପଞ୍ଚାୟତ ସବୁ ଗଢ଼ା ହେଲା । ପାଟପୁରର ପାଖଆଖ ପାଞ୍ଚଖଣ୍ଡ ମୌଜାକୁ ନେଇ ଗୋଟିଏ ପଞ୍ଚାୟତ ହେଲା । ତା’ ନାଁ ହେଲା ପାଟପୁର ଗ୍ରାମପଞ୍ଚାୟତ । ସରପଞ୍ଚ ନିର୍ବାଚନ ହେବାର କଥା । ଲୋକମାନେ ଭୋଟ୍ ଦେଇ ସରପଞ୍ଚକୁ ବାଛିବେ ।

 

ଅନେକ ଲୋକଙ୍କର ଇଚ୍ଛା ସରପଞ୍ଚ ହେବାକୁ । ପାଟପୁରରୁ ଦୁଇଜଣ ପ୍ରାର୍ଥୀ ବାହାରିଲେ । ନୀଳମଣି ଓ ଚନ୍ଦ୍ରଶେଖରଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ୱିତା । ଗାଁରେ ବିବାଦ ଲାଗିବା କଥା ପୁଣି ହେଲା । କେତେକ ଘନଶ୍ୟାମଙ୍କ ସାଙ୍ଗରେ ଲାଗିଥିଲେ, ସେ ବି ସରପଞ୍ଚ ପାଇଁ ଠିଆ ହୁଅନ୍ତୁ । ଘନଶ୍ୟାମ ମନା କରି କହିଲେ ଜଣେ କେହି ସରପଞ୍ଚ ହୋଇ ଲୋକଙ୍କ ପାଇଁ କାମ କଲେ ହେଲା-। ସେଥିପାଇଁ ଏତେ ନିଜ ନିଜ ଭିତରେ ଝଗଡ଼ା କରିବା କିଛି ଦରକାର ନାହିଁ ।

 

ପଙ୍କଜ ମହାନ୍ତି ଆସିଲେ । ନୀଳମଣି ଓ ଚନ୍ଦ୍ରଶେଖର ଦୁଇଜଣଯାକ ତାଙ୍କ ତାଙ୍କ ପକ୍ଷର ଲୋକ । ସେମାନଙ୍କ ଭିତରେ ଝଗଡ଼ା ଲାଗିଲେ ତାଙ୍କ ଦଳ ଠିକ୍ ରହିବ ନାହିଁ । ପୁଣି ତାଙ୍କ ଭୋଟ୍ ବେଳକୁ ଅସୁବିଧା ହେବ । ତେଣୁ ସେ ଆପୋଷ ମିଳାମିଶା କରାଇ ଦେଲେ । ନୀଳମଣି ସରପଞ୍ଚ ପାଇଁ ପ୍ରାର୍ଥୀ ହେଲେ ଏବଂ ଚନ୍ଦ୍ରଶେଖର ବ୍ଲକ୍‍ର ମେମ୍ବର ହୋଇଗଲେ ।

 

ସରପଞ୍ଚ ଭୋଟ୍ ପାଇଁ ପ୍ରଚାର ଚାଲିଲା । ପ୍ରତି ଗାଁରେ ସେହି ଟୁପୁର୍ ଟାପର୍ । ଘର କଣରେ, ଗଛମୂଳେ, ନଈକୂଳରେ ଏମିତି କେତେ କଥାବାର୍ତ୍ତା, ବିଚାର ଚାଲିଲା । ନିଜ ନିଜ ଦଳ ଭିତରେ କେତେ ଆଲୋଚନା, କେମିତି ବେଶୀ ଭୋଟ୍ ମିଳିବ । ପଙ୍କଜ ମହାନ୍ତି ନୀଳମଣିଙ୍କ ପାଇଁ ପ୍ରଚାର କଲେ । ସେ ବିଧାନସଭାର ସଭ୍ୟ । ତେଣୁ ତାଙ୍କ କଥା ଅନେକ ଲୋକ ମାନିଲେ । ନୀଳମଣି ଭୋଟ୍ ରେ ଜିତି ସରପଞ୍ଚ ହେଲେ ।

 

ପାଟପୁରରେ ପଞ୍ଚାୟତ ଅଫିସ୍ ଖୋଲିଲା । ନୀଳମଣି ପଞ୍ଚାୟତ କାମରେ ଲାଗିପଡ଼ିଲେ । ଚିଠିପତ୍ର କାରବାରରେ ସେ ବଡ଼ ଅସୁବିଧାରେ ପଡ଼ିଲେ । ମଲ୍ଲିପୁରରୁ ସବୁଦିନେ ଡାକ ଆସେ । ଏମିତି ହୁଏ, କେତେକ ଦରକାର ଚିଠି ବି ହଜିଯାଏ । ପାଟପୁରରେ ଗୋଟିଏ ପୋଷ୍ଟ ଅଫିସ ଖୋଲିବା ଦରକାର ପଡ଼ିଲା । ପଞ୍ଚାୟତ ତରଫରୁ ଚେଷ୍ଟା ହେଲା ।

 

ଏଇ ପୋଷ୍ଟ ଅଫିସ୍ ଖୋଲିବାରେ ପଞ୍ଚାୟତରେ ବିବାଦ ସୃଷ୍ଟି ହେଲା । ଚମ୍ପାପୁରର ଲୋକମାନେ ଜିଦ୍ ଧରିଲେ, ପାଟପୁରରେ ସ୍କୁଲ ଅଛି, ପଞ୍ଚାୟତ ଅଫିସ ଖୋଲିଲା । ପୁଣି ପୋଷ୍ଟ ଅଫିସ ଖୋଲିବ । ଗୋଟିଏ ମୌଜାରେ କ’ଣ ସବୁ ହେଉଥିବ ? ତେଣୁ ପୋଷ୍ଟ ଅଫିସ ଚମ୍ପାପୁରରେ ହେବ ।

 

ପଙ୍କଜ ମହାନ୍ତିଙ୍କ କାନକୁ ଏ କଥା ଗଲା । ସେ ପାଟପୁରରେ ପୋଷ୍ଟ ଅଫିସ ଖୋଲିବା ପାଇଁ ଚେଷ୍ଟା କରିଥିଲେ । ଏଭଳି ବିବାଦ ହେଲେ, ପୋଷ୍ଟ ଅଫିସ ଖୋଲିବା କଷ୍ଟ ହେବ । ସେ ଆସି ସବୁ ପଞ୍ଚାୟତ ମେମ୍ବରମାନଙ୍କୁ ଡକାଇଲେ । ସମସ୍ତେ ନିଜ ନିଜର ଅଭିଯୋଗ ବାଢ଼ିଲେ । ବିଶେଷତଃ ଚମ୍ପାପୁର ମେମ୍ବର ସବୁ ଅଡ଼ି କରି ବସିଲେ । ସେମାନେ ପୋଷ୍ଟ ଅଫିସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ ବାହାରିଲେ । ପଙ୍କଜ ମହାନ୍ତି ସେମାନଙ୍କୁ ବହୁତ ରକମ ବୁଝାଇଲେ-। ସରକାର ତ ପ୍ରତି ଗାଁରେ ପୋଷ୍ଟ ଅଫିସ ଖୋଲିବାକୁ ରାଜି ଅଛନ୍ତି । ଯଦି ପୋଷ୍ଟ ଅଫିସ ଚଳିଲା ଭଳି ଆୟ ହେବାର ସମ୍ଭାବନା ଅଛି, ତେବେ ପାଟପୁର ପଞ୍ଚାୟତର ପ୍ରତି ଗାଁରେ ପୋଷ୍ଟ ଅଫିସ ଖୋଲିବା ପାଇଁ କଳି କାହିଁକି ? ପାଟପୁରରେ ବର୍ତ୍ତମାନ ଦରକାର ପଡ଼ୁଛି, ତେଣୁ ପ୍ରଥମେ ସେଠି ପୋଷ୍ଟ ଅଫିସ ଖୋଲାଯାଉ । ତା’ପରେ ଚମ୍ପାପୁର ପ୍ରଶ୍ନ ଉଠିବ । ସମସ୍ତେ ସେଥିରେ ରାଜି ହେଲେ-। ପାଟପୁରରେ ଗୋଟିଏ ବ୍ରାଞ୍ଚ ପୋଷ୍ଟ ଅଫିସ ଖୋଲିଲା ।

 

ଅଳ୍ପଦିନ ମଧ୍ୟରେ ପାଟପୁର ପଞ୍ଚାୟତରେ ଅନେକ କାମ ହୋଇଗଲା । ଗାଁ ଗଣ୍ଡାର ଉନ୍ନତି ପାଇଁ ତ ସରକାର ଅନେକ ସାହାଯ୍ୟ କରୁଛନ୍ତି । ସେଇ ଟଙ୍କାକୁ ଯେ ଆଣି କାମରେ ଲଗାଇ ପାରିଲା, ତାର ବାହାଦୁରି । ନୀଳମଣି ଖୁବ୍ ମନ ପ୍ରାଣ ଦେଇ କାମରେ ଲାଗି ପଡ଼ିଲେ । ପ୍ରତି ଗାଁ’କୁ ରାସ୍ତା ତିଆରି ହୋଇଗଲା । ମଝିରେ ମଝିରେ ପାଣି ରାସ୍ତା ପାଇଁ ଛୋଟ ଛୋଟ ପୋଲ ବି ତିଆରି ହେଲା । ସେ ହେଉଛି ବନ୍ୟାଗ୍ରସ୍ତ ଅଞ୍ଚଳ । ପାଣି ପାଇଁ ରାସ୍ତା ନ ରହିଲେ, ଗୋଟାଏ ବର୍ଷ ବନ୍ୟାରେ ସେ ସବୁ ନଷ୍ଟ ହୋଇଯିବ । ଯେଉଁଠି ବର୍ଷାଦିନେ ପାଦରେ ଚାଲିବା କଷ୍ଟ ହେଉଥିଲା, ସେଠି ବର୍ଷାସାରା ଗାଡ଼ିଘୋଡ଼ା ଚାଲିବାରେ ବି କିଛି ଅସୁବିଧା ହେଲା ନାହିଁ । ପଞ୍ଚାୟତ ଗଢ଼ାହେବା ପରେ ସେ ଅଞ୍ଚଳର ରୂପ ଏକବାରେ ବଦଳିଗଲା ।

 

ପାଟପୁର ସ୍କୁଲର ବାର୍ଷିକ ପୁରସ୍କାର ବିତରଣୀ ସଭା ହେବାର କଥା । ପଙ୍କଜ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ, ତାଙ୍କ ଅଞ୍ଚଳରେ ସେ ଥରେ ଯାଇ ବୁଲି ଦେଖି ଆସିବା ଦରକାର-। ପାଟପୁର ପଞ୍ଚାୟତ ତରଫରୁ ଆୟୋଜନ ହେଲା । ମୁଖ୍ୟମନ୍ତ୍ରୀ ପାଟପୁର ଉ: ପ୍ରା: ସ୍କୁଲକୁ ପ୍ରଧାନ ଅତିଥି ହୋଇ ଆସିଲେ । ପାଟପୁର ସ୍କୁଲକୁ ଦେଖି ତାଙ୍କର ଖୁସୀର ସୀମା ରହିଲା ନାହିଁ-। ବେଣୁବାବୁଙ୍କ ଚେଷ୍ଟାରେ ସ୍କୁଲଟି ଉନ୍ନତି ପଥରେ ଆଗେଇ ଚାଲିଥିବାରୁ, ସେ ତାଙ୍କର ଖୁବ୍ ପ୍ରଶଂସା କଲେ । ସେଇ ସଭାରେ ମୁଖ୍ୟମନ୍ତ୍ରୀ ବେଣୁବାବୁଙ୍କ ଉଦାହରଣ ଦେଇ କହିଲେ, ସମସ୍ତେ ଯଦି ନିଜ ନିଜର କର୍ତ୍ତବ୍ୟ ବେଣୁବାବୁଙ୍କ ପରି କରନ୍ତି, ତା’ହେଲେ ଆମର କିଛି ଅଭାବ ଅସୁବିଧା ରହିବ ନାହିଁ-। ନୂଆ ସ୍ଵାଧୀନତା ପାଇଲେ ମଧ୍ୟ ଆମେ ଅନ୍ୟ ଦେଶ ସାଙ୍ଗରେ ତାଳ ଦେଇ ଆଗେଇ ପାରିବା-। ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ ହେବାକୁ ବେଶୀ ସମୟ ଲାଗିବ ନାହିଁ । କିନ୍ତୁ ଆମ ଭିତରେ ବେଶୀ କର୍ମ ପ୍ରେରଣା ଦେଖା ଦେଉନାହିଁ । ସମସ୍ତେ ଖାଲି କାମ ନ କରି ଠକି ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଦେଶ ଆଗେଇ ପାରୁନାହିଁ । ବେଣୁବାବୁଙ୍କ କାର୍ଯ୍ୟ ପାଇଁ ତାଙ୍କୁ ରାଜ୍ୟସ୍ତରରେ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ ।

 

ସ୍ଥାନୀୟ ଲୋକମାନେ ଅଞ୍ଚଳର ଅଭାବ ଅସୁବିଧା କଥା ଜଣାଇଲେ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ତଙ୍କର ଆପତ୍ତି ଯେ ପାଟପୁର ଉ: ପ୍ରା: ସ୍କୁଲକୁ ମାଇନର ସ୍କୁଲ କରି ଦିଆଯାଉ । ମୁଖ୍ୟମନ୍ତ୍ରୀ କହିଲେ, ଏ ତ ହେଉଛି ସରକାରଙ୍କ ଇଚ୍ଛା ଯେ ସ୍କୁଲ କଲେଜ ସଂଖ୍ୟା ଦିନକୁ ଦିନ ବଢ଼ୁ-। ଜାତୀୟ ସରକାରଙ୍କର ପ୍ରଧାନ ଲକ୍ଷ୍ୟ ହେଲା ନିରକ୍ଷରତା ଶୀଘ୍ର ଦୂର ହେଉ । ଯେଉଁଠି ଲୋକମାନଙ୍କର ଆଗ୍ରହ ଅଛି, ସରକାର ସେଥିପାଇଁ ପଛଘୁଞ୍ଚା ଦେବେ ନାହିଁ । ମାଇନର ସ୍କୁଲ ପାଇଁ ସରକାର ସବୁରକମ ସାହାଯ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ । ପଙ୍କଜ ମହାନ୍ତି ଓ ନୀଳମଣିଙ୍କ ଉପରେ ସ୍କୁଲ ଚଳାଚଳର ସବୁ ଦାୟିତ୍ୱ ଦିଆଗଲା ।

 

ମାଟ୍ରିକ ପରୀକ୍ଷାରେ ଅରୁଣ ଖୁବ୍ ଭଲ କଲା । ସ୍କୁଲର ସବୁ ଶିକ୍ଷକଙ୍କର ବିଶ୍ୱାସ ଯେ ଅରୁଣ ନିଶ୍ଚୟ ବୃତ୍ତି ପାଇବ । ସ୍କୁଲର ନାଁ ସେ ରଖିବ । ପରୀକ୍ଷା ପରେ ଅରୁଣ ଘରକୁ ଆସିଲା । ବେଣୁବାବୁ ପଚାରିଲେ, ପୁଣି କ’ଣ ପଢ଼ିବାକୁ ସେ ଠିକ୍ କରିଛି ।

 

ଅରୁଣ ଉତ୍ତର ଦେଲା, ପରୀକ୍ଷା ଫଳ ବାହାରି ସାରିଲେ, ସେ ଯାହା କିଛି ହେଉ ଠିକ୍ କରିବ ।

 

ଦିନରାତି ପାଠ ପଢ଼ି ପଢ଼ି ଅରୁଣ କ୍ଳାନ୍ତ ହୋଇ ପଡ଼ିଥିଲା । କିଛିଦିନ ପର୍ଯ୍ୟନ୍ତ ସେ କେବଳ ଶୋଇ ଶୋଇ ସମୟତକ କଟାଇ ଦେଲା । ପରୀକ୍ଷା ଫଳ ବାହାରିବାକୁ ଆହୁରି ଅନେକ ଦିନ ଅଛି । ଘରେ ବସି ବସି ଅରୁଣକୁ ବିରକ୍ତ ଲାଗିଲା । ସ୍କୁଲ ଓ ଲାଇବ୍ରେରିରେ ଅଧିକାଂଶ ସମୟ ତା’ର କଟେ । ସବୁବେଳେ ତା’ର ମନରେ ଗୋଟାଏ ଭାବନା ସେ କିପରି ନିଜକୁ ଗୋଟାଏ କାମରେ ଖଟାଇ ରଖିଚ ।

 

ହଠାତ୍ ତା’ ମୁଣ୍ଡକୁ ଗୋଟାଏ ବୁଦ୍ଧି ଆସିଲା । ପାଟପୁରରେ ତ ଅନେକ ଦରବୁଢ଼ା ଲୋକ ଅଛନ୍ତି, ଯେଉଁମାନଙ୍କୁ କି ନାଁ ଲେଖି ଆସେ ନାହିଁ । ସେ ଯଦି ଗୋଟିଏ ରାତି ସ୍କୁଲ ଖୋଲି ସେମାନଙ୍କୁ ପଢ଼ାଏ, ତା’ହେଲେ ତା’ର ସମୟ କାଟିବାରେ ବିଶେଷ କିଛି ଅସୁବିଧା ହେବନାହିଁ । ଆଉ ତା’ ସାଙ୍ଗେ ସାଙ୍ଗେ ନିଜ ଗାଁର ଓ ଜାତିର ଅନେକ ଉପକାର ହେବ ।

 

ଗାଁର ଅନେକ ଲୋକଙ୍କୁ ଅରୁଣ ତା’ ଉଦ୍ଦେଶ୍ୟ ଜଣାଇଲା । କିନ୍ତୁ କେହି ଆଗ୍ରହୀ ହେଲେ ନାହିଁ । ଚିନ୍ତେଇ ସ୍ଵାଇଁ କହିଲା, କଳିକାଳ ଷାଠିଏ । ବୟସ ତ ଆସି ଅଧାକୁ ଟପିଲାଣି । ଆଉ ଏ ଦିନେ ପଢ଼ି କ’ଣ ହେବ ? ଆଉ କେତେକ କହିଲେ, ପୁଅ ନାତି ତ ପଢ଼ିଲେଣି । ସେମାନେ ଲେଖା ଲେଖି କାମ ଚଳାଇଲେଣି । ମଲାବେଳକୁ ତ ଦି’ପଦ ଭାଗବତ କାନରେ ପକାଇବେ । ଆଉ ଆମ ପାଠଟା କେଉଁ କାମକୁ ଆସିବ ।

 

ଅରୁଣ ବୁଝାଇ ଚାଲିଲା । ଏ ହେଉଛି ସ୍ଵାଧୀନ ଯୁଗ । ଦେଶ ଦିନକୁ ଦିନ ଆଗେଇ ଚାଲିଛି । ପୁଅ ନାତି ସିନା ତାଙ୍କ ପାଇଁ ଲେଖିବେ କିମ୍ଵା ପଢ଼ିବେ । କିନ୍ତୁ ତୁମକୁ ଯେତେବଳେ ଗୋଟାଏ ଦସ୍ତଖତ କରିବାକୁ ପଡ଼ିବ, ସେତେବେଳେ କ’ଣ କରିବ ? ପୁଅ ନାତିଙ୍କ ଆଗରେ ଟିପ ଚିହ୍ନି ଦେବାକୁ ଲାଜ ଲାଗିବନି ? ତା’ କଥା ଶୁଣି ପାଞ୍ଚ ଜଣ ଲୋକ ରାଜି ହେଲେ । ଅରୁଣର ରାତି ସ୍କୁଲ ଆରମ୍ଭ ହେଲା ।

 

ଆଜିକାଲି କୀର୍ତ୍ତନ ଘର ପ୍ରାୟ ଖାଲି ରହିଛି । ବର୍ଷକରେ ପ୍ରାୟ ତିନି ଚାରି ଥର କୀର୍ତ୍ତନ ହେଉଛି । କାରଣ ସ୍କୁଲ ଓ ଲାଇବ୍ରେରି, ହେବା ପରେ କୀର୍ତ୍ତନ ଘରକୁ କେହି ଆସନ୍ତି ନାହିଁ । ତା’ପରେ ପ୍ରତିବର୍ଷ ଲାଇବ୍ରେରି ତରଫରୁ ନାଟକ ଅଭିନୟ ହୁଏ । ଯୁବକମାନେ ସେଇ କାମରେ ଲାଗିପଡ଼ନ୍ତି । ପଇସା ବି ସଂଗ୍ରହ ହୁଏ । ଆଉ ଏ କୀର୍ତ୍ତନକୁ ପଚାରେ କିଏ ? କୀର୍ତ୍ତନ ଦେଖିଲେ କେହି ପଇସା ଦେବନି କିମ୍ବା ପାଞ୍ଚଲୋକ ତାହା ଦେବେ ନାହିଁ । ସେଥିପାଇଁ ତା’ ପ୍ରତି ଲୋକଙ୍କର ଆଗ୍ରହ କମିଗଲାଣି । ତା’ପରେ ଆଜିକାଲି ଯେକୌଣସି ସଭା ସମିତି ହେଲେ ନାଚ, ଗୀତର ବନ୍ଦୋବସ୍ତ ହେଉଛି । ସମୟ ଯାହା ଦରକାର କରୁଛି, ଲୋକମାନେ ସେଇୟା କରୁଛନ୍ତି । ଯେଉଁଆଡ଼ୁ ବର୍ଷା ଆସୁଛି, ସେ ଦିଗକୁ ଛତା ଦେଖାଇବା କଥା । ଯେଉଁ ଚିନ୍ତେଇ ସ୍ଵାଇଁ କୀର୍ତ୍ତନ ଦଳର ଦଳପତି ହୋଇଥିବ ସେ ଆଜି ରାତି ସ୍କୁଲରେ ପଢ଼ିଲାଣି ।

 

ରାତି ସ୍କୁଲ ପାଇଁ ସ୍ଥାନ ନ ଥିଲା । ସେଇ କୀର୍ତ୍ତନଘରେ ଅରୁଣ ରାତିରେ ପଢ଼ାଇଲା । ଅରୁଣ ପ୍ରତିଦିନ ସନ୍ଧ୍ୟାରେ ଯାଏ । ଲୋକମାନେ ସେମାନଙ୍କ କାମ ଶେଷ କରି ସ୍କୁଲକୁ ଆସନ୍ତି । ଲଣ୍ଠନ ଆଲୁଅରେ ରାତି ଦଶଟା ପର୍ଯ୍ୟନ୍ତ ପଢ଼ାପଢ଼ି ଚାଲେ । କେବେ କେବେ ରାତିରେ ଭାଗବତ, ମହାଭାରତ ରାମାୟଣ ବି ସେଠି ପଢ଼ାଯାଏ । ଆସ୍ତେ ଆସ୍ତେ ଲୋକସଂଖ୍ୟା ବଢ଼ି କୋଡ଼ିଏ ହେଲେ-। ଅରୁଣର ଉତ୍ସାହ ବଢ଼ିବାକୁ ଲାଗିଲା । ତା’ପରେ ଲୋକମାନଙ୍କୁ ପଢ଼ାଇବାକୁ ବିଶେଷ କଷ୍ଟ ପଡ଼େ ନାହିଁ । ଯେଉଁ ଅକ୍ଷରକୁ ଛୋଟ ପିଲାମାନେ ଶିଖିବାକୁ ଗୋଟାଏ ଦିନ ନିଅନ୍ତି, ବୟସ୍କମାନେ ସେ ସବୁ ଅଧଘଣ୍ଟା କିମ୍ବା ଘଣ୍ଟାକରେ କରି ଦିଅନ୍ତି । ଦୁଇମାସ ଭିତରେ ଅନେକ ଲୋକ ଭାଗବତ ପଢ଼ିବା ବି ଆରମ୍ଭ କରିଦେଲେ ।

 

ଅରୁଣର ପରୀକ୍ଷା ଫଳ ବାହାରିଲା । ସେ ବୃତ୍ତି ପାଇଲା । ତା’ର କୃତିତ୍ୱରେ ପାଟପୁରରେ ସମସ୍ତେ ଖୁସି । ଅନେକଙ୍କର ସନ୍ଦେହ ହେଲା, ପଇସା ଅଭାବରୁ ଅରୁଣ ବେଶୀ ଆଉ ପଢ଼ିପାରିବ ନାହିଁ ବୋଧହୁଏ । କିନ୍ତୁ ହରି ବେହେରାଙ୍କର କୌଣସି ପ୍ରତି ଖାତିର ନାହିଁ । ତାଙ୍କ ନାତି ପଢ଼ାପଢ଼ି ପାଇଁ ସେ ଜମିବାଡ଼ି ବିକିଦେବା ପାଇଁ ପ୍ରସ୍ତୁତ ରହିଲେ । ମନ ଥିଲେ ଉପାୟ ଛାଏଁ ଛାଏଁ ଆସି ଦେଖାଦିଏ । ଆଜିକାଲି ଯୁଗରେ ଯେ ଭଲ ପଢ଼ିବ, ତା’ ପାଇଁ ପଇସା ଅଭାବ ରହିବ ନାହିଁ । ଅରୁଣ ସହରରେ ବିଜ୍ଞାନ ପଢ଼ିବ ବୋଲି ଠିକ୍ କଲା ।

 

କଲେଜରେ ଅରୁଣର ନାଁ ଲେଖା ହେଲା । ପାଟପୁର ଛାଡ଼ିବା ପୂର୍ବରୁ ସେ ରାତି ସ୍କୁଲର ଦାୟିତ୍ୱ ବେଣୁବାବୁଙ୍କୁ ଦେଇଗଲା । ବେଣୁବାବୁଙ୍କୁ ଅବଶ୍ୟ ଟିକିଏ ବେଶୀ ପରିଶ୍ରମ କରିବାକୁ ପଡ଼ିବ । ତଥାପି ଖୁସିରେ ରାତିରେ ପଢ଼ାଇବା ଦାୟିତ୍ୱ ସେ ନେଲେ ।

 

ନୀଳିମା ସେ ବର୍ଷ ମାଇନର ପାଶ୍ କଲା । ଅରୁଣର ଇଚ୍ଛା ସେ କୌଣସି ହାଇସ୍କୁଲରେ ପଢ଼ୁ । କିନ୍ତୁ ସୁଷମା ତା’ ଚାହାନ୍ତି ନାହିଁ । ତାଙ୍କ ମନରେ ଝିଅ ଜନମ ତ ହାଣ୍ଡିଶାଳ ପାଇଁ । କାନ୍ଦଣା ଲହରୀ କିମ୍ବା ଜେମା ଦେଇ କାନ୍ଦ ବହି ସବୁ ପଢ଼ିପାରିଲେ ସେଇ ଯଥେଷ୍ଟ । ଆଉ ବେଶୀ ପଢ଼ି ଲାଭ କ’ଣ !

 

ଅରୁଣ ମାଉସୀକୁ ବୁଝାଇଲା କହିଲା, ମାଉସୀ ! ସେ ଯୁଗ ଗଲାଣି । ଆଉ ଏଣିକି ଝିଅମାନେ ଘରକଣରେ ଲୁଚି ରହିବେ ନାହିଁ । ପୁରୁଷମାନଙ୍କ ସହିତ ସବୁଥିରେ ତାଙ୍କର ସମାନ ଅଧିକାର । ଏଇଟା ହେଉଛି ସ୍ୱାଧୀନ ଯୁଗ । ରୋଷାଇ କରିବା କାମଟା ଝିଅମାନେ ଅବଶ୍ୟ କରିବେ । କିନ୍ତୁ ତା’ ସାଙ୍ଗରେ ସେମାନେ ଚାକିରି କରିବେ, ରାଜନୀତି କରିବେ ଆଉ ସବୁ କାମରେ ପୁରୁଷଙ୍କ ସହିତ ଭାଗ ନେବେ । ତେଣୁ ପାଠ ପଢ଼ିବା ନିତାନ୍ତ ଦରକାର । ଘନଶ୍ୟାମ କହିଲେ, ନୀଳିମାକୁ ପାଠ ପଢ଼ାଇବାକୁ କିଛି ମନା ନାହିଁ, କିନ୍ତୁ ନିକଟରେ ସ୍କୁଲ ନାହିଁ । ତା’ପରେ ତାକୁ ଏକୁଟିଆ କେଉଁଠିକି ଆଉ ଛାଡ଼ିବାକୁ ସାହସ ହେଉନାହିଁ ।

 

ଅରୁଣ ପ୍ରସ୍ତାବ ଦେଲା, ସେ ତ କଲେଜରେ ପଢ଼ିବ । ସହରରେ ଝିଅ ପିଲାଙ୍କ ପାଇଁ ଅନେକ ସ୍କୁଲ ଅଛି । ନୀଳିମା ସେଠି ହଷ୍ଟେଲରେ ରହି ପଢ଼ିବ । ତେଣୁ କିଛି ଅସୁବିଧା ହେବ ନାହିଁ-। ଘନଶ୍ୟାମ ଓ ସୁଷମା ରାଜି ହେଲେ । ନୀଳିମା ସହରର ହାଇସ୍କୁଲରେ ପଢ଼ିବାକୁ ଗଲା ।

 

ପାଟପୁର ଗାଁର ପଛପଟରେ ସେ ଦଣ୍ଡାଟା ଉତ୍ତର ଦିଗକୁ ଲମ୍ବିଯାଇଛି । ସେ ହେଲା ଗୋଚର ଜମି । କାହିଁ କେତେଦିନରୁ ସେ ଜମି ସେମିତି ପଡ଼ି ରହିଛି । ଲୋକଙ୍କର ବିଶ୍ଵାସ ରହିଛି, ସେ ହେଉଛି ଗୋଚର ଜମି, ତେଣୁ ଧର୍ମ ସ୍ଥାନ । ତାକୁ ଚାଷ କଲେ ପାପ ହେବ । ସେ ଜମିରୁ ଗୁଣ୍ଠେ ହେଲେ କେହି ନିଜର କରିନାହାନ୍ତି । ତା’ପରେ ସେ ଗୋଚର ଜମି ହେଲା ଲୋକଙ୍କର ଚଳିବା ସ୍ଥାନ । ବର୍ଷାଦିନ ହେଲେ ଦିନସାରା ଗୋରୁ ସେଇ ପଡ଼ିଆ ଜମିରେ ଚରନ୍ତି । ସନ୍ଧ୍ୟାହେଲେ ଘରକୁ ଫେରନ୍ତି ।

 

କିନ୍ତୁ ସମୟ ବଦଳି ଯାଉଛି । ଦିନକୁ ଦିନ ଲୋକସଂଖ୍ୟା ବଢ଼ୁଛନ୍ତି । ତେଣୁ ସବୁ ଜିନିଷ ଅଭାବ ପଡ଼ୁଛି । ଧର୍ମ ବିଶ୍ଵାସ ଦିନକୁ ଦିନ କମୁଛି । ତା’ ପରିବର୍ତ୍ତେ ଧନ ଲାଳସା ବୃଦ୍ଧି ହେଉଛି ଏବଂ ଲୋକ ଅସତ୍ ପଥରେ ଯିବାକୁ କୁଣ୍ଠାବୋଧ କରୁନାହିଁ । ପରର ତଣ୍ଟି ଚିପି ଦି’ ପଇସା ଠକି ନେଇ ଲୋକ ଆତ୍ମତୃପ୍ତି ପାଉଛି । ସମାଜରେ ବି ତା’ର ସମ୍ମାନ ବଢ଼ୁଛି । କେହି ଯଦି ଈଶ୍ଵର କିମ୍ବା ଧର୍ମ ବିଷୟରେ କିଛି କହୁଛି, ସମାଜରେ ସେ ଗୋଟିଏ ମୂର୍ଖ କିମ୍ବା ସମାଜ ବାହାରର ଗୋଟିଏ ଲୋକ ବୋଲି ପରିଚିତ ହେଉଛି । ତେଣୁ ଯାହାର ବି ଈଶ୍ଵର ବିଶ୍ଵାସ ଅଛି, ସେ ଜାଣି ଜାଣି ସେ ସବୁ ମନରୁ ତଡ଼ିବାକୁ ଚେଷ୍ଟା କରୁଛି । କାରଣ ସେ ଦେଖୁଛି, ଲୋକ ଖରାପ କାମ କରି ସମାଜରେ ପ୍ରତିଷ୍ଠା ଲାଭ କରୁଛି, ତା’ ପାଇଁ ଇତିହାସରେ ସ୍ଥାନ ଅଛି । କିନ୍ତୁ ଏଣେ ଧର୍ମଭୀରୁ ହୋଇ କଷ୍ଟରେ ଚଳବା କାହିଁକି ? ଚନ୍ଦ୍ରଶେଖର ତେଣୁ ଠିକ୍ ତାଙ୍କ ବାପାଙ୍କର ଓଲଟା କାମ କରୁଛନ୍ତି । ସେ ଯେକୌଣସି ଉପାୟରେ ଧନ ବଢ଼ାଇବାକୁ ଲାଗିଛନ୍ତି ।

 

ମଣିଷର ଲୋଭ ହୁଏ । ସେଇ ଲୋଭରୁ ମୃତ୍ୟୁ । ଚନ୍ଦ୍ରଶେଖରଙ୍କର ଲୋଭର ମାତ୍ରା ଖୁବ୍ ବେଶୀ ହୋଇଗଲାଣି । ସେ ବ୍ଲକର ମେମ୍ବର ହେବା ପରଠାରୁ ତାଙ୍କ ଆଖିରେ ଖାଲି ଦେଖାଯାଉଛି ଧନ । ଲୋକଙ୍କ ପାଇଁ କିଛି କାମ କରିବା କଥା ସେ ଭୁଲିଗଲେଣି ।

 

ଚନ୍ଦ୍ରଶେଖର ପାଟପୁର ଗୋଚର ଜମିରୁ ପାଞ୍ଚ ଏକର ଜମି ସରକାରଙ୍କଠାରୁ ଜମାବନ୍ଦି କରିନେଲେ । ଏକଥା ଗାଁ ଲୋକ କେହି ଜାଣିପାରିଲେ ନାହିଁ । ସରକାରଙ୍କ ପାଖରେ ତାଙ୍କର ଯୁକ୍ତି ହେଲା, ଆଜି ଦେଶର ଡାକ ହେଲା ଯେ ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ । ଗୋଚର ଜମିଗୁଡ଼ାକ ଅଯଥାରେ ପଡ଼ିଆ ପଡ଼ିଛି । ସେଥିରୁ ସେ ସୁନା ଫଳାଇବେ । ତା’ପରେ ସରକାରଙ୍କ ନୀତି ହେଲା କୃଷିର ଉନ୍ନତି କରାଇବା । ତେଣୁ ବିନା ବାଧାରେ ଚନ୍ଦ୍ରଶେଖର ଜମି ପାଇଗଲେ ।

 

ସେଦିନ ପାଟପୁରରେ ଗୋଟାଏ ଚାଞ୍ଚଲ୍ୟ ଖେଳିଗଲା, ଚନ୍ଦ୍ରଶେଖର ଗୋଚର ଜମିକୁ ଜମାବନ୍ଦି କରିନେଇଛନ୍ତି । ତା’ ଦ୍ୱାରା ଗୋରୁଙ୍କର ଯିବା ଆସିବା ରାସ୍ତା ବନ୍ଦ ହୋଇଯାଉଛି । ସରପଞ୍ଚ ନୀଳମଣିଙ୍କ ପାଖରେ ଆପତ୍ତି ହେଲା । ଘନଶ୍ୟାମ ବି ଆଉ ନୀରବ ରହିପାରିଲେ ନାହିଁ । ସେ ଚନ୍ଦ୍ରଶେଖରଙ୍କୁ ଜମି ଚାଷ କରିବାକୁ ମନା କଲେ । ନୀଳମଣି ମଧ୍ୟ ଗୋଟାଏ କିଛି ସମାଧାନ କରିବାକୁ ଚେଷ୍ଟା କଲେ । କିନ୍ତୁ ଚନ୍ଦ୍ରଶେଖର ଜମି ଛାଡ଼ିବାକୁ ନାରାଜ ହେଲେ ।

 

ବୈଶାଖ ମାସ । ଅସରାଏ ମେଘ ବରଷିଗଲା । ଜମି ସବୁ ପାଚିଲା । ଚାଷୀ ଜମି ଚାଷ ପାଇଁ ପାଗଳ ହୋଇଗଲେ । ସେମାନେ ଖାଇବା ପିଇବା ଭୁଲିଗଲେ । କାଉ କା କା କଲା ବେଳକୁ ଚାଷୀମାନେ ବିଛଣା ଛାଡ଼ନ୍ତି । ସୂର୍ଯ୍ୟଙ୍କର ନାଲି ଖରାବିଞ୍ଚି ହୋଇଗଲା ବେଳକୁ ଚାଷୀ ଜମିକୁ ହଳ କରିବା ଆରମ୍ଭ କରି ଦେଇଥାଏ । ପାଟପୁରର ଲୋକମାନେ ସମସ୍ତେ ବ୍ୟସ୍ତ । ଜମି ଚାଷ ହେବ, ଫସଲ ବୁଣା ହେବ, ଏଇ ହେଲା ସମସ୍ତଙ୍କର ଚିନ୍ତା ।

 

ଏଇ ସୁବିଧା ଦେଖି ଚନ୍ଦ୍ରଶେଖର ଗୋଚର ଜମି ଚାଷ ଆରମ୍ଭ କଲେ । ଏ ଖବର ନିଆଁ ପରି ଚାରିଆଡ଼େ ଖେଳିଗଲା । ହଳିଆମାନେ ହଳ ଠିଆ କରି ବସିପଡ଼ିଲେ । ସବୁଲୋକଙ୍କୁ ଗୋଟାଏ ଅସୁବିଧା ହେଉଛି, ଆଉ ଜଣେ ଲାଭ ଉଠାଇ ନେବାକୁ ବସିଛନ୍ତି ।

 

ସେଇ ବିଲରେ ସମସ୍ତେ ଏକଜୁଟ୍ ହୋଇ ଚନ୍ଦ୍ରଶେଖରଙ୍କ ପାଖକୁ ଆସିଲେ । ଘନଶ୍ୟାମ ଅନୁରୋଧ କରି କହିଲେ, “ଭାଇ ପୁଅରେ ଦାୟୀ ନା ବାରଶ ବଢ଼େଇରେ ଦାୟୀ ।” ନିଜର ସ୍ୱାର୍ଥ ପାଇଁ ଗାଁ ଗୋଟାକର ଲୋକଙ୍କୁ ଅସୁବିଧାରେ ପକାଇବା ଠିକ୍ ନୁହେଁ । ଚନ୍ଦ୍ରଶେଖର କିନ୍ତୁ କିଛି ଶୁଣିଲେ ନାହିଁ । ହଳକାମ ଚାଲିଲା ।

 

ପାଟପୁରର ଲୋକମାନେ ଆଉ ଧୈର୍ଯ୍ୟ ରଖିପାରିଲେ ନାହିଁ । ଅନେକ ପାଟିତୁଣ୍ଡ ପହଲା । ତା’ପରେ ଦଳେ ଲୋକ ଚନ୍ଦ୍ରଶେଖରଙ୍କ ହଳ ବଳଦ ଫିଟାଇ ଦେଲେ । ତେଣିକି ଧରା ଧରି ଆଉ ମରାମରି ଆରମ୍ଭ ହୋଇଗଲା । ଘନଶ୍ୟାମ ଯେତେ ଚେଷ୍ଟା କଲେ ଲୋକମାନଙ୍କୁ ସେ ସମ୍ଭାଳି ରଖିପାରିଲେ ନାହିଁ । ଚନ୍ଦ୍ରଶେଖର ଏଥିପାଇଁ ଆଗରୁ ପ୍ରସ୍ତୁତ ହୋଇଥିଲେ । ତାଙ୍କ ପାଇଁ ଦଳେ ଲୋକ ଠେଙ୍ଗାଧରି ଆସିଲେ । ସେ ଜମି ଉପରେ ଗୋଟାଏ ଯୁଦ୍ଧ କ୍ଷେତ୍ର ସୃଷ୍ଟି ହୋଇଗଲା । ଅନେକ ଲୋକଙ୍କର ହାତ ଗୋଡ଼ ଭାଙ୍ଗିଲା । କିନ୍ତୁ ଚାଷ କାମ ସେତିକିରୁ ବନ୍ଦ ରହିଲା ।

 

ଥାନାକୁ ଖବର ଗଲା । ପୋଲିସ ଲୋକମାନେ ଆସିଲେ । ପାଟପୁର ଦାଣ୍ଡରେ ଗୋଟାଏ ମେଳା ଲାଗିଲାପରି ଜଣା ପଡ଼ିଲା । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜମା ହୋଇ ରହିଲେ । ପୋଲିସ କ’ଣ କରିବେ, ସେଇ କଥା ଦେଖିବାପାଇଁ ।

 

ପୋଲିସ ସବ୍ଇନ୍‍ସପେକ୍ଟର ଗଣ୍ଡଗୋଳର କାରଣ ଅନୁସନ୍ଧାନ କଲେ । ସେ ଜଣକୁ ପଚାରିବା ଆରମ୍ଭ କଲେ, ଆଉ ତିନିଜଣ ତା’ ପାଇଁ କହିଲେ । ସବ୍ଇନ୍‍ସପେକ୍ଟର ଟିକିଏ ବିରକ୍ତ ହେଲେ । ନୀଳମଣି କହିଲେ, ଗୋରାଙ୍କ ସମୟ ଗଲାଣି । ସେତେବେଳେ ଲୋକମାନେ ନାଲି ପଗଡ଼ି ଦେଖିଲେ ପରିସ୍ରା କରି ପକାଉଥିଲେ । ବର୍ତ୍ତମାନ ସମସ୍ତଙ୍କ ଅଧିକାର ସମାନ । ତେଣୁ ପୋଲିସର ନାଲି ଆଖି ଦେଖି କେହି ଡରିବେ ନାହିଁ । ତୁମର ଯାହା କର୍ତ୍ତବ୍ୟ, ତା’ କରି ଚାଲିଯାଅ ।

 

ସବ୍ଇନ୍‍ସପେକ୍ଟର ବିରକ୍ତ ହୋଇ କହିଲେ, ସ୍ଵାଧୀନ ହେଲା ବୋଲି କ’ଣ ତିନିଗୁଣ୍ ମାଫ୍ । ତୁମର ଯାହା ନାଯ୍ୟଦାବୀ ତା’ ଉପରେ ସିନା କେହି ହସ୍ତକ୍ଷେପ କରିବେ ନାହିଁ । ତା’ ବୋଲି କ’ଣ ତୁମ୍ଭେମାନେ ସମାଜରେ ବି ଶୃଙ୍ଖଳା ରଖିବ ନାହିଁ ? ଯଦି ପରସ୍ପରକୁ ସମ୍ମାନ ନ ଦେଇ ଶିଖିବ । ତା’ହେଲେ ସମାଜ ଚଳିବ କିପରି ? ପ୍ରତ୍ୟେକ ଯଦି ନିଜକୁ ଖୁବ୍ ବଡ଼ ମନେ କରି ରହିବେ । କେହି କାହା କଥା ମାନିବେ ନାହିଁ । ତା’ହେଲେ ସମାଜ ଭୁଷୁଡ଼ି ପଡ଼ିବ । ଯେଉଁ ସ୍ଵାଧୀନତା ପାଇଁ ଆଜି ସମସ୍ତେ ଗର୍ବ କରୁଛନ୍ତି, ସେ ଅତି ସହଜରେ ଅନ୍ୟ ହାତକୁ ଚାଲିଯିବ ।

 

ନୀଳମଣି କହିଲେ, ଏଠି ତ ସେ କଥା ପଡ଼ିନି । ଏଇଟା ଗାଁ ଗଣ୍ଡଗୋଳ । ସମସ୍ତଙ୍କର ଅସୁବିଧା ହେଉଛି । ତେଣୁ ସମସ୍ତେ ସେ କଥା କହିବାକୁ ତରତର ହେଉଛନ୍ତି । ତା’ପରେ ପୋଲିସ ସବ୍ଇନ୍‍ସପେକ୍ଟର ଜଣ ଜଣ କରି କଥାଟା କ’ଣ ପଚାରିଲେ । ଦୁଇ ପକ୍ଷର ଲୋକ ନିଜ ନିଜର କଥା କହିଲେ ।

 

ଚନ୍ଦ୍ରଶେଖର ଚେଷ୍ଟା କଲେ ପୋଲିସ ରିପୋର୍ଟଟାକୁ ତାଙ୍କ ସପକ୍ଷରେ କରାଇ ନେବାକୁ-। ସେଥିପାଇଁ ସେ ଧନର ଲୋଭ ବି ଦେଖାଇଲେ । ସବ୍ଇନ୍‍ସପେକ୍ଟର କହିଲେ ତା’ ହୋଇପାରିବ ନାହିଁ । ସେ ଘଟଣା ତଦନ୍ତ କଲେ । ଯାହା ଜାଣିଲେ ସେଇୟା ଲେଖିବେ ।

 

ଚନ୍ଦ୍ରଶେଖର ବିରକ୍ତ ହୋଇଗଲେ । ସେ ଭାବିଲେ ସିଧା ଆଙ୍ଗୁଠିରେ ଘିଅ ଉଠୁନାହିଁ । ଭୟ ଦେଖାଇ ପୋଲିସ ଅଫିସରଙ୍କଠାରୁ କାମ ହାସଲ କରିନେବେ । ସବ୍ଇନ୍‍ସପେକ୍ଟରଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କଲେ ।

 

ସେଇ ରାତିରେ ପୋଲିସ ସବ୍ଇନ୍‍ସପେକ୍ଟରଙ୍କ ଉପରେ ମାଡ଼ ହେଲା । ତାଙ୍କୁ ମାରିଦେବାର ଭୟ ଦେଖାଇଲେ । ସେ ଜୀବନର ମାୟା ଛାଡ଼ି ପାରିଲେ ନାହିଁ କଥା ଦେଲେ, ଚନ୍ଦ୍ରଶେଖରଙ୍କୁ ସୁହାଇଲା ଭଳି ରିପୋର୍ଟ ଦେବେ । ରାତାରାତି ପୋଲିସ ସବ୍ଇନ୍‍ସପେକ୍ଟର ଥାନାକୁ ଫେରିଗଲେ । ପୋଲିସ ଅଫିସରଙ୍କୁ ମାଡ଼ ଦେଇଥିବା ଅଭିଯୋଗରେ ଚନ୍ଦ୍ରଶେଖରଙ୍କ ବିରୁଦ୍ଧରେ ଆଉ ଗୋଟିଏ ମକଦ୍ଦମା ହେଲା । ଏକା ସାଥିରେ ଦୁଇଟି ମକଦ୍ଦମା ।

 

ଅରୁଣ ଘରଠାରୁ ଶହ ଶହ ମାଇଲ୍ ଦୂରରେ ରହି ପଢ଼ୁଛି ଇଞ୍ଜିନିୟରିଂ । ସେ ହେବ ସିଭିଲ୍ ଇଞ୍ଜିନିୟର । ମନରେ ବିରାଟ କଳ୍ପନା । ସେ ଗଢ଼ିବ ବନ୍ଧ, ପୋଲ, କଳକାରଖାନା, କୋଠାବାଡ଼ି କେତେ କ’ଣ । ସ୍ଵାଧୀନଦେଶ ଆଗେଇ ଚାଲିବ ଉନ୍ନତି ପଥରେ । କଲେଜରେ ଏମିତି କେତେ କଥା ଶୁଣୁଛି । ଇଞ୍ଜିନିୟରମାନେ ହେଉଛନ୍ତି ଦେଶ ନିର୍ମାଣକାରୀ । ସେମାନେ ଯେତିକି କାମ କରିବେ । ଦେଶ ସେଇ ପରିମାଣରେ ଆଗେଇ ପାରିବ । ଇଞ୍ଜିନିୟରିଂ କାମ ସବୁ ହେଉଛି ଦେଶ ଅଗ୍ରଗତିର ମାପକାଠି । ଏ ସବୁ ଶୁଣି ଶୁଣି ଅରୁଣ ପ୍ରତିଜ୍ଞା କରିଛି, ସେ ନିଜକୁ ଦେଶ କାମରେ ଲଗାଇବ । ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ କାମ କରିଯିବ । ଏଇ ତା’ର ପଣ ।

 

ଗାଁକୁ ଅରୁଣ ଆସିଥିଲା ଛୁଟିରେ । ନିଜର କର୍ମମୟ ଜୀବନରୁ ଛୁଟିନେଇ ଗାଁର ଶାନ୍ତ ବାୟୁମଣ୍ଡଳ ଭିତରେ କିଛିଦିନ କଟାଇବା ତା’ର ଇଚ୍ଛା । କିନ୍ତୁ ଗାଁରେ ପହଞ୍ଚି ସେ ଦେଖିଲା କଥାଟା ଓଲଟା । ଏହା ଭିତରେ ପାଟପୁରରେ ଆସିଛି ପରିବର୍ତ୍ତନ । ପରଶ୍ରୀକାତରତା ଓ ପରନିନ୍ଦା କରିବା ଦେଉଛି ଲୋକମାନଙ୍କ କାମ । ତା’ ମନରେ ଭୀଷଣ ଆଘାତ ଲାଗିଲା । ସେ ଭାବିଲା, ଯେଉଁ ଦେଶର ଲୋକମାନେ କେବଳ ନିଜର ସ୍ଵାର୍ଥପାଇଁ ବ୍ୟସ୍ତ ରହିଲେଣି ଆଉ ପରର ସୁଖ ସୁବିଧା ଦେଖିବାକୁ ନାରାଜ, ସେ ଦେଶ ଆଗେଇବ କ’ଣ ? ନିଜ ଭିତରେ କଳି ଝଗଡ଼ା ଆରମ୍ଭ କଲେ, ତୃତୀୟ ପକ୍ଷ ଆସି ନିଶ୍ଚୟ ଫାଇଦା ଉଠାଇବ । ତେଣୁ ଲୋକଙ୍କ ଧାରଣାକୁ ଏଇଦିନରୁ ପରିବର୍ତ୍ତନ କରିବା ଦରକାର । ତା’ ନ ହେଲେ ଲାଞ୍ଚ, ମିଛ, ଦୁର୍ନୀତି ଯେତେବେଳେ ଲୋକଙ୍କ ଶିରା ପ୍ରଶିରାରେ ଭେଦିଯିବ, ତାକୁ ଘୁଞ୍ଚାଇବା ବଡ଼ କଷ୍ଟ ହେବ ।

 

ଅରୁଣ ଅନେକ ଚିନ୍ତା କଲା କିପରି ଗାଁ ଗଣ୍ଡଗୋଳକୁ ତୁଟାଇଦେବ । ତା’ ନ ହେଲେ ତା’ କଲେଜ ଜୀବନରେ ଶାନ୍ତି ଆସିବ ନାହିଁ । ଯେତେ ଦୂରରେ ରହିଲେ ମଧ୍ୟ ଗାଁ ଚିନ୍ତାଟା ମୁଣ୍ଡରୁ ତଡ଼ି ଦେଇ ହେବ ନାହିଁ । ତା’ ପରେ ଗାଁ ଲୋକମାନେ ତ ସରଳ ଲୋକ । ସେମାନଙ୍କୁ ବୁଝାଇ ଯେ ଯେଉଁ ବାଟରେ ନେଇ ପାରୁଛି । ଯେମିତି ଦୁଷ୍ଟ ଲୋକମାନେ ତାଙ୍କ ଉଦ୍ଦେଶ୍ୟ ପୂରଣ କରି ପାରୁଛନ୍ତି, ସେମିତି ଭଲ ଲୋକ କେହି ଚେଷ୍ଟା କଲେ, ଗାଁ ଲୋକମାନେ ଭଲ ବାଟରେ ଚାଲିବେ । ଗାଁର ବାୟୁମଣ୍ଡଳକୁ ତ ଏଇ ଟାଉଟର ଲୋକମାନେ ନଷ୍ଟ କରି ଦେଉଛନ୍ତି । ଯେ ପର୍ଯ୍ୟନ୍ତ ଗାଁ ଗଣ୍ଡାର ଦାୟିତ୍ଵ ଭଲ ଲୋକଙ୍କ ହାତକୁ ନ ଯାଇଛି ଦେଶର ଉନ୍ନତି କଳ୍ପନା କରିବା ଅସମ୍ଭବ ।

 

ଅରୁଣ ସବୁ ଲୋକଙ୍କୁ ଡାକି ଜଣ ଜଣ କରି ପଚାରିଲା । ପ୍ରତ୍ୟେକ କହିଲେ, ଚନ୍ଦ୍ରଶେଖର ଗୋଚର ଜମିକୁ ଛାଡ଼ିଦେଲେ, ତାଙ୍କର କଳି କରିବାର କିଛି କାରଣ ନାହିଁ । ସେଇଟା ଅବଶ୍ୟ ସେମାନଙ୍କର ଉପଯୁକ୍ତ ଦାବି । ତେଣୁ ସବୁକଥା ରହିଲା ଚନ୍ଦ୍ରଶେଖରଙ୍କ ଠାରେ । ସେ ଜମିଟାକୁ ଛାଡ଼ିଦେଲେ ସବୁ ଅଡ଼ୁଆ ଛିଣ୍ଡିଯିବ ।

 

ଏ ଦଙ୍ଗା ହେଙ୍ଗାମ ପରେ ଚନ୍ଦ୍ରଶେଖର ଓ ନୀଳମଣିଙ୍କର ଭଲ ସମ୍ପର୍କ ନାହିଁ । ଚନ୍ଦ୍ରଶେଖର ଆଶା କରିଥିଲେ, ନୀଳମଣି ତାଙ୍କୁ ସାହାଯ୍ୟ କରିବେ । ସରପଞ୍ଚ ଦେଖିଲେ ଯେ ଗୋଟିଏ ପକ୍ଷରେ ବନ୍ଧୁ ଓ ଅନ୍ୟପକ୍ଷରେ ଗ୍ରାମବାସୀମାନେ । ତେଣୁ ସେ ନିରପକ୍ଷ ରହିଗଲେ । ତା’ପରେ ଗଣ୍ଡଗୋଳଟା କିପରି ସହଜରେ ସମାଧାନ ହେଉ, ସେଇ ଚେଷ୍ଟାରେ ସେ ଅଛନ୍ତି ।

 

ଅରୁଣ ଚନ୍ଦ୍ରଶେଖରଙ୍କୁ ବୁଝାଇବାରେ ଲାଗିଛି । ଅନେକଥର ସେ କହିଲାଣି, ସମୂହ ସ୍ୱାର୍ଥରେ ବାଧା ଦେଲେ କେବେ ମଙ୍ଗଳ ହେବ ନାହିଁ । ରାତି ପାହିଲେ ସବୁ ଗାଁ ଭାଇ ମୁଁହ ଚାହାଁ ଚାହିଁ ହେବା କଥା । ଗାଁ ଭିତରେ କଳି କରି କେତେଦିନ ବା ସମସ୍ତଙ୍କ ବିରୁଦ୍ଧରେ ଚଳିହେବ ? ଏ ସବୁ ବିଚାର କରି ଗୋଚରକୁ ଦଖଲ କରିବା ଠିକ୍ ନୁହେଁ ।

 

ଚନ୍ଦ୍ରଶେଖର ମଧ୍ୟ ଏହା ମଧ୍ୟରେ ଡରିଗଲାଣି । ପୋଲିସଙ୍କ ତରଫରୁ ଯେଉଁ ମକଦ୍ଦମାଟା ହୋଇଛି, ସେଥିପାଇଁ ତାଙ୍କୁ ସାହାଯ୍ୟ କରିବାକୁ କେହି ନାହାନ୍ତି । ବରଂ ଗାଁରୁ କେତେଜଣ ତାଙ୍କ ବିରୁଦ୍ଧରେ ସାକ୍ଷୀ ଦେବାକୁ ଠିକ୍ ହେଲେଣି । ଏଣେ ଗାଁଲୋକଙ୍କ ସାଙ୍ଗରେ ଶତ୍ରୁତା । ଗୋଟାଏ ରାଗବେଳେ ଏ ସବୁ ସିନା ହୋଇଗଲା । କିନ୍ତୁ ବର୍ତ୍ତମାନ ସେ ସବୁକୁ ସମ୍ଭାଳିବା କଷ୍ଟ ହୋଇପଡ଼ିଲାଣି । ସେ ବୁଝିସାରିଲେଣି, ପାଣିରେ ଘର କରି କୁମ୍ଭୀର ସାଙ୍ଗରେ କଳି କରିବା ଠିକ୍ ନୁହେଁ । ଗାଁରେ ଘର କଲେ । ପାଞ୍ଚ ଭାଇଙ୍କୁ ନେଇ ଚଳିବାକୁ ହେବ । ତେଣୁ ତାଙ୍କ ସାଙ୍ଗରେ ମିଶିଯିବାକୁ ପଡ଼ିବ ।

 

ପଙ୍କଜ ମହାନ୍ତି ପାଟପୁରକୁ ଆସିଥିଲେ । ତାଙ୍କରି ମଧ୍ୟସ୍ଥିରେ କଥାଟା ଫଇସଲ ହୋଇଗଲା । ଚନ୍ଦ୍ରଶେଖର ଜମି ଛାଡ଼ି ଦେବାକୁ ରାଜି ହୋଇଗଲେ । ଗାଁ ଲୋକମାନେ ସମସ୍ତେ ପୁଣି ମିଳିଗଲେ । ଦୁଇପକ୍ଷ ଲାଗି ମକଦ୍ଦମାଟାକୁ ଉଠାଇ ଆଣିଲେ ।

 

କିନ୍ତୁ ଚନ୍ଦ୍ରଶେଖରଙ୍କ ବିରୁଦ୍ଧରେ ପୋଲିସ ମକଦ୍ଦମାଟା ବଡ଼ ଗୁରୁତର ହୋଇଗଲା । ଅବଶ୍ୟ ପାଟପୁରରୁ ତାଙ୍କ ବିରୁଦ୍ଧରେ କେହି ସାକ୍ଷୀ ଦେଲେ ନାହିଁ । କିନ୍ତୁ ସରକାରୀ ଓକିଲଙ୍କର ଯୁକ୍ତି ବଡ଼ ଅକାଟ୍ୟ ହୋଇପଡ଼ିଛି । ସେ କହୁଛନ୍ତି, ସମାଜର ଶୃଙ୍ଖଳାକୁ ଯେଉଁମାନେ ନଷ୍ଟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ବଡ଼ କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ହେବ । ପୋଲିସମାନେ ହେଲେ ଶାନ୍ତି ରକ୍ଷା କରିବା ଲୋକ । ସେମାନଙ୍କୁ ଯଦି ସମ୍ମାନ ନ ଦେଇ ଲୋକମାନେ ମାଡ଼ ଦିଅନ୍ତି, ତା’ହେଲେ ଦେଶ ଚଳିବ କିମିତି ? କେତେକ ଲୋକ ଭାବୁଛନ୍ତି, ଜୋର ଯାର, ମୁଲକ ତା’ର ହେବ-। ତେଣୁ ଦୋଷୀକୁ କଡ଼ା ଦଣ୍ତ ଦେଲେ, ଅନ୍ୟମାନଙ୍କୁ ଶିକ୍ଷା ମିଳିବ ।

 

ଚନ୍ଦ୍ରଶେଖର ତରଫରୁ ଓକିଲମାନେ ବି ଲଢ଼ିଲେ । କିନ୍ତୁ ସେ ଦୋଷୀ ବୋଲି ସାବ୍ୟସ୍ତ ହେଲେ । ତାଙ୍କୁ ଦୁଇହଜାର ଟଙ୍କା ଜୋରିମାନା ହେଲା । ସେ ଆଉ ବ୍ଲକର ମେମ୍ବର ହୋଇପାରିଲେ ନାହିଁ । ଟଙ୍କା ଯେତେବେଳେ ହାତରୁ ଗଲା, ଚନ୍ଦ୍ରଶେଖରଙ୍କର ମନ ଘର ଧରିଲା । ସେ ବୁଝିପାରିଲେ ଯେ ସମୟ ବଦଳିଗଲାଣି । ଟଙ୍କାର ବଳ ନେଇ କେହି ଖରାପ କାମ କରି ତିଷ୍ଠିପାରିବ ନାହିଁ । ତୁମେ ଅନ୍ୟର ସୁଖ ଦୁଃଖ ପ୍ରତି ନଜର ନ ଦେଲେ ଅନ୍ୟମାନେ ତୁମ କଥା ଭାବିବେ ନାହିଁ । ଚନ୍ଦ୍ରଶେଖରଙ୍କୁ ଏ ଗୋଟାଏ ଶିକ୍ଷା ମିଳିଗଲା ।

 

ପାଟପୁର ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଲା । କେବଳ ଗୋଟାଏ ପରିବର୍ତ୍ତନ ଆସିଲା, ସେ ହେଉଛି ନୀଳମଣି ଓ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଶତ୍ରୁତା । ଚନ୍ଦ୍ରଶେଖର ଏ କଥା କାହାକୁ କହିଲେ ନାହିଁ । କାରଣ ସେ ଭାବୁଥିଲେ ସରପଞ୍ଚଙ୍କ ସାହାଯ୍ୟରେ ଜମିଟାକୁ ଦଖଲ କରିବେ । କିନ୍ତୁ ଚକ ଓଲଟିଗଲା । ଜମି ପାଇବା ପରିବର୍ତ୍ତେ ଘର ପଇସା ସବୁ ଖର୍ଚ୍ଚ କରି ବସିଲେ-। ସୁବିଧା ପାଇଲେ, ନୀଳମଣିକୁ ଖାଲରେ ପକାଇବା ଉଦ୍ଦେଶ୍ୟରେ ସେ ରହିଲେ ।

 

ନୀଳିମା ସହରରେ ପଢ଼ିବାର ଚାରିବର୍ଷ ହୋଇଗଲା । ପ୍ରଥମ ଦୁଇବର୍ଷ ଅରୁଣ ଥିଲା । ତେଣୁ ବିଶେଷ କିଛି ଅସୁବିଧା ସେ ଅନୁଭବ କରି ନ ଥିଲା । ତା’ପରେ ଅବଶ୍ୟ ଚିହ୍ନା ଜଣା ହୋଇଗଲା । ତେଣୁ ଅରୁଣ ଯିବା ପରେ ସହରରେ ସେ ନିଜକୁ ଚଳାଇ ପାରିଲା । କିନ୍ତୁ ଅରୁଣ ମଝିରେ ମଝିରେ ଚିଠି ଦେଇ ନୀଳିମାକୁ ସାବଧାନ ହୋଇ ଚଳିବାକୁ ଉପଦେଶ ଦିଏ ।

 

ଗାଁ ଠାରୁ ଦୂରରେ ରହିଲେ ଅନେକ ସମୟରେ ଗାଁ’ର ରୂପ ଆସି ଆଖି ଆଗରେ ନାଚି ଉଠେ । ଗାଁ’ର ସେଇ ଆମ୍ବତୋଟା, ବରକୋଳି ଗଛ, ନଈକୂଳ ସବୁ ଗୋଟି ଗୋଟି କରି ମନକୁ ଆସନ୍ତି । ବେଳେବେଳେ ଏମିତି ବି ମନହୁଏ ଗାଁ ମାଟିକୁ ଫେରିଯାଇ ନାଚି କୁଦି ମଣିଷ ସମୟ କଟାଇ ଦିଅନ୍ତା । ଗାଁ’ର ମାୟା ମଣିଷକୁ ଟାଣେ ତେଣୁ ଲୋଭ ବଢ଼େ ।

 

ଅରୁଣ ଯେମିତି ଗାଁ’ର ଉନ୍ନତି ପାଇଁ ପିଲାଟି ଦିନରୁ ଚେଷ୍ଟା କରି ଆସୁଛି, ନୀଳିମା ତା’ଠାରୁ ସେ କଥା ଶିଖିଲାଣି । ଏ ହେଉଛି ସାଙ୍ଗର ଗୁଣ । ଜଣେ ଲୋକ ଚୋରଙ୍କ ସାଙ୍ଗରେ ରହିଲେ ଚୋର ହୁଏ ଆଉ ସାଧୁ ସଙ୍ଗଦ୍ୱାରା ମନର କାଳିମାକୁ ଦୂର କରେ ।

 

ନୀଳିମା ଅନେକ ଦିନରୁ ଭାବିଲାଣି ତାଙ୍କ ଗାଁ’ରେ ଗୋଟିଏ ବାଳିକା ସ୍କୁଲ ଖୋଲିବା ପାଇଁ, ତା’ ବାପାର ସିନା ଧନ ଅଛି ବୋଲି ସେ ସହରରେ ପଡ଼ୁଛି । କିନ୍ତୁ ଗାଁ ଗଣ୍ଡାରେ ଏମିତି ଝିଅ ଅଛନ୍ତି, ସେମାନେ କୌଣସି ଗୁଣରେ ସହର ଝିଅଙ୍କଠାରୁ କମ୍ ନୁହନ୍ତି । କେବଳ ଶିକ୍ଷା ଅଭାବରୁ ପଛରେ ପଡ଼ି ଯାଉଛନ୍ତି । ବଣମଲ୍ଲୀ ବଣରେ ଝଡ଼ିଯାଉଛି । ତା’ର ସୁବାସ କେହି ପାଇ ପାରୁନାହାନ୍ତି । ବାଳିକା ସ୍କୁଲଟା ଖୋଲିଲେ, ଅନ୍ତତଃ ତା’ ସାଙ୍ଗରେ ମିଳି କାମ କରିବାକୁ ଅନେକ ଝିଅ ବାହାରିବେ । ଏଇକ୍ଷଣି ତ ଏମିତି ହେଲାଣି ଯେ ତା’ ସାଙ୍ଗ ଝିଅ ସବୁ ତା’ ସାଙ୍ଗରେ କଥା କହିବାକୁ ସଙ୍କୋଚ କଲେଣି । ସେଇ ଚିନ୍ତେଇ ସ୍ୱାଇଁଙ୍କ ଝିଅ ମାଳ । କେଡ଼େ ସୁନ୍ଦର ଝିଅଟିଏ ! ବାର କି ତେର ବରଷ ତାକୁ ଚାଲିଛି । ଘରର ସବୁ କାମ କେତେ ଦିନୁ କଲାଣି । ଗାଁ ସ୍କୁଲରେ ସମସ୍ତଙ୍କଠାରୁ ଭଲ ପଢ଼ୁଥିଲା । ତା’ ବାପାର ଧନ ନାହିଁ ବୋଲି ସିନା ସେ ଘରେ ରହିଲା ।

 

ପାଟପୁରରେ ତ ମାଇନର ସ୍କୁଲ ଅଛି । କିନ୍ତୁ ଗାଁ ଗଣ୍ଡାର ଲୋକଙ୍କ ଧାରଣା, ପୁଅ ପିଲାଙ୍କ ସାଙ୍ଗରେ ଝିଅ ପିଲା ପଢ଼ିବା ଭଲ ନୁହେଁ । ତେଣୁ ସେମାନଙ୍କୁ ସ୍କୁଲକୁ ପଠାଉ ନାହାନ୍ତି । ଯଦି ଝିଅ ପିଲାଙ୍କ ପାଇଁ ସ୍କୁଲ ଖୋଲିବ, ସମସ୍ତେ ତାଙ୍କ ପିଲାଙ୍କୁ ଖୁସିରେ ପଠାଇବେ ।

 

ଅରୁଣ ନୀଳିମା କଥାକୁ ପସନ୍ଦ କଲା । ଏ କଥା ତା’ ମନକୁ କେବେ ଆସି ନ ଥିଲା । ଦୁଇଜଣ ମିଶି ସମସ୍ତଙ୍କୁ କହିଲେ । ଅରୁଣ ଏ ବିଷୟରେ ନୀଳମଣି ଓ ପଙ୍କଜ ମହାନ୍ତିଙ୍କ ସାଙ୍ଗରେ କଥାବାର୍ତ୍ତା କଲା । ପଙ୍କଜ ମହାନ୍ତି ବି ମତ ଦେଲେ ଯେ ସରକାର ବାଳିକା ସ୍କୁଲ ପାଇଁ ସବୁ ଖର୍ଚ୍ଚ ବହନ କରୁଛନ୍ତି । କେବଳ ଟଙ୍କା ଆଣି ତାକୁ କାମରେ ଲଗାଇବା କଥା ।

 

ପାଟପୁର ଗାଁ ବର୍ତ୍ତମାନ ମିଶିଯାଇଛି । ଝଡ଼ ତୋଫାନ ପରେ ବାୟୁମଣ୍ଡଳ ଯେପରି ଶାନ୍ତ ପଡ଼ିଯାଏ, ବର୍ତ୍ତମାନ ସେଇପରି ହୋଇଛି । ସ୍କୁଲ କାମ ପାଇଁ ସମସ୍ତେ ଗୋଟାଏ ନୂଆ ଉତ୍ସାହ ନେଇ ଲାଗିପଡ଼ିଲେ । ଝିଅର ଆଗ୍ରହ ଦେଖି ଘନଶ୍ୟାମ ବାଳିକା ମାଇନର ସ୍କୁଲର ଦାୟିତ୍ଵ ନେଲେ । ବାଳକମାନଙ୍କ ସ୍କୁଲ ଆଗରେ ବାଳିକା ମାଇନର ସ୍କୁଲ ଖୋଲିଲା । ଯେଉଁ ଝିଅମାନେ ପାଠପଢ଼ା ବନ୍ଦ କରିଥିଲେ ସେମାନେ ନୂଆ ସ୍କୁଲରେ ନାଁ ଲେଖାଇଲେ । ପାଠ ପଢ଼ା ପଢ଼ି ଚାଲିଲା-

 

ଭାଦ୍ରବ ମାସ । ଦିନରାତି ଲାଗି ତିନିଦିନ ଧରି ବର୍ଷା ହେଲା । ପାହାଡ଼ ଉପରେ କେତେ ଯେ ବର୍ଷା ହେଲା ତା’ର ଠିକଣା ରହିଲା ନାହିଁ । ଏତେ ବର୍ଷା କାହିଁ କେବେ ଦେଖା ନ ଥିଲା । କେହି ଲୋକ ଘରୁ ବାହାରି କେଉଁଆଡ଼େ ଯାଇ ପାରିଲେ ନାହିଁ । ଦେବୀ ନଦୀର ଉପର ମୁଣ୍ଡରେ ବନ୍ଧ ହୋଇଥିଲା କିନ୍ତୁ ଏତେ ପାଣି ବନ୍ଧ ସମ୍ଭାଳି ରଖିପାରିଲା ନାହିଁ । ନଈରେ ଅଚାନକ ଭାବରେ ବନ୍ୟା ଆସିଲା ।

 

ରାତି ପାହିଲା ବେଳକୁ ଚାରିଆଡ଼େ ଖାଲି ପାଣିରେ ଭରିଯାଇଛି । ଗାଁ ଗୁଡ଼ାକ ସମୁଦ୍ର ଭିତରେ ଦ୍ଵୀପ ଭଳି ଦେଖା ଯାଉଛନ୍ତି । ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ଲୋକମାନେ ଏଭଳି ବନ୍ୟା ପାଇଁ ଆଗରୁ ପ୍ରସ୍ତୁତ ନ ଥିଲେ । ବନ୍ୟା ବେଳକୁ ବେଳ ବଢ଼ିବାକୁ ଲାଗିଲା । ଗାଁ ଦାଣ୍ଡରେ ପାଣିର ସୁଅ ଚାଲିଲା । ଲୋକମାନଙ୍କୁ ଉପାୟ ଦେଖାଗଲାନି କ’ଣ କରିବେ ବୋଲି । ନିରାପଦ ସ୍ଥାନ ତ କିଛି ନାହିଁ । ତେଣୁ ଲୋକମାନେ ନିଜ ନିଜ ଘରେ ମୁଣ୍ଡରେ ହାତ ଦେଇ ବସିଲେ-। ନୀଚା ସ୍ଥାନରେ ଯେଉଁ ଘର ସବୁ ହୋଇଥିଲା, ସେ ଭୁଷୁଡ଼ି ପଡ଼ିଲା । ପ୍ରତି ଗାଁରେ ଛୋଟ ଛୋଟ ପିଲା ଓ ସ୍ତ୍ରୀ ଲୋକମାନେ ଖାଲି କାନ୍ଦିଲେ । ମଣିଷର ଯେତେବେଳେ କିଛି କରିବାକୁ ବଳ ପାଇଲା ନାହିଁ, ଈଶ୍ଵରଙ୍କ ଉପରେ ସବୁ ଦାୟିତ୍ଵ ଦେଇ ବସିଲେ । କାହାରି ମନରେ ଜୀବନର ଆଶା ରହିଲା ନାହିଁ, ବର୍ଷା ଯୋଗୁ ଜିନିଷପତ୍ର ସବୁ ଓଦା ହୋଇଯାଇଥିଲା । ତେଣୁ ଲୋକମାନେ କିଛି ରୋଷାଇ କରି ଖାଇପାରିଲେ ନାହିଁ ।

 

ବନ୍ୟା ସମ୍ବାଦ ସରକାର ପାଇଲେ । ପାଟପୁର ଅଞ୍ଚଳକୁ ସାତଦିନ ପରେ ସରକାରୀ ସାହାଯ୍ୟ ଆସିଲା । ରନ୍ଧା ହୋଇଥିବା ଖାଦ୍ୟ ହେଲିକେପ୍ଟର ସାହାଯ୍ୟରେ ଲୋକମାନଙ୍କୁ ଯୋଗାଇ ଦିଆଗଲା । ତା’ ସାଙ୍ଗରେ ଚାଉଳ, ସିଝା ଆଳୁ, ସିଝା ବୁଟ, ବିସ୍କୁଟ ସବୁ ଉପରୁ ପକାଇଲେ । କିନ୍ତୁ ସେଥିରୁ କେତେକ ପାଣିରେ ପଡ଼ିଗଲା ମଧ୍ୟ, ସମସ୍ତେ ଭୋକରେ ଆତୁର । ଏ ପ୍ରକାର ସାହାଯ୍ୟ ସମୁଦ୍ରକୁ ଶଙ୍ଖେ ପଣା ପରି ହେଲା । ତଥାପି “ଢୋକେ ପିଇ, ଦଣ୍ଡେ ଜୀଇ” କଥାଟା ଅଛି । ଲୋକମାନଙ୍କୁ ଏ ଖାଦ୍ୟ ଅନେକ ପରିମାଣରେ ସାହାଯ୍ୟ କଲା । ତା’ପରେ ସରକାରଙ୍କ ତରଫରୁ ଲଞ୍ଚ୍, ଡଙ୍ଗା ସବୁ ଆସିଲା । ଲୋକମାନେ ନିରାପଦ ସ୍ଥାନକୁ ସବୁ ଚାଲିଗଲେ ।

 

ବର୍ଷା ମଝିରେ ମଝିରେ ହେଉଥାଏ । ତେଣୁ ବଢ଼ିପାଣି ମାସକ ପର୍ଯ୍ୟନ୍ତ କମିଲା ନାହିଁ । କଅଁଳ ଧାନଗଛ ସବୁ ପାଣିରେ ବୁଡ଼ି ପଚିଗଲା । ଚାଷୀମାନଙ୍କର ଆଶା ବି ପାଣିରେ ଧୋଇ ହୋଇ ଚାଲିଗଲା । ବନ୍ୟାପରେ ଚାଷୀମାନଙ୍କ ଭିତରେ ହା ହା କାର ପଡ଼ିଗଲା । ପାଖରେ ଏଣେ ବିହନ ନାହିଁ କିମ୍ବା ପୁଣି ଥରେ ଚାଷ କରି ଫସଲ ଲଗାଇବାକୁ ସମୟ ବି ନାହିଁ ।

 

ବନ୍ୟା ପରେ ପରେ ଅନେକ ରୋଗ ବ୍ୟାପିଲା । ବିଶେଷତଃ ଖରାପ ଖାଦ୍ୟ ଓ ପଚାପାଣି ଯୋଗୁ, ଜ୍ୱର, ଶର୍ଦ୍ଦି, ହଇଜା ପ୍ରଭୃତିରେ ଲୋକମାନେ ପଡ଼ିଲେ । ସରକାର ସେଥିପାଇଁ ଆଗରୁ ପ୍ରସ୍ତୁତ ଥିଲେ । ଡାକ୍ତର ଓ ସ୍ୱେଚ୍ଛାସେବକମାନେ ଔଷଧ ଆଣି ଗାଁ ଗଣ୍ଡାରେ ସବୁ ପହଞ୍ଚିଗଲେ । ରୋଗସବୁ ବିଶେଷ ଭାବରେ ବ୍ୟାପିପାରିଲା ନାହିଁ ।

 

ଜାତୀୟ ସରକାର ରିଲିଫ କେନ୍ଦ୍ରମାନ ଖୋଲିଲେ । ଲୋକମାନଙ୍କୁ ଚାଉଳ, ଡାଲି, ଲୁଗାପଟା ଇତ୍ୟାଦି ସବୁ ଯୋଗାଇ ଦିଆଗଲା । ତା’ପରେ ମଧ୍ୟାହ୍ନ ଭୋଜନ କେନ୍ଦ୍ରମାନ ଖୋଲି ସ୍କୁଲମାନଙ୍କରେ ସବୁ ପିଲାଙ୍କୁ ଖାଇବାକୁ ଦେଲେ । ବନ୍ୟା ପୀଡ଼ିତ ଲୋକଙ୍କୁ ସାହାଯ୍ୟ ଦେବାପାଇଁ ବିଦେଶରୁ ବି ଅନେକ ସାହାଯ୍ୟ ଆସିଲା । ଚାଉଳ, ଦୁଧ ଗୁଣ୍ଡ, ଘିଅ, ପ୍ରଭୃତି ସରକାର ପ୍ରତି ଗ୍ରାମରେ ମହଜୁତ କରି ରଖିଲେ । ସେ ସବୁ ସରପଞ୍ଚଙ୍କ ଦାୟିତ୍ୱରେ ରହିଲା । ସେଇମାନେ ଯାହାର ଦରକାର ସେମାନଙ୍କୁ ଦେବେ ।

 

ତା’ପରେ ଆଉ ଗୋଟାଏ ବଡ଼ ଚିନ୍ତା ହେଲା । ଫସଲ ତ ସବୁ ନଷ୍ଟ ହୋଇଛି । ଏଇ ଦିନୁ କିଛି ବ୍ୟବସ୍ଥା ନ କଲେ, ଆସନ୍ତା ବର୍ଷକୁ ଖାଦ୍ୟ ଅଭାବ ପଡ଼ିବ । ତେଣୁ ସରକାର ବିହନ ପାଇଁ ଟଙ୍କା ସାହାଯ୍ୟ କଲେ ଏବଂ ଅନେକ ସ୍ଥାନରେ ବିହନ ମଧ୍ୟ ଯୋଗାଇଦେଲେ । ଯେଉଁ ଜମିରେ ବାଲି ପଡ଼ି ଯାଇଥିଲା, ବାଲି କାଢ଼ିବା ପାଇଁ ଟଙ୍କା ଋଣ ଦେଲେ । ଯେଉଁମାନଙ୍କର ଘର ଦ୍ଭାଙ୍ଗି ଯାଇଥିଲା, ସେମାନଙ୍କୁ ମଧ୍ୟ ସାହାଯ୍ୟ ମିଳିଲା ।

 

ବନ୍ୟାରେ ରାସ୍ତାଘାଟ ସବୁ ଭାଙ୍ଗି ଯାଇଥିଲା । ତା’ପରେ ଲୋକଙ୍କ ପାଇଁ ବର୍ତ୍ତମାନ କିଛି କାମ ମଧ୍ୟ ନାହିଁ । କାମ କରି ପଇସା ନ କମାଇଲେ ସେମାନେ ଚଳିବେ କିପରି ? ତେଣୁ ସରକାର ରିଲିଫ୍ କାମ ପାଇଁ ଟଙ୍କା ଦେଲେ । ଦି’ କଥା ଏକାଥରେ ହେବ । ଏଣେ ରାସ୍ତାଘାଟ ମରାମତି ହେବ ଏବଂ ତା’ ସାଙ୍ଗରେ ଲୋକମାନେ ରୋଜଗାର କରିପାରିବେ । ପ୍ରତି ପଞ୍ଚାୟତକୁ ସେଥିପାଇଁ ଅନେକ ଟଙ୍କା ମିଳିଲା । ସବୁଆଡ଼େ କାମ ଚାଲିଲା ।

 

ନୀଳମଣିଙ୍କ ଉପରେ ବର୍ତ୍ତମାନ ଅନେକ ଦାୟିତ୍ୱ । ବିଶ୍ରାମ କରିବାକୁ ତାଙ୍କୁ ସମୟ ମିଳୁନି । ଲୋକମାନଙ୍କୁ ସାହାଯ୍ୟ ଦେବାକୁ ହେବ । ରାସ୍ତାଘାଟ ମରାମତି ହେବ । ତା’ପରେ ପୁଣି ମଧ୍ୟାହ୍ନ ଭୋଜନ କେନ୍ଦ୍ରମାନଙ୍କର ଦାୟିତ୍ଵ । ସବୁ ସରପଞ୍ଚଙ୍କୁ କରିବାକୁ ପଡ଼ୁଛି ।

 

ଅର୍ଥ ହେଉଛି ସବୁ ଅନର୍ଥର ମୂଳ । ସେ ଚଳନ୍ତି ବିଷ୍ଣୁ ହାତକୁ ଆସିଲେ ଲୋକର ମନ ବିଭ୍ରମ ହୁଏ । ସେ ତାର ନୀତି ବଜାଏ ରଖିପାରେ ନାହିଁ । ନୀଳମଣି ଯେତେବେଳେ ଏତେ ଟଙ୍କା ଆଉ ଜିନିଷ କାରବାର କଲେ, ତାଙ୍କୁ ମୋହ ଗ୍ରାସିଲା । ଟଙ୍କାର ମୋହକୁ ନୀଳମଣି ଏଡ଼ାଇ ଦେଇ ପାରିଲେ ନାହିଁ । ସେ କିଛି ରିଲିଫ୍ ଚାଉଳ ବିକ୍ରି କରି ଦେଲେ । ତା’ପରେ କେତେଗୁଡ଼ିଏ ରାସ୍ତାର କିଛି କ୍ଷତି ହୋଇ ନ ଥିଲା । ସେଗୁଡ଼ିକୁ ସେ ମରାମତି ଦେଖାଇ ଟଙ୍କା ଆତ୍ମସାତ୍ କରିଦେଲେ ।

 

ଆଜିର ଦୁନିଆ ବିଚିତ୍ର । ଶାଗଖିଆକୁ ପେଜଖିଆ ଦେଖି ପାରୁ ନାହିଁ । ତା’ପରେ ନୀଳମଣି ପୁଣି ଲୋକ ସାଧାରଣଙ୍କ ଧନର ଅପବ୍ୟୟ କରୁଛନ୍ତି । ଚନ୍ଦ୍ରଶେଖରଙ୍କୁ ସୁବିଧା ମିଳିଲା । ସେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ।

 

ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଅନୁସନ୍ଧାନ ହେଲା । ନୀଳମଣି ଚାଉଳର ଠିକ୍ ହିସାବ ଦେଇ ପାରିଲେ ନାହିଁ । ଯେଉଁ ରାସ୍ତା ମରାମତି ହୋଇନାହିଁ, ସେ ତ ସମସ୍ତଙ୍କ ଆଖି ଆଗରେ । ସତ କଥାଟା ନୀଳମଣି ଆଉ ଲୁଚାଇ ରଖିପାରିଲେ ନାହିଁ ।

ନୀଳମଣି ଦୋଷୀ ସାବ୍ୟସ୍ତ ହୋଇ ସରପଞ୍ଚ ପଦରୁ ବରଖାସ୍ତ ହେଲେ । ଜନସାଧାରଣଙ୍କ ଟଙ୍କା ଆତ୍ମସାତ୍ କରିଥିବାରୁ ତାଙ୍କ ବିରୁଦ୍ଧରେ ମକଦ୍ଦମା ହେଲା । ଯେଉଁ ଟଙ୍କା ସେ ନେଇଥିଲେ, ତାକୁ ଫେରାଇଲେ । ତା’ପରେ ତାଙ୍କୁ ପାଞ୍ଚଶହ ଟଙ୍କା ଜୋରିମାନା ହେଲା ।

ପାଟପୁର ପଞ୍ଚାୟତରେ ପୁଣି ସରପଞ୍ଚ ନିର୍ବାଚନ ହେଲା । ଲୋକମାନେ ଘନଶ୍ୟାମଙ୍କୁ ସରପଞ୍ଚ ହେବାପାଇଁ ବାଧ୍ୟ କଲେ । ଏଥର ଘନଶ୍ୟାମ ଗାଁ ଲୋକଙ୍କ କଥାକୁ ଭାଙ୍ଗି ଦେଇ ପାରିଲେ ନାହିଁ । ସେ ସରପଞ୍ଚ ହେଲେ । ନୀଳମଣି ସବୁ ହିସାବ ତାଙ୍କୁ ବୁଝାଇ ଦେଲେ । ଘନଶ୍ୟାମ ସମସ୍ତଙ୍କ ଆଗରେ ଶପଥ କରି କହିଲେ, ତାଙ୍କ ଶକ୍ତିରେ ଯେତିକି ସମ୍ଭବ, ସେ ଜନତାର ସେବା କରିବେ । ସେ ସେଥିପାଇଁ ସମସ୍ତଙ୍କ ସହଯୋଗ ଚାହାଁନ୍ତି । ପାଟପୁର ପଞ୍ଚାୟତରେ ଲୋକମାନେ କଥା ଦେଲେ, ଘନଶ୍ୟାମଙ୍କୁ ସେମାନେ ସବୁପ୍ରକାର ସାହାଯ୍ୟ କରିବେ । ଏ କିଛିଦିନ ହେଲା ଅରୁଣର ମନ ଠିକ୍ ରହୁନାହିଁ । ପତ୍ରପତ୍ରିକାରୁ ତାଙ୍କ ଅଞ୍ଚଳର ବନ୍ୟା କଥା ସବୁ ଜାଣୁଛି । ଗାଁ ପରିସ୍ଥିତି କଥା ମଧ୍ୟ ସବୁ ଶୁଣିଲାଣି । ନୀଳିମା ତା’ ଚିଠିରେ ସବୁକଥା ଲେଖିଥିଲା । ଅରୁଣ ମନରେ ଖୁଃବ୍ ଦୁଃଖ ହେଲା । ସେ ନୀଳିମା ଚିଠିର ଉତ୍ତର ଦେଇଥିଲା ।

ବମ୍ବେ

ତା ୧୪ । ୧୧ । ୬୦

ଭଉଣୀ ନୀଳିମା !

ଆଜି ପୃଥିବୀର ଜଣେ ଶ୍ରେଷ୍ଠମାନବଙ୍କ ଜନ୍ମ ଦିବସରେ ତୋ ପାଖକୁ ଚିଠି ଲେଖୁଛି । ଆଗରୁ ତୋ ପାଖକୁ ଅନେକ ଚିଠି ଦେଇଛି ଏବଂ ତାର ଉତ୍ତର ମଧ୍ୟ ପାଇଛି । ସେ ସବୁ ଥିଲା ଖୁସି ମନର ଲେଖା ଚିଠି ସବୁ । କିନ୍ତୁ ଆଜି ଚିଠି ଲେଖିଲା ବେଳକୁ, କାହିଁକି ହାତରେ ବଳ ଆସୁନାହିଁ । ମନଟା ବଡ଼ ଦୁର୍ବଳ ଲାଗୁଛି । ତଥାପି ଚିଠି ଲେଖା ଯେତେବେଳେ ଆରମ୍ଭ କଲେଣି, ନିଶ୍ଚୟ ପୂରଣ କରିବି ।

 

ତୁ ତ ଜାଣିଛୁ ମଣିଷ ମନରେ ଦୁଃଖ ହୁଏ । ସେଇ ଦୁଃଖକୁ ଅନ୍ୟ ଜଣକ ଆଗରେ ପ୍ରକାଶ କଲେ ଦୁଃଖ କମିଯାଏ । ମନରେ ସେହି ସାନ୍ତ୍ୱନା ପାଇବାପାଇଁ ତୋ ପାଖକୁ କେବଳ ଚିଠି ଲେଖୁଛି ।

 

ହଁ, ମୁଁ ଏଇ ଶହ ଶହ ମାଇଲର ଦୂରରେ ବସି ଗାଁ କଥା ଭାବୁଛି । ଏ ବର୍ଷ ହୁଏତ ଇଞ୍ଜିନିୟରିଂ ପାଶ୍ କରିବି । କିନ୍ତୁ ତା’ପରେ କ’ଣ କରିବି କିଛି ଠିକ୍ କରି ପାରୁନି । ଆମ ଅଞ୍ଚଳର ଦୂରବସ୍ଥା କଥା ଖବରକାଗଜରୁ ପଢ଼ୁଛି । ସେ ସବୁ ଗାଁର ଅବସ୍ଥା ମୋ ଆଖି ଆଗରେ ନାଚି ଯାଉଛି-। ପାଠ ପଢ଼ାରେ ଆଦୌ ମନ ଲାଗୁନାହିଁ । ଆମ କଲେଜରେ ବନ୍ୟା ସାହାଯ୍ୟ ପାଇଁ ଗୋଟିଏ ପାଣ୍ଠି ଖୋଲିଥିଲି । ଏଠିକା ଲୋକମାନେ ଯଥେଷ୍ଟ ସାହାଯ୍ୟ ଦେଲେ । ସେ ସବୁ ଟଙ୍କା ଓଡ଼ିଶା ସରକାରଙ୍କ ପାଖକୁ ପଠାଇ ଦେଇଛି ।

 

ନୀଳିମା, ମୋ ମନରେ ସବୁବେଳେ ଗୋଟାଏ କଥା ଉଙ୍କି ମାରୁଛି । ଲୋକଙ୍କୁ କ’ଣ ଏଇ ବନ୍ୟା ଦାଉରୁ ରକ୍ଷାକରି ହେବନି । ପ୍ରତିବର୍ଷ ଏଭଳି ବନ୍ୟା ହୋଇ ଲୋକଙ୍କ ଆର୍ଥିକ ବଳକୁ ନଷ୍ଟ କରି ଦେଉଛି । ସବୁବେଳେ “କ’ଣ କରିବା” ଏଇକଥା ଜପୁ ଜପୁ ବେଳ ଯାଉଛି । ଏଇକଥା ଭାବିଲା ବେଳେ ମୋ ମୁଣ୍ଡ ଗରମ ହୋଇଯାଉଛି ।

 

ମୁଁ ଭାବୁଛି, ବନ୍ୟା ନିୟନ୍ତ୍ରଣ କରିବା ଇଞ୍ଜିନିୟରମାନଙ୍କର ଶକ୍ତିର ବାହାରେ ନୁହେଁ । ସେମାନେ ପ୍ରକୃତି ସାଙ୍ଗରେ ଲଢ଼େଇ କରୁଛନ୍ତି, କେଉଁଠି ଜୟ କରୁଛନ୍ତି ଆଉ କେଉଁଠି ହାରି ଯାଉଛନ୍ତି । ଖବରକାଗଜରେ ଏମିତି କେତେକଥା ବାହାରୁଛି । ବନ୍ୟା ପାଇଁ ଇଞ୍ଜିନିୟରଙ୍କୁ ସମସ୍ତେ ଦୋଷୀ କରୁଛନ୍ତି । କହୁଛନ୍ତି ଦେବୀ ନଈରେ ବନ୍ଧ ହେବା ପୂର୍ବରୁ ଏମିତି ବନ୍ୟା କେବେ ହେଉ ନ ଥିଲା । କେବଳ ବନ୍ଧଟା କରି ଇଞ୍ଜିନିୟରମାନେ ପାଣି ଅଟକାଇଛନ୍ତି । ତେଣୁ ଏମିତି ବନ୍ୟା ହେଉଛି ।

 

ଆଚ୍ଛା କହନି ନୀଳିମା । ଇଞ୍ଜିନିୟରମାନେ ବନ୍ଧ କରୁଛନ୍ତି କ’ଣ କେବଳ ବନ୍ୟା ନିରୋଧ କରିବା ପାଇଁ ? ବିଜୁଳିବତୀ ବାହାର କରାଯାଇଛି, ଜମିରେ ପାଣି ମଡ଼ାଇ ଚାଷ ହେଉଛି, ନଈ ନାଳରେ ଡଙ୍ଗା ବ୍ୟବସାୟ ହେଉଛି । ଆଉ ମଧ୍ୟ ମାଛ ଚାଷ ହେଉଛି । ଏତେଗୁଡ଼ାଏ କାମ ଯେତେବେଳେ ଏକା ସାଙ୍ଗରେ ହେଉଛି, ସେଥିରୁ କୌଣସି କାରଣରୁ ଗୋଟାଏ କିଛି ବିଗିଡ଼ି ଯାଉଛି । କିନ୍ତୁ ଲୋକମାନେ ସେ କଥା ବୁଝୁନାହାନ୍ତି କେବଳ ଇଞ୍ଜିନିୟରମାନଙ୍କୁ ଦୋଷୀ କରି ବସି ଯାଉଛନ୍ତି ।

 

ଏଇ ଏ ବର୍ଷ କଥା ଦେଖ ! ବର୍ଷା ତ ହେଉ ନ ଥିଲା । କେବେ କିମିତି ଅସରାଏ ଲେଖାଁଏ ବର୍ଷା ହେଉଥିଲା । ବିଜୁଳିବତୀ ବାହାର କରିବାପାଇଁ ସେ ପାଣି ସବୁ ଅଟକା ଯାଇଥିଲା । ପୁଣି ଚାଷ ପାଇଁ ପାଣି କେନାଲରେ ଦେବା ନିତାନ୍ତ ଦରକାର । କିନ୍ତୁ ହଠାତ୍ ଏମିତି ବର୍ଷା ହେଲା । ସବୁ ପାଣି ବନ୍ଧ ସମ୍ଭାଳି ରଖିପାରିଲା ନାହିଁ । ସବୁ କବାଟ ଖୋଲି ନଈରେ ପାଣି ଛାଡ଼ି ଦିଆଗଲା । ତା’ ନ ହୋଇଥିଲେ ବନ୍ଧ ଭାଙ୍ଗିଯିବାର ସମ୍ଭାବନା ବି ଥିଲା । ପାଣି ନ ଛାଡ଼ିଥିଲେ ମୂଳରୁ ସବୁ ଯାଇଥାନ୍ତା । ପ୍ରକୃତି ଏମିତି ବାଦ ସାଧିଲେ, ସେଥିପାଇଁ ମଣିଷର ଶକ୍ତି ବା କେତେ ? ଆଜିକାଲି ତ ଏମିତିକା ଅସମ୍ଭବ କଥା ଖାଲି ଘଟୁଛି ।

 

ଇଞ୍ଜିନିୟରମାନେ ଦିନରାତି ଲାଗି ଲୋକଙ୍କ ପାଇଁ କାମ କରୁଛନ୍ତି । ଲୋକମାନଙ୍କର ସମାଲୋଚନା ଶୁଣିଲେ, ସେମାନଙ୍କ ଆଗ୍ରହ ରହିବ ତ ? ବଦ୍‍ନାମ ନ ହେବା ପର୍ଯ୍ୟନ୍ତ ଲୋକ ଡରୁଥାଏ । କିନ୍ତୁ ଥରେ ଖରାପ ନାଁ ହୋଇଗଲେ, ତେଣିକି ସେ ଭଲ ହେବାକୁ ଆଉ ଚେଷ୍ଟା କରେ ନାହିଁ । ତେଣୁ ମୋର ଭୟ ହେଉଛି ଯେ ଇଞ୍ଜିନିୟରମାନଙ୍କର ନୈତିକ ବଳ କମିଯିବ । ସେମାନେ ଆଉ ଦେଶ ସେବାରେ ନିଜକୁ ଖଟାଇ ପାରିବେ ନାହିଁ । ତେଣୁ ଲୋକମାନେ ବୁଝି ଶୁଝି ସମାଲୋଚନା କରିବା ଦରକାର ।

 

ମୁଁ ଦେଖୁଛି ଦେଶସେବା କରିବାପାଇଁ ଯଥେଷ୍ଟ ମନବଳ ଲୋଡ଼ା । ମୁଁ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଆଗେଇବାକୁ ଯାଉଛି, ଲୋକଙ୍କ ସମାଲୋଚନା ଶୁଣି ସେ ସ୍ପୃହା ରହିବ କି ନାହିଁ, ସେ ଗୋଟାଏ ବଡ଼ ଚିନ୍ତାର ବିଷୟ ହୋଇ ପଡ଼ିଛି ।

 

ଆଉ ଗାଁ କଥା ଶୁଣି ମୁଁ ବଡ଼ ମର୍ମ୍ମାହତ ହୋଇଛି । ଆଚ୍ଛା, କହନି, ଏଭଳି ପରିସ୍ଥିତିରେ ଆମ ଦେଶ କ’ଣ ଆଗେଇବ ? ବନ୍ୟା ଯୋଗୁ ଲୋକମାନେ ଖାଇବାକୁ ପାଉ ନାହାନ୍ତି । ତାଙ୍କ ପାଇଁ ଆମ ଦେଶ ବାହାରୁ ଦାନ ଆସୁଛି । କିନ୍ତୁ ଏମିତି ଅନେକ ନୀଚମନା ଲୋକ ଅଛନ୍ତି, ଯେଉଁମାନେ ଲୋକଙ୍କ ଖାଇବା ପତରରେ ଧୂଳି ଦେଉଛନ୍ତି । ଦେଶର ଲୋକଙ୍କ ଉପରେ ବିପଦ ପଡ଼ିଛି । ଏ ସମୟରେ ଲୋକଙ୍କୁ ସାହାଯ୍ୟ କରିବା କଥା । କିନ୍ତୁ ତା’ ପରିବର୍ତ୍ତେ ହେଉଛି କ’ଣ ? ବାହାରୁ ଯାହା ଆସୁଛି, ତାକୁ ନିଜ ଲାଭ ପାଇଁ କେତେକ ଚୋରି କରି ନେଇ ଯାଉଛନ୍ତି । ଏହାଠାରୁ ବଳି ଦୁଃଖର ବିଷୟ କିଛି ନାହିଁ । ଖାଲି ମୁହଁରେ ବଡ଼ ବଡ଼ କଥା କହିଦେଲେ, ଦେଶ ଆଗେଇବ ନାହିଁ । ଲୋକମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ହେବ ।

 

ଆଜି ପଣ୍ଡିତ ନେହେରୁଙ୍କ ବିଷୟରେ କଲେଜରେ ଆଲୋଚନା ହେଉଥିଲା । ସେ ଜଣେ ଲୋକ ଏବେ କରିବେ କ’ଣ ? ତାଙ୍କର ଉଦ୍ଦେଶ୍ୟ ମହତ୍, ଚିନ୍ତାଧାରା ଉନ୍ନତ । ସେ ଚାହୁଛନ୍ତି ଦେଶର ସବୁପ୍ରକାର ଉନ୍ନତି କରିବାକୁ । କିନ୍ତୁ ସେ ତ ସବୁକଥା ଏକୁଟିଆ କରିପାରିବେ ନାହିଁ । ଦେଶର ସମସ୍ତଙ୍କୁ ନେଇ ସେ ଯାହା କିଛି କରିବେ । ଅନ୍ୟମାନେ ତାଙ୍କ କର୍ତ୍ତବ୍ୟରେ ହେଳା କଲେ, ଯୋଜନା ସବୁ ସଫଳ କେମିତି ହେବ ? ଏଥିପାଇଁ ଗାଁ ଗଣ୍ଡାର ଲୋକଙ୍କର ଦାନ ଯଥେଷ୍ଟ ରହିବା ଦରକାର । ଚାଷୀମାନେ ହେଲେ ଦେଶର ମେରୁଦଣ୍ଡ । ସେମାନଙ୍କ ପରିଶ୍ରମ ଉପରେ ଅନେକ କିଛି ନିର୍ଭର କରୁଛି । ତେଣୁ ଗାଁ ଲୋକମାନେ ପରିଶ୍ରମ କରି ନିଜର ଉନ୍ନତି କରିବା ସାଙ୍ଗେ ସାଙ୍ଗେ ଦେଶର ଉପକାର କରିବା ଦରକାର ।

 

ଆମ ଦେଶରେ ଖାଦ୍ୟର ଅଭାବ ପଡ଼ୁଛି । ଯୁଆଡ଼େ ଗଲେ ବଡ଼ ବଡ଼ ଧାଡ଼ିରେ ଲୋକମାନେ ଠିଆ ହୋଇ ଖାଦ୍ୟ ଶସ୍ୟ କିଣୁଛନ୍ତି । ଦେଶର ଶିଳ୍ପ ଆଉ ବିଜ୍ଞାନ କଥା ଚିନ୍ତା କରିବାକୁ ବେଳ କାହିଁ ? ଏ ସବୁ କଥା ବିଚାର କରି ମୋର ଆଉ ଚାକିରି କରିବାକୁ ଇଚ୍ଛା ନାହିଁ । ମୁଁ ଭାବୁଛି ପାଠ ଶେଷ କରି ଫେରିଯିବି ସେଇ ପାଟପୁର ଗାଁ’କୁ । କିପରି ଉନ୍ନତ ଧରଣର ଚାଷ କରି ଖାଦ୍ୟ ଶସ୍ୟ ବେଶୀ ଉତ୍ପନ୍ନ ହେବ, ତା’ର ବ୍ୟବସ୍ଥା କରିଚି । ଅନ୍ତତଃ ଏହାଦ୍ଵାରା ଆମ ଅଞ୍ଚଳର କିଛି ଉପକାର ହେବ ବୋଲି ମୋର ବିଶ୍ଵାସ ।

 

ହଁ, ଆଉ ଗୋଟାଏ କଥା ଲେଖିବାକୁ ଭୁଲି ଯାଇଛି । ଅଜାଙ୍କ ପାଖରୁ ଖଣ୍ଡେ ଚିଠି ପାଇଛି । ମୋ ବିଭାଘର ପାଇଁ ସେ ଲେଖିଛନ୍ତି । ବୋଉର ଇଚ୍ଛା ତୋତେ ବୋହୂକରି ନେବାପାଇଁ-। ମଉସା ମାଉସୀ ରାଜି ହୋଇଛନ୍ତି । ଏଥିପାଇଁ ମୋ ମତାମତ ବିଷୟରେ ପଚାରୁଛନ୍ତି-

 

ମୁଁ ତ ଏ ବିଷୟରେ ଆଗରୁ କେବେ ଚିନ୍ତାକରି ନ ଥିଲି । ତା’ପରେ ପୁଣି ତୋ ବିଷୟରେ ପଚରା ଯାଇଛି । ମୁଁ ଯାହାକୁ ଏ ପର୍ଯ୍ୟନ୍ତ ଭଉଣୀ ଦୃଷ୍ଟିରେ ଦେଖି ଆସିଛି, ତାକୁ କେମିତି ବିବାହ କରିବି, ସେ କଥା ଭାବି ପାରୁନି । ଏ କଥା ମୋର ଜଣେ ତେଲୁଗୁ ବନ୍ଧୁଙ୍କୁ କହୁଥିଲି । ସେ ମୋ କଥା ଶୁଣି ହସିଲା । କହିଲା, ତାଙ୍କର ମାମୁଁ ଝିଅ ଭଉଣୀକୁ ବିବାହ କରନ୍ତି । ତା’ପରେ ଏଠି ତ କିଛି ରକ୍ତର ସମ୍ପର୍କ ନାହିଁ । ଏମିତି ତ ସବୁ ଝିଅକୁ ଭଉଣୀ ଦୃଷ୍ଟିରେ ଦେଖିବାର କଥା । ସେମାନଙ୍କ ମଧ୍ୟରୁ ଗୋଟିଏ ଝିଅକୁ ତ ପୁଣି ବିବାହ କରିବାକୁ ହେବ । ତା’ପରେ ପୁଣି ଉପଦେଶ ଦେଲା, ଯେଉଁ ଝିଅକୁ ପିଲାଦିନରୁ ଦେଖି ଆସୁଛ ଆଉ ତା’ର ସବୁକଥା ଜାଣିଛ, ତାକୁ ବିବାହ କଲେ ସ୍ଵାମୀ ସ୍ତ୍ରୀ ଭିତରେ କେବେ ଅଶାନ୍ତି ସୃଷ୍ଟି ହୋଇ ନ ପାରେ । ତା’ ଯୁକ୍ତିକୁ ମୁଁ କାଟିଦେଇ ପାରିଲି ନାହିଁ ।

 

କିନ୍ତୁ ମୋର ଭୟ ହେଉଛି ନୀଳିମା । ଆମର ଯେଉଁ କାମ, ସେଥିରେ କେତେ ଅସୁବିଧା ଓ ବିପଦ ନେଇ ଗତି କରିବାକୁ ହେବ । ସେ ସବୁ ସହିପାରିବୁ ତ ? ସ୍ଵାମୀ ସହିତ ସ୍ତ୍ରୀ ସବୁ ସୁଖ ଦୁଃଖର ଭାଗୀ ହେବ । ତା’ ନ ହେଲେ ଦାମ୍ପତ୍ୟ ଜୀବନ ଦୁଃଖମୟ ହେବ । ତୋର ଏ ବିଷୟରେ ମତାମତ ଦେବା ଦରକାର । ଜୀବନ ସଉଦା କରିବା ପୂର୍ବରୁ ସବୁ ଭାବିଚିନ୍ତି କରିବାକୁ ହେବ ।

 

ଆମ ପରୀକ୍ଷା ଆଉ ଅଳ୍ପଦିନ ରହିଲା । ତୋର କେବେ କଲେଜ ପରୀକ୍ଷା ହେବ ଲେଖିବୁ । ପଢ଼ାପଢ଼ି ତ ନିଶ୍ଚୟ ଶେଷ ହୋଇ ସାରିବଣି । ଭଲ ମନ୍ଦ ଲେଖି ଚିଠି ଦେବୁ । ଇତି ।

 

ତୋର

ଅରୁଣ ଭାଇ

 

ସରପଞ୍ଚ ହେବା ପରେ ଘନଶ୍ୟାମଙ୍କର ପ୍ରଥମ ଚିନ୍ତା ହେଲା ଲୋକଙ୍କୁ କିପରି ଆସନ୍ତା ବର୍ଷ ପାଇଁ ଖାଦ୍ୟ ଯେଗାଇ ଦେବାକୁ ହେବ । କାରଣ ସବୁ ଫସଲ ତ ବନ୍ୟାରେ ନଷ୍ଟ ହୋଇଗଲା-। ଲୋକଙ୍କ ପାଖରେ ବିହନ ନାହିଁ, ଆଉ ମଧ୍ୟ ସମୟ ଅତି ଅଳ୍ପ ଅଛି । ଜଣ ଜଣ କରି କିଛି କରିବା ଅପେକ୍ଷା ଯଦି ସମସ୍ତେ ମିଶି ଏକାଠି ମନପ୍ରାଣ ଦେଇ କାମ କରନ୍ତି, ତା’ହେଲେ କିଛି ଫସଲ ଅମଳ ହୋଇପାରନ୍ତା ।

 

ଘନଶ୍ୟାମ ଦେଖିଲେ ଏଭଳି ପରିସ୍ଥିତିରେ କେବଳ କୋଠ ଚାଷ କରିବା ଠିକ୍ ହେବ । ସରକାରଙ୍କଠାରୁ ଏଥିପାଇଁ ମଧ୍ୟ ସାହାଯ୍ୟ ମିଳିବ । ତେଣୁ କିଛି ଅସୁବିଧା ହେବ ନାହିଁ । କିନ୍ତୁ ତାଙ୍କ ମନରେ ସନ୍ଦେହ ହେଲା ହୁଏତ ଲୋକମାନେ ଏଥିରେ ରାଜି ହୋଇ ଜମି ନ ଦେଇ ପାରନ୍ତି । ସେଥିପାଇଁ ତାଙ୍କୁ ଗୋଟାଏ ଉପାୟ ଦେଖାଗଲା । ଚନ୍ଦ୍ରଶେଖର ଗୋଚର ଜମିରୁ କିଛି ଚାଷ କରି ଦେଇଥିଲେ । ଗଣ୍ଡଗୋଳ ପରେ ସେ ସବୁ ପୁଣି ପଡ଼ିଆ ଅଛି । ସେଇ ଜମିକୁ କୋଠ ଚାଷ ପାଇଁ ଲଗାଇଲେ ଲୋକଙ୍କର କିଛି ଆପତ୍ତି ରହିବ ନାହିଁ ।

 

ପାଟପୁର ଗାଁ ଲୋକମାନେ ବସି ଠିକ୍ କଲେ ଅଧେ ଗୋଚର ଜମିରେ ଚାଷ ହେଉ । ଗୋରୁମାନଙ୍କ ଯିବା ଆସିବା ପାଇଁ ରାସ୍ତା ଛାଡ଼ି ଦିଆଗଲା । ପ୍ରାୟ ତିରିଶ ଏକର ଜମି କୋଠଚାଷ ପାଇଁ ଠିକ୍ ହେଲା ।

 

ପଞ୍ଚାୟତ ତରଫରୁ ଗୋଟାଏ ପମ୍ପ ମିଳିଲା । କେତେକ ଜମିରେ ପାଣି ମଡ଼ାଇବାକୁ ହେବ । ଦେବୀ ନଦୀରୁ ପାଣି ପମ୍ପ ସାହାଯ୍ୟରେ ଉଠାଇ ଜମିରେ ଦେବାକୁ ପଡ଼ିବ । ସରକାର ଏଥିପାଇଁ ଉତ୍ସାହ ଦେଲେ । ଦରକାରୀ ବିହନ, ସାର ମିଳିଲା । ତା’ପରେ କୃଷି ବିଭାଗର ଲୋକ ଆସି ଚାଷର ତତ୍ତ୍ଵ ନେଲେ ।

 

ପାଟପୁରର ଲୋକମାନେ ମନପ୍ରାଣ ଦେଇ କାମରେ ଲାଗିପଡ଼ିଲେ, ଘନଶ୍ୟାମ ବି ଅକ୍ଳାନ୍ତ ପରିଶ୍ରମ କଲେ । ଲୋକମାନେ ତାଙ୍କୁ ଅନ୍ତତଃ ଯେଉଁ ବିଶ୍ଵାସରେ ସରପଞ୍ଚ କରିଛନ୍ତି, ସେ ବିଶ୍ଵାସଟା ଯେପରି ଅତୁଟ ରହୁ ତାଙ୍କର ଚେଷ୍ଟା । ତାଙ୍କର ଏପରି ଚାଷର ଉଦ୍ୟମ ଦେଖି ଲୋକମାନେ ଘନଶ୍ୟାମଙ୍କର ପ୍ରଶଂସା ଆରମ୍ଭ କରି ଦେଲେଣି ।

 

ସବୁ ଜମିକୁ ଭାଗ ଭାଗ କରି ଲୋକମାନେ ବିଭିନ୍ନ ରକମ ଫସଲ ଲଗାଇଲେ । ଦୁଇ ଏକର ଜମିରେ କଦଳୀ, ପାଞ୍ଚ ଏକର ଜମିରେ ଆଳୁ ଆଉ ତିନି ଏକର ଜମିରେ ବାଇଗଣ, କଖାରୁ ଓ ତରଭୁଜ ପ୍ରଭୃତି ଲାଗିଲା । ଅବଶିଷ୍ଟ ଜମିରେ ଡାଳୁଅ ଧାନ ଚାଷ ହେଲା । ସେ ଜମିରେ ଅନେକ ଦିନରୁ କିଛି ଫସଲ ହୋଇ ନ ଥିଲା । ଅଳ୍ପଦିନ ମଧ୍ୟରେ ସେ ଜମି ସବୁ ଫସଲରେ ହସି ଉଠିଲା । ସାର ବି ଦରକାର ପଡ଼ିଲା ନାହିଁ ।

 

ପାଟପୁର ଗାଁର ଫସଲ ଦେଖି ସେ ପଞ୍ଚାୟତର ଅନ୍ୟ ଗ୍ରାମବାସୀମାନେ ମଧ୍ୟ କାମରେ ଲାଗିଲେ । ଘନଶ୍ୟାମ ପ୍ରତି ଗ୍ରାମରେ ସବୁ ଲୋକଙ୍କ ସାଙ୍ଗରେ ସହଯୋଗ କଲେ । ତେବେ ଅନ୍ୟ ଗାଁ ମାନଙ୍କରେ ପାଣିର ଟିକିଏ ଅସୁବିଧା ପଡ଼ିଲା । କାରଣ ସବୁ ଗାଁ ପାଖ ଦେଇ ଦେବୀ ନଈ ଯାଇ ନାହିଁ । ଲୋକମାନେ ତାଙ୍କ ଚେଷ୍ଟାରୁ କ୍ଷାନ୍ତ ହେଲେ ନାହିଁ । ପୋଖରୀରୁ ସବୁ ପାଣି ନେଇଜମି ଚାଷ କଲେ । ନୂଆ ଫସଲକୁ ଦେଖି ଲୋକମାନେ ବନ୍ୟାର କ୍ଷତିକୁ ଭୁଲିଗଲେ ।

 

ଅଳ୍ପଦିନ ମଧ୍ୟରେ ବାଇଗଣ, କଖାରୁ, ତରଭୁଜ ସବୁ ଜମିରେ ଫଳିଲା I ଲୋକମାନେ ପ୍ରତିଦିନ ତଟକା ପରିବା ପାଇଲେ । ବଳକା ପରିବା ସବୁ ମଲ୍ଲୀପୁର ହାଟରେ ବିକ୍ରି ହେଲା I ପାଟପୁର ଗାଁ ପାଣ୍ଠିରେ ବହୁତ ଟଙ୍କା ଜମା ହେଲା I ସେଇ ପଇସାରେ ବାଳକ ଓ ବାଳିକା ମାଇନର ସ୍କୁଲ ଅତି ସୁରୁଖୁରୁରେ ଚଳିଲା । ତା’ପରେ ରାତ୍ରି ସ୍କୁଲ ଓ ଲାଇବ୍ରେରି ପାଇଁ ମଧ୍ୟ ସାହାଯ୍ୟ ମିଳିଲା ।

 

ଘନଶ୍ୟାମ ସବୁ କାମରେ ଥାନ୍ତି, କିନ୍ତୁ ଟଙ୍କା ରଖିବା ଦାୟିତ୍ଵଟା ନିଜେ ନେଇ ନ ଥାନ୍ତି I ସେ ଜାଣନ୍ତି, ଟଙ୍କା ଯୋଗୁ ସବୁ ବଦନାମ ଆସେ । ଏମିତି ଲୋକ ଅଛନ୍ତି, ଯେଉଁମାନଙ୍କର କେବଳ ଖୁଣ କାଢ଼ିବା ହେଉଛି କାମ I ପଇସା କାରବାର ହେଲେ ବିଭିନ୍ନ କଥା ପ୍ରତିଦିନ ଉଠାଇବେ I ହେଇ ଏତେ ପଇସା ଖାଇଗଲା, ନେଇଗଲା ଏମିତିକା କେତେ କଥା କହିବେ । ସେତେବେଳେ ଲୋକର ଯେତେ ଭଲଗୁଣ ଥାଏ, କିଛ ବିଚାରକୁ ଆସେ ନାହିଁ I ବରଂ ଲୋକମାନେ ଭଲ କଥାକୁ ସବୁ ଭିନ୍ନ ଦୃଷ୍ଟିରୁ ବିଚାର କରନ୍ତି । କୁହନ୍ତି, ସେ ସବୁକାମରେ ନିଶ୍ଚୟ କିଛି ସ୍ଵାର୍ଥ ଅଛି I ସେଥିପାଇଁ ଘନଶ୍ୟାମ ସବୁବେଳେ ପଇସା କାରବାରଠାରୁ ଦୂରରେ ଥାନ୍ତି I କିନ୍ତୁ ଯେଉଁମାନେ ଟଙ୍କା ଦାୟିତ୍ଵ ନେଇଛନ୍ତି, ତାଙ୍କଠାରୁ ହିସାବ ଟିକିନିଖି କରି ନିଅନ୍ତି । ପ୍ରତି ଗ୍ରାମରେ ଦୁଇ ତିନିଜଣଙ୍କ ଉପରେ ଏ ସବୁ ଦାୟିତ୍ଵ ଦିଆଯାଇଛି I ପାଟପୁରରେ ନୀଳମଣି ଓ ଚନ୍ଦ୍ରଶେଖର ଏ ସବୁ କାମରେ ପୂରାଭାଗ ନେଇଛନ୍ତି I ତେଣୁ ସେମାନେ କିଛି ଦୋଷ ବାହାର କରିପାରନ୍ତି ନାହିଁ I

 

ଘନଶ୍ୟାମ କିଛି କରିବା ପୂର୍ବରୁ ଅନ୍ୟମାନଙ୍କ ମତ ନିଅନ୍ତି । ବେଣୁଧର ସେଇ ଗାଁର ଲୋକ ନ ହେଲେ ମଧ୍ୟ ଘନଶ୍ୟାମ ତାଙ୍କର ପରାମର୍ଶ ଗ୍ରହଣ କରନ୍ତି I ଗାଁର ଉନ୍ନତି ପାଇଁ ବେଣୁବାବୁଙ୍କର ଆପ୍ରାଣ ଚେଷ୍ଟା I ତାଙ୍କ ପ୍ରତି ସ୍ନେହ ଓ ସମ୍ମାନ ଲୋକମାନଙ୍କ ମନରେ ଆପେ ଆପେ ଆସୁଛି I ଯେ ଭଲଲୋକ ତା’ର ଆଦର ସବୁଠାରେ I ବେଣୁବାବୁଙ୍କର କାର୍ଯ୍ୟହିଁ ତାଙ୍କୁ ପାଟପୁର ଗାଁର ପ୍ରତି ଘରେ ଘରେ ପରିଚିତ କରାଇ ପାରିଛି ।

 

ନୀଳିମା ଆଇ. ଏ. ପରୀକ୍ଷା ଦେଇ ଘରକୁ ଆସିଲା । ଅରୁଣର ଚିଠି ପାଇ ତା’ ମନରେ ଗୋଟାଏ କିପରି ପରିବର୍ତ୍ତନ ଆସିଛି । ଅରୁଣ ଚିଠିର ସେ କିଛି ଉତ୍ତର ମଧ୍ୟ ଦେଇ ପାରିନାହିଁ I ସେ ଠିକ୍ କରି ପାରୁନାହିଁ ନିଜକୁ କିପରି ଗଢ଼ିବ I ଅରୁଣ ସାଙ୍ଗରେ ତା’ର ବିଭାଘର ପ୍ରସ୍ତାବ ଶୁଣି ସେ ମନେ ମନେ ଖୁବ୍ ଖୁସି ହେଲା I ଏ ମନ ଖୋଜୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା I ତା’ର ଅନ୍ତରର ଇଚ୍ଛାଟାକୁ ସେ କାହାକୁ କହି ପାରି ନ ଥିଲା I କିନ୍ତୁ ଅନେକ ଦିନରୁ ତା’ ମନଟା ଅରୁଣ ଆଡ଼କୁ ଢଳିଥିଲା I

 

ଗାଁରେ ପହଞ୍ଚି ନୀଳିମା ଗାଁର ଉନ୍ନତି ପାଇଁ ଲାଗିପଡ଼ିଲା I ତା’ ମତରେ ଖାଲି ଘରଦ୍ଵାର ଛାଡ଼ି ଚାରିଆଡ଼େ ବୁଲି ଦେଶ ସେବା କରୁଛୁ କହିଲେ କିଛି ଫଳ ହୁଏ ନାହିଁ I ସେ ଖାଲି ଫମ୍ପା ଆବାଜ I ନିଜ ବିଷୟରେ ନାଗରା ବଜାଇ ଅନ୍ୟମାନଙ୍କୁ ଜଣାଇବା କଥା । ତା’ ଦ୍ଵାରା ପ୍ରକୃତରେ ଲୋକଙ୍କର କିଛି ଉପକାର କରିହୁଏନା । କଥାରେ କହନ୍ତି, ମନରେ ଥିଲେ ଗଡ଼ିଆ ଗଙ୍ଗା ହୁଏ । ଯାହାର ଦେଶସେବା କରିବାକୁ ମନ ଥିବ, ସେ ସବୁଠାରେ ସେହି କାମ କରିପାରିବ । ଗାଁରେ ରହି ଲୋକଙ୍କ ସୁବିଧା ଅସୁବିଧା ବୁଝି କିଛି କରିପାରିଲେ, ସେ କ’ଣ ଦେଶ ସେବା ନୁହେଁ ?

 

ନୀଳିମାର ପ୍ରଥମ କାମ ହେଲା, ସବୁ ସ୍ତ୍ରୀଲୋକଙ୍କ ସାଙ୍ଗରେ ସମ୍ପର୍କ ସ୍ଥାପନ କରିବା । ପାଟପୁର ପଞ୍ଚାୟତରେ ପ୍ରତି ଗାଁକୁ ଗଲା । ମାଳତୀ ତା’ର ସାଥୀ ସେ ମାଇନର ପଢ଼ି ଘରେ ଅଛି । ଦୁଇଜଣ ସାଙ୍ଗ ହୋଇ ସକାଳୁ ଘରୁ ବାହାରନ୍ତି । ଗାଧୁଆ ବେଳକୁ ଯେ ଡାକନ୍ତି, ତାଙ୍କ ଘରେ ସେ ଖାଇ ଦିଅନ୍ତି । ଅତି ଅଳ୍ପ ସମୟ ମଧ୍ୟରେ ପାଟପୁର ପଞ୍ଚାୟତର ପ୍ରତି ଗ୍ରାମରେ ନୀଳିମା ଖୁବ୍ ଜଣାଶୁଣା ହୋଇଗଲା ।

 

ଗାଁ ମାଇପେ କଥାବାର୍ତ୍ତା କରନ୍ତି, ଦେଖନି ଏ ନୀଳିମା କେଡ଼େ ସୁନ୍ଦର ଝିଅଟିଏ । କଲେଜ ପଢ଼ୁଆ ଝିଅ । ମନରେ କ’ଣ ଟିକିଏ ଗର୍ବ ଅଛି ? ସମସ୍ତଙ୍କୁ ମା ମାଉସୀ କହି ମୁଣ୍ଡ ନୁଆଇଁ ଓଳଗି ହେଉଛି । କେତେ ନୂଆ ନୂଆ କଥା କହୁଛି । ସମସ୍ତଙ୍କ ସାଙ୍ଗରେ ମିଶିଯାଉଛି । ଶାଗ ପେଜ ଯାହା ଦେଲେ, କେଡ଼େ ଖୁସିରେ ଖାଇ ଯାଉଛି । କେଡ଼େ କଅଁଳ କଥା କହୁଛି ଆଉ ହସିଲେ, ଗୋଟାଏ କାନରୁ ଦୁଇ କାନକୁ ଶୁଭୁ ନାହିଁ । ଏଇମାନଙ୍କୁ କହିବା ଝିଅମାନଙ୍କ ଭିତରେ ହୀରା ଖଣ୍ଡେ ଲେଖାଏଁ । ଗୁରୁଜନଙ୍କୁ ସମ୍ମାନ ଦେଖାଇ ଘର ଚଳାଇବେ । ପୁଣି ଦରକାର ବେଳେ ବାହାର ଦୁନିଆ ସାଙ୍ଗରେ ଖାପ ଖୁଆଇ ଚଳିବେ । ନୀଳିମାର ପ୍ରଶଂସା ଲୋକମାନେ ତା’ ମୁହେଁ ମୁହେଁ କରନ୍ତି । ନୀଳିମା ଭାବେ ଗାଁର ସ୍ତ୍ରୀଲୋକସବୁ କେଡ଼େ ସରଳା ! ଖାଲି ତାଙ୍କ ସାଙ୍ଗରେ ଦୁଇପଦ କଥାବାର୍ତ୍ତା କଲେ କେଡ଼େ ଖୁସି ହେଉଛନ୍ତି । ସତେ ଯେମିତି ସେମାନେ ସରଗର ଚାନ୍ଦ ହାତରେ ପାଇ ଯାଇଛନ୍ତି । ଏଇ ସରଳା ସ୍ତ୍ରୀଲୋକମାନେ ଯଦି ଦେଶ କାମରେ ଲାଗନ୍ତି, ସେମାନେ ଦେଶକୁ ଓ ଜାତିକୁ ପ୍ରକୃତରେ ସେବା କରିପାରିବେ । ସେଥିପାଇଁ ସେମାନଙ୍କୁ ଶିକ୍ଷା ଦେବାକୁ ପଡ଼ିବ । ଯେଉଁ ଗୁଣସବୁ ସ୍ତ୍ରୀଲୋକଙ୍କଠାରେ ଲୁଚି ଛପି ରହିଛି ସେ ମାଟିରେ ସୁନା ପଡ଼ି ରହିଲା ପରି ହୋଇଛି । କେବଳ ତାକୁ ଘଷି ମାଜି ସଫା କରିଦେଲେ, ସେ ଝଲମଲ ହୋଇ ଉଠିବ-। ନାରୀ-ଜାଗରଣ ଆଣିବା ପାଇଁ ନୀଳିମା ବଦ୍ଧପରିକର ।

 

ଆଜିକାଲି ପୁନି ନୀଳିମା ସାଙ୍ଗରେ ଯିବା ଆସିବା କରେ । ବୟସ ତା’ର ଖସିଗଲାଣି । ତା’ ପୁଅ ପାରିଲା ଦିନରୁ ସେ ଆଉ ସଉଦା ବିକ୍ରି କରିବାକୁ ଯାଉ ନାହିଁ । ଗାଁରେ ରହି ତା’ ଘରକାମ କରୁଛି । ସେ ଯେତେବେଳେ ଜାଣିଲା ନୀଳିମାର ବାହାଘର ଅରୁଣ ସାଙ୍ଗରେ ହେବ, ତା’ ମନ ଆନନ୍ଦରେ ନାଚି ଉଠିଲା । ପୋଖରୀ ତୁଠରେ ସେ କହେ, ଦେଖନି, ଏ ସମୟ କେମିତି ଚାଲି ଯାଉଛି । ପାଟପୁର ଗାଁରେ ଫୁଲର ଜନ୍ମ ସେମାନେ ଦେଖିଥିଲେ । ସେ ନିଜେ ସାନ୍ତରାପୁର ଦଉଡ଼ି ଦଉଡ଼ି ବାହାଘର ଠିକ୍ କରିଥିଲା । ଆଜି ଫୁଲର ପୁଅ ହୋଇ ତା’ର ପୁଣି ବାହାଘର ହେବ । ବୁଢ଼ୀମାନେ କହନ୍ତି, ହଁ ଲୋ ! ସମୟ କ’ଣ ବସି ରହିଛି । ଆଜି ମଲେ କାଲିକି ଦି’ ଦିନ । ଆଉ ସେ କଥା କହୁଛୁ କ’ଣ ?

 

ପୁନି ଏଣିକି ଘନଶ୍ୟାମଙ୍କ ଘରକୁ ଯିବା ଆସିବା କରିବା ଆରମ୍ଭ କରିଦେଲାଣି । ନୀଳିମା ପ୍ରତି ତା’ର ଗୋଟାଏ ମମତା ଜାଗିଲାଣି । କେତେଥର ସୁଷମାଙ୍କୁ କହିଲାଣି, ପିଲା ଝିଅଟାକୁ ବାର ଗାଁ ବୁଲିବାକୁ ଛାଡ଼ି ନ ଦେବାକୁ । ଅନେକ ଥର ସାବଧାନ ବି କରାଇଲାଣି, ସେ ଅମକ ଗଛରେ ଭୂତ ଅଛି, ସେଠି ଡାହାଣୀ ଅଛି, ନିଳୀମା ଡରିବ । ଏମିତିକା କେତେ କଥା । ସୁଷମା କହନ୍ତି, ନିଳୀମା ତା’ କଥା ଶୁଣୁନାହିଁ । ଅନ୍ଧାର ନ ଯାଉଣୁ ବିଛଣା ଛାଡ଼ି ଘର ଘର ବୁଲୁଛି । ପୁଣି ରାତି ସହେଲେ ଫେରୁଛି । ସେ ଏବେ କରିବ କ’ଣ ? ତା’ ପରଠାରୁ ପୁନି ଗୋଡ଼କୁ ପୁଣି ବଳ ଆସି ପାଇଛି । ସେ ବି ସକାଳ ହେଲେ ନିଳୀମା ସାଙ୍ଗରେ ଗାଁ ବୁଲିବା ଆରମ୍ଭ କରି ଦେଇଛି ।

 

ନିଳୀମା ପୁନିକୁ ମନା କରେ । ସେ କାହିଁକି ଏ ବୁଢ଼ୀଦିନେ ପିଲାଙ୍କ ସାଙ୍ଗରେ ବୁଲି କଷ୍ଟ ପାଇବ ? ପୁନି କୁହେ, ସେ ଟୋକି ଥିଲାବେଳେ ଦି ଘଣ୍ଟା ଭିତରେ ଦଶଖଣ୍ଡ ମୌଜା ବୁଲି ଆସେ । ବଳ ସିନା କମିଗଲା କିନ୍ତୁ ମନର ଦମ୍ଭ କ’ଣ କମିଗଲାଣି ? ଏଇ ମନ ବଳ ଯୋଗୁ ମଣିଷ ସମୁଦ୍ରକୁ ପହଁରି ଯାଉଛି, ଆଉ ପାହାଡ଼କୁ ଡେଇଁ ପଡୁଛି । ସେ କ’ଣ ପ୍ରତିଦିନ ଗୋଟିଏ ଗାଁକୁ ଯାଇ ଫେରି ଆସି ପାରିବନି ? ନିଳୀମା ବେଶୀ ବାଧ୍ୟ କରେ ନାହିଁ । ପୁନି ଗାଁ’କୁ ଗାଁ ବୁଲି ନିଳୀମାକୁ ଘର ସବୁ ଚିହ୍ନାଇ ଦିଏ ।

 

ନିଳୀମା ଚେଷ୍ଟାକରି ପାଟପୁର ଗାଁରେ ଗୋଟିଏ ନାରୀଶ୍ରୋତା ମଣ୍ଡଳୀ ଗଢ଼ିଲା । ଗାଁ ମଝିରେ ସେଥିପାଇଁ ଗୋଟିଏ ଘର ହୋଇଛି, ଆଉ ଗୋଟିଏ ରେଡ଼ିଓ କିଣା ହୋଇ ରହିଛି । ଖରାବେଳେ ଓ ସନ୍ଧ୍ୟାରେ ଘର କାମ ସାରି ସ୍ତ୍ରୀଲୋକମାନେ ସେ ଘରକୁ ଆସନ୍ତି । ଝିଅମାନେ ନୂଆ ନୂଆ ରୋଷାଇ ପ୍ରଣାଳୀ ଓ ପିଲା ପାଳିବା କଥା ଶୁଣନ୍ତି । ସେ ଘର ସବୁବେଳେ ପ୍ରାୟ ଝିଅପିଲାଙ୍କ ଗହଳି ଥାଏ । ସେ ଘରେ କେତେ ନହୁଲ ମନର ଗୋପନ କଥାବାର୍ତ୍ତା ହୁଅନ୍ତି । ହସି ହସି ସେ ଘରେ ଗଡ଼ି ଯାଆନ୍ତି । କିନ୍ତୁ ନିଳୀମା ଆସିଲେ ସବୁ ଚୁପ୍‍ଚାପ୍ । ସେ ଯାହା କହେ, ସମସ୍ତେ ମାନିଯାଆନ୍ତି ।

 

ପାଟପୁର ପଞ୍ଚାୟତର ପ୍ରତି ଗାଁରେ କେତେ କଣ ନାରୀକର୍ମୀ ବାହାରିଲେଣି । ସେମାନେ ଅବଶ୍ୟ ବେଶୀ ପାଠ ପଢ଼ି ନାହାନ୍ତି । କିନ୍ତୁ ଯେ କୌଣସି କାମ ବତାଇ ଦେଲେ କରି ଯାଉଛନ୍ତି । ସୁତା କାଟିବା ଓ ହାତକାମ କରିବା ପ୍ରଭୃତି କାମ ସେମାନେ କରୁଛନ୍ତି । ସାଧାରଣ ଚିକିତ୍ସା କେମିତି କରିବାକୁ ହେବ, ସେମାନେ ମଧ୍ୟ ଶିଖିଗଲେଣି । ନିଳୀମା ଶକ୍ତିରେ ଯେତେଟା ସମ୍ଭବ ସେ ନାରୀକର୍ମୀମାନଙ୍କୁ ଶିଖାଇ ଦେଲାଣି । ସେ ଠିକ୍ କରିଛି, ଆଉ କଲେଜକୁ ଯିବ ନାହିଁ । ପାଟପୁର ମାଇନର ସ୍କୁଲରେ ରହି ପାଠ ପଢ଼ାଇବ । ତା’ହେଲେ, ସେ ଅଞ୍ଚଳର ସ୍ତ୍ରୀଲୋକଙ୍କ ସାଙ୍ଗରେ ସମ୍ପର୍କ ରଖିବାକୁ କିଛି ଅସୁବିଧା ହେବ ନାହିଁ ।

 

ଅରୁଣର ଇଞ୍ଜିନିୟରିଂ ପରୀକ୍ଷା ଶେଷ ହେଲା । ଗୋଟିଏ ଅନୁଷ୍ଠାନରେ ରହି ଦୀର୍ଘ ଚାରିବର୍ଷ କାଳ ପାଠ ସେ ପଢ଼ିଲା । ତା’ର ସବୁ ମାୟା ମମତା ସେ ଛିଣ୍ଡାଇ ଦେଇ ଫେରିଆସିଲା ତା’ର ପ୍ରିୟ ପରିଚିତ ପାଟପୁରକୁ । ଗାଁ ରେ ପହଞ୍ଚି ଦେଖିଲା, ଲୋକଙ୍କ ଭିତରେ ଆସିଛି ଜାଗରଣ-। ସେ ବେଶୀ ପସନ୍ଦ କଲା ସେଇ କୋଠ ଚାଷକୁ । ସମସ୍ତେ ମିଳିମିଶି କାମ କରୁଛନ୍ତି; ସତେ ଯେମିତି ଗୋଟିଏ ପରିବାରର ଲୋକମାନେ ସେମାନେ । ଜମିଗୁଡ଼ିକ ଭାଗ ଭାଗ ହୋଇ ଛୋଟ ଛୋଟ କିଆରି ହୋଇ ନାହିଁ । ଯାହା ଅମଳ ହେଉଛି, ସମସ୍ତେ ସମାନ ଭାବରେ ବାଣ୍ଟି ନେଉଛନ୍ତି-

 

ଅରୁଣ ଆସି ଜିଦ୍ କଲା–ତିରିଶି ଏକର କାହିଁକି ସବୁ ଜମିରେ ଏମିତି କୋଠଚାଷ ହେଉ-। ଘନଶ୍ୟାମ ଉପଦେଶ ଦେଲେ, ଧୀରପାଣି ପଥର କାଟେ । ସବୁକାମ ଆସ୍ତେ ଆସ୍ତେ କରାଇବାକୁ ହେବ । କିଛି ଗୋଟାଏ ହଠାତ୍ କରି ପକାଇଲେ ସେ ଭଲ ହୋଇପାରେ, ମନ୍ଦ ବି ହୋଇପାରେ-। ଲୋକମାନେ କୋଠଚାଷର ଉପକାରିତା ବୁଝିପାରିଲେ ସେମାନେ ଛାଏଁ ଛାଏଁ ରାଜି ହୋଇଯିବେ-। ବର୍ତ୍ତମାନ ବାଧ୍ୟ କରି କରାଇଲେ ସେମାନେ ମନଦେଇ କାମକରି ନ ପାରନ୍ତି-

 

ଅରୁଣ କୋଠଚାଷ ପାଇଁ ଆଉ ବେଶୀ ଜୋର୍ ଦେଲା ନାହିଁ । ସେ ମନ ଦେଲା ଏଣିକି ଅନ୍ୟ କାମରେ । ସେ ପାଟପୁରରେ ଗୋଟାଏ ଜିନିଷର ଅଭାବ ଅନୁଭବ କଲା । ସେ ହେଉଛି ଆଲୁଅ । ରାସ୍ତାଘାଟ ସବୁ ଅନ୍ଧାର । ଗାଁ ପାଖରୁ ଦୁଇ ମାଇଲ ଦୂରରେ ବିଜୁଳିବତୀ ଖୁଣ୍ଟ ସବୁ ଯାଇଛି । ଖାଲି ଟିକିଏ ଚେଷ୍ଟା ହେଲେ, ପାଟପୁରରେ ବି ବିଜୁଳିବତୀ ଜଳି ପାରିବ । ପଞ୍ଚାୟତରେ ଏ କଥାଟା ପଡ଼ିଲା । ଘନଶ୍ୟାମଙ୍କ ମନକୁ ପ୍ରସ୍ତାବଟା ବେଶ୍ ପାଇଲା । ଲୋକମାନେ ପଙ୍କଜ ମହାନ୍ତିଙ୍କୁ ଏ ବିଷୟରେ କହିଲେ । ସବୁଆଡ଼ରୁ ଚେଷ୍ଟା ଚାଲିଲା । ଦୁଇମାସ ଭିତରେ ପାଟପୁର ପଞ୍ଚାୟତ ହସି ଉଠିଲା । ସବୁ ଗାଁ ଦାଣ୍ଡରେ ବୁଜୁଳିବତୀ ଜଳିଲା । ଅରୁଣ ମନେ ମନେ ଭାବେ, କେତେ ଶୀଘ୍ର ପରିବର୍ତ୍ତନ ଆସୁଛି । ଏଇ କେଇଟା ବର୍ଷ ଆଗରୁ ସେ ଲଣ୍ଠନ ଲଗାଇ ରାତିସ୍କୁଲରେ ପାଠ ପଢ଼ାଉଥିଲା । ଏ ଅଞ୍ଚଳର ଲୋକମାନେ କେବେହେଲେ ବିଜୁଳିବତୀର ସ୍ୱପ୍ନ ମଧ୍ୟ ଦେଖି ନ ଥିବେ । କିନ୍ତୁ ଆଜି ଘରେ ଘରେ ବିଜୁଳିବତୀ । ସ୍ୱିଚ୍ ଟିପିଦେଲେ ଆଲୁଅ । ତା’ ଆଖି ଆଗରେ ନାଚିଯାଏ ପାଟପୁରର ଚିତ୍ର । ତା’ର ପିଲାବେଳ ଏ ଗାଁର ଅବସ୍ଥା ଥିଲା କ’ଣ, ଆଉ ଆଜି ହୋଇଛି କ’ଣ ? ଏଇ ପାଟପୁର ଅବସ୍ଥାରୁ ଦେଶ କେତେ ଆଗେଇ ପାରିଛି, ସହଜରେ ଜାଣି ହୋଇଯାଉଛି-। ସେ ପୁଣି କଳ୍ପନା କରିଯାଏ ସୁଦୂର ଭବିଷ୍ୟତ ବିଷୟରେ, ଆନନ୍ଦରେ ଆତ୍ମହରା ହୋଇ ଉଠେ-

 

ଅରୁଣ ଓ ନୀଳିମା ସାଙ୍ଗ ହୋଇ ଗାଁ କାମରେ ମନ ଦେଇଛନ୍ତି । ଦୁଇ ଜଣଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ଏକ୍ । ଦେଶ ସେବା କରିବେ ଓ ଲୋକମାନଙ୍କ ଅଭାବ ଅସୁବିଧା ଦୂର କରିବେ; ଏହାକୁ ଗୋଟିଏ ବ୍ରତ ବୋଲି ସେ ଗ୍ରହଣ କରି ନେଲେଣି । ନୀଳିମା ଅନେକ ସମୟରେ ଅରୁଣକୁ ପ୍ରଶ୍ନ ପଚାରେ, ସେମାନେ ସଫଳତା ହାସଲ କରିପାରିବେ ତ ? ଅରୁଣ ଉତ୍ତର ଦିଏ–ସେମାନେ କର୍ତ୍ତବ୍ୟ କରିଯିବାର କଥା କରିବେ । ସେ କେତେଦୂର ସଫଳତା ହାସଲ କରିବେ, ସେଥିପାଇଁ ବିଚାର କରିବା ଦରକାର ନାହିଁ । ମଣିଷ ଚେଷ୍ଟା କରେ ଗଛ ଆଗକୁ ଟେକା ମାରିବାକୁ-। ଟେକା ମାରୁ ମାରୁ ହୁଏ ତ ଗଛ ମଝିରେ ବାଜିପାରେ । କିନ୍ତୁ ଲକ୍ଷ୍ୟ ହେଉଛି ଗଛ ଆଗକୁ-। ତେଣୁ ବିରାଟ କଳ୍ପନାକୁ ଆଗରେ ରଖି କାମ କରିବା ଦରକାର । ତା’ର ଫଳାଫଳ ଇଶ୍ୱରଙ୍କ ଉପରେ ଛାଡ଼ିଦେବାକୁ ହେବ ।

 

ଅରୁଣ ପରୀକ୍ଷା ଫଳ ବାହାରିଲା । ସେ କୃତିତ୍ୱର ସହ ଇଞ୍ଜିନିୟରିଂ ପାଶ କରିଛି । ଓଡ଼ିଶା ବାହାରେ ଓଡ଼ିଆ ପିଲାଙ୍କ ନାଁ ଟେକ ରଖିଛି । ଅନେକ ବନ୍ଧୁ ତାକୁ ସେଥିପାଇଁ ବଧେଇ ଜଣେଇଲେ । ଅରୁଣର ପାସ୍ ଖବର ଶୁଣି ପାଟପୁରରେ ସମସ୍ତେ ଖୁସି । ଏଣିକି ସେ ଚାକିରି କରିବ । ପାଟପୁରରୁ ଜଣେ ପୁଅ ଇଞ୍ଜିନିୟର ହେଲା । ଏଥିପାଇଁ ଗ୍ରାମବାସୀ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି ।

 

ଫୁଲର ଆନନ୍ଦ କହିଲେ ନ ସରେ । ଯେଉଁ ସ୍ୱପ୍ନ ନେଇ ସେ ବିଶ୍ଵାଳ ଘର ଛାଡ଼ି ଆସିଥିବା ଆଜି ତା’ ବାସ୍ତବରେ ପରିଣତ ହୋଇଛି । ତା’ ପୁଅ ସଂସାରରେ ମୁଣ୍ଡଟେକି ଠିଆ ହୋଇ ପାରିଛି । ଫୁଲର ଇଚ୍ଛା ଅରଣକୁ ଶୀଘ୍ର ହାତକୁ ଦି’ହାତ କରିଦେବ । କନ୍ୟା ତ ଅନେକ ଆଗରୁ ଠିକ୍ ହୋଇ ରହିଛି । କେବଳ ହାତଗଣ୍ଠି ପଡ଼ିବା ବାକି ଅଛି । ଅରୁଣ ମଧ୍ୟ ଆଗରୁ ବିବାହ ପାଇଁ ତା’ ମତାମତ ଦେଇ ସାରିଛି । ଚାକିରିକୁ ଯିବା ପୂର୍ବରୁ ବିବାହ ଶେଷ କରିବାକୁ ହରି ବେହେରା ଆୟୋଜନରେ ଲାଗିଲେ ।

 

ବିବାହ ବେଳକୁ ପାଟପୁରରେ ଗୋଟାଏ ଖୁବ୍ ଆଲୋଚନା ଚାଲିଲା । ସ୍ତ୍ରୀ ଲୋକମାନେ ଏ ବିଷୟରେ ଖୁବ୍ କଳ୍ପନା ଜଳ୍ପନା କଲେ । ସମସ୍ତଙ୍କର ଗୋଟିଏ ମତ ଯେ ଫୁଲ ବାହାଘର ବେଳକୁ ହରି ବେହେରା ଅନେକ ଯାନିଯୌତୁକ ଦେଇଥିଲେ । ସେଥିଯୋଗୁ ତାଙ୍କର ଅବସ୍ଥା ଖରାପ ହୋଇଗଲା । ତେଣୁ ସେ ଅରୁଣ ବିଭାଘର ବେଳକୁ ନିଶ୍ଚୟ ଘନଶ୍ୟାମଙ୍କଠାରୁ ବହୁତ ଟଙ୍କା ଆଣିବେ ।

 

ପୁନି କିନ୍ତୁ ସମସ୍ତଙ୍କୁ ଗୋଟାଏ ଠିକଣା ଜବାବ୍ ଦିଏ । ସେ ପାଟି କମ୍ପାଇ ଗାଧୁଆ ତୁଠରେ କହେ, କପାଳ ଲିଖନ ଲୋ ମା’, କପାଳ ଲିଖନ । ତାକୁ କ’ଣ କିଏ ବଦଳାଇ ପାରିବ ? ଫୁଲ ବାହାଘର ବେଳକୁ ବଂଶୀଧର ତ ଏତେ ରାଣ ନିଶାଣ ନେଇ ଆସିଥିଲା, ତାକୁ କିଏ ରଖିପାରିଲା ? ଆଉ ବା ବିଶ୍ଵାଳ ବୁଢ଼ା ଯେଉଁ ଧନ ନେଇଥିଲେ, ସେଥିରେ କ’ଣ ତାଙ୍କ ଘର ପୂରିଗଲା ? କଥାରେ ପରା କହନ୍ତି, ବୋହୁ ଯେତେ ଆଣିଲେ, ଘର ପୂରେ ନାହିଁ । ଭାଗ୍ୟ ହେଉଛି ସବୁଠାରୁ ବଡ଼ ଲୋ ବଡ଼ । ଯାହାର ଧନ ପାଇବାର ଥିବ, ଭଗବାନ ଛପର ଫୁଟାଇ ତାକୁ ଦେବେ-। ଆଉ ଯେ ଝିଅଟି ବିବାହ ଦେବ, ତା’ ଘରଦ୍ୱାର ବିକି ଟଙ୍କା ଆଣିଲେ କ’ଣ ଅବସ୍ଥା ବଦଳିଯିବ-?

 

ପୁନି ଡାକି ବଜେଇ କୁହେ, ଅରୁଣ ତା’ ମନଲାଖି କନ୍ୟା ପାଇଛି । ଆଉ ସେ କହୁଛି ତା’ ଶଶୁରଘରୁ କାଣି କଉଡ଼ିଟା ମଧ୍ୟ ନେବ ନାହିଁ । ପୁଣି ତା’ ବାହାଘର ବେଳେ ବାଣ ରୋଷଣୀର ଆଡ଼ମ୍ବର ହେବନାହିଁ । ଏହାକୁ କହନ୍ତି ପଢ଼ୁଆ ପିଲା । କ’ଣ ସେ ବାଜା ଆଉ ବାଣରୁ ମିଳିବ ? ଖାଲି ପଇସାଗୁଡ଼ାକ ପାଣିକୁ ପକାଇ ଦେବା କଥା । ସେଇ ପଇସାକୁ ଖର୍ଚ୍ଚ କରି ଲୋକଙ୍କୁ ଖାଇବାକୁ ଦେଲେ ତ କେତେ ଧର୍ମ ହେବ ।

 

ପାଟପୁରରେ ଆଜି ଆନନ୍ଦର ସୁଅ ଛୁଟିଛି । ଅରୁଣ ଓ ନୀଳିମାର ବାହାଘର । ପାଟପୁର ପଞ୍ଚାୟତର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘନଶ୍ୟାମ ଓ ହରି ବେହେରାଙ୍କ ଘରେ ଖିଆପିଆର ଧୂମ ଲାଗିଛି । ଏହି ଆନନ୍ଦ ଉତ୍ସବ ମଧ୍ୟରେ ବିବାହ କାର୍ଯ୍ୟ ଶେଷ ହେଲା । ଫୁଲର ମନ କୁଣ୍ଢେମୋଟ । ତା’ ପୁଅର ବାହାଘର ହେଲା । ନିଳୀମା ହରି ବେହେରାଙ୍କ ଘରେ ଆସି ରହିଲା ।

 

ଅରୁଣର ନିଯୁକ୍ତି ପତ୍ର ଆସିଲା । ଗ୍ରାମ୍ୟ ଇଞ୍ଜିନିୟରିଂ ସଂସ୍ଥାରେ ସେ ହେଲା ଇଞ୍ଜିନିୟର । ମୁକ୍ତେଶ୍ଵର ବ୍ଲକରେ ତା’ର ପ୍ରଥମ ଚାକିରି । ନୂଆ କଳ୍ପନା ଓ ଆଦର୍ଶ ନେଇ ସେ କାର୍ଯ୍ୟରେ ଯୋଗଦେଲା । ନୀଳିମା ପାଟପୁର ବାଳିକା ମାଇନର ସ୍କୁଲର ଶିକ୍ଷୟତ୍ରୀ ହୋଇ ରହିଲା-। ଦୁଇଟା ଜୀବନ ଗୋଟାଏ ହେଲା । ସେମାନେ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଲେ,ସେ ହେଲା ଦେଶସେବା ।

 

ମୁକ୍ତେଶ୍ଵର ବ୍ଲକରେ ଚାଲିଛି ନୂଆ ନୂଆ ଯୋଜନା । ସବୁ ଯୋଜନାର ମୂଳରେ ରହିଲା ଅଧିକ ଖାଦ୍ୟ ଶସ୍ୟ ଉତ୍ପନ୍ନ । ଦେଶରେ ଆଜି ସମସ୍ତଙ୍କ ମୁଣ୍ଡରେ ଗୋଟାଏ ଚିନ୍ତା । ଖାଦ୍ୟ ଅଣ୍ଟୁନାହିଁ, ଅନ୍ନଚିନ୍ତା ଭୟଙ୍କରୀ । ଖାଇବାକୁ ନ ମିଳିଲେ ମଣିଷ ଆଉ ବା କ’ଣ ଚିନ୍ତା କରିପାରିବ । ଦେଶର ଓ ଜାତିର ଉନ୍ନତି ଖାଦ୍ୟ ସମସ୍ୟା ଉପରେ ନିର୍ଭର କରୁଛି । ତେଣୁ ଜାତୀୟ ସରକାରଙ୍କର ଅଦ୍ୟମ ଚେଷ୍ଟା କିପରି ଦିନକୁ ଦିନ ବେଶୀ ଖାଦ୍ୟ ଉତ୍ପନ୍ନ ହେଉ । କୃଷିର ଉନ୍ନତି ସାଙ୍ଗେ ସାଙ୍ଗେ ଶିଳ୍ପ ଓ ବିଜ୍ଞାନର ବି ଉନ୍ନତି ହୋଇପାରିବ ।

 

ଅରୁଣ ଉପରେ ଜଳସେଚନର ଦାୟିତ୍ୱ ରହିଛି । ପ୍ରଥମେ ଛୋଟ ଛୋଟ ନଈକୁ ବନ୍ଧ କରି ପାଣିକୁ ଅଟକାଇବାକୁ ହେବ । ସେଇ ପାଣି ଚାଷ କାମରେ ଲାଗିବ । ତା’ପରେ ଅନେକ ସ୍ଥାନରେ ନଦୀବନ୍ଧ କରିବା ଦରକାର । ତା’ ଦ୍ଵାରା ଅଳ୍ପ ବନ୍ୟାରେ ଯେଉଁ ଜମି ସବୁ ବୁଡ଼ି ଯାଉଥିଲା,ସେ ସବୁ ରକ୍ଷା ପାଇବ । ଆଉ ରାସ୍ତାଘାଟ କଥା ତ ଅଛି, ସେ ସବୁ କାମ ଦେଖିବାକୁ ପଡ଼ିବ ।

 

ଅରୁଣ ତା’ କାମରେ ଲାଗିଲା । କଥାରେ କହନ୍ତି, ମଣିଷ ପ୍ରକୃତି ମଲେ ଯାଏ । ଅରୁଣ ପାଠ ପଢ଼ିଲାବେଳେ ଯେମିତି ସବୁବେଳେ ପାଠ କଥା ଚିନ୍ତା କରୁଥାଏ, ସେମିତି ଆଜିକାଲି ଖାଲି କାମ କଥା ତା’ ମୁଣ୍ଡରେ । ସକାଳ ସାତଟାଠାରୁ ରାତି ଦଶଟା ପର୍ଯ୍ୟନ୍ତ ସେ ଲାଗିଥାଏ କାମରେ । ସମୟ କିପରି ଯାଏ, ତାକୁ ଜଣାପଡ଼େ ନାହିଁ ।

 

ଯେକୌଣସି ଇଞ୍ଜିନିୟରିଂ କାମ ହେଲେ ପ୍ରଥମେ ଜନସାଧାରଣଙ୍କର ସାହାଯ୍ୟ ଲୋଡ଼ା, କୌଣସି କ୍ଷେତ୍ରରେ ସେମାନଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପଡ଼ିବ ଓ ଆଉ କେତେକ ସ୍ଥାନରେ ଆର୍ଥିକ ସାହାଯ୍ୟ ଦେବା ଦରକାର । ତା’ପରେ ସରକାର ଟଙ୍କା ଯୋଗାଇଲେ ମଧ୍ୟ ଶ୍ରମିକମାନେ ତ କାମ କରିବା ଦରକାର । ତା’ ନ ହେଲେ କୌଣସି କାମ ହୋଇପାରିବ ନାହିଁ ।

 

ଅରୁଣ ମୁକ୍ତେଶ୍ଵର ବ୍ଲକର ସବୁ ଗାଁ’କୁ ଯାଏ । ସବୁ ଲୋକଙ୍କ ସାଙ୍ଗରେ ତା’ର ସମ୍ପର୍କ । ସାଧାରଣତଃ ଗରିବ ଶ୍ରେଣୀର ଲୋକମାନେ ତା’ କଥା ମାନିଥାନ୍ତି । ତେଣୁ କୌଣସି କାମ କରିବାକୁ ହେଲେ ଶ୍ରମିକ ସଂଗ୍ରହ କରିବାକୁ କିଛି ଅସୁବିଧା ହୁଏ ନାହିଁ ।

 

ଅନେକ ସମୟରେ କୌଣସି କାମ କରିବାକୁ ସରକାରଙ୍କ ସାହାଯ୍ୟ ଯଥେଷ୍ଟ ହୁଏ ନାହିଁ । ତେଣୁ ଗ୍ରାମବାସୀଙ୍କର ସାହାଯ୍ୟ ଦରକାର ପଡ଼େ । ସେତେବେଳେ ଲୋକମାନେ ଅରୁଣକୁ ବିଭିନ୍ନ ପ୍ରକାର ପ୍ରଶ୍ନ କରନ୍ତି । ସରକାର ଟଙ୍କା ଦେଉଛନ୍ତି ଏବଂ କାମ କରାଇବା ପାଇଁ ମଧ୍ୟ ଲୋକସବୁ ରଖିଛନ୍ତି । ତେଣୁ ଗ୍ରାମବାସୀମାନେ କାମ କରିବେ ନାହିଁ ।

 

ଅରୁଣ ଲୋକମାନଙ୍କୁ ବୁଝାଏ । ସରକାର କିଏ ? ଆମ ସମସ୍ତଙ୍କୁ ନେଇ ତ ସରକାର-। ଏମିତି ତ ଗୋଟାଏ କିଛି ଜିନିଷ ନାହିଁ, ଯାହାକୁ ସରକାର କୁହାଯାଉଛି । ଯେଉଁମାନେ ଚାକିରି କରିଛନ୍ତି ସେମାନେ ହେଉଛନ୍ତି ସରକାରୀ କଳର ଗୋଟିଏ ଲେଖାଏଁ ଅଂଶ । ସେଥିରୁ କେତେକ ଉଚ୍ଚ ପାହ୍ୟାରେ ଅଛନ୍ତି, ଆଉ କେତେକ ନୀଚ ପାହ୍ୟାରେ ମଧ୍ୟ ଅଛନ୍ତି, ସମସ୍ତଙ୍କ କର୍ତ୍ତବ୍ୟ ହେଲା ଜନସାଧାରଣ ପାଇଁ କାମ କରିବା । କିନ୍ତୁ ଦେଶର ଖର୍ଚ୍ଚ ଯୋଗାଏ କିଏ ? ସେମାନେ ହେଉଛନ୍ତି ଜନସାଧାରଣ । ବିଭିନ୍ନ ରକମ କର ଆଦାୟ ହୋଇ ଜମା ହୋଇ ରହିଛି । ଯେମିତି ଗାଁ’ରେ ଯାତ୍ରା ହୁଏ । ସବୁ ଲୋକମାନେ ଚାନ୍ଦା ଦିଅନ୍ତି । ସେହି ଚାନ୍ଦା ଟଙ୍କାରେ ଚାଉଳ, ମାଛ, ଦୁଧ, ଘିଅ ଓ ପରିବା ସବୁ କିଣା ହୋଇ ଉତ୍ସବ ହୁଏ । ସେମିତି ଏ ଯେଉଁ କର ଆଦାୟ ହୁଏ, ବିଭିନ୍ନ କାମରେ ସେ ସବୁ ବାଣ୍ଟିକରି ଖର୍ଚ୍ଚ କରାଯାଏ । ଏ ଯେତେ ଯୋଜନା କାମ ଚାଲିଛି, ସେଥିପାଇଁ ପଇସା ସବୁ ସେଇ ଜନସାଧାରଣଙ୍କଠାରୁ ଆସୁଛି । କାମ ବେଶୀ କି କମ୍ ହେବ ସବୁ ସେଇ ଟଙ୍କା ଉପରେ ନିର୍ଭର କରୁଛି । ଲୋକମାନେ କମ୍ ଖଜଣା ଦେଲେ ନିଜେ ପରିଶ୍ରମ କରି କାମ କରିବେ-। ତା’ ନ ହେଲେ କୌଣସି ଯୋଜନା ସଫଳ ହେବ ନାହିଁ । ଲୋକମାନେ ତା’ କଥାକୁ ବୁଝିଯାଆନ୍ତି-। କାମ ହୁଏ, ଯଥେଷ୍ଟ ଧୈର୍ଯ୍ୟର ସହିତ ଅରୁଣ କାମ କରାଇନିଏ ।

 

ମୁକ୍ତେଶ୍ଵର ବ୍ଲକରେ କାମ ଖୁବ୍ ଆଗେଇ ଚାଲିଲା । ଅତି ଅଳ୍ପଦିନ ଭିତରେ ଗୋଟିଏ ନଦୀବନ୍ଧ ତିଆରି ହୋଇଛି । ମାଛ ଚାଷ ପାଇଁ ଦୁଇଟି ପୋଖରୀ ମଧ୍ୟ ଖୋଳା ସରିଲାଣି । ଅରୁଣର କାମ ଦେଖି ଅନ୍ୟମାନେ ନିଜ ନିଜ କାମ ଆଗେଇ ନେବାକୁ ଲାଗିଲେଣି । ବ୍ଲକରେ ଅରୁଣ ବେଶ୍ ଜଣା ଶୁଣା ହୋଇ ପାରିଛି ।

 

ତା’ ପ୍ରତି ଲୋକଙ୍କର ସମ୍ମାନ ଆପେ ଆପେ ଆସିଯାଉଛି । ସମସ୍ତେ ତାକୁ ଧନ୍ୟ ଧନ୍ୟ କହୁଛନ୍ତି ।

 

ଉଣେଇଶ ବା’ ଷଠି ମସିହା ସେପ୍ଟେମ୍ବର ମାସ ଭାରତର ଉତ୍ତର ପଟରୁ ମାଡ଼ି ଆସିଲେ ପଙ୍ଗପାଳ ଚୀନା ଶତ୍ରୁ । ରକ୍ତ ପିଇବାର ଇଚ୍ଛା ନେଇ ଆସିଲେ ଭୋକିଲା ବନ୍ଧୁ–ଦ୍ରୋହୀ ଚୀନର ସୈନ୍ୟମାନେ । ଯୁଗ ଯୁଗ ଧରି ଭାରତକୁ ଶତ୍ରୁ ହାତରୁ ରକ୍ଷା କରୁଥିଲା ହିମାଳୟ । ସେଥିପାଇଁ ସେ ଗର୍ବରେ ମୁଣ୍ଡ ଟେକି ରହିଥିଲା । କିନ୍ତୁ ତା’ ଉପରେ ଲାଗିଲା ରକ୍ତର ତାଣ୍ଡବ ଲୀଳା ।

 

ଦେଶର ଡାକ ହେଲା, ଭାରତର ସ୍ୱାଧୀନତା ବିପନ୍ନ । ଆମର ସୁଖ ପରଶ୍ରୀକାତର ଚୀନ୍ ଦେଖିପାରିଲା ନାହିଁ । ହିନ୍ଦୁ ଚୀନ ଭାଇ ଭାଇ ଡାକ ସେ ଭୁଲିଗଲା । ସୁବିଧା ଦେଖି ସେ ମାରିଲା ପଛରୁ ଛୁରୀ । ଭାରତର ଜନତା ତା’ର ଉପଯୁକ୍ତ ଜବାବ ଦେଲା ଚାରିଆଡ଼େ ଦେଖାଦେଲା ଜନ–ଜାଗରଣ । ଏ ହେଲା ବୁଦ୍ଧ, ଗାନ୍ଧିଙ୍କ ଦେଶ । ଭାରତର ନୀତି ନୁହେଁ କାହାର ସ୍ଵାଧୀନତା ପ୍ରତି ହସ୍ତକ୍ଷେପ କରିବା । କିନ୍ତୁ ଭାରତକୁ ଶତ୍ରୁ ଆକ୍ରମଣ କଲେ, କୌଣସି ଭାରତୀୟ ନାଗରିକ ବରଦାସ୍ତ କରିପାରିବ ନାହିଁ । ଚୀନ୍ ଏଭଳି କୃତଘ୍ନତା ଦେଖି ଭାରତର ତୁଙ୍ଗ ନେତାମାନେ କ୍ଷୁର୍ଣ୍ଣ ହେଲେ ସତ କିନ୍ତୁ କାତର ହେଲେ ନାହିଁ । ନିଜ ମାତୃଭୂମିକୁ ଶତ୍ରୁ ହାତରୁ ରକ୍ଷା କରିବା ପାଇଁ ଚାଳିଶ କୋଟି ଲୋକଙ୍କର ଯଥେଷ୍ଟ ଶକ୍ତି ଅଛି । ତା’ର ପ୍ରମାଣ ଦେବାପାଇଁ ସମୟ ଆସିଲା ।

 

ଯୁଦ୍ଧ ଡାକରା ଆସିଲା । ଭାରତର ଜନତା ଭୁଲିଗଲେ ନିଜ ଭିତରେ ଥିବା ମତଭେଦ । କଥାରେ କହନ୍ତି ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା । ପ୍ରତ୍ୟେକ ଭାରତୀୟ ଅନୁଭବ କଲା ଯେ ଦେଶକୁ ଶତ୍ରୁ ହାତରୁ ରକ୍ଷା କରିବା ହେଲା ପରମ କର୍ତ୍ତବ୍ୟ । ସେଠି ଓଡ଼ିଆ, ବଙ୍ଗାଳୀ, ତେଲୁଗୁ କି ତାମିଲ୍‍ର ଭେଦଭାବ ରହିଲା ନାହିଁ । ଦେଶ ମା ପାଇଁ ସମସ୍ତେ ପ୍ରାଣବଳି ଦେବାକୁ ବାହାରି ଆସିଲେ ।

 

ପ୍ରତ୍ୟେକ ଲୋକ ନିଜ ନିଜର କର୍ତ୍ତବ୍ୟରେ ଲାଗିପଡ଼ିଲେ । ଯାହାର ଯୁଦ୍ଧ କରିବାର ଶକ୍ତି ଅଛି, ସେ ସୈନ୍ୟ ବିଭାଗରେ ଯୋଗ ଦେଲା । ଯେଉଁମାନଙ୍କର ଟଙ୍କା ଅଛି, ସେମାନେ ଯୁଦ୍ଧ ପାଇଁ ଯନ୍ତ୍ରପାତି କିଣିବାକୁ ଅର୍ଥ ସାହାଯ୍ୟ ଦେଲେ । ଆଉ କୃଷକମାନେ ଲାଗିପଡ଼ିଲେ ଅଧିକ ଖାଦ୍ୟଶସ୍ୟ ଉତ୍ପନ୍ନ କରିବା ପାଇଁ । ଭାରତରେ ଏଭଳି ଏକତା ଦେଖି ଚୀନାମାନେ ସ୍ତବ୍‍ଧ ହୋଇଗଲେ । ସେମାନେ ଭାବିଥିଲେ,ଶାନ୍ତିପ୍ରିୟ ଜନତା ରକ୍ତ ଦେଖି ଡରିଯିବେ, ଆଉ ସେମାନେ ଫାଇଦା ଉଠାଇ ଚାଲିଯିବେ, କିନ୍ତୁ ସେମାନେ ଜାଣି ନ ଥିଲେ ଯେ ଏ ହେଉଛି ଲକ୍ଷ୍ମୀବାଇ ଓ ରାଣୀ ଦୁର୍ଗାବତୀଙ୍କ ଦେଶ । ଏ ଦେଶର କୋମଳ ହୃଦୟା ନାରୀ ମଧ୍ୟ ଯୁଦ୍ଧ କ୍ଷେତ୍ରକୁ ଡେଇଁ ଦେଶର ମାନ ରକ୍ଷା କରିପାରେ । ବିଶ୍ୱାସଘାତକ ଚୀନ୍‍କୁ ଉପଯୁକ୍ତ ଶିକ୍ଷା ଦେବାକୁ ସମସ୍ତ ଭାରତୀୟ ପ୍ରତିଜ୍ଞାବଦ୍ଧ ।

 

ଅରୁଣ ଆଉ ମୁକ୍ତେଶ୍ଵର ବ୍ଲକ କଥା ଚିନ୍ତା କରିପାରିଲା ନାହିଁ । ସମ୍ମୁଖରେ ବର୍ତ୍ତମାନ ବିରାଟ କର୍ତ୍ତବ୍ୟ ଉପସ୍ଥିତ । ଦେଶକୁ ରକ୍ଷା କରିବାକୁ ଦେବ । ଦେଶମାତୃକାର ଡାକ ସେ ଏଡ଼ାଇ ଦେଇ ପାରିଲା ନାହିଁ । ସେ ଯୁଦ୍ଧ ବିଭାଗରେ ଯୋଗ ଦେବାକୁ ପ୍ରସ୍ତୁତ ହେଲା । ଓଡ଼ିଶା ସରକାର ଅରୁଣର ପ୍ରସ୍ତାବକୁ ଆଗ୍ରହର ସହିତ ଗ୍ରହଣ କଲେ । ନେଫା ଅଞ୍ଚଳକୁ ଯିବାକୁ ତାକୁ ଆଦେଶ ମିଳିଲା । ସେ ସୈନ୍ୟ ବିଭାଗର ଇଞ୍ଜିନିୟରିଂ ବିଭାଗରେ ଯୋଗ ଦେବାର କଥା । ଅରୁଣ ଫେରିଆସିଲା ପାଟପୁରକୁ, ସେ ସୀମାରେଖାକୁ ବିଦାୟ ନେଇ ଯିବ ।

 

ଯୁଦ୍ଧ ଲାଗିବା କଥା ପାଟପୁରରେ ସମସ୍ତଙ୍କୁ ଜଣା । ଗାଁ ଦାଣ୍ଡରେ, ଗାଧୁଆ ତୁଠରେ, ଫସଲ କିଆରିରେ ଆଉ ସ୍କୁଲମାନଙ୍କରେ ସବୁବେଳେ ସେହି ଆଲୋଚନା । ସମସ୍ତଙ୍କ ମନରେ ଗୋଟାଏ ରକମ ସନ୍ଦେହ, ଆମେ କ’ଣ ଶତ୍ରୁକୁ ତଡ଼ିଦେବା ନାହିଁ ? ପ୍ରତି ମୁହୂର୍ତ୍ତରେ ଯୁଦ୍ଧ ସମ୍ବାଦ ଜାଣିବା ପାଇଁ ସମସ୍ତେ ଉଦ୍‍ବିଗ୍ନ ହୋଇ ଉଠୁଛନ୍ତି ।

 

ଅରୁଣ ସୈନ୍ୟ ବିଭାଗରେ ଯୋଗଦେବା ସମ୍ବାଦ ପାଟପୁର ପଞ୍ଚାୟତର ଲୋକମାନେ ଜାଣିଲେ । ଯୁଦ୍ଧକୁ ଗଲେ ଜୀବନ ପ୍ରତି ମାୟା ମମତା ଛାଡ଼ିବାକୁ ହେବ । ତା’ ନ ହେଲେ ଯୁଦ୍ଧକ୍ଷେତ୍ରରେ ପ୍ରକୃତ କର୍ତ୍ତବ୍ୟ କରିବା ସମ୍ଭବ ହେବନାହିଁ । ଜୀବନ ବିପନ୍ନ ହେବାର ଆଶଙ୍କା ଥିଲେ ମଧ୍ୟ ଅରୁଣକୁ ବାଧା ଦେବାକୁ କେହି ସାହସ କଲେ ନାହିଁ । ତା’ର ଦୃଢ଼ ସଂକଳ୍ପ ଦେଖି ଅନ୍ୟମାନଙ୍କ ମୁଣ୍ଡ ନଇଁଗଲା ।

 

ଗଉରୀ ଓ ଫୁଲ ଅରୁଣ କଥା ଶୁଣି ଭାତ ପାଣି ଛାଡ଼ିଦେଲେ । ସେମାନଙ୍କ ଆଖିରୁ ସବୁବେଳେ ଲୁହଧାର ଛୁଟିଗଲା । ଫୁଲ ଜିଦ୍ ଧରି ବସିଲା, ଅରୁଣ ସୈନ୍ୟ ବିଭାଗରେ ଯୋଗ ଦେଲେ ସେ ନିଶ୍ଚୟ ପ୍ରାଣ ହରେଇ ଦେବ । ନିଳୀମା ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲା । ଗୋଟିଏ ଦିଗରେ ସ୍ଵାମୀ ପ୍ରତି ମମତା ଓ ଅନ୍ୟ ପକ୍ଷରେ ଦେଶର ଡାକ । ନିଜର ସ୍ୱାର୍ଥ ତ୍ୟାଗ ନ କଲେ ଦେଶ ଶତ୍ରୁହାତକୁ ଯାଉଛି । ତା’ପରେ ଅରୁଣ ମନସ୍ଥ କରିଛି ନିଶ୍ଚୟ ନେଫାକୁ ଯିବ । ନୀଳିମା ଅନେକ ଭାବିଲା । ଶେଷରେ ଠିକ୍ କଲା ସମୂହ ସ୍ୱାର୍ଥ ଦୃଷ୍ଟିରୁ ନିଜ ସ୍ୱାର୍ଥକୁ ସେ ବଳି ଦେବ I ଅରୁଣକୁ ସୈନ୍ୟ ବିଭାଗରେ ଯିବାକୁ ମନା କରିବ ନାହିଁ ।

 

ଅରୁଣ ବୁଝାଇଲା ଗଉରୀ ଓ ଫୁଲକୁ I ସେ ଯଦିଓ ସୈନ୍ୟ ବିଭାଗରେ ଯୋଗ ଦେଉଛି, ତଥାପି ତାକୁ ଗୁଳି କମାଣ ଧରି ଯୁଦ୍ଧ କରିବାକୁ ପଡ଼ିବ ନାହିଁ । ସେ ସୈନ୍ୟମାନଙ୍କ ପାଇଁ ରାସ୍ତା, ପୋଲ ତିଆରି କରିବ I ଦରକାର ହେଲେ ଅସ୍ଥାୟୀ ଘର ମଧ୍ୟ ତିଆରି କରିବ I ସେ ତ ସୈନ୍ୟଙ୍କ ଆଗକୁ ଯିବ ନାହିଁ, ତେଣୁ ତା’ ଜୀବନ ପ୍ରତି କୌଣସି ବିପଦ ଆସିବ ନାହିଁ । ଗଉରୀ ଓ ଫୁଲ ଏ କଥା ଆଦୌ ବିଶ୍ୱାସ କଲେ ନାହିଁ । ତଥାପି ନିରୂପାୟ I ଅରୁଣ କାହାରି ବାଧା ମାନିବାକୁ ପ୍ରସ୍ତୁତ ନୁହେଁ ।

 

ସୁଷମା ଓ ଘନଶ୍ୟାମଙ୍କ ମନ ଆଦୌ ଭଲ ନାହିଁ I ଗୋଟିଏ ବୋଲି ଝିଅର ନୂଆ ବାହାଘର ହୋଇଛି I ଏଣେ ଜ୍ଵାଇଁ ଯୁଦ୍ଧକ୍ଷେତ୍ରକୁ ବାହାରିଲାଣି । ଘନଶ୍ୟାମଙ୍କର କାମ କରିବାର ସ୍ପୃହା ଏକିବାରେ କମିଯାଇଛି I

 

ଅରୁଣ ପାଟପୁର ଛାଡ଼ିବା ପୂର୍ବରୁ ଘନଶ୍ୟାମଙ୍କୁ କେତେ ଆଶ୍ଵାସନା ଦେଇଗଲା । ପଞ୍ଚାୟତରେ ବି ଅନେକ ଲୋକ ଆସିଥିଲେ I ଅରୁଣ ସେମାନଙ୍କୁ କହିଲା, ଦେଶରେ ଜରୁରୀ କାଳୀନ ପରିସ୍ଥିତି ଉପୁଜିଛି I ବର୍ତ୍ତମାନ ସମସ୍ତଙ୍କୁ ସତର୍କ ହୋଇ ଚଳିବାକୁ ପଡ଼ିବ I ଦରକାର ହେଲେ ପ୍ରତ୍ୟେକ ଲୋକ ଯୁଦ୍ଧକୁ ଯିବାକୁ ପ୍ରସ୍ତୁତ ରହିବା ଉଚିତ୍ I ଆମକୁ ଯେକୌଣସି ରକମ ହେଉ, କଳେ ବଳେ କୌଶଳେ ସଇତାନ ଚୀନାମାନଙ୍କୁ ଆମ ମାଟି ଉପରୁ ତଡ଼ିଦେବାକୁ ହେବ ।

 

ତା’ପରେ ସେ ଲୋକମାନଙ୍କୁ ବୁଝାଇ କହିଲା, ଆପଣମାନେ ଭାବନ୍ତୁ ନାହିଁ ଯେ ଖାଲି ଯୁଦ୍ଧକ୍ଷେତ୍ରକୁ ଗଲେ, ଦେଶରକ୍ଷା କରିହେବ, ତା’ ନୁହେଁ । ଏଇ ଗାଁରେ ରହିବି ଦେଶପାଇଁ କାମ କରିହେବ । ବିଶେଷତ୍ଵ କୃଷକମାନଙ୍କର ଦାୟିତ୍ଵ ଅନେକ ବଢ଼ିଯାଇଛି I ବର୍ତ୍ତମାନ ପରିସ୍ଥିତି ପାଇଁ ଅଧିକ ଖାଦ୍ୟଶସ୍ୟ ଉତ୍ପନ୍ନ କରିବା ନିତାନ୍ତ ଦରକାର । ତା’ ନ ହେଲେ, ଜିନିଷପତ୍ର ଦର ହୁ ହୁ ବଢ଼ି ଚାଲିବ I ତେଣୁ କୋଠଚାଷ କରି ସମସ୍ତେ ଚାଷର ଉନ୍ନତି ପାଇଁ ମନପ୍ରାଣ ଦେଇ ଲାଗି ପଡ଼ିବା ଦରକାର ।

ବିଦାୟ ବେଳକୁ ବେଣୁବାବୁ ଆସିଲେ । ଅରୁଣ ତାଙ୍କୁ ବି ଦୁଇପଦ କହିବାକୁ ଭୁଲିଲା ନାହିଁ । ଅରୁଣ ପରାମର୍ଶ ଦେଇ କହିଲା, ବର୍ତ୍ତମାନ ପ୍ରତି ଗ୍ରାମରେ ଗ୍ରାମରକ୍ଷୀ ରହିବା ଦରକାର ପଡ଼ୁଛି । କେତେବେଳେ କ’ଣ ଭଲ ମନ୍ଦ ହେବ, ସେମାନେ ସେ ସବୁ ଦେଖିବେ I ସରକାର ଏଥିପାଇଁ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି I ପାଟପୁରରେ ଦଳେ ଯୁବକ ଦରକାରୀ ଶିକ୍ଷା ପାଇ ଗାଁରେ ରହିବା ନିତାନ୍ତ ଦରକାର । ବେଣୁବାବୁ କଥା ଦେଲେ, ସେମିତି କୌଣସି ସୁବିଧା ଆସିଲେ, ସେ ଗୃହରକ୍ଷୀ ଦଳ ଗଠନ କରିବେ I

ଶେଷରେ ଅରୁଣ ନୀଳିମା ଉପରେ ଘରର ସମସ୍ତଙ୍କ ଦାୟିତ୍ଵ ଦେଇ କହିଲା, ସେମାନଙ୍କୁ ବୁଝାଇ ଥୟ କରିବାକୁ I ତା’ପରେ ନୀଳିମା କର୍ତ୍ତବ୍ୟରେ ଯେତିକି ସମ୍ଭବ, ସେ ଦେଶ ପାଇଁ ନିଶ୍ଚୟ କାମ କରିବ I ସମସ୍ତଙ୍କଠାରୁ ବିଦାୟ ନେଇ ଅରୁଣ ନେଫା ଅଞ୍ଚଳକୁ ଚାଲିଗଲା ।

ଅରୁଣ ଯିବା ପରେ ନୀଳିମା ଗଉରୀ ଓ ଫୁଲକୁ ବୁଝାଇ ଶାନ୍ତ କରାଇଲା । ଫୁଲ କିନ୍ତୁ ସବୁବେଳେ ଠାକୁର ପୂଜାରେ ସମୟ କଟାଇଲା । କେମିତି ଅରୁଣ ଶୀଘ୍ର ନିରାପଦରେ ଫେରିଆସୁ, ଏଇ ହେଲା ତା’ର ଜପାମାଳୀ ।

 

ନୀଳିମା ନିଜକୁ ଖାଲି ସ୍କୁଲ କାମରେ ବାନ୍ଧି ରଖି ପାରିଲା ନାହିଁ । ଛୁଟି ସମୟରେ ସେ ତା’ର କେତେ ଜଣ ସହକର୍ମୀଙ୍କୁ ନେଇ ଘର ଘର ବୁଲି ଟଙ୍କା ସଂଗ୍ରହ କଲା । ଏଥିପାଇଁ ମାଳତୀ ତାକୁ ଅନେକ ସାହାଯ୍ୟ କଲା ।

 

ନୀଳିମା ଗାଁକୁ ଗାଁ ବୁଲି ସ୍ତ୍ରୀଲୋକମାନଙ୍କୁ ଦେଶର ବିପଦ କଥା ବୁଝାଇଲା । ଦେଶର ଡାକ, ଶତ୍ରୁ ଆସିଛି । ସେମାନଙ୍କୁ ତଡ଼ି ଦେଶର ସ୍ଵାଧୀନତା ରକ୍ଷା କରିବାକୁ ହେବ । ସେଥିପାଇଁ ଅସ୍ତ୍ର ଶସ୍ତ୍ର କିଣିବାକୁ ଟଙ୍କା ଦରକାର । ଯାହାର ଯାହା ଶକ୍ତି ପାଉଛି, ସାହାଯ୍ୟ ଦିଅନ୍ତୁ । ସବୁଠାରୁ ବେଶୀ ସୁନା ଦରକାର । କାରଣ ଅନ୍ୟ ଦେଶକୁ ସୁନାଦେଇ ଆମେ ଯନ୍ତ୍ରପାତି ଆଣିବା ।

 

ଦିନେ ପୁନି ନୀଳିମାକୁ ପଚାରିଲା, ଆଲୋ ନୀଳ ! ଆମେ ତ ଗରିବ ଲୋକ । ଆମେ ଏମିତି କେତେ ଟଙ୍କା କି ଗହଣା ସାହାଯ୍ୟ ଦେବୁ ଯେ, ସେଥିରେ ଯନ୍ତ୍ରପାତି କିଣା ହେବ ।

 

ନୀଳିମା ପୁନିକୁ କହିଲା, ମାଉସୀ ! ତୁମେ ତ ଆମ ପୁରାଣ କଥା ଶୁଣିଥିବ । ରାମଚନ୍ଦ୍ର ମହାପ୍ରଭୁ ସୀତା ଠାକୁରାଣୀଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ରରେ ବନ୍ଧ ପକାଇଥିଲେ; ସେତେବେଳେ ଗୁଣ୍ଡିଚିମୂଷା ବି କାମ କରିଥିଲା । କେଡ଼େ ଛୋଟ ଜୀବଟିଏ । ସେ ତ ପୁଣି ପାଣିରେ ବୁଡ଼ି ବାଲିରେ ଗଡ଼ୁଥିଲା । ତା’ପରେ ବନ୍ଧ ଉପରେ ଦେହ ଝାଡ଼ି ହୋଇ ବାଲି ପକାଉଥିଲା । ସେଥିପାଇଁ ଶ୍ରୀରାମଚନ୍ଦ୍ର ତାକୁ ସ୍ନେହରେ ଆଉଁଷି ଦେଇଥିଲେ । ଗୁଣ୍ଡିଚିମୂଷା ପିଠିରେ ଯେଉଁ ଧଳାଗାର ପଡ଼ିଛି, ସେଇ ପରା ମହାପ୍ରଭୁଙ୍କର ଆଙ୍ଗୁଠି ଚିହ୍ନସବୁ । ସେଇ ମୂଷା ବାଲି ପକାଇବାର କ’ଣ ସମୁଦ୍ରରେ ବନ୍ଧ ହୋଇଗଲା ? ନା, ତା’ ନୁହେ । ବିରାଟ କାମରେ ସମସ୍ତଙ୍କର ଦାନ ରହିବା ଦରକାର । ସମସ୍ତେ ଅଳ୍ପ ଅଳ୍ପ ଦେଲେ, ସେ ମିଶିକରି ବହୁତ୍ ହୋଇଯିବ ।

 

ପୁନି ନୀଳିମା କଥାକୁ ବୁଝିଗଲା । ତା’ ଯୁବତୀ ବେଳର ରୂପାଖଡ଼ୁ ସେ କାନ୍ଥ ଭିତରେ ପୋତି ରଖିଥିଲା । ତାକୁ ସାଙ୍ଗେ ସାଙ୍ଗେ ବାହାର କରି ସେ ନୀଳିମା ହାତରେ ଧରାଇ ଦେଲା । ପୁନିର ଦାନକୁ ଦେଖି ଅନ୍ୟମାନେ ଆଗେଇ ଆସିଲେ । ପାଟପୁର ପଞ୍ଚାୟତର ପ୍ରତ୍ୟେକ ଗ୍ରାମରୁ ସୁନା ରୂପା ସଂଗ୍ରହ ହେଲା । ନୀଳିମା ସେ ସବୁ ଦେଶରକ୍ଷା ପାଣ୍ଠିକୁ ପଠାଇଦେଲା ।

 

ସେ ଦିନ ମାଳତୀ ପଚାରିଲା ନୀଳିମାକୁ । ଆଚ୍ଛା, ଅପା ! ଆମର ସୈନ୍ୟମାନେ ତ ପର୍ବତ ଉପରେ ରହି ଯୁଦ୍ଧ କରୁଛନ୍ତି । ସେଠି ତ ଖୁବ୍ ଥଣ୍ଡା ହେଉଥିବ । ଆମେସବୁ କିଛି ଗରମ ପୋଷାକ ତିଆରି କରି ପଠାଇଲେ ହୁଅନ୍ତା ନାହିଁ କି ?

 

ନୀଳିମା କହିଲା, ଆମର ଯୱାନମାନଙ୍କ ପାଇଁ ଏମିତି ତ କେତେ ଜିନିଷ ଦରକାର । କିନ୍ତୁ ଆମ ମା ଭଉଣୀ ସିନା ସେ କାମ କରିବାକୁ ଆଗ୍ରହ ପ୍ରକାଶ କଲେ ହେବ । ତା’ ନ ହେଲେ ବାଧ୍ୟକରି କିଛି କରାଇ ହେବ ନାହିଁ ।

 

ମାଳତୀ ନାରୀଶ୍ରୋତା ମଣ୍ଡଳୀରେ ଏ କଥା ପକାଇଲା । ସବୁ ସଭ୍ୟା ରାଜି ହୋଇଗଲେ, ସେମାନେ ଦେଶପାଇଁ ପ୍ରତିଦିନ କିଛି ନା କିଛି କାମ କରିବେ । ଚାନ୍ଦା ସଂଗ୍ରହ ହୋଇ ବଜାରରୁ ପଶମ କିଣା ହୋଇ ଆସିଲା । ପାଟପୁର ନାରୀ ସମିତିରୁ ପ୍ରତି ମାସରେ କେତେ ହଳ ମୋଜା ଓ କେତେ ଖଣ୍ଡ ଶୁଏଟର ବୁଣା ହୋଇ ପଠା ହେଲା ।

 

ପଙ୍କଜ ମହାନ୍ତି ଏଣିକି ସବୁବେଳେ ନିଜ ଅଞ୍ଚଳରେ ରହୁଛନ୍ତି । ସେ ଲୋକଙ୍କ ମଧ୍ୟରେ ପ୍ରଚାର ଚଳାଇଛନ୍ତି କିପରି ଅଧିକ ଶସ୍ୟ ଉତ୍ପନ୍ନ ହେଉ । ଘନଶ୍ୟାମ ତ ଆଗରୁ କୋଠଚାଷ ଆରମ୍ଭ କରି ଦେଇଥିଲେ । ଯୁଦ୍ଧପରେ ସେ ଲୋକମାନଙ୍କୁ ପରାମର୍ଶ ଦେଇ ପ୍ରତି ଗାଁର ଅଧେ ଲେଖାଏଁ ଜମିରେ କୋଠଚାଷ କରାଉଛନ୍ତି । ପଞ୍ଚାୟତ ତରଫରୁ ଉତ୍କୃଷ୍ଟ ବିହନ ଓ ସାର ଯୋଗାଇ ଦିଆଯାଉଛି । ଋତୁ ଅନୁସାରେ ବିଭିନ୍ନ ରକମର ଫସଲ ହେଉଛି । ବିଶେଷତଃ ଧାନ ଚାଷରେ ବିଶେଷ ଉନ୍ନତି ହୋଇଛି । ଜାପାନୀ ପ୍ରଣାଳୀରେ ଚାଷ ହେବାଦ୍ୱାରା ଏକର ପିଛା ଫସଲ ଆମଦାନି ହାର ବୃଦ୍ଧି ପାଇଛି । ଆଉ ମଧ୍ୟ ଲୋକମାନେ ପ୍ରଚୁର କଦଳୀ ଓ ସପୁରି ଚାଷ କରୁଛନ୍ତି ।

 

ବେଣୁଧରଙ୍କ ମନରେ ସବୁବେଳେ ଅରୁଣର ଉପଦେଶ-ଝଡ଼ ସୃଷ୍ଟି କରୁଛି । ସେ ଦେଶପାଇଁ କିଛି କାମ କରିବେ । ସରକାରଙ୍କଠାରୁ ନିର୍ଦ୍ଦେଶ ଆସିଲା, ପ୍ରତି ଗ୍ରାମରେ ଗୃହରକ୍ଷୀବାହିନୀ ଗଠନ କରିବାକୁ ହେବ । ବେଣୁଧର ପାଟପୁରରେ ପ୍ରଥମେ ଏ କାମ ଆରମ୍ଭ କଲେ । ତାଙ୍କ ଶିକ୍ଷାଯୋଗୁଁ ଅନେକ ଯୁବକ ଗୃହରକ୍ଷୀ ବାହିନୀରେ ଯୋଗ ଦେଲେ । ଏଥିପାଇଁ କିଛିଦିନ ଟ୍ରେନିଂ ଦେଇ ସେମାନେ ଗାଁରେ ରହିଲେ ।

 

ଏଇ ତ ସେ ଦିନ । ଗୃହରକ୍ଷୀ ଦଳଙ୍କ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଚିନ୍ତେଇ ସ୍ଵାଇଁ ବୁଢ଼ୀମା କୁଟା ଜାଳି ରୋଷାଇ କରୁଥିଲା । କୁଟାରୁ ନିଆଁ ଉଡ଼ିଯାଇ କେତେବେଳେ ଚାଳରେ ଲାଗିଲାଣି ତାକୁ ଜଣାନାହିଁ । ତା’ ଘରଟା ଗାଁ ମଝିରେ । ଯେତେବେଳେ ଘର ମଥାନରୁ ଧୂଆଁ ଉଠିଲା, ସମସ୍ତଙ୍କ ନଜର ତା’ଉପରେ ପଡ଼ିଲା । ଗୃହରକ୍ଷୀ ଦଳ କିଏ କେଉଁଠି ଥିଲେ ଆସି ଜମା ହୋଇଗଲେ । ଚିନ୍ତେଇ ସ୍ଵାଇଁ ଘରକୁ ଲାଗିଥିବା ଦୁଇ ପାଖ ଘରକୁ ସେମାନେ ସାଙ୍ଗେ ସାଙ୍ଗେ ଭାଙ୍ଗିଦେଲେ । ଗାଁ ଲୋକମାନେ ସମସ୍ତେ ସାହାଯ୍ୟ କଲେ । ଏତେ ପାଣି ବୋହିଲେ ଯେ ଗୋଟାଏ ପୋଖରୀ ଶୁଖିଗଲା । ସେ ଦିନ ସାରା ରାତି ଗୃହରକ୍ଷୀ ଦଳ ନିଆଁକୁ ଜଗି ରହିଲେ । ତା’ ପରଦିନ ପୁରୁଣା କାନ୍ଥ ଉପରେ ପୁଣି ନୂଆ ଘର ସେମାନେ ତିଆରି କରିଦେଲେ । ଗୃହରକ୍ଷୀ ଦଳ ଅକ୍ଳାନ୍ତ ପରିଶ୍ରମ ନ କରିଥିଲେ, ପାଟପୁର ଅବସ୍ଥା କ’ଣ ହୋଇଥାନ୍ତା, କିଛି କହି ହେଉନାହିଁ । ଗୃହରକ୍ଷୀ ଦଳଙ୍କର ସମସ୍ତ ଦାୟିତ୍ଵ ବେଣୁଧରଙ୍କ ଉପରେ । ସ୍କୁଲର ଖବର ବୁଝିବା ସାଙ୍ଗେ ସାଙ୍ଗେ ଗାଁର ଭଲମନ୍ଦ ପାଇଁ ସବୁବେଳେ ସେ ନଜର ଦେଇଥାନ୍ତି ।

 

ଅରୁଣର ନେଫାକୁ ଯିବା ତିନିମାସ ହୋଇଗଲାଣି । ସେ ନୀଳିମା ପାଖକୁ ଖଣ୍ଡେ ଚିଠି ଲେଖିଥିଲା ।

 

୫ ନମ୍ବର କ୍ୟାମ୍ପ

ତା ୨୬ । ୧ । ୬୩

ପ୍ରାଣର ନୀଳିମା !

ଅନ୍ତରର ସ୍ନେହ ନେବୁ । ସମସ୍ତ ଗୁରୁଜନକୁ ମୋର ସଭକ୍ତି ପ୍ରଣାମ ଓ ଲଘୁଜନମାନଙ୍କୁ ଆଶୀର୍ବାଦ ଜଣାଇବୁ । ଭାରତର ଏଇ ସୁଦୂର ଉତ୍ତର ସୀମାନ୍ତରୁ ଚିଠି ଲେଖୁଛି । ଆମେ କେଉଁଠି ଅଛୁ ଏବଂ କ’ଣ କରୁଛୁ, ସେ ସବୁ ଲେଖିବା ନୀତି ବିରୁଦ୍ଧ । ସେ ସବୁ ତୁମ୍ଭେମାନେ ଜାଣି ଲାଭ ନାହିଁ । ତଥାପି ତୁମ୍ଭମାନଙ୍କର ସାନ୍ତ୍ୱନା ପାଇଁ ଦି’ପଦ ଲେଖୁଛି ।

ପାହାଡ଼ ଉପରେ ତମ୍ବୁ । ତା’ ଭିତରେ ମୁଁ ଗୋଟିଏ କ୍ୟାମ୍ପ ଖଟିଆ ଉପରେ ବସିଛି । ଆଗରେ ପେଟ୍ରୋମାକସ ଲାଇଟ୍ ଜଳୁଛି । ଥଣ୍ଡା ଯୋଗୁ କମ୍ବଳଟା ବି ଘୋଡ଼ାଇ ହେଇ ବସିଛି । ଅନେକ ଦିନରୁ ଚିଠି ଖଣ୍ଡେ ଲେଖିବାକୁ ଭାବିଲିଣି । କିନ୍ତୁ ସମୟ ନ ଥିବାରୁ ଲେଖି ପାରି ନ ଥିଲି । ଆଜି ଦିନ ଆମ ପକ୍ଷେ ଗୋଟିଏ ପବିତ୍ର ଦିନ । କାମରୁ ଟିକିଏ ଛୁଟି ମିଳିଛି । ତେଣୁ ଭାବିଲି ଚିଠିଖଣ୍ଡେ ଲେଖିବି ବୋଲି । କାଗଜ କଲମ ଧରି ବସିଲା ବେଳକୁ ମନରେ କେତେ ଭାବନା ଆସୁଛି । ସେ ସବୁ ଲେଖିଲେ ତ ଗୋଟାଏ ବଡ଼ ବହି ହୋଇଯିବ । ଅଧଘଣ୍ଟା ପରେ ଖାଇବା ପାଇଁ ଘଣ୍ଟି ବାଜିବ । ଏତିକି ସମୟ ଭିତରେ ଯେତିକି ହୋଇପାରିବ, ଲେଖି ଦେବି ।

ହଁ, ଆଜି ସାଧାରଣତନ୍ତ୍ର ଦିବସ । ଏଇ ଦିନର ମହତ୍ତ୍ୱ ସୈନିକ ଜୀବନପକ୍ଷେ ଯେ କେତେ, ତାହା ଅନୁଭବୀ ମାତ୍ରେ ହିଁ ଜାଣିବେ । ଆଜି କମାଣ୍ଡର ପତାକା ଉତ୍ତୋଳନ କରି ସୈନିକମାନଙ୍କୁ ଉଦବୋଧନ ଦେଲେ । ସେତେବେଳେ ମୋର ରକ୍ତ ଏମିତି ତାତି ଉଠିଲା ଯେ ମୁଁ ଭାବିଲି ସାଙ୍ଗେ ସାଙ୍ଗେ ବିଶ୍ୱାସଘାତକ ଚୀନାମାନଙ୍କୁ ମାରି ପକାନ୍ତି । ସେଇ ଉତ୍ତେଜନା ହିଁ ଆମକୁ ଏଠାରେ ବଞ୍ଚାଇ ରଖିଛି ।

କିନ୍ତୁ ନୀଳିମା ! କାମରୁ ଫେରିଲେ ବଡ଼ କ୍ଳାନ୍ତ ଲାଗୁଛି । ସେତେବେଳେ ତୋ କଥା ମୋର ବାରମ୍ଵାର ମନେପଡ଼ୁଛି । ଆମର ବିବାହ ବେଶୀ ଦିନ ହୋଇନାହିଁ । ତୋ ମୁହଁଟା ମୋ ଆଖିରେ ସବୁବେଳେ ନାଚୁଛି । ମନ ଡାକେ ତୋ ପାଖକୁ ଉଡ଼ିଯିବାକୁ । ବିଶ୍ରାମ ପରେ କ୍ଳାନ୍ତି ଚାଲିଯାଏ । ଆଗରେ ଉଭାହୁଏ କର୍ତ୍ତବ୍ୟ, ସେତେବେଳେ ଭାଇ ବନ୍ଧୁ, ସଖା ସୋଦର ରହିଯାନ୍ତି କାହିଁ କେତେ ପଛରେ, କାମ ଲାଗେ । ସକାଳ ଯାଇ ସଞ୍ଜ ହୁଏ । ସମୟ ଜଣା ପଡ଼େ ନାହିଁ । ମୁଁ ତ ନିଜକୁ ବିଶ୍ୱାସ କରି ପାରୁନାହିଁ, ମୁଁ କିପରି ଏତେ କାମ କରି ପାରୁଛି ବୋଲି ।

ତୁ ତୋ ଚିଠିରେ ଲେଖିଥିଲୁ ଯେ ତୁମ୍ଭେମାନେ ମୋଜା ଓ ସୁଏଟର ତିଆରି କରି ଯୱାନମାନଙ୍କ ପାଇଁ ପଠାଉଛ । ମୁଁ ଦୁଇହଳ ମୋଜା, ଗୋଟିଏ ସୁଏଟର ଓ ଗୋଟିଏ ଟ୍ରାଞ୍ଜିଷ୍ଟର ପାଇଛି । ଏ ମୋଜା ଓ ସୁଏଟର ତୁମ ହାତ ବୁଣା ହୋଇଥିବ ବୋଲି ବିଶ୍ୱାସ ହୁଏ ନା । ରାଣୀ ମୋର ! ତୁ ଅନୁଭବ କରିପାରିବୁ କି ନା କହି ହେଉ ନାହିଁ । ମୁଁ ଏଇ ମୋଜା ଓ ସୁଏଟର ପିନ୍ଧିଲା ବେଳେ ମୋତେ ଏତେ ଆନନ୍ଦ ଲାଗୁଛି, ତା’ ଭାଷାରେ ପ୍ରକାଶ କରି ପାରୁନାହିଁ ।

ତା’ର କାରଣ କ’ଣ ଜାଣିଛୁ ? ସେତେବେଳେ ମୋ ଆଖି ଆଗରେ ନାଚି ଉଠୁଛି କେତେ ମା’ ଭଉଣୀଙ୍କର ଚିତ୍ର । ଆମେ ଯୁଦ୍ଧ ପଡ଼ିଆରେ ଅଛୁ ବୋଲି ସେମାନେ ଘରେ ଥୟ ହୋଇ ବସି ପାରୁନାହାନ୍ତି । ଆମ ପାଇଁ ଅକ୍ଳାନ୍ତ ପରିଶ୍ରମ କରି କେତେ ଜିନିଷ ତିଆରି କରି ପଠାଉଛନ୍ତି । ସେ କଥା ଭାବିଲା ବେଳକୁ ଆମ କଷ୍ଟ ପାଣିପରି କେଉଁଆଡ଼େ ଉଭେଇଯାଉଛି । ସେମାନଙ୍କ ସ୍ନେହ ମମତା ଆମକୁ ଏ ବିଭୀଷିକା ମଧ୍ୟରେ ବି ବଞ୍ଚାଇ ରଖୁଛି । ଆମେ ଦେଶରକ୍ଷା କରିବାକୁ ପ୍ରେରଣା ପାଉଛୁ ।

ଖାଇବା ସମୟ ନିକଟ ହୋଇ ଆସୁଛି । ତରତରରେ ଏଠିକା କାମ ବିଷୟରେ ଦୁଇପଦ ବି କହିଦିଏ । ତୁ ତ ଜାଣିଛୁ, ଆମେ କେବେ ବିଶ୍ୱାସ କରି ନ ଥିଲୁ ଯେ ହିମାଳୟ ଉପର ଦେଇ ଆମକୁ କେହି କେବେ ଆକ୍ରମଣ କରିବ ବୋଲି । କିନ୍ତୁ ସଇତାନ ଚୀନାମାନେ ଚକ୍ରାନ୍ତ କରି ଆକ୍ରମଣ କଲେ । ତେଣୁ ଆମେ ଇଞ୍ଜିନିୟରମାନେ ବର୍ତ୍ତମାନ ପାହାଡ଼ କାଟି ରାସ୍ତା ତିଆରି କରୁଛୁ-। କେଉଁଠି କେମିତି ପାହାଡ଼ ଉପରେ ଅସ୍ଥାୟୀ ପୋଲ ବି ତିଆରି କରୁଛୁ; ତା’ ନ ହେଲେ ସୈନ୍ୟମାନେ ଯିବା ଆସିବା କରି ପାରିବେ ନାହିଁ ।

ଆମର ଯୁଦ୍ଧ ଖବର ସବୁ ତୁମ୍ଭେମାନେ ଶୁଣୁଥିବ । ଆମର ଜଣେ ସୈନ୍ୟ ସାଙ୍ଗରେ ସାତଜଣ ଚୀନ ସୈନ୍ୟ ବି ସମାନ ହେବେ ନାହିଁ । କିନ୍ତୁ କେତେଟା ଘାଟିରେ ଆମେ ହାରି ଯାଇଛୁ । ତା’ର କାରଣ ହେଉଛି, ଏତେ ଉଚ୍ଚ ସ୍ଥାନରେ ଆମର ସୈନ୍ୟମାନେ ଯୁଦ୍ଧ କରିବାରେ ଅଭ୍ୟସ୍ତ ନ ଥିଲେ । ତେଣୁ ଏମିତି ହୋଇଛି । କିନ୍ତୁ ମୋର ବିଶ୍ୱାସ, ଆମେ ଇଞ୍ଚେ ହେଲେ ସ୍ଥାନ ମଧ୍ୟ ଚୀନାମାନଙ୍କୁ ଛାଡ଼ିଦେବୁ ନାହିଁ । ନିଶ୍ଚୟ ସେମାନଙ୍କୁ ପବିତ୍ର ଭାରତ ମାଟି ଉପରୁ ତଡ଼ିଦେବୁ ।

ଆଉ ଗାଁ ଲୋକମାନଙ୍କୁ କହିବୁ, ସେମାନଙ୍କ କଥା ମୋ ମନେପଡ଼ୁଛି । ସେମାନେ ଆମ କଥା ମନେପକାଇ ନିଜ ନିଜର କର୍ତ୍ତବ୍ୟ କରିବେ ବୋଲି ମୋର ବିଶ୍ଵାସ ଅଛି । ଦେଶ ରକ୍ଷା ସମସ୍ତଙ୍କର ଲକ୍ଷ୍ୟ ହେଲେ, ଚୀନାମାନଙ୍କୁ ଘଡ଼ିକରେ ତଡ଼ି ଦେଇ ହେବ ।

ହଉ, ରହିଲି

। ଇତି ।

ତୋର ପ୍ରିୟ

ଅରୁଣ

ସାନ୍ତରାପୁର ବିଶ୍ଵାଳ ବୁଢ଼ା ଅରୁଣ ନେଫାକୁ ଯିବା ଖବର ଶୁଣିଲା । ବୁଢ଼ା ଡରିଗଲା । ଅରୁଣ ହେଉଛି ବିଶ୍ଵାଳ ବଂଶର ଏକମାତ୍ର ବଂଶଧର । ସେ ଯେତେ ଧନ ସଞ୍ଚିଛି, ସବୁ ତ ଅରୁଣ ପାଇଁ । ଅରୁଣ ପଢ଼ିଲାବେଳେ ବିଶ୍ଵାଳ ବୁଢ଼ା କେତେଥର ଯିବା ଆସିବା କରିଥିଲେ । କିନ୍ତୁ ପଢ଼ା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ କେବେହେଲେ ମନ ବଳାଇ ନ ଥିଲା । ତା’ର ଧାରଣା ଥିଲା, ପାଠପଢ଼ା ସରିଲେ ଅରୁଣ ନିଶ୍ଚୟ ସାନ୍ତରାପୁରକୁ ଫେରି ଆସିବ । କିନ୍ତୁ ସେପରି ତ କିଛି ହେଲା ନାହିଁ । ବାହାଘର ପରେ ପରେ ସେ ଚାକିରିକୁ ଗଲା । ସେଠୁ ପୁଣି ସୈନ୍ୟ ବିଭାଗରେ ଯୋଗ ଦେଲାଣି ।

ବିଶ୍ଵାଳ ବୁଢ଼ା ଆଉ ସମ୍ଭାଳି ହୋଇ ରହିପାରିଲା ନାହିଁ । ସେ ଆସି ପହଞ୍ଚିଲା ହରି ବେହେରାଙ୍କ ପାଖରେ । ତା’ ବୋହୂ ଓ ନାତୁଣୀ ବୋହୂଙ୍କୁ ଘରକୁ ନେବ । ଏଥିପାଇଁ ଜିଦ୍‍କରି ବସିଲା । ହରି ବେହେରା କହିଲେ, ବୋହୂ ମଲାଣି କି ଗଲାଣି ଏ ପର୍ଯ୍ୟନ୍ତ ତ ଖବର ରଖୁ ନ ଥିଲ, ହଠାତ୍ ଏମିତି କ’ଣ ହେଲା ଯେ, ଆସି ବୋହୂ ନେବାକୁ ବସିଲଣି ? କ’ଣ ନାତି ରୋଜଗାର ଦେଖି ଲୋଭ ହେଲା କି ?

ବୁଢ଼ା ଆଖି ଛଳଛଳ କରି କହିଲା, ସମୁଦି ! ମୁଁ ବୋହୂ ପାଖରେ ଦୋଷ କରିଛି । ତା’ ପାଖରେ କ୍ଷମା ମାଗିବି । ତୁମେ କ’ଣ ଭାବିଛ ଯେ, ନାତି ରୋଜଗାରକୁ ମୁଁ ଅନାଇ ବସିଛି । କୂଳରେ ପାଣି ଦେବାକୁ ବକଟେ ବୋଲି ନାତି । ମୋର ଯେତେ ଜମି ଅଛି, ଯଦି ସେ ହିଡ଼ମାଟି ହିଡ଼ ଉପରେ ଲଦିବ, ଘରେ ଖାଇବାକୁ ମଣିଷ ନାହାନ୍ତି । ଆମର ସେ ଚାକିରି ଫାକିରି ଦରକାର ନାହିଁ । ମୋ ନାତି କିପରି ଫେରିଆସୁ, ମୁଁ ସେ କଥା ଖାଲି ଭାବୁଛି ।

ହରି ବେହେରା କହିଲେ, ଭାଇ ! ନେଡ଼ି ଗୁଡ଼ କହୁଣିକୁ ବୋହି ଯାଇଛି । ଅରୁଣ ବର୍ତ୍ତମାନ ଦେଶ ମାତୁଳା ସେବା ପାଇଁ ଜୀବନ ଉତ୍ସର୍ଗ କରି ଦେଲାଣି । ତାକୁ ଆଉ ଘରେ ବାନ୍ଧି ରଖି ପାରିବ ନାହିଁ । ଆଜି ସବୁ ଭାରତୀୟଙ୍କର ଏକ ପ୍ରକାର ଚିନ୍ତା, କିପରି ଦେଶକୁ ଶତ୍ରୁ ହାତରୁ ରକ୍ଷା କରିବାକୁ ହେବ । ସେ ବେଳ ଚାଲିଗଲାଣି ଯେତେବେଳେ କି ଲୋକମାନେ କେବଳ ନିଜ ଘର କଥା ଭାବୁଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟିଭଙ୍ଗୀ ବଦଳିଯାଇଛି । ଆମ ବୁଢ଼ାଙ୍କ ଅମଳ ଚାଲିଗଲା । ଏଣିକି ଏ ନୂଆ ଟୋକାସବୁ କ’ଣ କରିବେ, ସେ କଥା ସେ ଜାଣନ୍ତି । ଯୁଗ ବଦଳି ଯାଇଛି ଭାଇ । ଆଉ ସେ ପୁରୁଣା କାଳିଆ କଥା ଧରି ବସିଲେ ହେବ ନାହିଁ ।

ବିଶ୍ୱାଳ ବୁଢ଼ା କିଛି ଶୁଣିବାକୁ ନାରାଜ । ତା’ର ଗୋଟାଏ କଥା, ବୋହୂ ଓ ନାତୁଣୀ ବୋହୂକୁ ନେଇ ଘରକୁ ଯିବ । ହରି ବେହେରା କହିଲେ, ସାନ୍ତରାପୁର ହେଉଛି ଫୁଲ ଓ ନୀଳିମାର ଘର । ସେମାନେ ଯଦି ଯିବାକୁ ରାଜି ହେବେ ତାଙ୍କର ଆପତ୍ତି କରିବାର କିଛି ନାହିଁ ।

ଫୁଲ ମୁଣ୍ଡରେ ବିଶ୍ଵାଳ ବୁଢ଼ା କଥା କିଛି ପଶିଲା ନାହିଁ । ସେ ତ ପୁଅ ଚିନ୍ତାରେ ବ୍ୟସ୍ତ । ତେଣୁ ସେ କିଛି ଜବାବ୍ ଦେଇ ପାରିଲା ନାହିଁ । ନୀଳିମା ବୁଢ଼ାକୁ ବୁଝାଇ ସୁଝାଇ ଫେରାର ଦେଲା-। ଆଉ କଥା ଦେଲା ଅରୁଣ ଫେରି ଆସିଲେ, ସେମାନେ ସାଆଁନ୍ତରାପୁରକୁ ଯିବେ ।

ସୁଖ ଦୁଃଖ ଦୁନିଆରେ ଲାଗିଛି । ପ୍ରତିଦିନ ଏମିତି କେତେ ଘଟଣା ଘଟୁଛି, ତା’ର ପୁଣି ସମାଧାନ ହେଉଛି । ସମୟ ଗଡ଼ି ଚାଲିଛି, କାହାକୁ ଅପେକ୍ଷା କରେ ନାହିଁ । ଭାରତର ଉତ୍ତର ସୀମାନ୍ତରୁ ଯୁଦ୍ଧ ବନ୍ଦ ହୋଇ ଆସିଲା । ଗର୍ବର ଚୀନାମାନେ ଭାରତର ମାଟିକୁ ଦଖଲ କରିବାର ଆଶା ଛାଡ଼ିଲେ । ସେମାନଙ୍କର ସୁଖ ସ୍ୱପ୍ନ ଭାଙ୍ଗିଗଲା । ବଳପ୍ରୟୋଗ କରି କାହାକୁ ଜୟ କରିବାର ବେଳ ଆଉ ନାହିଁ । ତୁମେ କାହା ଉପରକୁ ଟେକାଟାଏ ପକାଇଲେ ଓଲଟି ପଥର ଖଣ୍ଡେ ଆସି ନିଜ ଉପରେ ପଡ଼ିବ ।

କୃତଘ୍ନ ଚୀନାମାନେ ବୁଝିଲେ, ତାଙ୍କୁ ହଟାଇ ଦେବାକୁ ଭାରତର ଯଥେଷ୍ଟ ଶକ୍ତି ଅଛି । ଆଉ ମଧ୍ୟ ତା’ର ଏ ଆକ୍ରମଣକୁ ପୃଥିବୀର କୌଣସି ରାଷ୍ଟ୍ର ସମର୍ଥନ କଲେ ନାହିଁ । ବନ୍ଧୁ ରାଷ୍ଟ୍ରମାନେ ଭାରତକୁ ସାହାଯ୍ୟ ଦେବାକୁ ଆଗଭର ହୋଇ ଆସିଲେ । ଗର୍ବର ଚୀନାମାନେ ଦେଖିଲେ ତାଙ୍କର ଉଦ୍ଦେଶ୍ୟ ବିଫଳ ହେଲା । ସେମାନେ ତାଙ୍କ ସୀମାରେଖାକୁ ଫେରିଗଲେ । ଭାରତ ପକ୍ଷରୁ ଚୀନାମାନଙ୍କୁ ବାଧା ଦେବାର ସମସ୍ତ ଆୟୋଜନ ବନ୍ଦ ରହିଲା । କିନ୍ତୁ ଶତ୍ରୁକୁ କେବେ ବିଶ୍ୱାସ କରିବାର ନୁହେଁ । ତେଣୁ ଭାରତର ସୀମାରେ ସୈନ୍ୟମାନେ ସବୁବେଳେ ସଜାଗ ରହିଲେ ।

ଅରୁଣକୁ ସବୁଦିନ ପାଇଁ ସୈନ୍ୟ ବିଭାଗରେ ଚାକିରି ମିଳିଲା । କିନ୍ତୁ ଯୁଦ୍ଧ ବନ୍ଦ ପରେ କିଛିଦିନ ପାଇଁ ସେ ଆସିଲା ପାଟପୁରକୁ ।

ଅରୁଣ ଗାଁ ଲୋକଙ୍କ କାମକୁ ଖୁବ୍ ପସନ୍ଦ କଲା । ସେ ବୁଲି ବୁଲି ଲୋକମାନଙ୍କର ନୂଆ ଜାପାନୀ ପ୍ରଣାଳୀ ଚାଷ କାମ ଦେଖିଲା । ଏଣିକି ଲୋକମାନେ କୋଠଚାଷ କରି କିପରି ଅଧିକ ଖାଦ୍ୟ ଶସ୍ୟ ଉତ୍ପନ୍ନ କରନ୍ତୁ, ସେଥିପାଇଁ ଉତ୍ସାହ ଦେଲା ।

ବେଣୁଧର ତାଙ୍କର ଗୃହରକ୍ଷୀ ବାହିନୀର ସବୁ କାମ ଗୋଟି ଗୋଟି କରି ଅରୁଣକୁ କହିଲେ । ଅରୁଣ କହିଲା, ଏହି ସଂଗଠନକୁ ସବୁଦିନ ପାଇଁ ବଞ୍ଚାଇ ରଖିବାକୁ ହେବ । ଚୀନାମାନେ ଆକ୍ରମଣ କରିବା ଦ୍ୱାରା ଆମର ଏତିକି ଲାଭ ହେଲା ଯେ, ଭାରତୀୟଙ୍କ ମଧ୍ୟରେ କି ଅନ୍ତର୍ନିହିତ ଶକ୍ତି ଅଛି, ତାହା ବାହାର ଦୁନିଆ ଜାଣିପାରିଲା । ଆଉ ମଧ୍ୟ ଆମ ଭିତରେ ଗୋଟାଏ ଏକତା ଚାଲି ଆସିଲା । ବର୍ତ୍ତମାନ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦେଶ କଥା ଭାବୁଛନ୍ତି । ଏଇ ମନୋଭାବ ନେଇ ସବୁଦିନେ କାମ ହେବା ଦରକାର । ତା’ହେଲେ ଆମ ଦେଶ ଆଉ ପଛାଇବ ନାହିଁ କିମ୍ବା ଆମକୁ କୌଣସି ବାହାର ଶତ୍ରୁ ଆକ୍ରମଣ କରିବାକୁ ସାହସ କରିବେ ନାହିଁ ।

ଅରୁଣ ଫେରିବାରେ ଫୁଲ ଓ ନୀଳିମାର ଆନନ୍ଦରେ ସୀମା ରହିଲା ନାହିଁ । ନୀଳିମା ରାତି ରାତି ଧରି ତା’ କାମ ବିଷୟରେ ଅରୁଣକୁ କହିଲା । ତାଙ୍କର ମହିଳା ସମିତିର ସବୁ କାମ ସେ ଅରୁଣକୁ ଦେଖାଇଲା । ଅରୁଣ କହିଲା ଛୁଟିପରେ ନୀଳିମା ଯିବ ତା’ ସାଙ୍ଗରେ । ତେଣୁ ତା’ର ସବୁ ଦାୟିତ୍ଵ ଅନ୍ୟମାନଙ୍କୁ ଦେଇଦେବା ଦରକାର । ନୀଳିମା ଏ କଥା ଶୁଣି ଆତ୍ମହରା ହୋଇପଡ଼ିଲା । ସେ ଯିବ ତା’ ସ୍ୱାମୀଙ୍କ ସାଙ୍ଗରେ ସେହି ବରଫଘେରା ପର୍ବତ ପାଖକୁ । କାମ ଶେଷକରି ଅରୁଣ ଫେରି ଆସିବ ସେହି ଘରକୁ । ବଗୁଲା ବଗୁଲୀ ଦୁଇଜଣ, ସେମାନେ ଅନାଇ ରହିବେ ସେହି ଦୂର ଅସ୍ତଗାମୀ ସୂର୍ଯ୍ୟକୁ । ଆଖି ଆଗରେ ତା’ର ଭାସିଗଲେ ଦୃଶ୍ୟ ପରେ ଦୃଶ୍ୟ । ମନ ତା’ର ଚଞ୍ଚଳ ହୋଇ ଉଠିଲା, ସେ କେମିତି ଶୀଘ୍ର ଯିବ ନୂଆ ସ୍ଥାନକୁ ।

ମାଳତୀ ତ ଆଗରୁ ମହିଳା ସମିତିର ସବୁ କାମ ଚଳାଉଥିଲା । ନୀଳିମା ଖାଲି ଯାହା ଖବର ବୁଝୁଥିଲା । ନୀଳିମାଙ୍କ ଅନୁପସ୍ଥିତିରେ ମାଳତୀ ସବୁକାମ ଚଳାଇବା ପାଇଁ ତା’ର ବୁଦ୍ଧି ଅଛି-। କିନ୍ତୁ ସବୁଦିନ ପାଇଁ ମାଳତୀ ପାଟପୁରରେ ରହିବା ଦରକାର । ନୀଳିମା ପ୍ରସ୍ତାବ ଦେଲା, ବେଣୁଧରଙ୍କ ସାଙ୍ଗରେ ମାଳତୀର ବିବାହ ହେଉ । ତା’ହେଲେ ଦୁଇଜଣ ଯାକ ପାଟପୁରରେ ରହି ଗାଁ କାମରେ ଲାଗିବେ ।

ଘର ପୋଡ଼ିଗଲା ପରଠାରୁ ଚିନ୍ତେଇ ସ୍ଵାଇଁ ବଡ଼ ଚିନ୍ତାରେ ପଡ଼ିଥିଲା । ଝିଅକୁ କିପରି ବିବାହ ଦେବ । ନୀଳିମାର ପ୍ରସ୍ତାବ ଶୁଣି ଆକାଶ କୁସୁମ ପାଇଲା ଭଳି ତାକୁ ଜଣାଗଲା । ବେଣୁଧର ପ୍ରସ୍ତାବକୁ ଆଗ୍ରହର ସହିତ ଗ୍ରହଣ କରିନେଲେ । ସେଇ ପାଟପୁରରେ ମାଳତୀ ଓ ବେଣୁଧରଙ୍କ ବିବାହ କାର୍ଯ୍ୟ ଶେଷ ହେଲା । ନୀଳିମା ତା’ର ସମସ୍ତ ଦାୟିତ୍ଵ ମାଳତୀ ଉପରେ ଦେଇ ନିଶ୍ଚିନ୍ତ ରହିଲା । ସ୍କୁଲରେ ଅନ୍ୟ ଜଣେ କେହି ଶିକ୍ଷୟତ୍ରୀ ନିଯୁକ୍ତ ହେବାର ବ୍ୟବସ୍ଥା ହେଲା ।

ବିଶ୍ଵାଳ ବୁଢ଼ାର ଗୋଟାଏ ଜିଦ୍ ଯେ ସେ ଅରୁଣକୁ ଆଉ ଚାକିରି କରିବାକୁ ଛାଡ଼ି ଦେବ ନାହିଁ । ତା’ ସମ୍ପତ୍ତି ଭୋଗ କରିବାକୁ ଲୋକ ନାହାନ୍ତି । ତା’ ନାତି ଏଣିକି ଘରେ ରହି ଚାଷ ଖବର ବୁଝିବ ।

ଅରୁଣ ଓ ନୀଳିମା ଗୋଟିଏ ଦିନ ପାଇଁ ସାଆଁନ୍ତରାପୁର ଯାଇ ବୁଲି ଆସିଲେ ଏବଂ ଅରୁଣ ବିଶ୍ୱାଳ ବୁଢ଼ାକୁ ବୁଝାଇ ଦେଲା, ସେ ଆଉ ଘରେ ରହିବା ସମ୍ଭବ ନୁହେଁ । ଦେଶପାଇଁ କାମ କରିବାର ବେଳ ଆସିଛି । ତା’ର ଜୀବନ ଥିବା ପର୍ଯ୍ୟନ୍ତ ସେ ଦେଶ କାମରେ ଲାଗିବ, ଏଇ ହେଉଛି ତା’ର ସଂକଳ୍ପ ।

ବୁଢ଼ା କହିଲା, ଫୁଲକୁ ନେବ ତା’ ଘରକୁ । ଫୁଲ ବି ବୁଝିଲା, ସାଆଁନ୍ତରାପୁର ହେଉଛି ତା’ ନିଜ ଘର । ଯେଉଁମାନେ ତା’ ପ୍ରତି ଅବିଚାର କରିଥିଲେ, ସେମାନେ ତାଙ୍କର ଭୁଲ୍ ବୁଝି ପାରିଛନ୍ତି । ସେ ସାଆଁନ୍ତରାପୁରକୁ ଯିବାକୁ ରାଜି ହେଲା ।

ଅରୁଣର ଛୁଟି ସରିଗଲା । ନୀଳିମା ସବୁ ଜିନିଷପତ୍ର ବନ୍ଧାବନ୍ଧି କରି ପ୍ରସ୍ତୁତ ରହିଲା । ଅରୁଣ ପୁଣି ଫେରିଯିବ ସେଇ ନେଫା ଅଞ୍ଚଳକୁ । ପାଟପୁର ପଞ୍ଚାୟତର ଅନେକ ଲୋକ ଆସିଲେ-। ପଙ୍କଜ ମହାନ୍ତି ଅରୁଣକୁ ଦେଖିବାକୁ ଆସିଥିଲେ । ହରି ବେହେରାଙ୍କ ଦାଣ୍ଡରେ ଗୋଟାଏ ସଭା ହେଲା । ପଙ୍କଜ ମହାନ୍ତି କହିଲେ, ତାଙ୍କ ଅଞ୍ଚଳର ଜଣେ ପୁଅ ଦେଶ ସେବାପାଇଁ ସଂକଳ୍ପ କରିଛନ୍ତି-। ଏହା ସମସ୍ତଙ୍କ ପାଇଁ ଗୋଟିଏ ଗୌରବର ବିଷୟ । ଭାରତର ପ୍ରତ୍ୟେକ ଯୁବକ ଅରୁଣର ଆଦର୍ଶକୁ ଗ୍ରହଣ କରିବା ଉଚିତ । ତା’ହେଲେ ଗାନ୍ଧିଜୀଙ୍କ କାମନା ନିଶ୍ଚୟ ପୂରଣ ହେବ, ଆଉ ସୃଷ୍ଟି ହେବ ତାଙ୍କ ପରିକଳ୍ପିତ ରାମରାଜ୍ୟ ।

ଅରୁଣ ସମସ୍ତଙ୍କଠାରୁ ବିଦାୟ ନେଇ ଗାଁ ଠାକୁରାଣୀଙ୍କୁ ପ୍ରଣାମ କରି ଆଗେଇ ଚାଲିଲା-। ତା’ ପଛରେ ନୀଳିମା । ପଛରୁ ଶୁଭୁଛି ପାଟପୁର ପଞ୍ଚାୟତର ଲୋକଙ୍କ ଜୟଧ୍ୱନି–

ଅରୁଣବାବୁ–ଜିନ୍ଦାବାଦ

ଭାରତ ମାତା କି–ଜୟ ଜୟହିନ୍ଦ୍

Image